Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲକ୍ଷାଧିକ ଟଙ୍କାର ମାଛଧରା ଜାଲ ଚୋରୀ ଘଟଣା: ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ନାଚୁଣୀ ଫାଣ୍ଡି ପୋଲିସ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଲକ୍ଷାଧିକ ଟଙ୍କାର ମାଛଧରା ଜାଲ ଚୋରୀ କରିଥିବା ଅଭିଯୋଗରେ ଦୁଇଜଣଙ୍କୁ ପୋଲିସ ଗିରଫ କରିଛି। ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଉଳାବନ୍ଧ ଗ୍ରାମର ଲକ୍ଷ୍ମୀଧର ବେହେରା ପେସାରେ ଜଣେ ଧୀବର। ଚିଲିକାରୁ ମାଛ ଧରି ତାଙ୍କ ପରିବାର ଗୁଜୁରାଣ ମେଣ୍ଟାନ୍ତି।

ତେବେ ଗତବର୍ଷ ନଭେମ୍ବର ମାସ ୪ ତାରିଖ ରାତ୍ରିରେ ଲକ୍ଷ୍ମୀଧରଙ୍କ ୧୫୦ ବଣ୍ଡିଲ ଜାଲଗୁଡିକୁ ସେହି ଗ୍ରାମର ବୁଢ଼ା ବେହେରା, ସନ୍ଦୀପ ଜେନା ଏବଂ ସୁକୁଟା ସାହୁ  ମିଶିକରି ଚୋରି କରି ନେଇଯାଇଥିବାର ଅଭିଯୋଗ ହୋଇଥିଲା। ଉକ୍ତ ଜାଲଗୁଡିକର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ। ଏହାପରେ ଲକ୍ଷ୍ମୀଧର ଗ୍ରାମରେ ଏକ ସାମାଜିକ ବୈଠକ ଡକାଇ ଉକ୍ତ ଘଟଣା ଉପସ୍ଥାପନ କରିଥିଲେ। ତେବେ ଏକ ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ ଜାଲ ଚୋରୀ କରିଥିବା ଅଭିଯୁକ୍ତମାନେ ସବୁ ଜାଲ ଫେରାଇଦେବେ ବୋଲି ଗ୍ରାମ ସଭାରେ ପ୍ରତିଶୃତି ଦେଇଥିଲେ। କିନ୍ତୁ ସେହି ନିର୍ଦ୍ଦିଷ୍ଟ ତାରିଖ ଦିନ ଅଭିଯୁକ୍ତମାନେଫେରାର ହୋଇଯାଇଥିଲେ।

ପରିଶେଷରେ ବାଧ୍ୟ ହୋଇ ଲକ୍ଷ୍ମୀଧର ଗତକାଲି ଗ୍ରାମବାସୀଙ୍କ ଉପସ୍ଥିତିରେ ନାଚୁଣୀ ଫାଣ୍ଡିରେ ଏ ବିଷୟ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଘଟଣାକୁ ଗୁରୁତର ସହ ନେଇ ଗତକାଲି ରାତାରାତି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ଜଣ ଦୁର୍ବୁତ୍ତଙ୍କୁ ଗିରଫ କରିଛନ୍ତି। ଗିରଫ ଦ୍ବୟ ହେଲେ ସୁକୁଟା ସାହୁ ଏବଂ ସନ୍ଦୀପ ଜେନା। ସେମାନଙ୍କ ନିକଟରୁ ଫାଣ୍ଡି ଅଧିକାରୀ ୧୦୫ ବଣ୍ଡିଲ ଜାଲ ଜବତ କରିଛନ୍ତି ଯାହାର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ଏବଂ ଗୋଟେ ବାଇକ ମଧ୍ୟ ଜବତ କରିଛନ୍ତି।

ଉକ୍ତ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ବାଣପୁର ଥାନାରେ କେସ ନମ୍ବର ୨୨୬/୨୧ ରେ ଏକ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଅନୁରୂପ ଭାବେ ଫାଣ୍ଡି ଅଧିକାରୀଙ୍କ ତ୍ୱରିତ ପଦକ୍ଷେପ ପାଇଁ ଅଭିଯୋଗକାରି ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।