Categories
ବିଶେଷ ଖବର ରାଜ୍ୟ ଖବର

୨୦୨୪ ରେ ବିଜେଡିର ମିଶନ ୧୨୫ ବୋଲି କହିଲେ ବିଜେଡି ବିଧାୟକ ସୁଶାନ୍ତ ସିଂ

ଭୁବନେଶ୍ୱର: ୨୦୨୪ ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେଡି ୧୪୭ ଆସନରୁ ୧୨୫ ଆସନରେ ଜିତିବ । ଏହି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ସୁଶାନ୍ତ ସିଂ। ସେ କହିଛନ୍ତି ଯେ ପଦ୍ମପୁର ନିର୍ବାଚନ ପ୍ରମାଣିତ କରିଛି ଯେ, ଏଥର ବିଜେଡି ୧୨୫ ଆସନ ନିଶ୍ଚିତ ଦଖଲ କରିବ।

ତେବେ ସୁଶାନ୍ତ ସିଂଙ୍କର ଏହି ଦମ୍ଭୋକ୍ତିକୁ ନେଇ ସାଧାରଣରେ ଏବଂ ରାଜନୀତିରେ ବେଶ୍ ଆଲୋଚନା ହେଉଛି। କାରଣ ପଦମପୁର ନିର୍ବାଚନରେ ସେ ଯେଉଁ ଭବିଷ୍ୟବାଣୀ ଦେଇଥିଲେ ତାହା ସତ ହୋଇଛି। ସେ କହିଥିଲେ ଯେ ପଦମପୁରରେ ବର୍ଷା ସିଂ ବରିହା ଚାଳିଶ ହଜାରରୁ ଅଧିକ ଭୋଟରେ ବିଜୟ ହେବେ। ଗଣତି ପରେ ତାହା ସତ ହୋଇଛି।

ସୁଶାନ୍ତଙ୍କ ହିସାବରେ ବିଜେଡି ପଶ୍ଚିମ ଓଡ଼ିଶାର ୩୬ ଆସନରୁ ୩୦ରୁ ଅଧିକ ଆସନରେ ଜିତିବ। ୨୦୨୪ ରେ ପୁଣି ପଶ୍ଚିମ ଓଡିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢ଼ିବା ପାଇଁ ଅନୁରୋଧ କରାଯିବ ବୋଲି ବିଧାୟକ ସୁଶାନ୍ତ ସିଂ ପ୍ରକାଶ କରିଛନ୍ତି।

ପଦମପୁରବାସୀଙ୍କୁ ଧନ୍ୟବାଦ ଦେବା ପାଇଁ ଆସନ୍ତା ଜାନୁୟାରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦମପୁର ଯାଇପାରନ୍ତି ବୋଲି ସେ କହିଛନ୍ତି ।  ସେ ଆହୁରି କହିଛନ୍ତି ଯେ, ୨୦୧୯ରେ ଯେଉଁ ଆସନରେ ବିଜେଡି ପରାଜିତ ହୋଇଥିଲା ତାର ତର୍ଜମା କରାଯାଇଛି । ସେ ଆସନ ଗୁଡିକୁ କିପରି ପୁଣି ଜିତି ପାରିବୁ ସେନେଇ ରଣନୀତି ପ୍ରସ୍ତୁତ ହୋଇଛି ବୋଲି ସୁଶାନ୍ତ କହିଛନ୍ତି।

ସେଥିପାଇଁ ୨୦୨୪ରେ ବିଜେଡି ନିଶ୍ଚିତ ଭାବେ ୧୨୫ ଆସନ ଦଖଲ କରିବ।