Categories
ଆଞ୍ଚଳିକ

ମହାମାରୀ ନିୟମ ଉପରେ ସାଦେଇପୁର ଠାରେ ଆଇନ ସଚେତନତା ଶିବିର

ରମେଶ ମହାନ୍ତି

ଜଗତସିଂହପୁର: ରଘୁନାଥପୁର ବ୍ଲକ ଅଧିନସ୍ଥ ସାଦେଇପୁର ଗ୍ରାମପଞ୍ଚାୟତ ଅଫିସ୍ ଠାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ମହାମାରୀ ନିୟମ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ତଥା ବିଚାରପତି ଶ୍ରୀ କମଳାକାନ୍ତ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ଶତାଧିକ ବୃଦ୍ଧ ବନିତା ଉପସ୍ଥିତ ଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ଡମ୍ବରୁଧର ବେହେରା, ଉପ-ଥାନାଅଧିକାରୀ ବାୟାମହମ୍ମଦ ଏବଂ ପାରାଲିଗାଲ ସ୍ୱେଚ୍ଛାସେବୀ କ୍ଷୀରୋଦ କୁମାର ଦାଶ, ମନୋଜ କୁମାର ସ୍ବାଇଁ, ଶୁଭଲକ୍ଷ୍ମୀ ନାୟକ ଉପସ୍ଥିତ ଥିଲେ। ପ୍ରାଧିକରଣର ସଚିବ ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ ମହାମାରୀ ଅଧିନିୟମ ୧୮୯୭ ଓ ୨୦୨୦ ଏବଂ ଆମ ରାଜ୍ୟ ସରକାରଙ୍କ ଥିବା ତତ୍ ସଲଗ୍ନ ବିଭିନ୍ନ ନିୟମାବଳୀ ଆଦି ବିଷୟରେ ଆଲୋଚନା କରିଥିଲେ। କରୋନା ଭୁତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ହାତ ସାବୁନରେ ବାରମ୍ବାର ଧୋଇବା, ଘର ବାହାରକୁ ଯିବାବେଳେ ମାସ୍କ୍ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷାକରିବା ଇତ୍ଯାଦି ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା କରାଇବା ସହ ମାସ୍କ୍ ବଣ୍ଟନ କରିଥିଲେ।

ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବିଭିନ୍ନ ଆଇନ ତଥା ଭରଣପୋଷଣ ଆଇନ, ଘରୋଇ ହିଂସା ନିରୋଧ ଆଇନ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର କାର୍ଯ୍ୟ ମୁଖ୍ୟତଃ ଆଇନ୍ ସେବା, ଆଇନ୍ ପରାମର୍ଶ ଓ ଓଡ଼ିଶା ସରକାରଙ୍କ ପୀଡିତା ମାନଙ୍କ ପାଇଁ ଥିବା କ୍ଷତିପୂରଣ ଅଧିନିୟମ ୨୦୧୮ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଥିଲା।

ସଭାରେ ଶତାଧିକ ଲୋକ ଯୋଗ ଦେଇଥିବା ବେଳେ ସଭା ଶେଷରେ ପଞ୍ଚାୟତର ସରପଞ୍ଚ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।