ସ୍ୱଚ୍ଛ ଭାରତ ମିଶନରେ ମହାଦୁର୍ନୀତି: ହାଇକୋର୍ଟରେ ମାମଲା ରୁଜୁ

Published: Jan 12, 2021, 9:38 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପାତ୍ରପୁର ବ୍ଲକ୍‌ରେ ସ୍ୱଚ୍ଛ ଭାରତ ମିଶନରେ ହୋଇଥିବା ମହାଦୁର୍ନୀତିର ତଦନ୍ତ ପାଇଁ ଗଂଜାମ ଜିଲ୍ଲା ଫରୱାର୍ଡ଼ ବ୍ଳକ୍‌ର ଜିଲ୍ଲା ସାଧାରଣ ସଂପାଦକ ସମରଜିତ୍ ମହାନ୍ତି ଗତ ଡ଼ିସେମ୍ବର ୧୨ ତାରିଖରେ ସରକାର ଓ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ। ଯଦି ଏହାର ତଦନ୍ତ ୧୫ ଦିନ ମଧ୍ୟରେ ନହୁଏ ତେବେ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ମଧ୍ୟ ସ୍ମାରକପତ୍ରରେ ଉଲ୍ଲେଖ କରିଥିଲେ।

ପ୍ରଶାସନ ପକ୍ଷରୁ କୌଣସି ତଦନ୍ତ ନହେବା ଯୋଗୁଁ ଶ୍ରୀ ମହାନ୍ତି ଜାନୁୟାରୀ ୧୧ ତାରିଖରେ ହାଇକୋର୍ଟରେ ସିଆର୍‌ଏଲ୍‌ଏମ୍‌ପି ନଂ ୨୦/୨୦୨୧ରେ ମାମଲା ରୁଜୁ କରିଛନ୍ତି। ଏଥିରେ ପଂଚାୟତରାଜ ସଚିବ, ଗଂଜାମ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଡ଼ିଆର୍‌ଡ଼ିଏ, ଗଂଜାମ, ବ୍ରହ୍ମପୁର ଭିଜିଲାନସ ଏସ୍‌ପି ଓ ପାତ୍ରପୁର ବିଡ଼ିଓଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସୂଚନାଯୋଗ୍ୟ ପାତ୍ରପୁର ବ୍ଲକ୍‌ରେ ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ନିର୍ମାଣ ପାଇଁ ୧୫୦୭୨ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାଦେଶ ଦିଆଯାଇଛି। ଏହାସହ ଏଲ୍‌ଓବିରେ ୧୭୯୧ ଏବଂ ଏନ୍‌ଓଏଲ୍‌ବିରେ ୨୫୯୮ ଜଣଙ୍କୁ କାର୍ଯ୍ୟାଦେଶ ମିଳିଛି। ସମୁଦାୟ ୧୮୪୬୧ ଜଣ ହିତାଧିକାରୀଙ୍କ ବଦଳରେ ଚଞ୍ଚକତା କରି ୧୯୬୯୯ ଜଣଙ୍କୁ କିଭଳି ଅର୍ଥ ପ୍ରଦାନ କରାଗଲା ତାହା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ସମୁଦାୟ ୧କୋଟି ୪୮ ଲକ୍ଷ ୫୬ହଜାର ଟଙ୍କା ରାଜକୋଷରୁ ହରିଲୁଟ୍ ହୋଇଥିବା ନେଇ ଶ୍ରୀ ମହାନ୍ତି ସ୍ମାରକପତ୍ରରେ ଦର୍ଶାଇଥିଲେ। ଶୌଚାଳୟର ଜିଓ ଟ୍ୟାଗିଂ ହୋଇନି। ବିଲ୍ ମଧ୍ୟ ଦିଆଯାଇନି। ହିତାଧିକାରୀଙ୍କ ନାମକୁ ଟେମ୍ପରିଂ କରି ଦୁଇଟି ଲେଖାଏଁ ଲେଟିନ୍ ବିନ୍ ହୋଇଛି। ଗୋଟିଏ ଏସ୍‌ଏଚ୍‌ଜିକୁ ପ୍ରାୟ ୮୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ସଂପୃକ୍ତ ଗୃପ ହିତାଧିକାରୀଙ୍କୁ ଅର୍ଥ ପୈଠ କରିନଥିବା ଘଟଣା ମଧ୍ୟ ଏହି ବ୍ଲକ୍‌ରେ ଘଟିଛି।

Related posts