୧୬ ଜଣ ପୁରୁଷଙ୍କ ଫାଶୀ ଦେଖି ମହିଳାଙ୍କ ମୃତ୍ୟୁ: ତଥାପି ଫାଶୀ ଦଉଡିରେ ଝୁଲା ହେଲା ତାଙ୍କ ଶବ

Published: Feb 24, 2021, 8:47 pm IST

ତେହେରାନ: ଫାଶୀ ଦଣ୍ଡାଦେଶ ହୋଇଥିବା ଜଣେ ମହିଳାଙ୍କର ହୃଦଘାତରେ ମୃତ୍ୟୁବରଣ ହୋଇଥିଲା। ତଥାପି ସେହି ମହିଳାଙ୍କ ଶବକୁ ଫାଶୀର ଦଉଡିରେ ଝୁଲା ଯାଇଥିଲା। ଇରାନର ତେହେରାନରେ ଏଭଳି ଏକ ଘଟଣା ଘାଟିଯାଇଛି।

ସୂଚନା ମୁତାବକ, ସ୍ବାମୀଙ୍କ ହତ୍ୟା ଅଭିଯୋଗରେ ଇରାନର ଜହରା ଇସ୍ମାଇଲ ନାମକ ଜଣେ ମହିଳାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏଥିପାଇଁ ଇରାନର ତେହେରାନ ନିକଟସ୍ଥ ଗୋଟିଏ ଅଦାଲତ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ।

ହେଲେ ତାଙ୍କ ସହିତ ଆଉ ୧୬ ଜଣ ପୁରୁଷଙ୍କୁ ଫାଶୀ ଦେବା ପାଇଁ ନିର୍ଦ୍ଦେଶ ହୋଇଥିଲା। ସେଥିପାଇଁ ସମସ୍ତଙ୍କୁ ଗୋଟିଏ ଧାଡ଼ିରେ ଠିଆ କରାଯାଇଥିଲା। ତେବେ ସେହି ୧୬ ଜଣ ପୁରୁଷମାନଙ୍କ ଫାଶୀ ଘଟଣାକୁ ଦେଖିବା ପାଇଁ ମହିଳାଜଣଙ୍କୁ ବାଧ୍ୟ କରାଯାଇଥିଲା। କିନ୍ତୁ ସେମାନଙ୍କୁ ଫାଶୀ ଦିଆଯାଉଥିବା ସମୟରେ ସେ ଏହାକୁ ଦେଖି  ତଳେ ପଡିଯାଇଥିଲେ ଏବଂ ସେଠାରେ ତାଙ୍କର ହୃଦଘାତ ହୋଇଥିଲା। ଓକିଲ କହିଛନ୍ତି କି, ଜହରାଙ୍କ ଶବକୁ ଏଥିପାଇଁ ଫାଶିରେ ଝୁଲା ଯାଇଥିଲା, ଯାହାଫଳରେ ଶବ ତଳେ ଥିବା ଚୌକିକୁ ତାଙ୍କ ସ୍ବାମୀଙ୍କ ମା’ ଗୋଡ଼ରେ ଧକ୍କା ମାରିପାରିବେ।

ଉଲ୍ଲେଖଯୋଗ୍ୟ ଯେ, ବିଶ୍ବରେ ସବୁଠାରୁ ଅଧିକ ଫାଶୀ ଦେଉଥିବା ଦେଶ ମଧ୍ୟରେ ଚୀନ ପ୍ରଥମ ସ୍ଥାନରେ ରହିଛି। ଏବଂ ଦ୍ଵିତୀୟ ସର୍ବାଧିକ ଫାଶୀ ଦେଉଥିବା ଦେଶ ତାଲିକାରେ ଇରାନର ରେକର୍ଡ ରହିଛି।

Related posts