Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମଣିଜଙ୍ଗା ଏମ୍.ସି.ଆଇ.ଆଇ ବିଭାଗର ମହାଦୁର୍ନୀତି: ଜିଲ୍ଲାପାଳ ଓ ଫାଇବ୍ ଟିର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ରମେଶ ମହାନ୍ତି
ଜଗତସିଂହପୁର: ଗ୍ରାମାଞ୍ଚଳରେ ଚାଷକାର୍ଯ୍ୟର ଉନ୍ନତି ପାଇଁ ଜଳସେଚନର ସୁବିଧା ନିମନ୍ତେ ସରକାରଙ୍କ ପକ୍ଷରୁ ବିପୁଳ ପରିମାଣର ଅର୍ଥ ବ୍ୟୟ କରାଯାଉଛି। ହେଲେ କିଛି ଅସାଧୁ ଯନ୍ତ୍ରୀ ଓ ଠିକାଦାର ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କାର ଅର୍ଥ ଚଳୁ କରାଯାଉଥିବା ବେଳେ ବିକାଶ କେବଳ କାଗଜପତ୍ରରେ ଚାଲିଛି ବୋଲି କୁହାଯାଉଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଳକ ଅଞ୍ଚଳରେ।

ମଣିଜଙ୍ଗା ମହାନଦୀ ଚିତ୍ରୋତ୍ପଳା ଆଇଲାଣ୍ଡ ଇରିକେସନ (ଏମ୍.ସି.ଆଇ.ଆଇ) ବିଭାଗର ମଣିଜଙ୍ଗା ସ୍ଥିତ କାର୍ଯ୍ୟାଳୟ ଅଧିନରେ ଚାଲୁଥିବା କୋଟି କୋଟି ଟଙ୍କାର କାର୍ଯ୍ୟରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ପ୍ରଭାବଶାଳୀ ଠିକାଦାର ଜଣକ କିଛି ଅସାଧୁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ କରାୟତ କରି କୋଟି କୋଟି ଟଙ୍କାର ଅର୍ଥକୁ ଆତ୍ମସାତ୍ କରିବାକୁ ଯୋରଦାର ଉଦ୍ୟମ ଚଲାଇଥିବା କୁହାଯାଉଥିବା ବେଳେ ଏନେଇ ସ୍ଥାନୀୟ ଗ୍ରାମବାସୀ ମାନଙ୍କ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳ ଓ ଫାଇବ୍ ଟି କୁ ଅଭିଯୋଗ କରାଯାଇଛି।

ଏମିତିକି ଉକ୍ତ କାର୍ଯ୍ୟ ସମ୍ପର୍କରେ ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିବା ସ୍ଥାନୀୟ ବାସିନ୍ଦାଙ୍କୁ ସଂପୃକ୍ତ ଠିକାଦାର କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ମାଧ୍ୟମରେ ଧମକ ଚମକ ଦେଉଥିବା ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ କରାଯାଇଥିବା ଏହି ଅଭିଯୋଗର ନିରପେକ୍ଷ ତଦନ୍ତ କରାଯିବ ନା ପ୍ରଭାବଶାଳୀ ଠିକାଦାରର ଚାପରେ ଅଭିଯୋଗକୁ ଫାଇଲ୍ ତଳେ ଚାପି ଦିଆଯିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ସୂଚନାନୁଯାୟୀ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଆମ୍ବେରୀ ପଞ୍ଚାୟତ ଠାରୁ ସାମନ୍ତରାପୁର ପଞ୍ଚାୟତ ସ୍ଥିତ ବିଳାସପୁର ଛକଦେଇ ଯାଇଥିବା ୧୦.ଡି ମାଇନର କେନାଲ କାର୍ଯ୍ୟ କରୁଥିବା ଠିକାଦାର ଯେନତେନ ପ୍ରକାରେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରି ଚମ୍ପଟ୍ ମାରିଥିବା ଅଭିଯୋଗ ହୋଇଛି। ଏହି କେନାଲ କାର୍ଯ୍ୟ ନିମନ୍ତେ ୩କୋଟିରୁ ଉର୍ଦ୍ଧ ଅର୍ଥ ବ୍ୟୟ ବରାଦ ହୋଇଥିବା କୁହାଯାଉଥିବା ବେଳେ ବିଭାଗୀୟ ଏମ୍.ସି.ଆଇ ଯନ୍ତ୍ରୀଙ୍କ ଠିକାଦାର ପ୍ରୀତି ଯୋଗୁଁ ସମ୍ପୃକ୍ତ ଠିକାଦାର ଉକ୍ତ କୋଟି କୋଟି ଟଙ୍କାର ଅର୍ଥ ହଡ଼ପ କରିବାକୁ ଯୋରଦାର ଭିତିରି ଉଦ୍ୟମ ଚଲାଇଛି ବୋଲି କୁହାଯାଉଛି।

ଏମିତିକି ସୂଚନା ଅଧିକାର ଆଇନ ବଳରେ ଏହି କାର୍ଯ୍ୟ ସମ୍ବନ୍ଧୀୟ ତଥ୍ୟ ମଗାଯିବାର ଦୀର୍ଘ ୪ମାସ ବିତିଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ତଥ୍ୟ ଦେଉନାହାଁନ୍ତି କାହିଁକି ? ସମ୍ପୃକ୍ତ ଠିକାଦାରକୁ ବିଭାଗୀୟ ଅଧିକାରୀମାନେ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁନାହାଁନ୍ତି ତ, ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭାଗୀୟ ଅଧିକାରୀଙ୍କ ସହ ଠିକାଦାରର କିଭଳି ମଧୁଚନ୍ଦ୍ରିକା ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ବୋଲି କୁହାଯାଉଛି। କିଛି ଅସାଧୁ ବିଭାଗୀୟ ଅଧିକାରୀଙ୍କ ଏଭଳି ଠିକାଦାର ପ୍ରୀତି ଯୋଗୁଁ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳର ଉନ୍ନତିକରଣ ନିମନ୍ତେ ଆସୁଥିବା କୋଟି କୋଟି ଟଙ୍କାର ଅର୍ଥ ସଠିକ୍ କାର୍ଯ୍ୟରେ ଲାଗିବା ପରିବର୍ତ୍ତେ ଠିକାଦାର ଚଳୁ କରିଦେଉଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅନ୍ୟପକ୍ଷରେ ସୂଚନାନୁଯାୟୀ ନିକଟସ୍ଥ ଚାଷୀଙ୍କ ସୁବିଧା ପାଇଁ ଚାଷଜମି ଗୁଡିକୁ ପାଣି ଯୋଗାଇବା ନିମନ୍ତେ ନିର୍ମାଣ କରାଯାଉଥିବା ଉକ୍ତ କେନାଲଟି କେତେକ ଚାଷୀଙ୍କ ବ୍ୟକ୍ତିଗତ ଚାଷଜମି ଭିତରକୁ ମାଡି କରାଯାଇଥିବା ଅଭିଯୋଗ ହେଉଛି। ସୂଚନାନୁଯାୟୀ ଉକ୍ତ କେନାଲ ନିର୍ମାଣ ନିମନ୍ତେ କରାଯାଇଥିବା ଲ୍ୟାଣ୍ଡମାର୍କକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନାଲ ନିର୍ମାଣ ନିମନ୍ତେ କରାଯାଇଥିବା ମାପ ପୂର୍ବରୁ କେତେକ ଚାଷୀଙ୍କୁ ସେଠାରେ ଉପସ୍ଥିତ ରହିବା ପାଇଁ ନୋଟିସ୍ କରାଯାଇ ନଥିବା ବେଳେ ଉକ୍ତ ଚାଷୀ ମାନଙ୍କର ବ୍ୟକ୍ତିଗତ ଜମିକୁ ଜବରଦଖଲ କରି ଉକ୍ତ କେନାଲ୍ ନିର୍ମାଣ ହୋଇଛି ବୋଲି ଅଭିଯୋଗ ହେଉଛି।

ଏଥିସହିତ ସାମନ୍ତରାପୁର ପଞ୍ଚାୟତର କେତେକ ସ୍ଥାନରେ ଅନାବାଦି ଓ ଗ୍ରାମ୍ୟ ସଂରକ୍ଷିତ ଗୋଜର ଯାଗା ଉପରକୁ ମାଡି ଉକ୍ତ କେନାଲଟି ନିର୍ମାଣ କରାଯାଇଛି ବୋଲି ସ୍ଥାନୀୟ ଅଞ୍ଚଳରୁ ଏପରି ଅଭିଯୋଗ ଶୁଣିବାକୁ ମିଳୁଛି। ଉକ୍ତ କେନାଲ କାର୍ଯ୍ୟର ନିରପେକ୍ଷ ତଦନ୍ତ କରାଯିବା ନିମନ୍ତେ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ମୋ ସରକାର (ଫାଇବ୍ ଟି) ଓ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର: ସମବାୟ ସମିତିରେ ମହାଦୁର୍ନୀତି, କର୍ମଚାରୀ ଖାଇଗଲେ ଗରିବ ଚାଷୀଙ୍କ ୬ ଲକ୍ଷ ଟଙ୍କା

ସୀତାରାମ ଅଗ୍ରୱାଲ

ବାଣପୁର: ବର୍ତ୍ତମାନ ସାରା ରାଜ୍ୟରେ ଚାଷୀମାନଙ୍କ ମଣ୍ଡି ସମସ୍ୟାକୁ ନେଇ ବିରୋଧ ଦଳ ଆନ୍ଦୋଳନ ଜାରି ରଖିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ହଳନ୍ଦା ସମବାୟ ସମିତିରେ ଏକ ବଡ଼ ଦୁର୍ନୀତିର ଗୁମର ଫିଟିଛି। ଗୋଟିଏ ପଟେ ଚାଷୀ ମାନଙ୍କୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଥିବା ବେଳେ ଅପରପକ୍ଷରେ ଚାଷୀ ମାନଙ୍କୁ ଲୁଟିବାରେ ଲାଗିଛନ୍ତି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସଂସ୍ଥାମାନ।

ଅଭିଯୋଗ ମୁତାବକ ହଳନ୍ଦା ସମବାୟ ସମିତି ଅଧୀନରେ ଥିବା ହଳନ୍ଦା, ବଡ଼ସିରେଇପୁର, ଅରଖଡିହ, ବେରୁଆଁବାଡ଼ି, ସାଲୁଣି ଏବଂ କୋଳଥଡିହ ଗ୍ରାମର ପାଖାପାଖି ୩୦ ଜଣ ଚାଷୀ ଗତ ମାର୍ଚ୍ଚ ମାସ ୧୯ ତାରିଖରୁ ସେମାନଙ୍କ ଧାନ ବିକ୍ରି କରିଥିଲେ ସୁଧା ଅଦ୍ୟାବଧି ଧାନ ବିକ୍ରି ଟଙ୍କା ସେମାନେ ପାଇନାହାନ୍ତି। ଚାଷୀମାନଙ୍କ କହିବା କଥା ଯେ, ସେମାନେ ହାରାହାରି ୩୨୨ କ୍ୟୁଇଣ୍ଟାଲ ଧାନ ସମବାୟ ସମିତି ଜରିଆରେ ବିକ୍ରି କରିଛନ୍ତି, ଯାହାର ସରକାରୀ ମୂଲ୍ୟ କ୍ୟୁଇଣ୍ଟାଲ ପିଛା  ୧୮୬୮ ଟଙ୍କା ହିସାବରେ ପାଖାପାଖି ୬ ଲକ୍ଷ ଟଙ୍କା ହେବ।

ନିୟମ ମୁତାବକ ଧାନ ବିକ୍ରିର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଇସା ଆସିବା କଥା। କିନ୍ତୁ ଏହା ଭିତରେ ସାଢେ ତିନି ମାସ ବିତିଯାଇଥିଲେ ମଧ୍ୟ ଚାଷୀଙ୍କ ଆକାଉଣ୍ଟରେ ଏପର୍ଯ୍ୟନ୍ତ ପଇସା ଜମା ହୋଇନାହିଁ। ଏ ନେଇ ବାରମ୍ବାର ଚାଷୀମାନେ ହଳନ୍ଦା ସମବାୟ ସମିତି ଡ଼ିଇଓ ବିପ୍ଳବ ବିଶୋଇଙ୍କୁ ପଚାରିଥିଲେ ମଧ୍ୟ ସେ ବାରମ୍ବାର ବିଭିନ୍ନ ବାହାନା ଦେଖାଇ ଦିନ ଗଡ଼ାଇ ଚାଲିଛନ୍ତି। ଅନୁରୂପ ଭାବେ ସମବାୟ ସମିତି ସମ୍ପାଦକ ଜୟନ୍ତ ରଣସିଂହକୁ ପଚାରିବାରୁ ସେ ମଧ୍ୟ କଥାକୁ ଏଡାଇଦେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ତେବେ ସେମାନଙ୍କ ସନ୍ଦେହ ବଢ଼ିବାରୁ ବାଧ୍ୟ ହୋଇ ଗତକାଲି କିଛି ଚାଷୀ ମାନେ ଖୋର୍ଦ୍ଧା ଜିଲ୍ଲା ସମବାୟ ସମିତି ସହ ନିବନ୍ଧକଙ୍କ ନିକଟକୁ ଯାଇ ଏନେଇ ଅଭିଯୋଗ କରିବା ସହ ଜିଲ୍ଲାପାଳଙ୍କୁ ମଧ୍ୟ ଏକ ପତ୍ର ଦେଇ ଉକ୍ତ ଦୁର୍ନୀତିର ତଦନ୍ତ ପାଇଁ ଦାବି କରିଛନ୍ତି। ଆମ ଚିଲିକା ପ୍ରତିନିଧି ଏନେଇ  ଜିଲ୍ଲା ସମବାୟ ସମିତି ସହ ନିବନ୍ଧକ ଉମାଶଙ୍କର ଦାସଙ୍କୁ ପଚାରିବାରୁ ଉକ୍ତ ଘଟଣା ସତ୍ୟ ବୋଲି ସେ ସ୍ୱୀକାର କରିବା ସହ ଚାଷୀମାନଙ୍କ ଟୋକନର ଅବଧି ଉକ୍ତ ଦିନ ସରିଯାଇଥିଲେ ସୁଦ୍ଧା ଡ଼ିଇଓ ଜାଣିଶୁଣି ସେମାନଙ୍କ ମିଛ ଆଇ ସ୍କାନ କରି ନକଲି ଭେଣ୍ଡର ସ୍ଲିପ ଦେଇ ଧାନଗୁଡିକୁ ବେଆଇନ ଭାବେ ଅନ୍ୟତ୍ର ବିକ୍ରି କରିଦେଇଥିବାର କହିଛନ୍ତି।

ତେବେ ସମବାୟ ସମିତି ସମ୍ପାଦକ ମଧ୍ୟ ଏଥିରେ ସାମିଲ ଅଛନ୍ତି କି ନାହିଁ ପଚାରିବାରୁ ବୁଧବାର ସୁଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ଏକ ନିରପେକ୍ଷ ଯାଞ୍ଚ ରିପୋର୍ଟ ପ୍ରସ୍ତୁତ କରାଯିବ ଏବଂ ଯିଏ ଦୋଷୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ଦାସ କହିଛନ୍ତି।

ଅନୁରୂପ ଭାବେ ଏ ନେଇ ଆମ ପ୍ରତିନିଧି ହଳନ୍ଦା ସମବାୟ ସମିତିର ସମ୍ପାଦକ ଜୟନ୍ତ ରଣସିଂହଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ଘଟଣା ସତ ବୋଲି କହିବା ସହ ହୋଇଥିବା ଦୁର୍ନୀତିକୁ ସ୍ୱୀକାର କରିଛନ୍ତି। ତାଙ୍କ କହିବା ମୁତାବକ ଡ଼ିଇଓ ୨୩ ଜଣ ଚାଷୀଙ୍କ ୩୧୪ କ୍ୟୁଇଣ୍ଟାଲ ଧାନକୁ ୧୭୦୦ (ପ୍ରତି କ୍ୟୁଇଣ୍ଟାଲ) ଟଙ୍କା ହିସାବରେ ୫ ଲକ୍ଷ ୩୪ ହଜାର ଟଙ୍କାରେ ଅନ୍ୟତ୍ର ବିକି ନିଜେ ଚଳୁ କରିଦେଇଛନ୍ତି। ସେହିପରି ଭାବେ ଡ଼ିଇଓଙ୍କୁ ଆମ ପ୍ରତନିଧି ବାରମ୍ବାର ଯୋଗାଯୋଗ କରିଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରିନାହିଁ।

ଗୋଟେ ପକ୍ଷରେ ଚାଷୀମାନେ ଉଭୟ ଡ଼ିଇଓ ଏବଂ ସମ୍ପାଦକ ମିଶିକରି ଏତେବଡ ଦୁର୍ନୀତି କରିଥିବାର କହୁଥିବା ବେଳେ ଅନ୍ୟ ପକ୍ଷରେ ସମ୍ପାଦକ ଡ଼ିଇଓଙ୍କ ମୁଣ୍ଡରେ ଅଠା ବୋଳୁଛନ୍ତି।  ତେବେ ଏପରି ମହାଦୁର୍ନୀତି ଦୀର୍ଘ ତିନି ମାସ ହେଲା ଚାଲିଥିବାବେଳେ ଜିଲ୍ଲା ପ୍ରଶାସନ କିପରି ଏହାର ଟେର ପାଇଲା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଯଥାଶୀଘ୍ର ସମବାୟ ବିଭାଗ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ସହ ଗରିବ ଚାଷୀଙ୍କ ପ୍ରାପ୍ୟ ସେମାନେ କିପରି ଫେରିପାଇବେ ସେଦିଗରେ ପଦକ୍ଷେପ ଗ୍ରହଣ କରିବାପାଇଁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱଚ୍ଛ ଭାରତ ମିଶନରେ ମହାଦୁର୍ନୀତି: ହାଇକୋର୍ଟରେ ମାମଲା ରୁଜୁ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପାତ୍ରପୁର ବ୍ଲକ୍‌ରେ ସ୍ୱଚ୍ଛ ଭାରତ ମିଶନରେ ହୋଇଥିବା ମହାଦୁର୍ନୀତିର ତଦନ୍ତ ପାଇଁ ଗଂଜାମ ଜିଲ୍ଲା ଫରୱାର୍ଡ଼ ବ୍ଳକ୍‌ର ଜିଲ୍ଲା ସାଧାରଣ ସଂପାଦକ ସମରଜିତ୍ ମହାନ୍ତି ଗତ ଡ଼ିସେମ୍ବର ୧୨ ତାରିଖରେ ସରକାର ଓ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ। ଯଦି ଏହାର ତଦନ୍ତ ୧୫ ଦିନ ମଧ୍ୟରେ ନହୁଏ ତେବେ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ମଧ୍ୟ ସ୍ମାରକପତ୍ରରେ ଉଲ୍ଲେଖ କରିଥିଲେ।

ପ୍ରଶାସନ ପକ୍ଷରୁ କୌଣସି ତଦନ୍ତ ନହେବା ଯୋଗୁଁ ଶ୍ରୀ ମହାନ୍ତି ଜାନୁୟାରୀ ୧୧ ତାରିଖରେ ହାଇକୋର୍ଟରେ ସିଆର୍‌ଏଲ୍‌ଏମ୍‌ପି ନଂ ୨୦/୨୦୨୧ରେ ମାମଲା ରୁଜୁ କରିଛନ୍ତି। ଏଥିରେ ପଂଚାୟତରାଜ ସଚିବ, ଗଂଜାମ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଡ଼ିଆର୍‌ଡ଼ିଏ, ଗଂଜାମ, ବ୍ରହ୍ମପୁର ଭିଜିଲାନସ ଏସ୍‌ପି ଓ ପାତ୍ରପୁର ବିଡ଼ିଓଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସୂଚନାଯୋଗ୍ୟ ପାତ୍ରପୁର ବ୍ଲକ୍‌ରେ ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ନିର୍ମାଣ ପାଇଁ ୧୫୦୭୨ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାଦେଶ ଦିଆଯାଇଛି। ଏହାସହ ଏଲ୍‌ଓବିରେ ୧୭୯୧ ଏବଂ ଏନ୍‌ଓଏଲ୍‌ବିରେ ୨୫୯୮ ଜଣଙ୍କୁ କାର୍ଯ୍ୟାଦେଶ ମିଳିଛି। ସମୁଦାୟ ୧୮୪୬୧ ଜଣ ହିତାଧିକାରୀଙ୍କ ବଦଳରେ ଚଞ୍ଚକତା କରି ୧୯୬୯୯ ଜଣଙ୍କୁ କିଭଳି ଅର୍ଥ ପ୍ରଦାନ କରାଗଲା ତାହା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ସମୁଦାୟ ୧କୋଟି ୪୮ ଲକ୍ଷ ୫୬ହଜାର ଟଙ୍କା ରାଜକୋଷରୁ ହରିଲୁଟ୍ ହୋଇଥିବା ନେଇ ଶ୍ରୀ ମହାନ୍ତି ସ୍ମାରକପତ୍ରରେ ଦର୍ଶାଇଥିଲେ। ଶୌଚାଳୟର ଜିଓ ଟ୍ୟାଗିଂ ହୋଇନି। ବିଲ୍ ମଧ୍ୟ ଦିଆଯାଇନି। ହିତାଧିକାରୀଙ୍କ ନାମକୁ ଟେମ୍ପରିଂ କରି ଦୁଇଟି ଲେଖାଏଁ ଲେଟିନ୍ ବିନ୍ ହୋଇଛି। ଗୋଟିଏ ଏସ୍‌ଏଚ୍‌ଜିକୁ ପ୍ରାୟ ୮୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ସଂପୃକ୍ତ ଗୃପ ହିତାଧିକାରୀଙ୍କୁ ଅର୍ଥ ପୈଠ କରିନଥିବା ଘଟଣା ମଧ୍ୟ ଏହି ବ୍ଲକ୍‌ରେ ଘଟିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକା ବ୍ଲକରେ ପୁଣି ଏକ ମହାଦୁର୍ନୀତି: ମୃତକଙ୍କ ସହିତ ସରକାରୀ କର୍ମଚାରୀଙ୍କୁ ମିଳୁଛି ରାସନ ସାମଗ୍ରୀ

ସୀତାରାମ ଅଗ୍ରୱାଲ

ଚିଲିକା: ନିକଟରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ମାନସିଂହପୁର ଗ୍ରାମପଞ୍ଚାୟତରେ ଦୁଇ ଜଣ ମୃତ ବ୍ୟକ୍ତିଙ୍କ ଚାରି ଚାରି ବର୍ଷ ଯାଏଁ ରାସନ କାର୍ଡ କାର୍ଯ୍ୟକ୍ଷମ ରହିଥିବାର ଦେଖିବାକୁ ମିଳିଥିଲା। ଏହି ଖବର ଆମେ ପ୍ରସାରଣ କରିବାପରେ ଚଳଚଞ୍ଚଳ ହୋଇଉଠିଥିଲା ଉଭୟ ଜିଲ୍ଲା ଏବଂ ବ୍ଲକ ପ୍ରଶାସନ। ଯୋଗାଣ ନିରୀକ୍ଷକଙ୍କୁ ବି.ଡ଼ି.ଓ ରିପୋର୍ଟ ମାଗିଥିବାବେଳେ ଜିଲ୍ଲାପାଳ ଉକ୍ତ ଘଟଣାର ତଦନ୍ତ ଉପଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଥିଲେ। ଖବର ପ୍ରସାରଣ ହେବାର ଚାରି ଘଣ୍ଟା ପରେ ଯୋଗାଣ ନିରୀକ୍ଷକ ମୃତ ଦୁଇ କାର୍ଡଧାରୀଙ୍କ ନାମକୁ ପି.ଡ଼ି.ଏସ ଓଡିଶା ୱେବସାଇଟରୁ କାଟିଦେଇଥିଲେ ଏବଂ ବି.ଡ଼ି.ଓ ଙ୍କୁ ଲିଖିତ ଉତ୍ତର ଦେଇଥିଲେ।

କିନ୍ତୁ ଏହାପରେ ମଧ୍ୟ ଉକ୍ତ ପଞ୍ଚାୟତର ଅନେକ ମୃତ ବ୍ୟକ୍ତିଙ୍କ ନାମ ରାସନ କାର୍ଡ ତାଲିକାରେ ଦେଖିବାକୁ ମିଳିଛି ଯାହା ଆଜି ବି ସକ୍ରିୟ ଅଛି। ପୁଣି ମାନସିଂହପୁର ପଞ୍ଚାୟତରୁ ଗୋଟେ କିମ୍ବା ଦୁଇଟା ନାଇଁ ଛଅ ଗୋଟି ରାସନ କାର୍ଡର ଦୁର୍ନୀତି ଦେଖିବାକୁ ମିଳିଛି। ଯେଉଁ ହିତାଧିକାରୀଙ୍କ ମୃତ୍ୟୁ ବହୁତ ବର୍ଷ ପୂର୍ବେ ହୋଇଯାଇଛି, ସେହି କାର୍ଡ ଗୁଡିକର ତଥ୍ୟ ଦେଖିଲେ ଚିଲିକା ବ୍ଲକରେ ରାସନ କାର୍ଡ଼ର ଦୁର୍ନୀତି କିପରି କରାଯାଉଛି ସ୍ପଷ୍ଟ ରୂପେ ଜାଣି ହେବ।

ଦେଖନ୍ତୁ ମୃତ ବ୍ୟକ୍ତି ନାମରେ ରାସନ ସାମଗ୍ରୀ ହରିଲୁଟର ତାଲିକା

୧- କାର୍ଡ ନଂ-୧୯୦୭୧୪୧୩୬୩୩- ସମ୍ଭାରୀ ବେହେରା-୨୭.୩.୧୮ରେ ମୃତ।

– କାର୍ଡ ନଂ- ୧୯୦୭୧୪୧୪୪୧୦- ଶିଶୁଳା ଘଡେ଼ଇ- ୩.୧୦.୧୮ରେ ମୃତ।

୩- କାର୍ଡ ନଂ- ୧୯୦୭୧୪୧୪୬୮୪- ମେଘି ବେହେରା- ୯.୧୨.୧୬ ରେ ମୃତ।

୪- କାର୍ଡ ନଂ-୧୯୦୭୧୪୧୩୯୬୨-ଡୋମୀ ବେହେରା- ୩.୨.୨୦ରେ ମୃତ।

୫- କାର୍ଡ ନଂ-୧୯୦୭୧୪୧୨୯୩୬ ଧନୀ ଦେଇ-୧୯.୧.୧୬ରେ ମୃତ।

୬- କାର୍ଡ ନଂ-୧୯୦୭୧୪୧୩୨୭୪-ଅନ୍ନପୂର୍ଣ୍ଣା ବେହେରା- ୫.୦୫.୧୯ରେ ମୃତ।

ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ଯେ କେବଳ କାଗଜ କଲମରେ ତଦନ୍ତ ହେଉଛି। ବି.ଡ଼ି.ଓ ଙ୍କ ଉଦାସୀନତା ମନୋଭାବ ଲାଗି ଯୋଗାଣ ନିରୀକ୍ଷକ ଏବଂ ଉକ୍ତ ପଞ୍ଚାୟତର ଯୋଗାଣ ସହାୟକ ଆଜି ବେଫିକର ରହୁଛନ୍ତି। ଏପରିକି ଜନସାଧାରଣ କହୁଛନ୍ତି ଯେ ଯୋଗାଣ ନିରୀକ୍ଷକଙ୍କ ଖୋର୍ଦ୍ଧା ଏ.ସି.ଏସ.ଓ ଭାବେ ପଦୋନ୍ନତି ହୋଇଯାଇଥିବାରୁ ଖୁସିରେ କାର୍ଡ କାଟୁନାହାନ୍ତି ଏବଂ ଖୋଲାଖୋଲି ଦୁର୍ନୀତି କରୁଛନ୍ତି।

ସେହିପରି ଚିଲିକା ବ୍ଲକରେ ଆଉ ଏକ ବଡ ଦୁର୍ନୀତି ସାମ୍ନାକୁ ଆସିଛି। ଯୋଗ୍ୟ ହିତାଧିକାରୀ କାର୍ଡ ପାଇବା ପାଇଁ ଛଟପଟ ହେଉଥିବା ବେଳେ ସରକାରୀ କର୍ମଚାରୀଙ୍କ ପରିବାରକୁ ମିଳୁଛି ରାସନ ସାମଗ୍ରୀ।

୧୯୦୭୧୪୧୩୩୮୬ କାର୍ଡ ନମ୍ବର ଟି ହେଉଛି ସୋରଣ ଡାକ୍ତରଖାନରେ କାର୍ଯ୍ୟରତ ଫାର୍ମାସିଷ୍ଟଙ୍କ ପରିବାରର। ଉକ୍ତ କାର୍ଡରେ ଚଂଚକତାର ସହ ଫାର୍ମାସିଷ୍ଟ ମହୋଦୟା ନିଜ ନାମ କାଟିଦେଇଛନ୍ତି। କିନ୍ତୁ ତାଙ୍କ ପରିବାର ସଦସ୍ୟ ବରାବର ରାସନ ପାଉଛନ୍ତି। ଉକ୍ତ କାର୍ଡରେ ଚାରିଜଣ ହିତାଧିକାରୀଙ୍କ ନାମ ଅଛି। ଯେଉଁଥିରେ ଫାର୍ମାଶିଷ୍ଟଙ୍କ ଶଶୁରଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ନାମରେ ମଧ୍ୟ ରାସନ ସାମଗ୍ରୀ ଆସୁଛି। ଏଠି ପ୍ରଶ୍ନ ଉଠୁଛି ଜଣେ ସରକାରୀ ଚାକିରିଆ କିମ୍ବା ତାଙ୍କ ପରିବାରର ରାସନ କାର୍ଡ ପାଇବାର ପ୍ରାବଧାନ ନଥିବାବେଳେ ଯୋଗାଣ ନିରୀକ୍ଷକ କିପରି ତାଙ୍କୁ କାର୍ଡ ପ୍ରଦାନ କଲେ। ଏଠି ଖୋଲାଖୋଲି ଦୁର୍ନୀତି ହୋଇଥିବାର ପ୍ରମାଣ ମିଳୁଛି। ଯୋଗାଣ ସହାୟକ ଏବଂ ଯୋଗାଣ ନିରୀକ୍ଷକ ଉଭୟ ମିଶିକରି ମାନସିଂହପୁର ପଞ୍ଚାୟତରେ ଦୁର୍ନୀତି କରୁଥିବାର ଲୋକେ ଅଭିଯୋଗ କରୁଛନ୍ତି।

ସୂଚନାଥାଉ କି ଯୋଗାଣ ନିରୀକ୍ଷକ ବାଣପୁର ଏବଂ ଚିଲିକା ବ୍ଲକ ଓ ବାଣପୁର ଏବଂ ବାଲୁଗାଁ ଏନ.ଏ.ସି ଚାରି ଗୋଟି ଅଞ୍ଚଳର ଦାଇତ୍ତ୍ଵରେ ଥିବାବେଳେ ଏପରି ଅନେକ ଦୁର୍ନୀତି ସବୁ ସ୍ଥାନରେ ହୋଇଥିବାର ଅଭିଯୋଗ ହେଉଛି। ଆଗାମୀ ଦିନରେ ଯଦି ମାନସିଂହପୁର ପଞ୍ଚାୟତରେ ହୋଇଥିବା ଉକ୍ତ ଦୁର୍ନୀତିର ନ୍ୟାୟିକ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦିଆନଯାଏ। ତେବେ ପଞ୍ଚାୟତବାସି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଲଗାତର ମାନସିଂହପୁର ପଞ୍ଚାୟତରେ ହେଉଥିବା ରାସନ କାର୍ଡ଼ ଦୁର୍ନୀତିର ପର୍ଦାଫାଶ ତଥ୍ୟ ପ୍ରମାଣ ଆଧାରରେ କରାଯିବାପରେ ଦୋଷୀଙ୍କ ଉପରେ ଚିଲିକା ବ୍ଲକ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ନେଉଛି, ତାହା ଦେଖିବାକୁ ବାକି ରହିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକା ବ୍ଲକରେ ରାସନ କାର୍ଡର ମହାଦୁର୍ନୀତି: ଚାରି ବର୍ଷ ଧରି ମୃତକଙ୍କୁ ମିଳୁଛି ରାସନ ସାମଗ୍ରୀ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ନଜରକୁ ଆସିଛି ରାସନ କାର୍ଡର ମହାଦୁର୍ନୀତି। ଦୀର୍ଘ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ରାସନ କାର୍ଡରୁ ରାସନ ସାମଗ୍ରୀ ଉଠୁଥିବା ନେଇ ଅଭିଯୋଗ ହେଉଛି। ମାନସିଂହପୁର ପଞ୍ଚାୟତରେ ଏପରି ଜଘନ୍ୟ କାରନାମା ଚାଲିଛି।

ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ମାନସିଂହପୁର ପଞ୍ଚାୟତର ସୀତା ବେହେରା ଏବଂ ରାଞ୍ଚନ ବେହେରାଙ୍କ ରାସନ କାର୍ଡ ନମ୍ବର ଯଥାକ୍ରମେ ୧୯୦୭୧୪୧୨୫୮୬ ଏବଂ ୧୯୦୭୧୪୧୨୮୨୦ ଅଟେ। ହେଲେ ସୀତା ବେହେରା ୩୧.୦୮.୧୮ରେ ମୃତ୍ୟୁବରଣ କରିଥିବାବେଳେ କାଞ୍ଚନ ବେହେରାଙ୍କ ମୃତ୍ୟୁ ୨୪.୦୭.୧୬ ରେ ହୋଇଥିଲା। ତେବେ ଆଜି ତାରିଖରେ ସୀତା ବେହେରାଙ୍କ ମୃତ୍ୟକୁ ଦୁଇ ବର୍ଷରୁ ଉର୍ଦ୍ଧ୍ଵ ସମୟ ହୋଇଯାଇଥିବା ସ୍ଥଳେ କାଞ୍ଚନଙ୍କ ମୃତ୍ୟୁକୁ ଚାରି ବର୍ଷରୁ ଉର୍ଦ୍ଧ୍ଵ ସମୟ ହୋଇଗଲାଣି କିନ୍ତୁ ଆଶ୍ଚର୍ଯ୍ୟର କଥା ଉଭୟଙ୍କ ରାସନ କାର୍ଡ ଆଜି ବି କାର୍ଯ୍ୟକ୍ଷମ ଅଛି।

ହେଲେ ଏ ନେଇ ମାନସିଂହପୁର ଗ୍ରାମ ପଞ୍ଚାୟତ ଯୋଗାଣ ସହାୟକ ସୁକାନ୍ତ ବେହେରାଙ୍କୁ ଯୋଗାଯୋଗ କରିବାରୁ ତାହା ସମ୍ଭବ ହୋଇପାରିନାହିଁ। କିନ୍ତୁ ଗ୍ରାମରେ ଚର୍ଚ୍ଚା ହେଉଛି ଯେ ଏହି ସବୁ ହେରଫେର ଏବଂ ଦୁଇ ନମ୍ବରୀ କାମରେ ଯୋଗାଣ ସହାୟକଙ୍କ ପ୍ରତ୍ୟେକ୍ଷ ଭୂମିକା ଅଛି। ଯୋଗାଣ ନିରୀକ୍ଷକ ଶ୍ରୀ ତ୍ରିଲୋଚନ ସାହୁଙ୍କୁ ଏ ନେଇ ପଚାରିବାରୁ ସେ କହିଲେ ଯେ ଏ ବିଷୟ ଗତ ତିନି ମାସ ତଳେ ତାଙ୍କ ନଜରକୁ ଆସିଛି କିନ୍ତୁ କାର୍ଡ ସକ୍ରିୟ ଥିଲେ ବି ରାସନ ସାମଗ୍ରୀ ସରକାରଙ୍କୁ ଫେରାଇ ଦିଆଯାଉଛି।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ୧-ଏତେ ବର୍ଷ ହେଲା କାର୍ଡ ଗୁଡିକ କିପରି କାର୍ଯ୍ୟକ୍ଷମ ଅଛି?

୨- ମୃତକଙ୍କ ନାମରେ ଆସୁଥିବା ରାସନ ସାମଗ୍ରୀ ଖାଉଛି କିଏ?

୩-ଶେଷରେ ଯଦି ମୃତକଙ୍କ ନାମରେ ଆସୁଥିବା ରାସନ ସାମଗ୍ରୀକୁ ବାଟମାରଣା କରାଯାଉନାହିଁ ତେବେ ରାସନ କାର୍ଡ ତାଲିକାରୁ ମୃତକଙ୍କ ନାମକୁ ବାଦ ଦିଆଯାଇ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ କାହିଁକି ବର୍ଷ ବର୍ଷ ଧରି ତାଲିକାରେ ଅନ୍ତର୍ଭୁକ୍ତ କରାଯାଉ ନାହିଁ?

ଲକ ଡ଼ାଉନ ସମୟରେ ବହୁ ଯୋଗ୍ୟ ଗରିବ ହିତାଧିକାରୀ ରାସନ କାର୍ଡ ନପାଇ ଭୋକ ଉପାସରେ ଡହଳ ବିକଳ ହେଉଥିବା ବେଳେ ଯୋଗାଣ ନିରୀକ୍ଷକ ଏପରି ମୃତ ବ୍ୟକ୍ତିଙ୍କ କାର୍ଡକୁ ଦୀର୍ଘ ବର୍ଷ ଧରି କାର୍ଯ୍ୟକ୍ଷମ କରି ରଖିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା। ତେବେ ଯୋଗାଣ ନିରୀକ୍ଷକଙ୍କ ଚିଲିକା ବ୍ଲକରେ ଏପରି ମନୋବୃତ୍ତି ଯୋଗୁଁ ସତର ଗୋଟି ପଞ୍ଚାୟତ ର କେତେ ଜଣ ଯୋଗ୍ୟ ହିତାଧିକାରୀ ରାସନ କାର୍ଡ ପାଇବାରୁ ବଞ୍ଚିତ ହେଉଥିବେ ତାହା ସଠିକ ଯାଞ୍ଚ ହେଲେ ଜଣାପଡିବ।

ହେଲେ ଯୋଗାଣ ନିରୀକ୍ଷକଙ୍କ ସରକାରଙ୍କୁ ରାସନ ଫେରାଯାଉଛି ଉକ୍ତିକୁ ପଞ୍ଚାୟତବାସି ମାନେ ସହଜରେ ହଜମ କରିପାରୁନାହାନ୍ତି। ସେମାନଙ୍କ କହିବା ଅନୁଯାୟୀ ଏହି ହେରଫେରରେ ଯୋଗାଣ ସହାୟକ ସୁକାନ୍ତ ବେହେରା ଓ ଯୋଗାଣ ନିରୀକ୍ଷକ ତ୍ରିଲୋଚନ ସାହୁଙ୍କ ସିଧା ସମ୍ବନ୍ଧ ଅଛି। କାରଣ ଚାରି ଚାରି ବର୍ଷ ଯାଏଁ ରାସନ କାର୍ଡ ତାଲିକାରୁ ମୃତକଙ୍କ ନାମକୁ ବାଦ ନଦେବା ଗ୍ରାମବାସୀଙ୍କୁ ସନ୍ଦେହ ଘେରରେ ପକାଇଛି। ସେହି କାର୍ଡରୁ ଅଫଲାଇନରେ ରାସନ ସାମଗ୍ରୀ ଉଠାଯାଉଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏତଦବ୍ୟତୀତ ଫନି ବାତ୍ୟା ପଇସା, କୋଭିଡ ପଇସା, କୋଭିଡ ବାବଦରେ ଆସିଥିବା ନିଃଶୁଳ୍କ ରାସନ ଇତ୍ୟାଦି ମଧ୍ୟ ଉକ୍ତ ମୃତକଙ୍କ କାର୍ଡରୁ ଉଠୁଥିବାର ସମ୍ଭାବନାକୁ ଏଡାଇଦିଆଯାଇନପାରେ ବୋଲି ପଞ୍ଚାୟତବାସି ଅଭିଯୋଗ କରିବା ସହ ଏହାର ଉଚିତ ତଦନ୍ତ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସମୀକ୍ଷା ନ୍ୟୁଜ୍‌ର ମହାପ୍ରଭାବ: ତୁମୁରାପୁଟ ଡିଲରଙ୍କ ଲାଇସେନ୍ସ ଋଦ୍ଦ କଲେ ଉପ ଜିଲ୍ଲାପାଳ

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍‌ ଅନ୍ତର୍ଗତ ତୁମୁରାପୁଟ ପଞ୍ଚାୟତର ରାସନ ସାମଗ୍ରୀ ବିତରକ (ପିଡିଏସ୍‌ ଡିଲର)ଙ୍କୁ ନିଲମ୍ବନ କରାଯାଇଛି। ରାସନ କାର୍ଡ ଏବଂ ରାସନ ସାମଗ୍ରୀ ପ୍ରଦାନରେ କରାଯାଇଥିବା ଦୁର୍ନୀତି କାରଣରୁ ଖୋର୍ଦ୍ଧା ଉପ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ତୁମୁରାପୁଟ ପିଡିଏସ୍‌ ରିଟେଲରଙ୍କ ଲାଇସେନ୍ସ ଋଦ୍ଦ କରିଛନ୍ତି। ତୁମୁରାପୁଟ ଅନ୍ତର୍ଗତ ରାଣୀପଡାର ଡିଲର ବାବୁଲା ବେହେରାଙ୍କ ଲାଇସେନ୍ସକୁ ଉପ ଜିଲ୍ଲାପାଳ ଖାରଜ କରିଦେଇଛନ୍ତି। ଓପିଡିଏସ୍‌ ନିୟମ ୨୦୧୬ ର ଧାରା ୧୭(୪) ଅନୁଯାୟୀ ଡିଲରଙ୍କ ଲାଇସନ୍ସ ଋଦ୍ଦ କରାଯିବା ସହିତ ପଞ୍ଚାୟତକୁ ବିକଳ୍ପ ବ୍ୟବସ୍ଥାରେ ରାସନ ବଣ୍ଟନର ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ ରାସନ କାର୍ଡକୁ ନେଇ ଘଟିଥିବା ଏହି ମହାଦୁର୍ନୀତି ସମ୍ପର୍କରେ ମେ ୨୨ ତାରିଖରେ ସମୀକ୍ଷା ନ୍ୟୁଜ୍‌ରେ ଖବର ପ୍ରକାଶ ପାଇଥିଲା। ରାସନ କାର୍ଡ ରହିଥିବା ସତ୍ତ୍ବେ ମଧ୍ୟ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ମିଳୁନଥିବା ନେଇ ଅଭିଯୋଗ ଆସିଥିଲା। ଏହାପରେ ଚିଲିକା ରିପୋର୍ଟସ ଆସୋସିଏନ୍‌ ମଧ୍ୟ ଏହି ଦୁର୍ନୀତିର ପର୍ଦ୍ଦାଫାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏହି ଘଟଣା ସମ୍ମୁଖକୁ ଆସିବା ପରେ ଏନେଇ ବାଣପୁର ବ୍ଲକ ଯୋଗାଣ ନିରୀକ୍ଷକ ତ୍ରିଲୋଚନ ସାହୁ, ବିଡିଓ ଶିବାନଦ ସ୍ଵାଇଁ, ସହକାରୀ ଯୋଗାଣ ଅଧିକାରୀ ଖୋର୍ଦ୍ଧା ଅଜୟ କୁମାର ରଥଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ତୁରନ୍ତ ଏହି ମାମଲାର ତଦନ୍ତ ରିପୋର୍ଟ ପାଇଁ ବିଡିଓ ଶିବାନଦ ସ୍ଵାଇଁଙ୍କ ପକ୍ଷରୁ ବ୍ଲକ ଯୋଗାଣ ନିରୀକ୍ଷକ ତ୍ରିଲୋଚନ ସାହୁଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଯୋଗାଣ ନିରୀକ୍ଷକ ତୁରନ୍ତ ରିପୋର୍ଟ ପ୍ରସ୍ତୁତ କରି ବିଡିଓଙ୍କ ଜରିଆରେ ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଏହି ରିପୋର୍ଟ ଆଧାରରେ ଆଜି ଉପ ଜିଲ୍ଲାପାଳ ଡିଲରଙ୍କ ଲାଇସେନ୍ସ ଋଦ୍ଦ କରିବାର ନିର୍ଦ୍ଦେଶ ଦେଇଛନ୍ତି।