Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମହାନଦୀକୁ ନେଇ ଆରମ୍ଭ ହୋଇଗଲା ମହାରାଜନୀତି, ବିଜେଡି ବିଜେପି ଓ କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା

ଭୁବନେଶ୍ବର: ମହାନଦୀକୁ ନେଇ ରାଜ୍ୟରେ ଆରମ୍ଭ ହୋଇଯାଇଛି ମହାରାଜନୀତି। କାରଣ ଗତକାଲି ଛତିଶଗଡ ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଏ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ମହାନଦୀ ନେଇ ଉପୁଜୁଥିବା ବିବାଦର ସମାଧାନ କରିବା ପାଇଁ ସହମତ ପ୍ରକାଶ ପାଇଛି। ତେବେ ଏହାକୁ ନେଇ ଆଜି ବିଜେପି ସରକାରଙ୍କୁ କାଦୁଅ ଫିଙ୍ଗିଛନ୍ତି ବିଜେଡି ଓ କଂଗ୍ରେସ।

ଆଜି ଏ ନେଇ ବିଜେଡି ବିଧାୟକ ତଥା ବିରୋଧୀଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଚା କପ ରେ କୌଣସି ଆଲୋଚନା ହୁଏ ନାହିଁ। ଯଦି ଛତିଶଗଡ ପ୍ରକୃତରେ ସମାଧାନ ଚାହୁଛନ୍ତି ତେବେ ମହାନଦୀରେ ନିର୍ମାଣଧିନ ବ୍ୟାରେଜକୁ ପ୍ରଥମେ ରାଜ୍ୟ ସରକାର ବନ୍ଦ କରାନ୍ତୁ। ଏହାପରେ ଆଲୋଚନା କରାଯିବା ଉଚିତ।

ବର୍ତ୍ତମାନ ସେଠାରେ ବ୍ୟାରେଜ କାମ ବେଶ ଆଗେଇ ଗଲାଣି। କେନ୍ଦ୍ରରେ ବିଜେପି, ରାଜ୍ୟରେ ବିଜେପି ଏବଂ ଛତିଶଗଡରେ ମଧ୍ୟ ବିଜେପି। ବର୍ତ୍ତମାନ ଟ୍ରିପଲ ଇଂଜିନ ସରକାର କେମିତି ଏହି ବିବାଦ ସମାଧାନ କରିବେ ତାହା ସନ୍ଦେହ ଜନକ। ଅନ୍ୟପଟେ ଏହି ବିବାଦ ବର୍ତ୍ତମାନ ଟ୍ରିବୁନାଲରେ ରହିଥିବାରୁ ତାହା ଉଭୟ ରାଜ୍ୟ ସମାଧାନ କରିପାରିବେ କି ନାହିଁ ସେ ନେଇ ତର୍ଜମା ହେବା ଆବଶ୍ୟକ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ସେହିପରି କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ସଭାପତି ଭକ୍ତ ଦାସ କହିଛନ୍ତି ଯେ, ଆଲୋଚନା ହେବ ବୋଲି କହିଦେଲେ ହେବ ନାହିଁ। ଏହାର ସମାଧାନ କରିବା ଦରକାର। ଛତିଶଗଡରେ କଂଗ୍ରେସ ଶାସନ ଥିବା ବେଳେ ବହୁବାର ଏ ନେଇ ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ଟ୍ରିପଲ ଇଂଜିନ ସରକାର କିପରି ସମାଧାନ କରିବେ ତାହା ଦେଖିବାର କଥା। ହେଲେ ଏହାର ସମାଧାନ ହେଲା ପରି ଲାଗୁ ନାହିଁ ବୋଲି ଭକ୍ତ ଦାସ କହିଛନ୍ତି।

ତେବେ ବିଜେଡି କଂଗ୍ରେସର ବୟାନକୁ ଜବାବ ଦେଇଛନ୍ତି ବିଜେପି ନେତା ତଥା ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ମହାନଦୀକୁ ନେଇ ବିଜେଡି କେବଳ ରାଜନୈତିକ ରୁଟି ସେକିବାରେ ବ୍ୟସ୍ତ। ହେଲେ ସେମାନେ ସରକାରରେ ଥିବା ବେଳେ କୌଣସି ସମାଧାନ କରିପାରି ନ ଥିଲେ। ବର୍ତ୍ତମାନ ଆମ ସରକାର ସମାଧାନ କରିବ।

ବର୍ତ୍ତମାନ ବିଜେଡି ଯେପରି ସ୍ବରରେ ବିରୋଧ କରୁଛି, ସେତେବେଳେ ସେମାନେ କେଉଁଠି ଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ବିଜେଡି ଦୋମୁହାଁ ନୀତି ଅବଲମ୍ବନ କରୁଛି। ସେମାନେ ବିଧାନସଭାରେ ଗୋଟିଏ କଥା ବାହାରେ ଆଉ ଗୋଟିଏ କଥା କହୁଛନ୍ତି। ସେତେବେଳେ ବିଜେଡି ସରକାର କେନ୍ଦ୍ରର ମଧ୍ୟସ୍ତତା ପ୍ରସ୍ତାବକୁ ଗ୍ରହଣ କରି ନ ଥିଲା। ସେପଟେ ଛତିଶଗ଼ଡର କଂଗ୍ରେସ ସରକାର ଆଗ୍ରହ ପ୍ରକାଶ କରି ନ ଥିଲା।

ବର୍ତ୍ତମାନ ସେମାନେ ଅପେକ୍ଷା କରନ୍ତୁ। କଣ କରାଯାଉଛି ଦେଖନ୍ତୁ ବୋଲି ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଗସ୍ତରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ: ମହାନଦୀ ଜଳ ବିବାଦ ସମ୍ପର୍କରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ

ଭୁବନେଶ୍ୱର: ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

ଏହି ଅବସରରେ ବିଭିନ୍ନ ବିଷୟ ସହିତ ମହାନଦୀ ଜଳ ବିବାଦ ସମ୍ପର୍କରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଏହି ବିବାଦର ଆପୋଷ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଥିଲେ। ଦୁଇ ରାଜ୍ୟ ପରସ୍ପରର ପଡ଼ୋଶୀ ରାଜ୍ୟ ଏବଂ ଉଭୟ ରାଜ୍ୟ ମଧ୍ୟରେ ଭାଷା ଓ ଭାବଗତ ସାମଞ୍ଜସ୍ୟ ମଧ୍ୟ ରହିଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ଉଭୟ ରାଜ୍ୟର ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଏହାର ତୁରନ୍ତ ସମାଧାନ ହେବା ଆବଶ୍ୟକ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ ଏହା ଉପରେ ସକାରାତ୍ମକ ମତାମତ ପ୍ରକାଶ କରି କହିଥିଲେ ଯେ, ସେ ସଦାସର୍ବଦା ଆପୋଷ ସମାଧାନ ସପକ୍ଷରେ ଅଛନ୍ତି। ଆଲୋଚନା ଜରିଆରେ ଏହି ସମସ୍ୟାର ଉପଯୁକ୍ତ ସମାଧାନ ହୋଇପାରିବ ବୋଲି ସେ ମତ ଦେଇଥିଲେ।

ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବିଷୟ ଉପରେ ଗୁରୁତ୍ୱ ଦେଇ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ରାସ୍ତା ବାହାର କରିବାକୁ ଏକମତ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମହାନଦୀ ଜଳ ବିବାଦ ନେଇ ହାଙ୍ଗାମା, ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ବର: ଆଜି ବିଧାନସଭାରେ ମହାନଦୀ ଜଳ ବିବାଦ ନେଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ପରିସ୍ଥିତି ଏପରି ହୋଇଥିଲା ଯେ, ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ଓ କଂଗ୍ରେସ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ। ବାଚସ୍ପତି ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ କେହି ସଦସ୍ୟ ଶୁଣି ନ ଥିଲେ। ଫଳରେ ବାଚସ୍ପତି ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି।

ଆଜି କଂଗ୍ରେସ ତରଫରୁ ମହାନଦୀ ଜଳ ବିବାଦ ନେଇ ଏକ ମୁଲତବି ପ୍ରସ୍ତାବ ଆଣିଥିଲେ। ହେଲେ ବାଚସ୍ପତି ତାହାକୁ ଗ୍ରହଣ କରି ନ ଥିଲେ। ଏହାକୁ ନେଇ ଗୃହରେ କଂଗ୍ରେସ ହଟ୍ଟଗୋଳ ଆରମ୍ଭ କରିଥିଲା। ହେଲେ ଶାସକ ଦଳ କହିଥିଲା ଯେ, ବର୍ତ୍ତମାନ ବଜେଟ ଉପରେ ଆଲୋଚନା ଚାଲିଛି। ଏହାକୁ ଶୂନ୍ୟ କାଳରେ ସଦସ୍ୟମାନେ ଉଠାଇ ପାରିବେ ବୋଲି କହିଥିଲେ। ଏହାକୁ ନେଇ ବିରୋଧୀ ଶାସକ ମଧ୍ୟରେ କଥା କଟାକଟି ପରେ ବାଚସ୍ପତି ଗୃହକୁ ମୁଲତବି ରଖିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅଗଷ୍ଟ 8ର ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ 8 ତାରିଖ ଦିନ ହେବ। ବିବାଦ ସହ ସମ୍ପୃକ୍ତ ବିଭାଗ ସବୁ ଆବଶ୍ୟକ କାଗଜପତ୍ର ଦାଖଲ କରିବା ପରେ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୮ ତାରିଖ ଦିନ ୧୧ଟା ବେଳେ ହେବ ବୋଲି ଟ୍ରିବୁନାଲ୍ ଦିନ ଧାର୍ଯ୍ୟ କରିଛନ୍ତି।

ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଟ୍ରିବୁନାଲରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ବିଚାର ଆଲୋଚନା ଚାଲିଥିବା ବେଳେ ଛତିଶଗଡ଼ ପକ୍ଷରୁ କେନ୍ଦ୍ରୀୟ ଜଳ କମିସନ୍, କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ଏବଂ ଭାରତୀୟ ପାଣିପାଗ ବିଭାଗର କିଛି ଦଲିଲ୍ ମଗାଯାଇଥିଲା। ଏଥିପାଇଁ ସବୁ କାଗଜପତ୍ର ଦାଖଲ ପରେ ଶୁଣାଣି କରିବାକୁ ଟ୍ରିବୁନାଲ କହିଛନ୍ତି।

ପରବର୍ତ୍ତୀ ଶୁଣାଣି ସମୟ ମଧ୍ୟରେ ସମସ୍ତ ପକ୍ଷ ଦଲିଲପତ୍ର ଯାଞ୍ଚ ଏବଂ ପରସ୍ପର ମଧ୍ୟରେ ବିନିମୟ କରିପାରିବେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଛିଡୁନି ମହାନଦୀ ଜଳ ବିବାଦ, ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସହମତି ନହେବାରୁ ଇସ୍ୟୁ ଫ୍ରେମ୍ କଲେ ଟ୍ରିବ୍ୟୁନାଲ

ନୂଆଦିଲ୍ଲୀ : ଛିଡୁନି ମହାନଦୀ ଜଳ ବିବାଦ। ଆପୋସ ଆଲୋଚନାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସହମତି ନହେବାରୁ ଇସ୍ୟୁ ଫ୍ରେମ୍ କରିଛନ୍ତି ଟ୍ରିବ୍ୟୁନାଲ। ସବୁ ପକ୍ଷରୁ ଦାବି ଶୁଣିବା ପରେ 40ରୁ 45ଟି ଇସ୍ୟୁ ଫ୍ରେମ୍ କରାଯାଇଛି। ଓଡ଼ିଶା, ଛତିଶଗଡ଼, ଝାଡଖଣ୍ଡ ଓ ମହାରାଷ୍ଚ୍ର ଏ ନେଇ ଟ୍ରିବ୍ୟୁନାଲରେ ଆଜି ନିଜ ନିଜର ପକ୍ଷ ରଖିଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଆଜି ଆଉ କିଛି ଅତିରିକ୍ତ ଦସ୍ତାବିଜ ଟ୍ରିବ୍ୟୁନାଲରେ ଦାଖଲ କରାଯାଇଛି।

ଛତିଶଗଡ଼ କେନ୍ଦ୍ରଠାରୁ କିଛି ଡକ୍ୟୁମେଣ୍ଟ ଚାହିଁବାରୁ କେନ୍ଦ୍ର ସରକାରଙ୍କୁ ଟ୍ରିବ୍ୟୁନାଲ ନୋଟିସ ଜାରି କରିଛନ୍ତି। ଓଡ଼ିଶା ଓ ଛତିଶଗଡ଼କୁ ପରସ୍ପରର ଡକ୍ୟୁମେଣ୍ଟ ଯାଞ୍ଚ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଶୁଣାଣୀ ବେଳେ ଯଦି କିଛି ଇସ୍ୟୁ ଆସିବ ତାହା ମଧ୍ୟ ଫ୍ରେମ୍ କରାଯିବ। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ଅଗଷ୍ଟ 8 ତାରିଖ ଧାର୍ଯ୍ୟ ହୋଇଛି।

Mahanadi Water Dispute: Odisha, Chhattisgarh To Conduct Second ...

ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବୈଠକ ହୋଇଥିଲେ ବି କୌଣସି ପ୍ରକାର ସହମତି ହୋଇପାରି ନାହିଁ। ଗତ ଜାନୁଆରିରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ଦ୍ବାରା ୨୬ଟି ପ୍ରସଙ୍ଗରେ ବିଚାର କରିବାକୁ ନିବେଦନ କରାଯାଇଥିଲା। ଅପରପକ୍ଷେ ଛତିଶଗଡ଼ ପକ୍ଷରୁ ମଧ୍ୟ ୧୩ଟି ପ୍ରସଙ୍ଗ ନେଇ ଟ୍ରିବ୍ୟୁନାଲ‌ର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଯୁଗ୍ମ ବୈଠକ କରାଯାଇ ଏହାର ସମାଧାନ ବାଟ ବାହାର କରିବା ଲାଗି ଟ୍ରିବ୍ୟୁନାଲ ପରାମର୍ଶ ଦେଇଥିଲେ। ଆବଶ୍ୟକ ପଡ଼ିଲେ ଦୁଇ ପକ୍ଷ କୌଣସି କେନ୍ଦ୍ରୀୟ ଏଜେନ୍ସିର ସହାୟତା ନେଇପାରିବେ ବୋଲି ଟ୍ରିବ୍ୟୁନାଲ ମତ ଦେଇଥିଲେ।

ଇତିମଧ୍ୟରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ଦ୍ବାରା ଅତିରିକ୍ତ ଦସ୍ତାବିଜ ଦାଖଲ କରାଯାଇଥିବା ବେଳେ ଛତିଶଗଡ଼ ପକ୍ଷରୁ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି), କେନ୍ଦ୍ରୀୟ ଭୂତଳ ଜଳ ଆୟୋଗ (ସିଜିଡବ୍ଲ୍ୟୁବି) ଓ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ଠାରୁ ତଥ୍ୟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ଟ୍ରିବୁନାଲରେ ଆବେଦନ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ବର୍ତ୍ତମାନ ସୁଦ୍ଧା ୧୨ଟି ଶୁଣାଣି କରିସାରିଛନ୍ତି। ହେଲେ ଟ୍ରିବ୍ୟୁନାଲଙ୍କ ଦ୍ବାରା କୌଣସି ଅନ୍ତରୀଣ ଆଦେଶ ଜାରି କରାଯାଇନାହିଁ। ଗତବର୍ଷ ମାର୍ଚ୍ଚରୁ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି କରି ଟ୍ରିବ୍ୟୁନାଲ ରାୟକୁ ସଂରକ୍ଷିତ ରଖିଛନ୍ତି। ଆପୋସ ବୁଝାମଣା ଦ୍ବାରା ମାମଲାର ସମାଧାନ ପାଇଁ ଟ୍ରିବ୍ୟୁନାଲ ପ୍ରସ୍ତାବ ଦେବା ପରେ ଦୁଇ ରାଜ୍ୟ ବିଚାର ବିମର୍ଶ ଓ ଆଲୋଚନା କରିଥିଲେ ମଧ୍ୟ ସମାଧାନର ବାଟ ବାହାରିପାରି ନାହିଁ।

Categories
ଆଜିର ଖବର

ପେବୃଆରୀ ୧କୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି

ଭୁବନେଶ୍ଵର, ୧୪/୧୨:  ଟ୍ରିବ୍ୟୁନାଲରେ ଆଜି ଓଡିଶା-ଛତିଶଗଡ ମହାନଦୀ ଜଳ ବିବାଦ ଶୁଣାଣି ହୋଇଛି। ପରବର୍ତ୍ତୀ ଶୁଣାଣି ଫେବୃୟାରୀ ୧କୁ ଟ୍ରିବ୍ୟୁନାଲ୍ ଧାର୍ଯ୍ୟ କରିଛନ୍ତି। ପ୍ରକଳ୍ପ ଅଞ୍ଚଳ ଅନୁଧ୍ୟାନ କରି ଟ୍ରିବ୍ୟୁନାଲଙ୍କୁ ୨ ରାଜ୍ୟ ଅବଗତ କରାଇଛନ୍ତି। ଦ୍ଵିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଜାନୁଆରୀରେ କରାଯିବ ବୋଲି ସୂଚନା ମିଳିଛି। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ବିଚାରପତି ଏ.ଏମ. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ପୀଠ ଉଭୟ ଓଡିଶା ଓ ଛତିଶଗଡର ପକ୍ଷ ଶୁଣିଛନ୍ତି । ଦୁଇ ରାଜ୍ୟ ମହାନଦୀରେ ତିଆରି ହୋଇଥିବା ପରସ୍ପରର ପ୍ରକଳ୍ପ ଅଂଚଳ ଅନୁଧ୍ୟାନ କରି ଏ ସଂପର୍କିତ ରିପୋର୍ଟ ଆଜି ଟ୍ରିବ୍ୟୁନାଲରେ ଦାଖଲ କରିଛନ୍ତି । ପ୍ରଥମେ ଅକ୍ଟୋବର ୨୯ରୁ ନଭେମ୍ବର ୩ ଭିତରେ ଓଡିଶା ପ୍ରତିନିଧି ଦଳ ଛତିଶଗଡରେ ଯାଇ ପ୍ରକଳ୍ପ ଗୁଡିକୁ ଅନୁଧ୍ୟାନ କରି ଫେରିଥିଲେ ।(ଏଜେନ୍ସି)