Categories
ଆଜିର ଖବର ରାଜ୍ୟ ଖବର

ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ, ଦୁଇ ଆହତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପୋଲସରା ସହର ମୁଖ୍ୟ ରାସ୍ତାରେ ଥିବା ଜାଭିୟର ବିଦ୍ୟାଳୟ ନିକଟରେ ଏକ ଟ୍ରାକ୍ଟର ଧକ୍କାରେ ମିନତି ସାହୁ ନାମ୍ନୀ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଭାଇ ଗଦାଧର ସାହୁ ଓ ପୁଅ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ପ୍ରକାଶ ଯେ, କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ବରିଡା ଗ୍ରାମର ମିନତି ଭାଇ ଗଦାଧରର ମୋପେଡ୍ ଗାଡ଼ିରେ ବାପଘର ଚିରିକିପଡା ଶାସନ ଗ୍ରାମକୁ ଯିବା ବେଳେ ଉକ୍ତ ଦୁର୍ଘଟଣା ଘଟିଛି। ଉକ୍ତ ୩ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେବା ବେଳେ ମିନତିର ପ୍ରାଣବାୟୁ ଉଡି ଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବିଦ୍ୟୁତ୍ ସମ୍ପର୍କରେ ଆସି ମହିଳାଙ୍କ ମୃତ୍ୟୁ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବୁଗୁଡ଼ା ଥାନା ଅନ୍ତର୍ଗତ ଚନ୍ଦନପେଟି ଗ୍ରାମର ବନିତା ନାୟକ ନାମ୍ନୀ ଜଣେ ମହିଳା ବିଦ୍ୟୁତ ସମ୍ପର୍କରେ ଆସି ମୃତ୍ୟୁବରଣ କରିଛନ୍ତି। ଗାଧୋଇ ସାରି ବନିତା ଦାଣ୍ଡରେ ଝୁଲୁଥିବା ତାରରେ ଓଦା ଲୁଗା ଶୁଖାଇବା ବେଳେ ବିଦ୍ୟୁତ ଆଘାତ ଲାଗିଥିଲା। ଯାହା ଫଳରେ ସେ ଚେତାଶୁନ୍ୟ ହୋଇ ଯାଇଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରକାଶ ଥାଉକି ଘର ପାଖରେ ଯାଇଥିବା କେବୁଲ୍ ତାରକୁ ବିଦ୍ୟୁତ ତାରର ସମ୍ପର୍କ ଯୋଗୁଁ ଏହିଭଳି ଘଟଣା ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା: ସିସିଟିଭି ଫୁଟେଜରୁ ସ୍ପଷ୍ଟ ହେଲା ଚିତ୍ର

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ମୃତ ଦେହ ରାସ୍ତା ପାର୍ଶ୍ଵର ଅଳିଆ ଗଦାରେ ପଡ଼ି ରହିଥିଲା। ତେବେ ମୃତ ମହିଳାଙ୍କ ବେକରେ କ୍ଷତ ଚିହ୍ନ ରହିଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା। ଏନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା।

ଆଖ ପାଖ ଅଞ୍ଚଳର ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରିବା ଆରମ୍ଭ କରିଥିଲା। ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ମିଳିଥିଲା। ସିସିଟିଭ ଫୁଟେଜରେ ଦେଖାଯାଉଥିବା ଭିଡ଼ିଓରେ ମହିଳାଜଣଙ୍କୁ କେହି ଜଣେ ଦୁର୍ବୃତ୍ତ ପଛ ପଟୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଥିଲା। ମହିଳାଜଣଙ୍କ ଅଳିଆ ଗଦାରୁ ରାତ୍ରି ପ୍ରାୟ ୧.୧୯ ଟା ସମୟରେ କିଛି ଖାଦ୍ୟ ଖାଉଥିବା ବେଳେ ଦୁର୍ବୃତ୍ତଜଣଙ୍କ ଏକ ଖଣ୍ଡା ସାହାଯ୍ୟରେ ପଛ ପଟୁ ଆକ୍ରମଣ କରୁଥିବା ଦେଖାଯାଉଥିଲା। ତେଣୁ ଏହା ଏକ ହତ୍ୟାକାଣ୍ଡ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି।

ତେବେ ସିସିଟିଭି ଫୁଟେଜ ଅନୁଯାୟୀ, ମହିଳାଜଣଙ୍କ ମାନସିକ ବିକାରଗ୍ରସ୍ତ ଜଣାପଡୁଥିବା ବେଳେ ତାକୁ କାହିଁକି ହତ୍ୟା କରାଗଲା? ଏନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ପୋଲିସ ଗୁରୁତର ସହ ନେଇ ତଦନ୍ତକୁ ଆହୁରି ବ୍ୟାପକ କରିଛି। ଘଟଣାସ୍ଥଳରେ ବାଲୁଗାଁ ଏସଡିପିଓ ଏବଂ ବାଣପୁର ଥାନା ଅଧିକାରୀ ପହଞ୍ଚି ତଦନ୍ତକୁ ଆଗକୁ ବଢାଇଛନ୍ତି।

ସୂଚନା ମୁତାବକ ଆଜି ସକାଳୁ ବାଣପୁର ଗାଲୁଆ ଛକ ନିକଟରେ ଜଣେ ଅଜଣା ମହିଳାଙ୍କ ଶବ ପଡ଼ି ରହିଥିଲା। ତେବେ ତାଙ୍କ ବେକରେ ଗଭୀର କ୍ଷତ ଥିବାରୁ ତାଙ୍କୁ କେହି ମାରି ଫୋପାଡ଼ି ଦେଇଥିବାର ଅନୁମାନ କରାଯାଉଥିଲା।

Categories
ଆଞ୍ଚଳିକ

ବାଣପୁର: କୂଅରେ ପଡି ମହିଳାଙ୍କ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଏକଡାଳିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କୂଅରେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

ସୂଚନା ମୁତାବକ ଆଜି ଅପରାହ୍ନରେ ଉକ୍ତ ଗ୍ରାମର ସ୍ବର୍ଗତ ମୋଚିରାମ ଦଳବେହେରାଙ୍କ ପତ୍ନୀ ଇଚ୍ଛା ଦେଇ (୫୭) କୌଣସି କାରଣବଶତଃ ନିଜ ଘର ବାରି କୂଅରେ ପଡିଯାଇଥିଲେ।  ଏହାଦେଖି ପରିବାର ଲୋକ ତୁରନ୍ତ ବାଣପୁର ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ।  ଅଗ୍ନିଶମ ଅଧିକାରୀ ଓ ଟିମ ଘଟଣାସ୍ଥଳରେ ପହଞ୍ଚି ଇଛାଙ୍କୁ କୂଅରୁ ଉଦ୍ଧାର କରିଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ ସନ୍ଦେହ, ପୋଲିସର ତଦନ୍ତ ଜାରି

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସକାଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାର ଖବର ହସ୍ତଗତ ହୋଇଛି। ସାପ କାମୁଡ଼ିବାରେ ମହିଳାଜଣଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ସୂଚନା ମୁତାବକ ଆଜି ସକାଳେ ଭୀମପୁର ଗ୍ରାମ ଗୋଡିପଦର ସାହିର ଚମ୍ପା ସାହୁ (୬୫) ନାମକ ମହିଳା ଜଣଙ୍କ ଘର ବାରିପଟେ କାମ କରୁଥିବାବେଳେ ତଳେ ପଡିଯାଇଥିଲେ। ତାଙ୍କୁ ଏକ ସାପ କାମୁଡ଼ିଦେଇଥିବା ନେଇ ସନ୍ଦେହ କରାଯାଇଥିଲା। ପରିବାର ଲୋକ ତୁରନ୍ତ ଚମ୍ପାଙ୍କୁ ବାଣପୁର ମେଡିକାଲ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏ ନେଇ ପରିବାର ପକ୍ଷରୁ ବାଣପୁର ଥାନାରେ ଜଣାଇଲା ପରେ ବାଣପୁର ପୋଲିସ ୯/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ କଲା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବାଣପୁର ପୋଲିସ କହିଛି।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ରୋଗୀମୃତ୍ୟୁକୁ ନେଇ ଗୁରୁଦେବ ହସ୍‌ପିଟାଲ୍‌ରେ ତୁମୁଳକାଣ୍ଡ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତକିଛି ଦିନ ତଳେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ବ୍ରହ୍ମପୁରର ଗୁରୁଦେବ ହସ୍‌ପିଟାଲ୍ ଚର୍ଚ୍ଚାର ପରିସର ମଧ୍ୟରେ ରହି ହସ୍‌ପିଟାଲ୍‌ରେ ତାଲା ଝୁଲିଥିଲା ବର୍ତ୍ତମାନ ତାଲା ଖୋଲିବା ପରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ହସ୍‌ପିଟାଲ୍ ପରିସରରେ ତୁମୁଳକାଣ୍ଡ ହୋଇଛି।

ଗତକାଲି ଗୋଳନ୍ଥରା ଥାନ ଗୋବିନ୍ଦନଗରର ନବୀନ ସାହୁଙ୍କ ପତ୍ନୀ ସଂଗୀତା ସାହୁଙ୍କ ମୃତ୍ୟୁ ଘଟିଥିଲା। ମେଡ଼ିକାଲ୍‌ର ଦାୟିତ୍ୱହୀନତା ଯୋଗୁଁ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଛି ବୋଲି ନବୀନ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। କ୍ଲିନିକ୍ କର୍ମଚାରୀମାନେ ସଂଗୀତାକୁ ଠିକ୍ ଭାବେ ଦେଖାଶୁଣା ନ କରିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଏତଲାରେ ଦର୍ଶାଯାଇଛି। ସଂପୃକ୍ତ ଡ଼ାକ୍ତର, କ୍ଲିନିକ୍ ମାଲିକ ଏବଂ କର୍ମଚାରୀଙ୍କ ନାମରେ ଏତଲା ଦିଆଯାଇଛି।

ସୂଚନାଯୋଗ୍ୟ ସଂଗୀତା ନିଜର ଶାରୀରିକ ସମସ୍ୟା ନେଇ ବ୍ରହ୍ମପୁର ସହରର ଜଣେ ବରିଷ୍ଠ ମହିଳା ଡ଼ାକ୍ତର ସହ ଯୋଗାଯୋଗ କରିବାରୁ ସେ ଗୁରୁଦେବ ହସ୍‌ପିଟାଲ୍‌ରେ ଭର୍ତ୍ତି ହେବାକୁ କହିଥିଲେ। ତାଙ୍କର ଅପରେସନ୍ ଜରୁରୀ ଥିବା କହି ଡ଼ାକ୍ତର ଆସିବା ପୂର୍ବରୁ ତାଙ୍କୁ ଅପରେସନ ଥିଏଟରକୁ ନିଆଯାଇଥିଲା। କିନ୍ତୁ ସଂଗେ ସଂଗେ ମେଡ଼ିକାଲ୍‌ର କର୍ମଚାରୀମାନେ କ’ଣ ଭୁଲ କଲେ ସଂଗୀତାଙ୍କ ଅବସ୍ଥା ଶୋଚନୀୟ ହେବା ସହ ତାଙ୍କୁ ଏମ୍‌କେସିଜିକୁ ରେଫେର କରିଦିଆଗଲା। କିନ୍ତୁ ସେଠାରେ ପହଞ୍ଚିଲା ବେଳେକୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ତେବେ ଆଜି ହସ୍‌ପିଟାଲ୍ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ କରି ବିଜେପିର କର୍ମୀଙ୍କ ସହ ରୋଗୀଙ୍କ ସଂପର୍କୀୟ ହସ୍‌ପିଟାଲ୍ ସାମ୍ନାରେ ମୃତଦେହ ରଖି ରାସ୍ତାରୋକ ସହ ପାଟିତୁଣ୍ଡ କରିଥିଲେ। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଗୁରୁଦେବ ମାଲିକଙ୍କୁ ଗିରଫ, ମେଡ଼ିକାଲକୁ ବନ୍ଦ କରିବା ସହ ଡ଼ାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ କରାଯାଇଥିଲା। ପରେ ମେଡ଼ିକାଲ୍ କର୍ମକର୍ତ୍ତା ପୋଲିସ୍ ଏବଂ ପରିବାର ଲୋକଙ୍କ ମଧ୍ୟରେ ଆଲୋଚନା ହେବା ଦ୍ୱାରା ପରିସ୍ଥିତି ଶାନ୍ତ ପଡ଼ିଥିଲା।

ତେବେ ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ ଗୁରୁଦେବ ହସ୍‌ପିଟାଲ୍ ନାମରେ ଏଭଳି ଗୁରୁତର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ କାହିଁକି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟ କରିଛି। ଗୁରୁଦେବ ହସ୍‌ପିଟାଲ୍‌ର ସହ ପ୍ରଶାସନର ଥିବା ମଧୁଚନ୍ଦ୍ରିକା ଏଠି ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଅନଭିଜ୍ଞ କର୍ମଚାରୀ ଏବଂ ଡ଼ାକ୍ତରଙ୍କ ଅବହେଳା ଯୋଗୁଁ ବାରମ୍ବାର ରୋଗୀ ମୃତ୍ୟୁ ଘଟୁଥିଲେ ମଧ୍ୟ ଏହି ମଣିଷ ମରା ମେଡ଼ିକାଲ୍‌କୁ ପ୍ରଶାସନ କିଭଳି ଖୋଲିବାକୁ ପୁଣିଥରେ ଅନୁମତି ଦେଲା ତାହା ସାଧାରଣରେ ଚର୍ଚ୍ଚା ହେଉଛି।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

୧୬ ଜଣ ପୁରୁଷଙ୍କ ଫାଶୀ ଦେଖି ମହିଳାଙ୍କ ମୃତ୍ୟୁ: ତଥାପି ଫାଶୀ ଦଉଡିରେ ଝୁଲା ହେଲା ତାଙ୍କ ଶବ

ତେହେରାନ: ଫାଶୀ ଦଣ୍ଡାଦେଶ ହୋଇଥିବା ଜଣେ ମହିଳାଙ୍କର ହୃଦଘାତରେ ମୃତ୍ୟୁବରଣ ହୋଇଥିଲା। ତଥାପି ସେହି ମହିଳାଙ୍କ ଶବକୁ ଫାଶୀର ଦଉଡିରେ ଝୁଲା ଯାଇଥିଲା। ଇରାନର ତେହେରାନରେ ଏଭଳି ଏକ ଘଟଣା ଘାଟିଯାଇଛି।

ସୂଚନା ମୁତାବକ, ସ୍ବାମୀଙ୍କ ହତ୍ୟା ଅଭିଯୋଗରେ ଇରାନର ଜହରା ଇସ୍ମାଇଲ ନାମକ ଜଣେ ମହିଳାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏଥିପାଇଁ ଇରାନର ତେହେରାନ ନିକଟସ୍ଥ ଗୋଟିଏ ଅଦାଲତ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ।

ହେଲେ ତାଙ୍କ ସହିତ ଆଉ ୧୬ ଜଣ ପୁରୁଷଙ୍କୁ ଫାଶୀ ଦେବା ପାଇଁ ନିର୍ଦ୍ଦେଶ ହୋଇଥିଲା। ସେଥିପାଇଁ ସମସ୍ତଙ୍କୁ ଗୋଟିଏ ଧାଡ଼ିରେ ଠିଆ କରାଯାଇଥିଲା। ତେବେ ସେହି ୧୬ ଜଣ ପୁରୁଷମାନଙ୍କ ଫାଶୀ ଘଟଣାକୁ ଦେଖିବା ପାଇଁ ମହିଳାଜଣଙ୍କୁ ବାଧ୍ୟ କରାଯାଇଥିଲା। କିନ୍ତୁ ସେମାନଙ୍କୁ ଫାଶୀ ଦିଆଯାଉଥିବା ସମୟରେ ସେ ଏହାକୁ ଦେଖି  ତଳେ ପଡିଯାଇଥିଲେ ଏବଂ ସେଠାରେ ତାଙ୍କର ହୃଦଘାତ ହୋଇଥିଲା। ଓକିଲ କହିଛନ୍ତି କି, ଜହରାଙ୍କ ଶବକୁ ଏଥିପାଇଁ ଫାଶିରେ ଝୁଲା ଯାଇଥିଲା, ଯାହାଫଳରେ ଶବ ତଳେ ଥିବା ଚୌକିକୁ ତାଙ୍କ ସ୍ବାମୀଙ୍କ ମା’ ଗୋଡ଼ରେ ଧକ୍କା ମାରିପାରିବେ।

ଉଲ୍ଲେଖଯୋଗ୍ୟ ଯେ, ବିଶ୍ବରେ ସବୁଠାରୁ ଅଧିକ ଫାଶୀ ଦେଉଥିବା ଦେଶ ମଧ୍ୟରେ ଚୀନ ପ୍ରଥମ ସ୍ଥାନରେ ରହିଛି। ଏବଂ ଦ୍ଵିତୀୟ ସର୍ବାଧିକ ଫାଶୀ ଦେଉଥିବା ଦେଶ ତାଲିକାରେ ଇରାନର ରେକର୍ଡ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟଣା: ସୁରକ୍ଷା ଦାବିରେ ସଡ଼କ ଅବରୋଧ କଲେ ଗ୍ରାମବାସୀ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟଣାରେ ଗ୍ରାମବାସୀ ନୂଆ ଜଗନ୍ନାଥ ସଡ଼କ ଅବରୋଧ କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଗ୍ରାମବାସୀଙ୍କ ଧନ ଜୀବନ ସୁରକ୍ଷା ଦାବିରେ ଆଜି ଗ୍ରାମବାସୀଙ୍କ ପକ୍ଷରୁ ସଡ଼କ ଅବରୋଧ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତ୍ରିରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ମୃତକ ମହିଳା ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ରାମେଶ୍ବର ଗ୍ରାମପଞ୍ଚାୟତ ଖଜୁରୀପଡା ଗ୍ରାମର ସାଇରନ ବିବି। ମହିଳା ଜଣଙ୍କ କୌଣସି କାର୍ଯ୍ୟରେ ଘର ବାହାରକୁ ଯାଇଥିବା ବେଳେ ଅନ୍ଧାର ରାତିରେ ହଠାତ ରାସ୍ତା ଉପରକୁ ଚାଲିଆସିଥିବା ହାତୀପଲ ତାଙ୍କୁ କଚାଡି ମାରିଦେଇଥିଲା।

ମହିଳାଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହି ଅଞ୍ଚଳରେ ୧୬ ଜଣିଆ ହାତୀ ପଲ ବହୁ ଦିନ ହେଲା ଉତ୍ପାତ କରି ଅଞ୍ଚଳବାସୀଙ୍କୁ ଅତିଷ୍ଠ କରି ସାରିଲେଣି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର କୌଣସି ସ୍ଥାୟୀ ସମାଧାନ ହେଉନଥିବା ଅଭିଯୋଗ ହେଉଛି।

ଏହି ପରିପ୍ରେକ୍ଷୀରେ ଗତକାଲି ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଥିବାକୁ ନେଇ ଆଜି ମୃତକଙ୍କ ପରିବାର କ୍ଷତିପୂରଣ ଦାବି ପାଇଁ ଏବଂ ହାତୀଠାରୁ ଧନଜୀବନ ସୁରକ୍ଷା ଦାବିରେ ଖଜୁରୀପଡା ଗ୍ରାମବାସୀମାନେ ନୂଆ ଜଗନ୍ନାଥ ସଡକ ଉପରେ ଶବ ରଖି ଦୁଇ ଘଣ୍ଟା କାଳ ରାସ୍ତା ଅବରୋଧ କରିଥିଲେ।

ଘଟଣାସ୍ଥଳରେ ଖୋର୍ଦ୍ଧା ବନବିଭାଗ ଏ.ସି.ଏଫ୍, ଟାଙ୍ଗୀ ରେଞ୍ଜର, ନିରାକାରପୁର ପୋଲିସ ଆଦି ପହଁଚି ଦୀର୍ଘ ସମୟ ଧରି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରି ବୁଝାଶୁଝା କରିଥିଲେ। ହାତୀକୁ ଖୁବ ଶିଘ୍ର ଜନବସତି ନିକଟରୁ ଚନ୍ଦକା ଜଂଗଲ ମଧ୍ୟକୁ ତଡିବା ପାଇଁ ପ୍ରତିଶ୍ରୁତି ଦେବା ସହ କର୍ତ୍ତବ୍ୟରେ ଅବହେଳା କରିଥିବା ଫରେଷ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ମୃତକର ପରିବାରକୁ ଆର୍ଥିକ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଏରସମା ମେଡିକାଲରେ ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ପ୍ରତିଶୃତି ପରେ ହଟିଲା ଆନ୍ଦୋଳନ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ମେଡିକାଲରେ ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ତୃଟିପୁର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଶୁକ୍ରବାର ଦିନ ମହିଳାଙ୍କ ମୃତ୍ୟୁ ଘଟଣାର ପ୍ରତିବାଦରେ ଦୀର୍ଘ ୨୦ଘଣ୍ଟା ଧରି ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ତୃଟିପୁର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଏରସମା ବ୍ଲକ ବଳେଇପୁର ପଞ୍ଚାୟତ ନଳକଣୀ ଗ୍ରାମର ଟୁଟୁ ଓରଫ ତ୍ରିଲୋଚନ ରାଉତଙ୍କ ପତ୍ନୀ ବିନ୍ଦୁଲତାଙ୍କର ଶୁକ୍ରବାର ଦିନ ଏରସମା ମେଡିକାଲରେ ମୃତ୍ୟୁ ହୋଇଥିଲା। ଘଟଣାକୁ ଚପାଇଦେବାକୁ ଉଦ୍ୟମ କରାଯାଉଥିବା ବେଳେ ପରିବାର ଲୋକ ଓ ସ୍ଥାନୀୟ ଜନସାଧାରଣ ପ୍ରତିବାଦ କରିଥିଲେ। ଅସ୍ତ୍ରୋପଚାର ପରେ ବିନ୍ଦୁଲତାଙ୍କ ମୃତ୍ୟୁ ଯୋଗୁଁ ଅସ୍ତ୍ରୋପଚାର କରିଥିବା ଡାକ୍ତର ପ୍ରତାପ କୁମାର ଦାସ ମେଡିକାଲରୁ ଚମ୍ପଟ ମାରିଥିଲେ ବୋଲି କୁହାଯାଉଛି।

ମହିଳାଙ୍କୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଓ ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ ଦାବିରେ ଗତକାଲି ଏରସମା ମେଡିକାଲ ସମ୍ମୁଖ ୫୫ନଂ ଜାତୀୟ ରାଜପଥକୁ ଉତ୍ୟକ୍ତ ଲୋକମାନେ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୀର୍ଘ ୨୦ଘଣ୍ଟା ଧରି ଆନ୍ଦୋଳନ ଚାଲିଥିଲା। ଏହାର ସମାଧାନ ପାଇଁ ସ୍ଥାନୀୟ ସର୍ବଦଳୀୟ ଛାମୁଆଁ ନେତାମାନଙ୍କ ସହ ଜଗତସିଂହପୁର ଏଡିଏମ,ଏଡିଏମଓ, ସ୍ଥାନୀୟ ତହସିଲଦାର, ତିର୍ତ୍ତୋଲ ଏସଡିପିଓ, କୁଜଙ୍ଗ ଓ ଏରସମା ଥାନା ଆଇଆଇସି, ବିଡ଼ିଓ, ଏରସମା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଦୀର୍ଘ ୨ଘଣ୍ଟାଧରି ଆଲୋଚନା କରିବା ପରେ ଘଟଣାର ସମାଧାନ କରାଯାଇଥିଲା।

ମୃତ ମହିଳାଙ୍କ ପରିବାରକୁ ରୋଗୀକଲ୍ୟାଣ ପାଣ୍ଠିରୁ ୪ଲକ୍ଷ ଟଙ୍କା, ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର, ତହସିଲ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ୩୦ହଜାର ଟଙ୍କା, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ପକ୍ଷରୁ ମୃତକଙ୍କ ପାଇଁ ଏକଲକ୍ଷ ଟଙ୍କା ପ୍ରଦାନ କରାଯିବା ସହ ସମ୍ପୃକ୍ତ ଡାକ୍ତର ପ୍ରତାପ ଦାସଙ୍କ ବିରୁଦ୍ଧରେ ଅପରାଧିକ ମାମଲାରେ ଏତଲା ଦିଆଯିବାର ଲିଖିତ ପ୍ରତିଶୃତି ଦିଆଯାଇଥିବା ଜଣାପଡିଛି। ପ୍ରତିଶୃତି ପାଇବା ପରେ ଆନ୍ଦୋଳନରୁ ଓହରିଥିଲେ ଆନ୍ଦୋଳନକାରୀ। ମନ୍ତ୍ରୀଙ୍କ ପ୍ରତିନିଧି ମୃତକଙ୍କ ସ୍ୱାମୀଙ୍କୁ ଏକଲକ୍ଷ ଟଙ୍କା, ଅତିରିକ୍ତ ଜିଲ୍ଲାପାଳ ରେଡକ୍ରସ ପାଣ୍ଠିରୁ ୩୦ହଜାର ଟଙ୍କା ପ୍ରଦାନ କରିଥିଲେ।