ବାଣପୁରରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା: ସିସିଟିଭି ଫୁଟେଜରୁ ସ୍ପଷ୍ଟ ହେଲା ଚିତ୍ର

Published: Jul 13, 2023, 3:11 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ମୃତ ଦେହ ରାସ୍ତା ପାର୍ଶ୍ଵର ଅଳିଆ ଗଦାରେ ପଡ଼ି ରହିଥିଲା। ତେବେ ମୃତ ମହିଳାଙ୍କ ବେକରେ କ୍ଷତ ଚିହ୍ନ ରହିଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା। ଏନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା।

ଆଖ ପାଖ ଅଞ୍ଚଳର ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରିବା ଆରମ୍ଭ କରିଥିଲା। ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ମିଳିଥିଲା। ସିସିଟିଭ ଫୁଟେଜରେ ଦେଖାଯାଉଥିବା ଭିଡ଼ିଓରେ ମହିଳାଜଣଙ୍କୁ କେହି ଜଣେ ଦୁର୍ବୃତ୍ତ ପଛ ପଟୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଥିଲା। ମହିଳାଜଣଙ୍କ ଅଳିଆ ଗଦାରୁ ରାତ୍ରି ପ୍ରାୟ ୧.୧୯ ଟା ସମୟରେ କିଛି ଖାଦ୍ୟ ଖାଉଥିବା ବେଳେ ଦୁର୍ବୃତ୍ତଜଣଙ୍କ ଏକ ଖଣ୍ଡା ସାହାଯ୍ୟରେ ପଛ ପଟୁ ଆକ୍ରମଣ କରୁଥିବା ଦେଖାଯାଉଥିଲା। ତେଣୁ ଏହା ଏକ ହତ୍ୟାକାଣ୍ଡ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି।

ତେବେ ସିସିଟିଭି ଫୁଟେଜ ଅନୁଯାୟୀ, ମହିଳାଜଣଙ୍କ ମାନସିକ ବିକାରଗ୍ରସ୍ତ ଜଣାପଡୁଥିବା ବେଳେ ତାକୁ କାହିଁକି ହତ୍ୟା କରାଗଲା? ଏନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ପୋଲିସ ଗୁରୁତର ସହ ନେଇ ତଦନ୍ତକୁ ଆହୁରି ବ୍ୟାପକ କରିଛି। ଘଟଣାସ୍ଥଳରେ ବାଲୁଗାଁ ଏସଡିପିଓ ଏବଂ ବାଣପୁର ଥାନା ଅଧିକାରୀ ପହଞ୍ଚି ତଦନ୍ତକୁ ଆଗକୁ ବଢାଇଛନ୍ତି।

ସୂଚନା ମୁତାବକ ଆଜି ସକାଳୁ ବାଣପୁର ଗାଲୁଆ ଛକ ନିକଟରେ ଜଣେ ଅଜଣା ମହିଳାଙ୍କ ଶବ ପଡ଼ି ରହିଥିଲା। ତେବେ ତାଙ୍କ ବେକରେ ଗଭୀର କ୍ଷତ ଥିବାରୁ ତାଙ୍କୁ କେହି ମାରି ଫୋପାଡ଼ି ଦେଇଥିବାର ଅନୁମାନ କରାଯାଉଥିଲା।

Related posts