Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମାନବିକ ଅଧିକାର କାହାର ଦୟା କିମ୍ବା ଅନୁକମ୍ପା ନୁହେଁ: ବିଶ୍ୱଭୂଷଣ ହରିଚନ୍ଦନ

ଭୁବନେଶ୍ୱର: ବିଶ୍ୱ ମାନିବିକ ଅଧିକାର ସୁରକ୍ଷା ସଂସ୍ଥା ଆନୁକୂଲ୍ୟରେ ଅନୁଷ୍ଠିତ ମାଟି, ମା’ ଓ ମଣିଷର ସୁରକ୍ଷା ପାଇଁ ମାନବିକ ଅଧିକାର ଉପରେ ହୋଟେଲ୍ ନ୍ୟୁମାରିଅନ ଠାରେ ହୋଇଥିବା ଆଲୋଚନା ଚକ୍ରରେ ଛତିଶଗଡ଼଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ କହିଛନ୍ତି ଯେ ମାଟି, ମା’, ବନ, ଲତା, ପାହାଡ଼, ନଦନଦୀ ଆଦି ପ୍ରାକୃତିକ ସଂପଦ ଉପରେ ତୁମର ଅଧିକାର ଅଛି।

ଏହି ଅଧିକାରକୁ କିଏ କାହାକୁ ଦିଏ ନାହିଁ, ଅଧିକାର ସାବ୍ୟସ୍ତ କରିବାକୁ ପଡ଼େ। କେବଳ ପୀଡ଼ିତ, ଦଳିତ, ନିଷ୍ପେସିତ ମାନବିକ ଅଧିକାରରୁ ବଂଚିତ ହେଉନାହାନ୍ତି ବରଂ ଆମର ଚତୁଃପାଶ୍ୱର୍ରେ ଥିବା ପ୍ରାଣୀ ସଂପଦ, ଜଗଲ ସଂପଦ, ଜଳ ସଂପଦ ଆଦି ଅପବ୍ୟୟିତ ଓ ପ୍ରଦ୍ୟୁଷିତ ହେଉଅଛି। ଆମ ଚତୁଃପାଶ୍ୱର୍ରୁ ଦିନକୁ ଦିନ ଗଛଲତା ଆଦି ହ୍ରାସ ପାଇବାରେ ଲାଗିଛି ଯାହାର ପ୍ରଭାବ ଏବେ ଆମ ଉପରେ ପଡ଼ିବାରେ ଲାଗିଛି।

ମାଟି, ମା’, ମଣିଷ ଓ ପ୍ରାକୃତିକ ସଂପଦର ସୁରକ୍ଷା ଆମର ପରମ ଦାୟିତ୍ୱ ଓ ଏହା ଆମର ଅଧିକାର । ଆମ ମା, ମାଟିର ମାନବିକ ଅଧିକାର ଉଲଂଘନ ହେଉଛି ବୋଲି କହି କେବଳ କ୍ରନ୍ଦନ କଲେ ତୁମ ମୁହଁକୁ କେହି ଚାହିଁବେ ନାହିଁ ବରଂ ତୁମର ଏହି ଅଧିକାରକୁ ହାସଲ କରିବା ପାଇଁ ମୁହଁ ଖୋଲ, ପ୍ରତିବାଦ କର, ଲଢ଼େଇ କର ବୋଲି ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଉପସ୍ଥିତ ସଭାସଦ୍‌କୁ ଉଦ୍‌ବୋଧନ ଦେଇଥିଲେ।

ଉକ୍ତ ବୈଠକରେ ରାଜ୍ୟପାଳଙ୍କ ସମେତ ବିଶ୍ୱ ମାନବିକ ଅଧିକାର ସୁରକ୍ଷା ସଂସ୍ଥାର ସଭାପତି ଅଭିନ୍ନ ହୋତାଙ୍କ ସମେତ ଅନ୍ୟ ଅତିଥିମାନେ ସଭାରେ ଯୋଗଦେଇ ମାନବିକ ସୁରକ୍ଷା ଉପରେ ନିଜସ୍ୱ ମତାମତ ରଖିଥିଲେ।