Categories
ବିଶେଷ ଖବର

ରାଷ୍ଟ୍ରପତିଙ୍କ ବିବୃତ୍ତି ପାଇଁ ଅଧୀର ରଞ୍ଜନ ଚୌଧୁରୀଙ୍କ ବଢିଲା ସମସ୍ୟା: ନୋଟିସ ପଠାଇଲା ମହିଳା ଆୟୋଗ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ସମ୍ପର୍କରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଦେଇଥିବା ବିବୃତ୍ତି ଉପରେ ଉତ୍ତେଜନା ଜାରି ରହିଛି। ଏହି ପ୍ରସଙ୍ଗରେ କଂଗ୍ରେସକୁ ଆକ୍ରମଣ କରିବାକୁ ବିଜେପି ପ୍ରସ୍ତୁତ ହେଉଛି। ଯଦିଓ ଅଧୀର ରଂଜନ ଚୌଧୁରୀ ତାଙ୍କ ବିବୃତ୍ତି ପାଇଁ କ୍ଷମା ମାଗିଛନ୍ତି, ତଥାପି ତାଙ୍କ ବିରୋଧରେ ବିଜେପି ନିରନ୍ତର ଆକ୍ରମଣ କରୁଛି। ଏଥି ସହିତ, ବର୍ତ୍ତମାନ ମହିଳା ଆୟୋଗ (ଏନସିଡବ୍ଲୁ୍ୟ) ମଧ୍ୟ ଏହି ପ୍ରସଙ୍ଗରେ ଅଧୀର ରଂଜନ ଚୌଧୁରୀଙ୍କୁ ନୋଟିସ ଜାରି କରିଛି। ମହିଳା ଆୟୋଗ ଚୌଧୁରୀଙ୍କୁ ଅଗଷ୍ଟ ୩ ତାରିଖ ସକାଳ ୧୧.୩୦ ରେ ହାଜର ହେବାକୁ କହିଛନ୍ତି।

ଜାତୀୟ ମହିଳା ଆୟୋଗ ପକ୍ଷରୁ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ କୁହାଯାଇଛି। ମହିଳା କମିଶନ ସୋନିଆଙ୍କୁ ଏହି ପ୍ରସଙ୍ଗରେ ଅଧୀର ରଂଜନ ଚୌଧୁରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗଣମାଧ୍ୟମ ସହିତ କଥାବାର୍ତ୍ତା କରୁଥିବାବେଳେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ଏକ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ। ସେ ରାଷ୍ଟ୍ରପତିଙ୍କ ବଦଳରେ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ଭାବରେ ସମ୍ବୋଧିତ କରିଥିଲେ। ଏହା ପରେ ତାଙ୍କ ବିବୃତ୍ତି ଦିନକୁ ଦିନ ଭାଇରାଲ ହେବାରେ ଲାଗିଥିଲା ​​ଏବଂ ବିଜେପି ତୁରନ୍ତ ଏହାକୁ ନେଇ କଂଗ୍ରେସ ଉପରେ ଆକ୍ରମଣ ଆରମ୍ଭ କରିଥିଲା। ସଂସଦ ଅଧିବେଶନରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏହି ପ୍ରସଙ୍ଗରେ ସୋନିଆ ଏବଂ ଅଧୀର ରଂଜନ ଚୌଧୁରୀଙ୍କୁ ଟାର୍ଗେଟ କରିଥିଲେ। ଏହି ସମୟରେ ସୋନିଆ ଏବଂ ଇରାନୀଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଏହି ପୂରା ପ୍ରସଙ୍ଗରେ ବିଜେପି ବର୍ତ୍ତମାନ କଂଗ୍ରେସ ଉପରେ ଆକ୍ରମଣ କରୁଛି।

Categories
ଜାତୀୟ ଖବର ବିଶେଷ ଖବର

ଟିକାକରଣରେ ଲିଙ୍ଗଗତ ପ୍ରଭେଦକୁ ବନ୍ଦ ପାଇଁ ରାଜ୍ୟଗୁଡିକୁ ଚିଠି ଲେଖିଲେ ରାଷ୍ଟ୍ରୀୟ ମହିଳା ଆୟୋଗ

ନୂଆଦିଲ୍ଲୀ, ରାଷ୍ଟ୍ରୀୟ ମହିଳା ଆୟୋଗ ଏକ ଗଣମାଧ୍ୟମ ରିପୋର୍ଟ ଆଧାରରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ପତ୍ର ଲେଖି କହିଛନ୍ତି ଯେ ଏହି ରିପୋର୍ଟ ଅନୁଯାୟୀ ମହିଳାମାନଙ୍କ କ୍ଷେତ୍ରରେ କୋଭିଡ୍-୧୯ର ଟିକାକରଣ କମ୍ ପରିଲକ୍ଷିତ ହୋଇଛି। ଏଭଳି ସ୍ଥିତିରେ ଆୟୋଗ ଅନୁରୋଧ କରିଛନ୍ତି ଯେ ସେମାନେ ଏଭଳି ପଦକ୍ଷେପ ନିଅନ୍ତୁ ଯଦ୍ଦ୍ୱାରା ଏହି ଲିଙ୍ଗଗତ ପ୍ରଭେଦକୁ ସମାପ୍ତ କରାଯାଇପାରିବ ଏବଂ ମହିଳାମାନେ ମଧ୍ୟ ଟିକାକରଣ ଅଭିଯାନରେ ପଛରେ ରହିବେ ନାହିଁ ।

ଟିକାକରଣକୁ ନେଇ ଉଭୟ ଲିଙ୍ଗ ମଧ୍ୟରେ ଥିବା ପ୍ରଭେଦ ଆୟୋଗଙ୍କ ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ ଅଟେ ଏବଂ ଏଥିପାଇଁ ଅଧ୍ୟକ୍ଷ ସୁଶ୍ରୀ ରେଖା ଶର୍ମା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଟିକାକରଣ କେନ୍ଦ୍ରଗୁଡ଼ିକୁ ଆସୁଥିବା ମହିଳାଙ୍କ ଅନୁପାତ ବୃଦ୍ଧି କରିବା ସକାଶେ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏହାଦ୍ୱାରା ଏହି ପ୍ରଭେଦକୁ ଠିକ୍ କରାଯାଇପାରିବ ।

ପତ୍ରରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ସାର୍ବଜନିନ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଯଦ୍ଦ୍ୱାରା ପ୍ରାଥମିକତା ଭିତ୍ତିରେ ଅଧିକରୁ ଅଧିକ ମହିଳାମାନଙ୍କ ଟିକାକରଣ କରାଯାଇପାରିବ । ପତ୍ରର ଏକ କିତା ନକଲ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ସଚିବମାନଙ୍କୁ ମଧ୍ୟ ପଠାଯାଇଛି । ଏହି ମିଡିଆ ରିପୋର୍ଟ ଏହି ବିଷୟ ପ୍ରତି ଧ୍ୟାନ ଆକର୍ଷଣ କରିଥିଲା ଯେ, ଟିକାକରଣରେ ବର୍ତ୍ତମାନ ଅପେକ୍ଷାକୃତ କମ୍ ବୟସ୍କା ମହିଳାମାନଙ୍କ ତୁଳନାରେ ବୟସ୍କା ମହିଳାମାନଙ୍କ କ୍ଷେତ୍ରରେ ଲିଙ୍ଗଗତ ପ୍ରଭେଦ ଅଧିକ ରହିଛି। ଏହା ହେଉଛି ସମାଜରେ ଲିଙ୍ଗଗତ ପକ୍ଷପାତିତାର ପ୍ରତିଫଳନ ଯଦ୍ୱାରା ମହିଳାମାନଙ୍କୁ ଅବହେଳା କରାଯାଉଛି। ଏହାର ଆଉ ଏକ କାରଣ ହେଉଛି ଯେ ଉଭୟ ଲିଙ୍ଗ ପାଇଁ ସମ୍ବଳ ଓ ପ୍ରଯୁକ୍ତିର ପହଞ୍ଚ ଅସମାନ।

ତାଙ୍କ ପତ୍ରରେ ରାଷ୍ଟ୍ରୀୟ ମହିଳା ଆୟୋଗ ଉଲ୍ଲେଖ କରିଛନ୍ତି ଯେ, ଅନେକ ପରିବାରରେ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ପ୍ରତି କମ୍ ଗୁରୁତ୍ୱ ଦିଆଯାଇଥାଏ । ଯଦି ସେ ଘରୁ ବାହାରେ କୌଣସି କାର‌୍ୟ୍ୟ କରୁନଥାନ୍ତି ତାହାହେଲେ ଟିକାକରଣରେ ତାଙ୍କୁ ଅତ୍ୟନ୍ତ ଅଳ୍ପ ଗୁରୁତ୍ୱ ଦିଆଯାଇଥାଏ । ଅବଶ୍ୟ ପ୍ରାଥମିକସ୍ତରରେ ପରିବାରର କୌଣସି ରୁଗ୍ଣ ସଦସ୍ୟଙ୍କ ଯତ୍ନ ନେବା ସମୟରେ ମହିଳାମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଥାଏ ।

ରାଷ୍ଟ୍ରୀୟ ମହିଳା ଆୟୋଗ କହିଛନ୍ତି ଯେ, କେନ୍ଦ୍ର ସରକାର ଟିକାକରଣର କୁପ୍ରଭାବ ସମ୍ପର୍କରେ ମିଥ୍ୟା ସୂଚନା ଏବଂ ଅପପ୍ରଚାର ଦୂର କରିବା ସକାଶେ ନିୟମିତ ଅଭିଯାନ ଜାରି ରଖିଛନ୍ତି । ଏହା ସହିତ ଦେଶର ପ୍ରତ୍ୟେକ କୋଣ-ଅନୁକୋଣ ପର‌୍ୟ୍ୟନ୍ତ ପହଞ୍ଚିବା ପାଇଁ ସଘନ ଟିକାକରଣ ଅଭିଯାନ ମଧ୍ୟ ଚଳାଉଛନ୍ତି । ରାଜ୍ୟ ସରକାରଗୁଡ଼ିକୁ ମଧ୍ୟ ଏହିଭଳି ଅଭିଯାନ ଜାରି ରଖିବା ଉଚିତ୍ । ଯଦ୍ଦ୍ୱାରା ଏହା ସୁନିଶ୍ଚିତ ହୋଇପାରିବ ଯେ ଭାରତର ଦୂରବର୍ତ୍ତୀ ଅଞ୍ଚଳଗୁଡ଼ିକରେ ମଧ୍ୟ ସଠିକ୍ ସୂଚନା ପହଞ୍ଚିପାରୁଛି।

ଭାରତ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ମହିଳମାନଙ୍କ ସ୍ୱାର୍ଥ ରକ୍ଷା ଏବଂ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଷ୍ଟ୍ରୀୟ ମହିଳା ଆୟୋଗ ହେଉଛି ରାଷ୍ଟ୍ରୀୟ ସ୍ତରରେ ସର୍ବୋଚ୍ଚ ସଂଗଠନ ।