Categories
ବିଶେଷ ଖବର

ଆତଙ୍କବାଦ ସମେତ ଗୁରୁତର ଅପରାଧରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ଦିଅନ୍ତୁ ନାହିଁ ମଞ୍ଚ: କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ଯେଉଁ ବ୍ୟକ୍ତିମାନଙ୍କ ବିରୋଧରେ ଆତଙ୍କବାଦ ମାମଲା ରହିଛି କିମ୍ବା ଭାରତୀୟ ଆଇନ ଦ୍ୱାରା ନିଷିଦ୍ଧ ସଂଗଠନ ସହ ସମ୍ପୃକ୍ତି ସମେତ ଗୁରୁତର ଅପରାଧ ଅଭିଯୋଗ ରହିଛି ସେମାନଙ୍କୁ କୌଣସି ମଞ୍ଚ ପ୍ରଦାନ ନ କରିବାକୁ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବିଭିନ୍ନ ଟେଲିଭିଜନ ଚ୍ୟାନେଲକୁ ପରାମର୍ଶ ଜାରି କରିଛି।

ନିକଟରେ ବିଦେଶରେ ରହୁଥିବା ଜଣେ ଅପରାଧିକ ବ୍ୟକ୍ତି ଟେଲିଭିଜନ ଚ୍ୟାନେଲ ଆଲୋଚନାରେ ସାମିଲ ହେବା ପରେ ଏପରି ମାର୍ଗଦର୍ଶିକା ଜାରି କରାଯାଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ଆତଙ୍କବାଦ ଭଳି ଗମ୍ଭୀର ମାମଲା ରହିଛି ଏବଂ ସେ ଭାରତୀୟ ଆଇନ ଦ୍ୱାରା ପ୍ରତିବନ୍ଧିତ ଏକ ଏକ ଆତଙ୍କବାଦ ଗୋଷ୍ଠୀ ସହ ସମ୍ପୃକ୍ତ ରହିଛନ୍ତି। ଆଲୋଚନା ସମୟରେ ବ୍ୟକ୍ତି ଜଣକ ଦେଶର ସାର୍ବଭୌମତ୍ୱ/ଅଖଣ୍ଡତା, ଭାରତର ନିରାପତ୍ତା, ବିଦେଶୀ ରାଷ୍ଟ୍ର ସହ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଏବଂ ଦେଶରେ ଜନଶୃଙ୍ଖଳା ବିଗିଡ଼ିବାର ସମ୍ଭାବନା ଥିବା ଅନେକ ମନ୍ତବ୍ୟ ଦେଇଥିଲେ।

ମନ୍ତ୍ରଣାଳୟ ସ୍ପଷ୍ଟ ଭାବରେ କହିଛି ଯେ, କେନ୍ଦ୍ର ସରକାର ଗଣମାଧ୍ୟମର ସ୍ୱାଧୀନତାକୁ ବଜାୟ ରଖିଛନ୍ତି ଏବଂ ସମ୍ବିଧାନ ଅଧୀନରେ ଏହାର ଅଧିକାରକୁ ସମ୍ମାନ ଦିଅନ୍ତି, କିନ୍ତୁ ଟିଭି ଚ୍ୟାନେଲଗୁଡିକ ଦ୍ୱାରା ପ୍ରସାରଣ କରାଯାଉଥିବା ବିଷୟବସ୍ତୁ କେବୁଲ ଟେଲିଭିଜନ ନେଟୱାର୍କ (ନିୟନ୍ତ୍ରଣ) ଆଇନ, ୧୯୯୫ର ବ୍ୟବସ୍ଥା ସମେତ ଏହାର ଧାରା ୨୦ର ଉପଧାରା (୨)କୁ ପାଳନ କରିବା ଆବଶ୍ୟକ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କୋଭିଡ-୧୯ ଅପ୍‌ଡେଟ୍: ଭାରତକୁ ଆସୁଥିବା ଆନ୍ତର୍ଜାତିକ ଯାତ୍ରୀଙ୍କ ପାଇଁ କୋହଳ ହେଲା ମାର୍ଗଦର୍ଶିକା 

ନୂଆଦିଲ୍ଲୀ: ବିଶ୍ୱରେ ବର୍ତ୍ତମାନର କୋଭିଡ ସ୍ଥିତି ଏବଂ ଟିକାଦାନ କ୍ଷେତ୍ରରେ ହାସଲ ହୋଇଥିବା ଉପଲବ୍ଧିକୁ ବିଚାରକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆନ୍ତର୍ଜାତିକ ଯାତ୍ରୀଙ୍କ ପାଇଁ ଥିବା କୋଭିଡ ନିୟମ ସଂକ୍ରାନ୍ତ ମାର୍ଗଦର୍ଶିକାକୁ ଅଧିକ କୋହଳ କରିଛି। ଏହି ନୂଆ ମାର୍ଗଦର୍ଶିକା ବା ନିର୍ଦ୍ଦେଶାବଳୀ ୨୦୨୩ ଜୁଲାଇ ୨୦ ତାରିଖ ଅର୍ଥାତ୍ ୧୯ ତାରିଖ ରାତି ୧୨ଟାରୁ ଲାଗୁ ହୋଇଛି। ଏଯାଏ ବିଦେଶୀ ଯାତ୍ରୀଙ୍କ ମଧ୍ୟରୁ ୨ଶତାଂଶଙ୍କର ଯେଉଁ ଆରଟି-ପିସିଆର ପରୀକ୍ଷା ର‌୍ୟାଣ୍ଡମ ଭିତ୍ତିରେ କରାଯାଉଥିଲା ତାହାକୁ ନୂଆ ମାର୍ଗଦର୍ଶିକାରେ ବନ୍ଦ କରାଯାଇଛି।

ତେବେ ବିମାନ ଚଳାଚଳ ସଂସ୍ଥାର ଓ ଏହାର କର୍ମଚାରୀ ତଥା ଆନ୍ତର୍ଜାତିକ ଯାତ୍ରୀମାନେ ପୂର୍ବରୁ ଯେଉଁ କୋଭିଡ ବିରୋଧୀ ସତର୍କତା ଅବଲମ୍ବନ କରୁଥିଲେ ତାହା ଅନ୍ୟାଦେଶ ପର୍ଯ୍ୟନ୍ତ ଭାରତରେ ବଳବତ୍ତର ରହିବ। ଏହି ଅପଡେଟେଡ୍ ଗାଇଡ୍ ଲାଇନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସରକାରୀ ୱେବସାଇଟ୍ ((https://www.mohfw.gov.in/) ରେ ଉପଲବ୍ଧ।

ପରିସ୍ଥିତିରେ ଉନ୍ନତି ସତ୍ତ୍ୱେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ-୧୯ ସ୍ଥିତିକୁ ଅତ୍ୟନ୍ତ ନିବିଡ ଭାବେ ପର୍ଯ୍ୟବେକ୍ଷଣ କରୁଛି।

Categories
ବିଶେଷ ଖବର

ସାମାଜିକ ଗଣମାଧ୍ୟମରେ ଜନମାନସକୁ ପ୍ରଭାବିତ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର 

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଅଧୀନ ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପ୍ରସିଦ୍ଧ, ପ୍ରଭାବଶାଳୀ ଏବଂ ଜନମାନସକୁ ପ୍ରଭାବିତ କରୁଥିବା ବ୍ୟକ୍ତିବିଶେଷ ବା ସେଲିବ୍ରିଟି, ଇନଫ୍ଲୁଏନ୍ସର ଏବଂ ଭର୍ଚୁଆଲ ଇନଫ୍ଲୁଏନ୍ସରଙ୍କ ପାଇଁ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ମାର୍ଗଦର୍ଶିକାର ଶୀର୍ଷକ ରହିଛି ‘‘ଏଣ୍ଡୋର୍ସମେଣ୍ଟ ନୋ-ହାଓଜ୍‌!’’ ଅର୍ଥାତ୍‌ ପ୍ରଚାର କିଭଳି କରିବେ ଜାଣନ୍ତୁ। କୌଣସି ଉତ୍ପାଦ କିମ୍ବା ସେବାର ପ୍ରଚାର କରିବା ସମୟରେ ସମ୍ପୃକ୍ତ ବ୍ୟକ୍ତି ନିଜର ଦର୍ଶକମାନଙ୍କୁ ଯେପରି ପଥଭ୍ରଷ୍ଟ ନକରିବେ ତାହା ସୁନିଶ୍ଚିତ କରିବା ଏହି ମାର୍ଗଦର୍ଶିକାର ଉଦ୍ଦେଶ୍ୟ। ଏପରି କ୍ଷେତ୍ରରେ ଉପଭୋକ୍ତା ସୁରକ୍ଷା ଆଇନ ଏବଂ ଏହା ସହ ଜଡ଼ିତ ଅନ୍ୟାନ୍ୟ ନିୟମାବଳୀ ଓ ମାର୍ଗଦର୍ଶିକାର ଅନୁପାଳନ ସୁନିଶ୍ଚିତ କରିବା ପ୍ରତି ନୂଆ ମାର୍ଗଦର୍ଶିକାରେ ଗୁରୁତ୍ବାରୋପ କରାଯାଇଛି।

ଏହି ମାର୍ଗଦର୍ଶିକାରେ କୁହାଯାଇଛି ଯେ, ପ୍ରଚାରଗୁଡ଼ିକ ସରଳ ଓ ସ୍ପଷ୍ଟ ଭାଷାରେ ହେବା ଉଚିତ ଏବଂ ‘ବିଜ୍ଞାପନ’ (ଏଡଭର୍ଟାଇଜମେଣ୍ଟ), ‘ପ୍ରାୟୋଜିତ’ (ସ୍ପନସର୍ଡ), ‘ସହଭାଗିତା’ (କୋଲାବରେସନ) କିମ୍ବା ‘ଆର୍ଥିକ ଲାଭ ପାଇଁ ପ୍ରଚାର’ (ପେଡ୍‌ ପ୍ରମୋସନ) ଭଳି ପରିଭାଷାକୁ ଏଥିରେ ବ୍ୟବହାର କରାଯିବା ଆବଶ୍ୟକ। ବ୍ୟକ୍ତିଗତ ଭାବେ ବ୍ୟବହାର କରିନଥିବା କିମ୍ବା ଅନୁଭୂତି ହାସଲ କରିନଥିବା କିମ୍ବା ସେମାନଙ୍କ ଦ୍ବାରା ବିଧିବଦ୍ଧ ଯାଞ୍ଚ କରାଯାଇନଥିବା ଉତ୍ପାଦ କିମ୍ବା ସେବା ସମ୍ପର୍କରେ ବ୍ୟକ୍ତିବିଶେଷମାନେ ପ୍ରଚାର କରିବା ଉଚିତ୍‌ ନୁହେଁ। କେଉଁ ପ୍ରକାରର ସହଭାଗିତା ପାଇଁ କେଉଁ ପ୍ରକଟୀକରଣ ବା ଡିସକ୍ଲୋଜର ଶବ୍ଦ ବ୍ୟବହାର କରାଯାଉଛି ତା’କୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେଉଥିବା ବିଭାଗର ନଜରକୁ ଆସିଛି। ତେଣୁ ଆର୍ଥିକ ଲାଭ ଥିବା କିମ୍ବା ବସ୍ତୁ ବିନିମୟ ବ୍ରାଣ୍ଡର ପ୍ରଚାର ସମୟରେ ନିମ୍ନୋକ୍ତ ମଧ୍ୟରୁ ଯେକୌଣସି ପ୍ରକଟୀକରଣ ବା ଡିସକ୍ଲୋଜରଗୁଡ଼ିକୁ ଉପଯୋଗ କରାଯାଇପାରିବ ଯଥା : ‘‘ଏଡଭର୍ଟାଇଜ୍‌ମେଣ୍ଟ’’ (ବିଜ୍ଞାପନ), ‘ଆଡ୍‌’ (ବିଜ୍ଞାପନ), ‘‘ସ୍ପନସର୍ଡ’ (ପ୍ରାୟୋଜିତ), ‘‘କୋଲାବରେସନ’’ (ସହଭାଗିତା) କିମ୍ବା ‘‘ପାର୍ଟନରଶିପ’’ (ସହଭାଗିତା)। ତେବେ ଏହି ଶବ୍ଦଗୁଡ଼ିକୁ ହାଶଟ୍ୟାଗ୍‌ କିମ୍ବା ହେଡଲାଇନ୍‌ ଭାବରେ ବ୍ୟବହାର କରାଯିବା ଉଚିତ୍‌।

ମାର୍ଗଦର୍ଶିକାରେ ନିର୍ଦ୍ଦିଷ୍ଟ ଭାବେ କୁହାଯାଇଛି ଯେ, ପ୍ରସିଦ୍ଧ ବ୍ୟକ୍ତିବିଶେଷ କିମ୍ବା ଗୋଷ୍ଠୀ ବହୁସଂଖ୍ୟକ ଦର୍ଶକମାନଙ୍କ ନିକଟରେ ସହଜରେ ପହଞ୍ଚି ପାରିଥାନ୍ତି। ଏହାଛଡ଼ା ନିଜ ଦର୍ଶକମାନଙ୍କ ସହିତ ସେଲିବ୍ରିଟି, ଇନଫ୍ଲୁଏନ୍ସର୍‌ ମାନଙ୍କର ପ୍ରଭାବ, ଜ୍ଞାନ, କ୍ଷମତା କିମ୍ବା ସମ୍ପର୍କ ରହିଥିବା କାରଣରୁ କୌଣସି ଏକ ଉତ୍ପାଦ, ସେବା, ବ୍ରାଣ୍ଡ ସମ୍ପର୍କରେ ଦର୍ଶକମାନଙ୍କର କ୍ରୟ ନିଷ୍ପତ୍ତି କିମ୍ବା ଅନୁଭୂତି କିମ୍ବା ଦୃଷ୍ଟିକୋଣକୁ ପ୍ରଭାବିତ କରିବାର କ୍ଷମତା ସେମାନଙ୍କ ପାଖରେ ରହିଛି। ତେଣୁ ସେମାନେ କୌଣସି ପ୍ରଚାର କରିବା ସମୟରେ ବାସ୍ତବ ଉଦ୍ଦେଶ୍ୟକୁ ପ୍ରକଟ କରିବା ଉଚିତ୍‌।

ଏଥିରେ ଆହୁରି କୁହାଯାଇଛି ଯେ, ପ୍ରଚାର ବାର୍ତ୍ତାରେ ପ୍ରକଟୀକରଣ ସମ୍ପୂର୍ଣ୍ଣ ସ୍ପଷ୍ଟ ଓ ପ୍ରମୁଖତାର ସହିତ କରାଯିବା ଉଚିତ ଏବଂ ଏହା ନିର୍ଦ୍ଦିଷ୍ଟ ଭାବେ ପ୍ରଚାର ଲାଗି ଉଦ୍ଦିଷ୍ଟ ବୋଲି ବୁଝି ହେଉଥିବା ଆବଶ୍ୟକ। ହାଶଟ୍ୟାଗ କିମ୍ବା ଲିଙ୍କ ସହିତ ପ୍ରକଟୀକରଣ କରାଯିବା ଉଚିତ୍‌।

ସେହିପରି ଫଟୋରେ କୌଣସି ପ୍ରଚାର କରାଯାଉଥିବା ସମୟରେ ପ୍ରକଟୀକରଣ ବାର୍ତ୍ତା ଦର୍ଶକଙ୍କ ଦ୍ବାରା ସ୍ପଷ୍ଟ ଭାବେ ଦେଖାଯିବା ଭଳି ସୁପରଇମ୍ପୋଜ ବା ଫଟୋ ଉପରେ ରଖାଯିବା ଉଚିତ୍‌। ଭିଡିଓ କିମ୍ବା ଏକ ଲାଇଭ ଷ୍ଟ୍ରିମ ମାଧ୍ୟମରେ ପ୍ରଚାର କରାଯିବା ସମୟରେ ପ୍ରଚାର ବାର୍ତ୍ତାକୁ ଉଭୟ ଅଡିଓ ଏବଂ ଭିଡିଓ ଫର୍ମାଟ ମାଧ୍ୟମରେ ପ୍ରକଟ କରାଯିବା ଉଚିତ ଏବଂ ଏହା ସମ୍ପୂର୍ଣ୍ଣ ଷ୍ଟ୍ରିମିଂ ସମୟରେ ଲଗାତାର ଓ ପ୍ରମୁଖତାର ସହିତ ପ୍ରଦର୍ଶିତ ହେଉଥିବା ଆବଶ୍ୟକ।

ମାର୍ଗଦର୍ଶିକାରେ ପ୍ରସିଦ୍ଧ ଓ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କୁ ପରାମର୍ଶ ଦିଆଯାଇଛି ଯେ, ବିଜ୍ଞାପନଦାତା ବିଜ୍ଞାପନରେ କରାଯାଉଥିବା ଦାବିକୁ ପ୍ରମାଣିତ କରିବାର ସ୍ଥିତିରେ ଅଛନ୍ତି ବୋଲି ତାହା ସେମାନେ ସବୁବେଳେ ସମୀକ୍ଷା କରିବା ସହିତ ନିଜେ ସନ୍ତୁଷ୍ଟ ହେବା ଉଚିତ୍‌। ପ୍ରଚାର କରୁଥିବା ବ୍ୟକ୍ତି ଉତ୍ପାଦ ଓ ସେବାକୁ ବାସ୍ତବରେ ବ୍ୟବହାର କରିଥିବା କିମ୍ବା ତାହାର ଅନୁଭୂତି ହାସଲ କରିଥିବା ଆବଶ୍ୟକ।

ଶେଷରେ, କୌଣସି ଉତ୍ପାଦ କିମ୍ବା ସେବାର ପ୍ରଚାର କରିବା ସମୟରେ ବ୍ୟକ୍ତିବିଶେଷମାନେ ସେମାନଙ୍କର ଦର୍ଶକ ଓ ଅନୁଗାମୀମାନଙ୍କୁ ଯେପରି ପଥଭ୍ରଷ୍ଟ ନକରନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ମାର୍ଗଦର୍ଶିକାରେ କୁହାଯାଇଛି। ଏହା ଉପଭୋକ୍ତା ସୁରକ୍ଷା ଆଇନ ଏବଂ ଏହା ସହ ଜଡ଼ିତ କୌଣସି ନିୟମାବଳୀ ଓ ମାର୍ଗଦର୍ଶିକାକୁ ପାଳନ କରୁଥିବା ଉଚିତ୍‌। ନିଜର ଦର୍ଶକମାନଙ୍କ ସହିତ ସ୍ବଚ୍ଛତା ଓ ବିଶ୍ବସନୀୟତା ବଜାୟ ରଖିବା ଲାଗି ଏସବୁ ମାର୍ଗଦର୍ଶିକାକୁ ପାଳନ କରିବା ପ୍ରସିଦ୍ଧ, ପ୍ରଭାବଶାଳୀ ଏବଂ ଜନମାନସକୁ ପ୍ରଭାବିତ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଜରୁରୀ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କେବଳ ମାସ୍କ ଏବଂ ସାମାଜିକ ଦୂରତା ନୁହେଁ, ଏହି ଜିନିଷଗୁଡ଼ିକ ପ୍ରତି ମଧ୍ୟ ଦେବାକୁ ପଡିବ ଧ୍ୟାନ, ମାର୍ଗଦର୍ଶିକା ଜାରି

ନୂଆଦିଲ୍ଲୀ: ଦୁନିଆର ଅନେକ ଦେଶରେ ପୁଣି ଥରେ କରୋନା ଭାଇରସ ହେବାର ଆଶଙ୍କା ଦେଖାଦେଇଛି। ଚୀନ୍ ଠାରୁ ଆମେରିକା ପର୍ଯ୍ୟନ୍ତ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଅନେକ ଦେଶ ମଧ୍ୟ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ପ୍ରସ୍ତୁତି ଆରମ୍ଭ କରିବା ସହିତ ରାଜ୍ୟ ସରକାର ମଧ୍ୟ ବୈଠକ ଡାକିଛନ୍ତି। ନିକଟରେ କରୋନା ବିପଦକୁ ଦୃଷ୍ଟିରେ ରଖି ସରକାରଙ୍କ ଦ୍ୱାରା ଏକ ମାର୍ଗଦର୍ଶିକା ଜାରି କରାଯାଇଥିଲା, ଯେଉଁଥିରେ ମାସ୍କ ପିନ୍ଧିବା ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଥିଲା। ଆସନ୍ତୁ ଜାଣିବା ବର୍ତ୍ତମାନ ଦେଶରେ କରୋନା ସମ୍ବନ୍ଧୀୟ ନିୟମ ଏବଂ ନିର୍ଦ୍ଦେଶାବଳୀ କ’ଣ?

ଭାରତରେ କରୋନା ପ୍ରଥମ ଏବଂ ଦ୍ୱିତୀୟ ତରଙ୍ଗରେ ହଇଚଇ ସୃଷ୍ଟି କରିଥିଲା, ହଜାର ହଜାର ଲୋକ ପ୍ରାଣ ହରାଇଥିଲେ ଏବଂ ଡାକ୍ତରଖାନାର ବ୍ୟବସ୍ଥା ମଧ୍ୟ ଭୁଶୁଡି ପଡିଥିଲା। ଅବଶ୍ୟ, ଏହା ପରେ ସ୍ଥିତିରେ ଉନ୍ନତି ଆସିଲା ଏବଂ ମାମଲାଗୁଡ଼ିକରେ କ୍ରମାଗତ ହ୍ରାସ ଘଟିଲା। ମାମଲାଗୁଡ଼ିକର ହ୍ରାସ ସହିତ କରୋନା ପ୍ରତିବନ୍ଧକରେ ମଧ୍ୟ ଆଶ୍ଵସ୍ତି କରାଗଲା। ଶେଷରେ, ଏପ୍ରିଲ୍ ୧ ତାରିଖ ୨୦୨୨ ଠାରୁ, ସମସ୍ତ ପ୍ରକାରର ପ୍ରତିବନ୍ଧକ ହଟାଗଲା।

ବର୍ତ୍ତମାନ ପୁଣି ଥରେ କରୋନା ବିପଦ ବଢୁଛି, ଏଭଳି ପରିସ୍ଥିତିରେ ସରକାର ଲୋକଙ୍କୁ କୋଭିଡ ଉପଯୁକ୍ତ ଆଚରଣ କରିବାକୁ ପରାମର୍ଶ ଦେଉଛନ୍ତି। ଆସନ୍ତୁ ଜାଣିବା କରୋନା ସମ୍ବନ୍ଧରେ ସତର୍କତା କ’ଣ, ଯାହା ସରକାର ଗ୍ରହଣ କରିବାକୁ ପରାମର୍ଶ ଦେଉଛନ୍ତି।

କୋଭିଡ୍ ଉପଯୁକ୍ତ ଆଚରଣ କ’ଣ?:

ଯଦି ଆପଣ କାହାକୁ ଭେଟନ୍ତି, ତାଙ୍କୁ ଶାରୀରିକ ସ୍ପର୍ଶ ବିନା ଅଭିବାଦନ କରନ୍ତୁ ଯଥା ହାତ ହଲାଇବା କିମ୍ବା ଆଲିଙ୍ଗନ ନକରି। ଏଥିପାଇଁ ଆପଣ ହାତ ଯୋଡ଼ି ଅଭିବାଦନ କରିପାରିବେ।

କରୋନା ସହିତ ମୁକାବିଲା କରିବା ପାଇଁ ସାମାଜିକ ଦୂରତା ଆବଶ୍ୟକ ବୋଲି କୁହାଯାଇଛି। ଏଥିପାଇଁ ଦୁଇ ଗଜ ଦୂରତା ରଖିବାକୁ କୁହାଯାଇଥିଲା। ଯାହାଦ୍ୱାରା କରୋନାକୁ ବ୍ୟାପିବାରେ ରୋକାଯାଇପାରିବ।

ହାତରେ ତିଆରି ପୁନଃ ବ୍ୟବହାର ଯୋଗ୍ୟ ଫେସ୍ ମାସ୍କ ବ୍ୟବହାର କରିବାକୁ ଲୋକଙ୍କୁ ସରକାର ପରାମର୍ଶ ଦେଇଛନ୍ତି। ବିଶେଷକରି ଜନଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧନ୍ତୁ।

ଯଦି ଆପଣ ବାହାରେ ଅଛନ୍ତି, ତେବେ ଆଖି, ନାକ ଏବଂ ପାଟିକୁ ହାତରେ ଛୁଇଁବା ଠାରୁ ଦୂରେଇ ରୁହନ୍ତୁ। ଏଥିପାଇଁ ଆପଣ ପ୍ରଥମେ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିପାରିବେ। କ୍ରମାଗତ ଭାବରେ ହାତ ଧୋଇ ରଖନ୍ତୁ।

କରୋନାକୁ ରୋକିବା ପାଇଁ ଖୋଲା ସ୍ଥାନରେ ଛେପ ପକାଇବା ଠାରୁ ଦୂରେଇ ରହିବାକୁ ସରକାର ମଧ୍ୟ ପରାମର୍ଶ ଦେଇଛନ୍ତି। ଏହି କାରଣରୁ, କରୋନା ବିସ୍ତାର ହେବାର ଆଶଙ୍କା ଅଧିକ ରହିଥାଏ।

କଯେତେବେଳେ ଅତି ଆବଶ୍ୟକ, ସେତେବେଳେ ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି। ଆହୁରି ମଧ୍ୟ କୁହାଯାଇଛି ଯେ, ଏକ ଜନଗହଳି ପୂର୍ଣ୍ଣ ସ୍ଥାନର ଅଂଶ ହୁଅନ୍ତୁ ନାହିଁ, ଅର୍ଥାତ୍ ନିଜକୁ ଭିଡ଼ଠାରୁ ଦୂରରେ ରଖନ୍ତୁ।

ସୋସିଆଲ ମିଡିଆରେ ଏପରି କୌଣସି ପୋଷ୍ଟ କରନ୍ତୁ ନାହିଁ, ଯାହା ନକାରାତ୍ମକ ସୂଚନା କିମ୍ବା ଭୟ ବିସ୍ତାର କରିବ। ଯଦି ଆପଣ କରୋନା ବିଷୟରେ କୌଣସି ସୂଚନା ପାଇବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଏକ ବିଶ୍ୱସନୀୟ ଉତ୍ସ ବ୍ୟବହାର କରନ୍ତୁ।

ଉଲ୍ଲେଖ ଯୋଗ୍ୟ ଯେ, ଏହି ସବୁ ଜିନିଷ କୋଭିଡ ଉପଯୁକ୍ତ ଆଚରଣ ଅଧୀନରେ ଆସିଥାଏ, ଯାହା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା କରୋନା ସମ୍ବନ୍ଧରେ ଜାରି କରାଯାଇଛି। ତେବେ ସମସ୍ତ ବିଶେଷଜ୍ଞ ଏବଂ ସରକାର କହିଛନ୍ତି ଯେ, ବର୍ତ୍ତମାନ କରୋନାକୁ ନେଇ ଭାରତରେ ଭୟର ଆବଶ୍ୟକତା ନାହିଁ।

Categories
ବିଶେଷ ଖବର

ୟୁକ୍ରେନରେ ଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା, ନିଜ ସମ୍ପର୍କୀୟ ଫସିରହିଥିଲେ ଏସବୁ ଜାଣିବା ଜରୁରୀ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ଜାରି ରହିଛି। କ୍ରମାଗତ ୮ ଦିନ ଧରି ୟୁକ୍ରେନ ଉପରେ ଋଷ ବୋମା ବିସ୍ଫୋରଣ କରିଛି। ଋଷର ଏହି ଆକ୍ରମଣ ଦ୍ଵାରା ୟୁକ୍ରେନରେ ଥିବା ଭାରତୀୟ ନାଗରିକମାନଙ୍କ ଜୀବନ ସୁରକ୍ଷା କରିବା ପାଇଁ କେନ୍ଦ୍ର ସରକାର ପ୍ରୟାସ ଜାରି କରିଛି। ତେଣୁ ଭାରତ ସରକାର ନାଗରିକମାନଙ୍କୁ ସେଠାରେ ଫେରାଇ ଆଣିବା ପାଇଁ ବିମାନ ପଠାଉଛି। ଗଙ୍ଗା ଅଭିଯାନରେ ଭାରତୀୟମାନଙ୍କୁ ଉଦ୍ଧାର କରାଯାଉଛି।

ଆଜି ପର୍ଯ୍ୟନ୍ତ ଏହି ଗଙ୍ଗା ଅଭିଯାନରେ ୬ ହଜାରରୁ ଉର୍ଦ୍ଧ୍ଵ ଭାରତୀୟ ନାଗରିକଙ୍କୁ ସ୍ଵଦେଶ ଫେରାଇ ଅଣାଯାଇଛି। ତେବେ ଫସି ରହିଥିବା ବାକି ଭାରତୀୟଙ୍କୁ ଖୁବ ଶୀଘ୍ର ସ୍ଵଦେଶ ଫେରାଇ ଅନାଯିବ ବୋଲି କେନ୍ଦ୍ର ସରକାର ଦାବି କରିଛି। ଏହା ଭିତରେ ୟୁକ୍ରେନରେ ଫସିରହିଥିବା ଭାରତୀୟ ମାନଙ୍କ ପାଇଁ କେନ୍ଦ୍ର ସରକାର ଏକ ମାର୍ଗଦର୍ଶିକା ଜାରି କରିଛନ୍ତି।

ଆବଶ୍ୟକ ପଦକ୍ଷେପ/କ’ଣ କରିବେ?:

– ସୂଚନା ସଂଗ୍ରହ କରି ଅନ୍ୟ ଭାରତୀୟମାନଙ୍କୁ ପଠାନ୍ତୁ।

– ମାନସିକ ସ୍ତରରେ ଦୃଢ଼ ରୁହନ୍ତୁ/ଭୟଭୀତ ହୁଅନ୍ତୁ ନାହିଁ।

– ନିଜକୁ ଛୋଟ ଛୋଟ ଦଳ/ଦଶ ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କ ଏକ ଦଳରେ ସଂଗଠିତ କରନ୍ତୁ/ସେହି ଦଳ ମଧ୍ୟରେ ସହଯୋଗୀ/ଯୋଡ଼ି ବ୍ୟବସ୍ଥା କରନ୍ତୁ/ ପ୍ରତି ଦଶଜଣିଆ ଦଳରେ ଜଣେ ସଂଯୋଜକ/ଉପସଂଯୋଜକଙ୍କୁ ଚୟନ କରନ୍ତୁ।

– ଆପଣଙ୍କ ଉପସ୍ଥିତି ଏବଂ ପରିସ୍ଥିତି ସମ୍ପର୍କରେ ଆପଣଙ୍କର ସହଯୋଗୀ/ଛୋଟ ଦଳର ସଂଯୋଜକ ସବୁବେଳେ ନିଶ୍ଚିତ ଭାବେ ଜାଣିବା ଉଚିତ୍‌।

– ଏକ ହ୍ବାଟ୍ସ ଗ୍ରୁପ୍‌ ତିଆରି କରନ୍ତୁ, ସମସ୍ତ ସୂଚନା, ନାମ, ଠିକଣା ମୋବାଇଲ ନମ୍ବର ଏବଂ ଭାରତରେ ଯୋଗାଯୋଗ ଠିକଣାକୁ ପ୍ରସ୍ତୁତ କରନ୍ତୁ/ନୂଆଦିଲ୍ଲୀ କିମ୍ବା ଦୂତାବାସରେ ଥିବା ନିୟନ୍ତ୍ରଣ କକ୍ଷକୁ ନିଜର ଜିଓଲୋକେସନ ହ୍ବାଟ୍ସଆପରେ ଶେୟାର କରନ୍ତୁ/ପ୍ରତି ୮ ଘଣ୍ଟାରେ ଥରେ ସୂଚନା ଅପଡେଟ୍‌ କରନ୍ତୁ/ପ୍ରତି ୮ ଘଣ୍ଟାରେ ଥରେ ନିଜ ଦଳ/ସହଯୋଗୀ/ଦଳର ସଂଯୋଜକଙ୍କ ସଂଖ୍ୟା ଗଣନ୍ତୁ ଏବଂ ସେମାନଙ୍କର ଅବସ୍ଥିତି ସମ୍ପର୍କରେ କଣ୍ଟ୍ରୋଲ ରୁମ୍‌/ହେଲ୍ପଲାଇନ ନମ୍ବରକୁ ରିପୋର୍ଟ କରନ୍ତୁ।

– ଫୋନ ବ୍ୟାଟେରୀକୁ ସଂରକ୍ଷିତ କରି ରଖିବା ପାଇଁ କେବଳ ସଂଯୋଜକ/ଉପସଂଯୋଜକ ହିଁ ସ୍ଥାନୀୟ କର୍ତ୍ତପକ୍ଷ/ଦୂତାବାସ/ଭାରତରେ ଥିବା ନିୟନ୍ତ୍ରଣ କକ୍ଷ ସହିତ ଯୋଗାଯୋଗ କରିବେ।

ସୁରକ୍ଷିତ ରହିବାର ମାର୍ଗଦର୍ଶିକା:

– ସବୁ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଏକ କିଟ୍‌ ପ୍ରସ୍ତୁତ ରଖନ୍ତୁ କିମ୍ବା ୨୪ ଘଣ୍ଟା ହାତ ପାଖରେ ରଖନ୍ତୁ

– ଅତ୍ୟାବଶ୍ୟକ ସାମଗ୍ରୀ କିଟ୍‌ରେ ଆପଣଙ୍କର ପାସପୋର୍ଟ, ପରିଚୟ ପତ୍ର, ଅତ୍ୟାବଶ୍ୟକ ଔଷଧ, ଜୀବନରକ୍ଷାକାରୀ ଔଷଧ, ଟର୍ଚ୍ଚ, ଦିଆସିଲି, ଲାଇଟର, କ୍ୟାଣ୍ଡେଲ, ନଗଦ ଟଙ୍କା, ଏନର୍ଜି ବାର୍ସ, ପାୱାର ବ୍ୟାଙ୍କ, ପାଣି, ଫାଷ୍ଟଏଡ୍ କିଟ୍‌, ହେଡ୍‌ଗିୟର, ମଫଲର, ଗ୍ଲୋଭ୍ସ, ଶୀତ ଜ୍ୟାକେଟ, ଶୀତରୁ ରକ୍ଷା ପାଇବାର ସକ୍ସ ଏବଂ ଗୋଡ଼କୁ ଭଲ ଭାବେ ଫିଟ୍‌ ହେଉଥିବା ହଳେ ଜୋତା ରଖନ୍ତୁ ।

– ଖାଦ୍ୟ ଓ ପାଣି ସଞ୍ଚୟ କରନ୍ତୁ ଓ ଅନ୍ୟମାନଙ୍କୁ ବାଣ୍ଟନ୍ତୁ, ଯଥାସମ୍ଭବ ପେଟପୂରା ନଖାଇ ଅଳ୍ପ ଅଳ୍ପ ଖାଆନ୍ତୁ । ଯଥେଷ୍ଟ ପାଣି ପିଅନ୍ତୁ । ଯଦି ଖୋଲା ସ୍ଥାନ/ପଡ଼ିଆରେ ରହିଛନ୍ତି, ବରଫ ତରଳାଇ ପାଣି ପ୍ରସ୍ତୁତ କରନ୍ତୁ ।

– ବର୍ଷା/ଶୀତ/ଝଡ଼/ବାଧ୍ୟତାମୂଳକ ଭାବେ ତଡ଼ି ଦିଆଯିବା/ଉଦ୍ଧାର ପରିସ୍ଥିତିର ସମ୍ମୁଖିନ ହେଲେ ଗ୍ରାଉଣ୍ଡ ମ୍ୟାଟିଂ/ସୁରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ପିଛା ଗୋଟିଏ ବଡ଼ ଗାର୍ବେଜ୍‌ ବ୍ୟାଗ ରଖନ୍ତୁ।

– ଆଘାତପ୍ରାପ୍ତ କିମ୍ବା ଅସୁସ୍ଥ ହେଲେ – ନିୟନ୍ତ୍ରଣ କକ୍ଷ/ହେଲ୍ପ ଲାଇନ/ହ୍ବାଟ୍ସଆପରେ ପରିସ୍ଥିତି ସମ୍ପର୍କରେ ସୂଚନା ଦିଅନ୍ତୁ ଏବଂ ପରାମର୍ଶ ଲୋଡ଼ନ୍ତୁ।

– ମୋବାଇଲରୁ ସମସ୍ତ ଅନାବଶ୍ୟକ ଆପ୍ସ ଡିଲିଟ୍‌ କରି ଦିଅନ୍ତୁ, ବ୍ୟାଟେରୀ ସଞ୍ଚୟ କରିବା ଲାଗି କମ୍‌ କଥା ହୁଅନ୍ତୁ/କିମ୍ବା ଅଡିଓ ମୋଡ୍‌ରେ କଥା ହୁଅନ୍ତୁ।

– ଘର ଭିତରେ ରୁହନ୍ତୁ, ବିଶେଷ କରି ମାନ୍ୟତାପ୍ରାପ୍ତ ନିରାପଦ ସ୍ଥାନ, ବେସମେଣ୍ଟ, ବଙ୍କରରେ ଆଶ୍ରୟ ନିଅନ୍ତୁ।

– ଯଦି ଆପଣ ରାସ୍ତାରେ ଅଛନ୍ତି, ତା’ହେଲେ ରାସ୍ତା କଡ଼କୁ ଚାଲିଯାଆନ୍ତୁ, କୋଠା ଆଢ଼ୁଆଳରେ ରହି ଯାଆନ୍ତୁ, ଆକ୍ରମଣର ଶିକାର ନହେବା ପାଇଁ ତଳକୁ ମୁଣ୍ଡ କରି ଚାଲନ୍ତୁ, ରାସ୍ତା ପାରି ହୁଅନ୍ତୁ ନାହିଁ, ସହରର କେନ୍ଦ୍ରସ୍ଥଳୀ, ସହରତଳି ଅଞ୍ଚଳକୁ ଯାଆନ୍ତୁ ନାହିଁ।  ସହରାଞ୍ଚଳରେ ଅଧିକ ସତର୍କତାର ସହିତ ରାସ୍ତା କଡ଼କୁ ଚାଲିଯାଆନ୍ତୁ।

– ପ୍ରତ୍ୟେକ ମାନ୍ୟତାପ୍ରାପ୍ତ ଦଳରେ ଏକ ଧଳା ପତାକା/ଧଳା କପଡ଼ା ରଖନ୍ତୁ ଯାହା ସଙ୍କେତ ଦେବାରେ କାମରେ ଆସିପାରିବ।

– ରୁଷ ଭାଷାରେ ଦୁଇ ତିନୋଟି ବାକ୍ୟ ଶିଖନ୍ତୁ (ଉଦାହରଣ ସ୍ବରୂପ : ଆମେ ଛାତ୍ରଛାତ୍ରୀ, ଆମେ ପ୍ରତିପକ୍ଷ ସୈନିକ ନୋହୁଁ, ଦୟାକରି ଆମର କ୍ଷତି କରନ୍ତୁ ନାହିଁ, ଆମେ ଭାରତୀୟ) ଏଠାରେ ରୁଷ ଭାଷାରେ କେତୋଟି ବାକ୍ୟ ଦିଆଗଲା:
Я студентизИндии (ମୁଁ ଜଣେ ଭାରତୀୟ ଛାତ୍ର)
Я некомбатант (ମୁଁ ଜଣେ ସାଧାରଣ ଲୋକ)
Пожалуйстапомогите (ଦୟାକରି ମୋତେ ସାହାଯ୍ୟ କରନ୍ତୁ)

– ଅଣନିଃଶ୍ବାସୀ ଲାଗିଲେ, ନିୟମିତ ଗଭୀର ଶ୍ବାସ ନିଅନ୍ତୁ, ରକ୍ତ ସଞ୍ଚାଳନ ଠିକ୍‌ ରଖିବା ଲାଗି ଅଙ୍ଗପ୍ରତ୍ୟଙ୍ଗ ସଞ୍ଚାଳନ କରନ୍ତୁ।

– ଜରୁରିକାଳୀନ କିଟ୍‌ ବ୍ୟତୀତ ସର୍ବନିମ୍ନ ବ୍ୟକ୍ତିଗତ ଉପକରଣ ପ୍ୟାକ କରନ୍ତୁ, ବିଶେଷ କରି ଲମ୍ବା ଉଠାଣି ଯାତ୍ରା/ଚାଲିବା ପାଇଁ ଅନୁକୂଳ ଛୋଟ ବ୍ୟାକପ୍ୟାକ୍‌।

– ଅତି କମ ସମୟ ମଧ୍ୟରେ ସୂଚନା ମିଳିବା କ୍ଷଣି ଆଗକୁ ବଢ଼ିବା ଲାଗି ପ୍ରସ୍ତୁତ ରୁହନ୍ତୁ/ଧୀର ହୋଇଯିବା, ଥକିଯିବା ଏବଂ ଭିଡ଼ ଏଡ଼ାଇବା ପାଇଁ ବଡ଼ ବ୍ୟାଗ ସାଥୀରେ ଆଣନ୍ତୁ ନାହିଁ।

– ସାମରିକ ଚେକପୋଷ୍ଟ କିମ୍ବା ପୁଲିସ/ସଶସ୍ତ୍ର ବାହିନୀ/ବିଦ୍ରୋହୀଙ୍କ ଦ୍ବାରା ଅଟକ ରହିଲେ- ସହଯୋଗ କରନ୍ତୁ/ନିୟମ ମାନନ୍ତୁ/ସେମାନଙ୍କ ସମ୍ମୁଖରେ ପାପୁଲି ଖୋଲା ରଖି ହାତ ଉପରକୁ କରନ୍ତୁ/ନମ୍ର ବ୍ୟବହାର କରନ୍ତୁ/ଆବଶ୍ୟକ ସୂଚନା ଦିଅନ୍ତୁ/ ଯୁକ୍ତିତର୍କ ନକରି ସମ୍ଭବ ହେଲେ ନିୟନ୍ତ୍ରଣ କକ୍ଷ/ହେଲ୍ପଲାଇନ ସହ ଯୋଗାଯୋଗ କରନ୍ତୁ।

– ନିୟନ୍ତ୍ରଣ କକ୍ଷ/ହେଲ୍ପଲାଇନର ମାର୍ଗଦର୍ଶିକା ଅନୁଯାୟୀ କର୍ତ୍ତୃପକ୍ଷଙ୍କ ସହଯୋଗରେ ଉଦ୍ଧାର ପାଇଁ ଯାତ୍ରା ଆରମ୍ଭ କରାଯିବା ଉଚିତ୍‌।

କ’ଣ କରିବେ ନାହିଁ:

– ସବୁବେଳେ ବଙ୍କର/ବେସମେଣ୍ଟ/ଆଶ୍ରୟସ୍ଥଳୀରୁ ବାହାରକୁ ବାହାରନ୍ତୁ ନାହିଁ

– ସହରତଳି/ଜନଗହଳି ସ୍ଥାନକୁ ଯାଆନ୍ତୁ ନାହିଁ

– ସ୍ଥାନୀୟ ଆନ୍ଦୋଳନକାରୀ କିମ୍ବା ବିଦ୍ରୋହୀଙ୍କ ସହ ଯୋଗ ଦିଅନ୍ତୁ ନାହିଁ

– ସୋସିଆଲ ମିଡିଆରେ କୌଣସି କମେଣ୍ଟ କରନ୍ତୁ ନାହିଁ

– ଅସ୍ତ୍ରଶସ୍ତ୍ର କିମ୍ବା ବିସ୍ଫୋରଣ ହୋଇନଥିବା ଗୁଳିଗୋଳା ଉଠାନ୍ତୁ ନାହିଁ

– ସାମରିକ ବାହନ/ବାହିନୀ/ସୈନିକ/ଚେକ୍‌ ପୋଷ୍ଟ/ବିଦ୍ରୋହୀଙ୍କ ସହିତ ଫଟୋ/ସେଲଫି ଉଠାନ୍ତୁ ନାହିଁ

– ଯୁଦ୍ଧ ପରିସ୍ଥିତିର ଭିଡିଓ ରେକର୍ଡିଂ ଏବଂ ଲାଇଭ୍‌ କରନ୍ତୁ ନାହିଁ

– ସତର୍କ ସାଇରନ ବାଜିବା କ୍ଷଣି, ଯେଉଁଠି ସମ୍ଭବ ତୁରନ୍ତ ଆଶ୍ରୟ ନିଅନ୍ତୁ । ଯଦି ଆପଣ ଖୋଲା ସ୍ଥାନରେ ଅଛନ୍ତି, ପେଟ ମାଡ଼ି ତଳେ ଶୋଇ ପଡ଼ନ୍ତୁ ଏବଂ ପିଠିରେ ପକାଇଥିବା ବ୍ୟାଗରେ ମୁଣ୍ଡକୁ ଘୋଡ଼ାଇ ଦିଅନ୍ତୁ।

– ବନ୍ଦ ସ୍ଥାନରେ ନିଆଁ ଜଳାନ୍ତୁ ନାହିଁ

– ମଦ ପିଅନ୍ତୁ ନାହିଁ/ନିଶା ସେବନ ଠାରୁ ଦୂରେଇ ରୁହନ୍ତୁ

– ଶୀତପ୍ରକୋପ/ପାଦ ଘା’ ଠାରୁ ଦୂରେଇ ରହିବାକୁ ଓଦା ସକ୍ସ ପିନ୍ଧନ୍ତୁ ନାହିଁ। ଯେଉଁଠି ସମ୍ଭବ, ଆପଣଙ୍କର ଜୋତା ଓହ୍ଲାଇ ଦିଅନ୍ତୁ ଏବଂ ସକ୍ସ ଓ ଅନ୍ୟାନ୍ୟ ପୋଷାକପତ୍ର ଶୁଖାଇ ଦିଅନ୍ତୁ ।

– ଦୁର୍ବଳ/ଭାଙ୍ଗି ଯାଥିବା କୋଠାରେ ଆଶ୍ରୟ ନିଅନ୍ତୁ ନାହିଁ ଏବଂ ଧ୍ବଂସାବଶେଷ ଠାରୁ ଦୂରେଇ ରୁହନ୍ତୁ

– ବିସ୍ଫୋରଣ ସମୟରେ ଭଙ୍ଗା କାଚ ଆଘାତ ପାଇବା ଠାରୁ ସୁରକ୍ଷିତ ରହିବା ଲାଗି କାଚ ଝରକା ଠାରୁ ଦୂରେଇ ରୁହନ୍ତୁ।

– ଚେକପୋଷ୍ଟରେ ସୁରକ୍ଷାକର୍ମୀ ନମାଗିବା ପର୍ଯ୍ୟନ୍ତ ହଠାତ୍‌ ଆଗକୁ ବଢ଼ି ନିଜର ଜିନିଷ/କାଗଜପତ୍ର ପାଇଁ ପକେଟ ଖୋଜନ୍ତୁ ନାହିଁ। ସଶସ୍ତ୍ର ବ୍ୟକ୍ତିବିଶେଷଙ୍କ ସମ୍ମୁଖିନ ହେବା ସମୟରେ ହଠାତ୍‌ କିମ୍ବା ଚଞ୍ଚଳ ଗତିରେ ଏପଟସେପଟ ହୁଅନ୍ତୁ ନାହିଁ।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନ: ଭୋଟ ଗଣତି ପାଇଁ ଜାରି ହେଲା ମାର୍ଗଦର୍ଶିକା

ଭୁବନେଶ୍ଵର: ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଗତକାଲି ଶେଷ ହୋଇଯାଇଛି। ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ହେବାକୁ ଥିବା ବେଳେ ୨୪ ତାରିଖରେ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ହେବ। ତେବେ ଆସନ୍ତା ୨୬ ତାରିଖରୁ ଭୋଟ ଗଣତି ଆରମ୍ଭ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।

ଭୋଟ ଗଣତି କେନ୍ଦ୍ରରେ ପ୍ରବେଶ କରିବା ପୂର୍ବରୁ ସମସ୍ତଙ୍କର ଥର୍ମାଲ ସ୍କାନିଂ କରାଯିବ। ଦୁଇଟି ଡୋଜ୍ ଟିକା ନେଇଥିବା ବ୍ୟକ୍ତି ହିଁ ଭୋଟ ଗଣତି କେନ୍ଦ୍ରକୁ ଯାଇପାରିବେ। ତଥାପି ଗଣତିର ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ରିପୋର୍ଟ ଜରୁରୀ।

ଆସନ୍ତା ୨୪ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ୨୬, ୨୭ ଓ ୨୮ ତାରିଖରେ ଭୋଟ ଗଣତି ହେବ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଏଣିକି ଏହି ଭୁଲ କଲେ ଷ୍ଟେସନକୁ ମିଳିବନି ଏଣ୍ଟ୍ରି, ରେଳବାଇ ଜାରି କଲା ମାର୍ଗଦର୍ଶିକା

ନୂଆଦିଲ୍ଲୀ: କରୋନାର ବିପର୍ଯ୍ୟୟ ପୁଣି ଥରେ ଦେଶରେ ହଇଚଇ ସୃଷ୍ଟି କରୁଛି। ଏବଂ ପ୍ରାୟ ସମସ୍ତ ରାଜ୍ୟରେ କରୋନା ମାମଲାର ମୁକାବିଲା ପାଇଁ ପ୍ରତିବନ୍ଧକ ଏବଂ କଡାକଡି ନିୟମ ଲାଗୁ କରୁଛନ୍ତି। କୋଭିଡର ପୁନର୍ବାର ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ମଧ୍ୟ କିଛି ନିୟମ ଜାରି କରିଛି।

ସମ୍ପ୍ରତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଶର ବିଭିନ୍ନ ରେଳ ଜୋନର ବରିଷ୍ଠ ଅଧିକାରୀମାନଙ୍କୁ ସମସ୍ତ ରେଳ ଷ୍ଟେସନରେ କୋଭିଡ ପ୍ରୋଟୋକଲକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣ ଏହା ମଧ୍ୟ ଜାଣିବା ଉଚିତ ଯେ, କେଉଁ ନିୟମ ଅନୁସରଣ କରିବା ଆବଶ୍ୟକ, ଅନ୍ୟଥା ଆପଣ ରେଳ ଷ୍ଟେସନରେ ପ୍ରବେଶ କରିବାକୁ ସମର୍ଥ ହେବେ ନାହିଁ।

ମାସ୍କ ପିନ୍ଧିବା ବାଧ୍ୟତାମୂଳକ:

ଯଦି ଆପଣ ମାସ୍କ ପିନ୍ଧି ନାହିଁ, ତେବେ ଆପଣ ରେଳ ଷ୍ଟେସନ ଭିତରେ ପ୍ରବେଶ କରିପାରିବେ ନାହିଁ। କିଛି ସମୟ ପୂର୍ବରୁ, ଏହି ନିୟମ ଉପରେ ସାମାନ୍ୟ ଆଶ୍ବସ୍ତି ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ରେଳ ଷ୍ଟେସନରେ ଏବଂ ଯାତ୍ରା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଷ୍ଟେସନରେ ମାସ୍କ ଲଗାଇବା, ବାରମ୍ବାର ହାତ ଧୋଇବା ଏବଂ ଅନ୍ୟାନ୍ୟ ପରିଷ୍କାର ପରିଚ୍ଛନ୍ନତା ନିୟମ ସହିତ ଯାତ୍ରୀମାନଙ୍କୁ ସତର୍କ କରିବା ପାଇଁ ରେଳବାଇ ଦ୍ଵାରା ମଧ୍ୟ ପଦକ୍ଷେପ ନିଆଯାଉଛି।

ସାଧାରଣ ଲୋକଙ୍କ ପାଇଁ ରେଳ ଡାକ୍ତରଖାନା ଏବଂ ସ୍ୱାସ୍ଥ୍ୟ ସୁବିଧା ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିବାକୁ ରେଳ ଅଧିକାରୀମାନଙ୍କୁ ଅଶ୍ୱିନୀ ବୈଷ୍ଣବ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ରେଳ ମନ୍ତ୍ରୀଙ୍କ ସହ କୋଭିଡ ଅବଧିରେ ରେଳ ପ୍ରସ୍ତୁତି ସମ୍ପର୍କିତ ବୈଠକରେ ରେଳ ବୋର୍ଡର ଚେୟାରମ୍ୟାନ୍, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭି.କେ ତ୍ରିପାଠୀ, ରେଳ ମନ୍ତ୍ରଣାଳୟର ଅଧିକାରୀ ତଥା ବରିଷ୍ଠ ଜୋନାଲ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି।

ଏହା ସ୍ପଷ୍ଟ ଯେ, ରେଳ ଷ୍ଟେସନରେ ମାସ୍କ ନ ଲଗାଇ ବର୍ତ୍ତମାନ ଯାତ୍ରୀମାନେ ପ୍ରବେଶ କରିପାରିବେ ନାହିଁ। ରେଳ କର୍ମଚାରୀ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀମାନେ ସେମାନଙ୍କ ହାତକୁ ପରିଷ୍କାର କରିବା ପାଇଁ ଏବଂ ଷ୍ଟେସନରେ ଅନାବଶ୍ୟକ ଭିଡ଼କୁ ଅନୁମତି ନଦେବା ପାଇଁ ଷ୍ଟେସନରେ ପ୍ରସ୍ତୁତ ରହିବେ।

Categories
ଆଜିର ଖବର ଜାତୀୟ ଖବର

ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ମାର୍ଗଦର୍ଶିକାରେ ସଂଶୋଧନ ଆଣିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୋଭିଡ ୧୯ ଭୂତାଣୁର ସ୍ବଭାବରେ ପରିବର୍ତ୍ତନ ହେଉଛି। ସାର୍ସ-କୋଭ୍‌-୨ର ନୂଆ ଚିନ୍ତାଜନକ ଭାରିଆଣ୍ଟ (ଭିଓସି) ଭାବେ ଓମିକ୍ରନର ଉଦ୍ଭବ ଏବଂ ବିଶ୍ବ ବ୍ୟାପୀ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ୬ ଜାନୁଆରୀ ୨୦୨୨ ଠାରୁ ମାର୍ଗଦର୍ଶିକାରେ ସଂଶୋଧନ କରାଯାଇଛି। ଏହିସବୁ ମାର୍ଗଦର୍ଶିକା ୧୧ ଜାନୁଆରୀ ୨୦୨୨ (ରାତି ୧୨ଟା ୦୧ ମିନିଟ୍‌) ଠାରୁ ଲାଗୁ ହେବ।

ପୂର୍ବରୁ ଜାରି କରାଯାଇଥିବା ମାର୍ଗଦର୍ଶିକା (୩୦ ନଭେମ୍ବର ୨୦୨୧) ତୁଳନାରେ ୬ ଜାନୁଆରୀ ୨୦୨୨ରେ ଜାରି ହୋଇଥିବା ସଂଶୋଧିତ ମାର୍ଗଦର୍ଶିକାରେ ନିମ୍ନ ପରିବର୍ତ୍ତନ କରାଯାଇଛି:

ସମସ୍ତ ଯାତ୍ରୀ (ଆଗମନ ସମୟରେ ରେଣ୍ଡମ୍‌ ପରୀକ୍ଷଣ ପାଇଁ ଚୟନ କରାଯାଇଥିବା ୨% ଯାତ୍ରୀ ଏବଂ ନେଗେଟିଭ୍‌ ଚିହ୍ନଟ ହୋଇଥିବା ଯାତ୍ରୀଙ୍କ ସମେତ)ଙ୍କୁ ୭ ଦିନ ପର୍ଯ୍ୟନ୍ତ ଗୃହ ସଙ୍ଗରୋଧରେ ରହିବାକୁ ପଡ଼ିବ। ଭାରତରେ ପହଞ୍ଚିବାର ଅଷ୍ଟମ ଦିନରେ ସେମାନଙ୍କୁ ଆରଟି-ପିସିଆର ପରୀକ୍ଷା କରାଇବାକୁ ପଡ଼ିବ।

ଅଷ୍ଟମ ଦିନରେ କରାଯାଇଥିବା କୋଭିଡ-୧୯ର ଆରଟି-ପିସିଆର ପରୀକ୍ଷା ରିପୋର୍ଟ ଏୟାର ସୁବିଧା ପୋର୍ଟାଲରେ ଯାତ୍ରୀମାନଙ୍କୁ ମଧ୍ୟ ଅପଲୋଡ୍‌ କରିବାକୁ ପଡ଼ିବ। ଏହି ପୋର୍ଟାଲ ସମ୍ପୃକ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କ ଦ୍ବାରା ଅନୁଧ୍ୟାନ କରାଯିବ।

ଆଗମନ ସମୟରେ ଯେଉଁ ଯାତ୍ରୀମାନେ ପରୀକ୍ଷା କରାଇବା ଆବଶ୍ୟକ, ସେମାନଙ୍କୁ ଟେଷ୍ଟିଂ ପାଇଁ ଆଗୁଆ ଏୟାର ସୁବିଧା ପୋର୍ଟାଲରେ ଅନଲାଇନ ବୁକିଂ କରିବାକୁ ପଡ଼ିବ। ଫଳରେ ସେମାନେ ଠିକ ସମୟରେ ପରୀକ୍ଷା କରାଇପାରିବେ ଏବଂ ଅସୁବିଧା ଦୂର କରିପାରିବେ।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ଭାରତକୁ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଜାରୀ ହେଲା ମାର୍ଗଦର୍ଶିକା

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ପରିଚାଳନା ପାଇଁ ସକ୍ରିୟ ଏବଂ ବିପଦ ମୁକାବିଲା ଦୃଷ୍ଟିକୋଣ ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ନଭେମ୍ବର ୨୮ ତାରିଖରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ସଂଶୋଧିତ ମାର୍ଗଦର୍ଶିକା ଜାରି କରାଯାଇଛି। ନୂତନ ମାର୍ଗଦର୍ଶିକା ଅନୁଯାୟୀ, ‘ବିପଦରେ ଥିବା ରାଷ୍ଟ୍ର’ ଭାବେ ଚିହ୍ନଟ ଦେଶରୁ ଭାରତକୁ ଆସୁଥିବା ଯାତ୍ରୀ (କୋଭିଡ-୧୯ ଟିକା ଗ୍ରହଣ କରିବା ନିର୍ବିଶେଷରେ) ବିମାନ ବନ୍ଦରରେ ପହଞ୍ଚିବା କ୍ଷଣି କୋଭିଡ-୧୯ ନମୁନା ପରୀକ୍ଷା କରାଇବା ବାଧ୍ୟତାମୂଳକ କରାଯାଇଛି।

ଏହାବ୍ୟତୀତ ସେମାନଙ୍କୁ ଭାରତକୁ ଯାତ୍ରା କରିବାର ୭୨ ଘଣ୍ଟା ପୂର୍ବରୁ ପ୍ରସ୍ଥାନ ପୂର୍ବବର୍ତ୍ତୀ କୋଭିଡ-୧୯ ପରୀକ୍ଷା କରାଇବାକୁ ହେବ। ଏହି ପରୀକ୍ଷାରେ ପଜିଟିଭ ଚିହ୍ନଟ ହେଉଥିବା ଯାତ୍ରୀମାନଙ୍କୁ ସଙ୍ଗରୋଧରେ ରଖାଯିବ ଏବଂ ଚିକିତ୍ସା ପରିଚାଳନା ନିୟମ ଅନୁଯାୟୀ ସେମାନଙ୍କର ଚିକିତ୍ସା କରାଯିବ। ଏହାଛଡ଼ା ସେମାନଙ୍କର ନମୁନା ହୋଲ ଜିନୋମ ସିକୁଏନ୍ସିଂ ପାଇଁ ନିଆଯିବ। ଯେଉଁ ଯାତ୍ରୀମାନେ ନେଗେଟିଭ୍ ଚିହ୍ନଟ ହେବେ ସେମାନଙ୍କୁ ବିମାନବନ୍ଦର ଛାଡ଼ିବାକୁ ଅନୁମତି ଦିଆଯିବ, କିନ୍ତୁ ଏହାପରେ ତାଙ୍କୁ ୭ ଦିନିଆ ସଙ୍ଗରୋଧରେ ରହିବାକୁ ପଡ଼ିବ। ଭାରତରେ ପହଞ୍ଚିବାର ଅଷ୍ଟମ ଦିନରେ ଯାତ୍ରୀଙ୍କର ପୁଣିଥରେ କୋଭିଡ ପରୀକ୍ଷା କରାଯିବ। ଏହାପରେ ସମ୍ପୃକ୍ତ ବ୍ୟକ୍ତି ୮ ଦିନିଆ ଆତ୍ମନିରୀକ୍ଷଣ ପର୍ଯ୍ୟାୟରେ ରହିବେ।

ଆହୁରି, କୋଭିଡ-୧୯ର ଓମିକ୍ରନ ଭାରିଆଣ୍ଟ ସଂକ୍ରମଣ ବ୍ୟାପୁଥିବା ଦେଶମାନଙ୍କର ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ‘ବିପଦରେ ଥିବା ରାଷ୍ଟ୍ର’ ତାଲିକାରେ ସାମିଲ ହୋଇନଥିବା ଦେଶଗୁଡ଼ିକରୁ ଭାରତକୁ ଆସୁଥିବା ୫ ପ୍ରତିଶତ ଯାତ୍ରୀମାନଙ୍କୁ ବିମାନ ବନ୍ଦରରେ କୋଭିଡ ପରୀକ୍ଷା କରାଇବାକୁ ବାଧ୍ୟତାମୂଳକ କରାଯାଇଛି। ରେଣ୍ଡମ ସାମ୍ପଲିଂ ଆଧାରରେ ଏହି ନମୁନା ପରୀକ୍ଷା କରାଯିବ। ସେମାନଙ୍କର ନମୁନା ମଧ୍ୟ ହୋଲ ଜିନମ ସିକୁଏନ୍ସିଂ ପାଇଁ ଆଇଏନଏସଏସିଓଜି ନେଟଓ୍ବର୍କ ପରୀକ୍ଷାଗାରକୁ ପଠାଯିବ। ସେଠାରେ ସେମାନଙ୍କର ନମୁନାରେ‍ ସାର୍ସ-କୋଭ-୨ ଭାରିଆଣ୍ଟ (ଓମିକ୍ରନ ସମେତ)ର ଉପସ୍ଥିତି ଅନୁଧ୍ୟାନ କରାଯିବ।

ବି.୧.୧.୫୨୯ ଭାରିଆଣ୍ଟ (ଓମିକ୍ରନ) ପ୍ରଥମ ଥର ପାଇଁ ୨୪ ନଭେମ୍ବର, ୨୦୨୧ରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ କରାଯାଇଥିଲା। ସାର୍ସ-କୋଭ-୨ ଉପରେ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ବୈଷୟିକ ପରାମର୍ଶଦାତା ଗୋଷ୍ଠୀ ଏହାକୁ ଭାରିଆଣ୍ଟ ଅଫ କଂସର୍ନ ବା ଚିନ୍ତାଜନକ ଭାରିଆଣ୍ଟ ଭାବେ ବର୍ଗୀକରଣ କରିଥିଲା। ଏହି ଭାରିଆଣ୍ଟର ବିଭିନ୍ନ ପ୍ରକାର ସ୍ବରୂପ ବା ମ୍ୟୁଟାଣ୍ଟ ରହିଛି ଏବଂ ସେଥିମଧ୍ୟରୁ କେତେକ ମ୍ୟୁଟେସନରେ ଅଧିକ ସଂକ୍ରାମକ ଓ ରୋଗ ପ୍ରତିଷେଧକ ଶକ୍ତି ଅକାମି କରି ଦେବାର ଲକ୍ଷଣ ରହିଥିବା କାରଣରୁ ଏହାକୁ ଚିନ୍ତାଜନକ ଭାରିଆଣ୍ଟ ଭାବେ ବର୍ଗୀକରଣ କରାଯାଇଛି। ଏ କ୍ଷେତ୍ରରେ ସାମ୍ନାକୁ ଆସିଥିବା ପ୍ରମାଣକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯାଞ୍ଚ କରାଯାଉଛି।

ଅନ୍ତର୍ଜାତୀୟ ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିବା, ନମୁନା ପରୀକ୍ଷା ବଢ଼ାଇବା, କୋଭିଡ-୧୯ର ହଟସ୍ପଟକୁ ନିରୀକ୍ଷଣ କରିବା, ସ୍ୱାସ୍ଥ୍ୟ ଭିତ୍ତିଭୂମି ବଢ଼ାଇବା ସହିତ ନମୁନାଗୁଡ଼ିକୁ ହୋଲ ଜିନୋମ ସିକୁଏନ୍ସିଂ ପାଇଁ ପଠାଇବା ନିମନ୍ତେ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମହାମାରୀର ବଦଳୁଥିବା ପ୍ରକୃତି ଉପରେ ଅତି ନିକଟରୁ ଦୃଷ୍ଟି ରଖିଛି। ତେବେ କୋଭିଡ ଉପଯୁକ୍ତ ବ୍ୟବହାରକୁ କଡ଼ାକଡ଼ି ଭାବେ ପାଳନ କରିବା (ମାସ୍କ/ଫେସ କଭର ବ୍ୟବହାର କରିବା, ଶାରୀରିକ ଦୂରତା, ହାତର ଓ ଶ୍ବାସକ୍ରିୟାର ସ୍ବଚ୍ଛତା ବଜାୟ ରଖିବା) ଏବଂ କୋଭିଡ ଟିକା ଗ୍ରହଣ କରିବା ଏବେ ସୁଦ୍ଧା ଗୋଷ୍ଠୀ ସ୍ତରରେ କୋଭିଡ-୧୯ ପରିଚାଳନାର ପ୍ରମୁଖ ଅସ୍ତ୍ର ହୋଇରହିଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଜାରି ହେଲା ମାର୍ଗଦର୍ଶିକା: କାଲିଠୁ ସେବାୟତଙ୍କ ପରିବାରଙ୍କୁ ଅନୁମତି

ପୁରୀ: ଏଣିକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏକ ମାର୍ଗଦର୍ଶିକା ଜାରି କରିଛି। ଆସନ୍ତାକାଲିଠୁ ସେବାୟତଙ୍କ ପରିବାରଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଥିବା ବେଳେ ଆସନ୍ତା ୧୬ ତାରିଖରୁ ପର୍ଯ୍ୟାୟକ୍ରମେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିଛି।

ପ୍ରଥମ ପର୍ଯ୍ୟାୟ ତଥା ୧୬ ତାରିଖରୁ ୨୦ ତାରିଖ ଯାଏଁ ପୁରୀ ବାସୀଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି। ଅଗଷ୍ଟ ୨୧ ତାରିଖ ଏବଂ ୨୨ ତାରିଖରେ ସପ୍ତାହନ୍ତ ସଟଡାଉନ ଥିବାରୁ ଏହି ଦିନ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କଟକଣା ଲଗାଯାଇଛି। ପ୍ରତ୍ୟେକ ସପ୍ତାହନ୍ତ ସଟଡାଉନ ଏବଂ ପର୍ବପର୍ବାଣିରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ନାହିଁ। ହେଲେ ୨୩ ତାରିଖ ଠାରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଛି।

ତେବେ ସେଥିପାଇଁ ଶ୍ରଦ୍ଧାଳୁମାନେ ଉଭୟ ଡୋଜ ଟୀକା ନେଇଥିବା ଆବଶ୍ୟକ କିମ୍ବା ୯୬ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖେଇବା ଅନିବାର୍ଯ୍ୟ। ସକାଳ ୭ ଟାରୁ ସନ୍ଧ୍ୟା ୭ ଟା ଯାଏଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି। କୋଭିଡ କଟକଣାକୁ ମାନି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ମୁକାବିଲା: ଶିଶୁଙ୍କ ପାଇଁ ଗଠନ ହେଲା ‘ପେଡିଆଟ୍ରିକ କୋଭିଡ ଉଇଙ୍ଗ’

ଭୁବନେଶ୍ବର: ଶିଶୁଙ୍କ କ୍ଷେତ୍ରରେ କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ନୂଆ ମାର୍ଗଦର୍ଶିକା ଜାରି ହୋଇଛି। ଏନେଇ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ ଓ ମେଡିକାଲ କର୍ତ୍ତୁପକ୍ଷଙ୍କୁ  ଚିଠି ଲେଖିଛନ୍ତି।

ପ୍ରତି ହସ୍ପିଟାଲରେ ‘ପେଡିଆଟ୍ରିକ କୋଭିଡ ଉଇଙ୍ଗ’ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲରେ ମୋଟ ଉପଲବ୍ଧ ଶଯ୍ୟାରୁ ୧୫ ପ୍ରତିଶତ ‘ପେଡିଆଟ୍ରିକ କୋଭିଡ ଉଇଙ୍ଗ’ ହେବ। ଶିଶୁମାନଙ୍କ ଲାଗି ଏଚଡିୟୁ ଏବଂ ଆଇସିୟୁ ସେବା ସଂରକ୍ଷଣ ରଖିବାକୁ ନିର୍ଦ୍ଦେଶ ହୋଇଛି। ଶିଶୁଙ୍କ ଚିକିତ୍ସା ବେଳେ କେନ୍ଦ୍ରର ଗାଇଡଲାଇନ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲରେ ଶିଶୁ ସହ ଜଣେ ଅଭିଭାବକ ରହିବାକୁ କୁହାଯାଇଛି।

କଟକର ଏସଭିପିଜିଆଇପି ନୋଡାଲ ସେଣ୍ଟର ଭାବେ କାର୍ଯ୍ୟ କରିବ। ରାଜ୍ୟର ଶିଶୁରୋଗ ଚିକିତ୍ସକମାନଙ୍କୁ ଏସଭିପିଜିଆଇପି ବୈଷୟିକ ସହାୟତା ଯୋଗାଇବ। ଏନେଇ ଏସଭିପିଜିଆଇପି ଏକ ବୈଷୟିକ ଗ୍ରୁପ ଗଠନ ଲାଗି ନିର୍ଦ୍ଦେଶ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ରମଜାନ ପାଇଁ ମାର୍ଗଦର୍ଶିକା ଜାରି କଲା କଟକ ମହାନଗର ନିଗମ

କଟକ: କରୋନା ସଂକ୍ରମଣକୁ ରୋକିବା ପାଇଁ କଟକ ମହାନଗର ନିଗମ ଏକ ନୂଆ ମାର୍ଗଦର୍ଶିକା ଜାରି କରିଛି। ରମାଜନ ପାଇଁ ସିଏମସି ନୂଆ କଟକଣା ଲାଗୁ କରିଛି। ରମଜାନରେ ନମାଜ ପାଠ ପାଇଁ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ମିଳିଛି। ନମାଜ ପାଠ ପାଇଁ ବୟସ୍କ ଏବଂ ରୋଗାକ୍ରାନ୍ତ ଲୋକଙ୍କୁ ବାରଣ କରାଯାଇଛି। ସବୁ ମସଜିଦ ସାମ୍ନାରେ ସାନିଟାଇଜେସନ ଏବଂ ଥର୍ମାଲ ସ୍କାନିଂକୁ ବାଧ୍ୟତାମୂଳକ କରାଯାଇଛି। ନମାଜ ସମୟରେ ସାମାଜିକ ଦୂରତା ଅନିବାର୍ଯ୍ୟ। ଅତିକମରେ ୬ ଫୁଟ ଦୁରତ୍ଵ ରକ୍ଷା କରିବା ସହ ମାସ୍କ ପରିଧାନ କରିବା ପାଇଁ ବାଧ୍ୟତାମୂଳକ ହୋଇଛି।