Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଘରୋଇ ବଜାରରେ ଚିନିର ଉପଲବ୍ଧତା ସହ ମୂଲ୍ୟ ସ୍ଥିରତା ସରକାରଙ୍କ ପ୍ରାଥମିକତା

ନୂଆଦିଲ୍ଲୀ: ବଜାରରେ ପର୍ଯ୍ୟାପ୍ତ ଚିନି ଉପଲବ୍ଧତା ସହ ସୁଲଭ ମୂଲ୍ୟରେ ଖାଉଟିଙ୍କୁ ଯୋଗାଇବା ଉପରେ ସରକାର ପ୍ରାଥମିକତା ଦେବେ। ତା’ ପରେ ଅବଶିଷ୍ଟ ଇଥାନଲ ଉତ୍ପାଦନ ପାଇଁ ଉପଯୋଗ କରିବେ ବୋଲି ଖାଦ୍ୟ ଓ ସାଧାରଣ ବଂଟନ ସଚିବ ସୁଧାଂଶୁ ପାଣ୍ଡେ ସାମ୍ବାଦିକମାନଙ୍କ ଆଗରେ ପ୍ରକାଶ କରିଛନ୍ତି।

ଘରୋଇ ବ୍ୟବହାର ପାଇଁ ପ୍ରାଥମିକତା ଦେବା ନେଇ ସେ କହିଛନ୍ତି, ଅକ୍ଟୋବର-ନଭେମ୍ବର ପୂଜା ଋତୁରେ ଚିନିର ଚାହିଦା ବୃଦ୍ଧି ପାଉଥିବାରୁ ସରକାର ଏହି ସମୟରେ ଚିନିର ଉପଲବ୍ଧତା ସୁନିଶ୍ଚିତ କରିବାକୁ ଅଙ୍ଗୀକାରବଦ୍ଧ।

ସରକାର ଖୋଲା ବଜାରରେ ଚିନି ଦର ସ୍ଥିର ରଖିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ଓ ଗତ ବାରମାସରେ ଚିନିର ଦର ନିୟନ୍ତ୍ରଣରେ ରହିଛି। ଭାରତରେ ଚିନିର ପାଇକାରୀ ଦର କ୍ୱିଣ୍ଟାଲ ପିଛା ୩୧୫୦ ରୁ ୩୫୦୦ ଟଙ୍କା ରହୁଥିବାବେଳେ ଖୁଚୁରା ଦର ଦେଶରେ ବିଭିନ୍ନ ଭାଗରେ କେଜି ପିଛା ୩୬ରୁ ୪୪ଟଙ୍କା ପର୍ଯ୍ୟନ୍ତ ରହୁଛି।

ବିଶେଷକରି ବ୍ରାଜିଲରେ ଉତ୍ପାଦନ ହ୍ରାସ ପାଇଥିବାରୁ ବିଶ୍ୱ ବଜାରରେ ଚିନିର ଅଭାବ ଦେଖାଦେଇଛି। ବିଶ୍ୱରେ ଏହି ଚାହିଦା ଅଧିକ ଥିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଘରୋଇ ବଜାର ସ୍ୱାର୍ଥରକ୍ଷା ନିମନ୍ତେ ଡିଜିଏଫଟି ଦେଶରେ ୨୦୨୧-୨୨(ଅକ୍ଟୋବର-ସେପ୍ଟେମ୍ବର) ମଧ୍ୟରେ ଘରୋଇ ଉପଲବ୍ଧତା ଓ ଦରଦାମ ସ୍ଥିର ରଖିବା ନିମନ୍ତେ ଏକ ଆଦେଶଜାରୀ କରିଛନ୍ତି ଓ କେନ୍ଦ୍ର ସରକାର ଜୁନ ପହିଲା, ୨୦୨୨ରୁ ଚିନି ରପ୍ତାନୀକୁ ମଧ୍ୟ ନିୟନ୍ତ୍ରଣ କରିଛନ୍ତି। ସରକାର ଶହେଲକ୍ଷ ମେଟ୍ରିକ ଟନ୍ ପର୍ଯ୍ୟନ୍ତ ଚିନି ରପ୍ତାନୀ ପାଇଁ ଅନୁମତି ଦେବ।

ଚଳିତବର୍ଷ ଦେଶରେ ୩୫୫ଲକ୍ଷ ମେଟ୍ରିକ ଟନ୍ ଚିନି ଉତ୍ପାଦନ ହୋଇଛି। ସେଥିରୁ ୩୫ଲକ୍ଷ ମେଟ୍ରିକ ଟନ୍ ଚିନି ବଦଳରେ ଇଥାନେଲ ଉତ୍ପାଦନ ଦିଗରେ ଖର୍ଚ୍ଚ ହୋଇଛି ଓ ଏହା ବିଶ୍ୱରେ ସର୍ବାଧିକ ବୋଲି ଜଣାପଡିଛି। ବିଶ୍ୱରେ ଭାରତ ଚିନି ରପ୍ତାନୀରେ ଦ୍ୱିତୀୟ ସ୍ଥାନରେ ରହିଛି। ଚଳିତ ଚିନି ଋତୁ ୨୦୨୧-୨୨ରେ ମୋଟ ୧୦୦ଲକ୍ଷ ମେଟ୍ରିକ ଟନ୍ ଚିନି ରପ୍ତାନୀ ହେବ।

ଚଳିତବର୍ଷ ରପ୍ତାନୀ ନିମନ୍ତେ ୯୦ଲକ୍ଷ ମେଟ୍ରିକ ଟନ୍ ପାଇଁ ଚୁକ୍ତି ହୋଇ ସାରିଥିବାବେଳେ, ୮୨ଉଠାଯାଇଛି ଓ ଅବଶିଷ୍ଟ ଦଶ ଲକ୍ଷ ମେଟ୍ରିକ ଟନ ରପ୍ତାନୀ କରାଯିବାର ସମ୍ଭାବନା ରହିଛି। ମାସକରେ ଦେଶରେ ପ୍ରାୟ ୨୩ଲକ୍ଷ ମେଟ୍ରିକ ଟନ୍ ଚିନି ଆବଶ୍ୟକ ହେଉଥିବାବେଳେ ପ୍ରାୟ ୬୨ଲକ୍ଷ ମେଟ୍ରିକ ଟନ୍ ଘରୋଇ ଚିନି ମହଜୁଦ ରହିଛି। ଦେଶରେ ହାରାହାରି କେଜି ପିଛା ଚିନିର ମୂଲ୍ୟ ୩୭ରୁ ୪୪ଟଙ୍କା ମଧ୍ୟରେ ରହିଛି। ରପ୍ତାନୀ କଟକଣା ସତ୍ୱେ ଦେଶରେ ଚିନି ରପ୍ତାନୀ ସବୁଠାରୁ ଅଧିକ ହେବ। ରପ୍ତାନୀ ୦.୪୭ ଲକ୍ଷ ମେଟ୍ରିକ ଟନରୁ ୨୦୦ଗୁଣ ବୃଦ୍ଧି ପାଇ ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦୦ ଲକ୍ଷ ମେଟ୍ରିକ ଟନ୍ରେ ପହଞ୍ଚିଛି।

ଜୁନ ପହିଲାରୁ ପ୍ରତ୍ୟେକ ମିଲ୍ ଡିଏଫପିଡିକୁ ରପ୍ତାନୀ ପାଇଁ ଆବେଦନ କରିବେ। ରପ୍ତାନୀ ତଦାରଖ ନିମନ୍ତେ ଚିନି ମିଲଗୁଡିକ ଚିଠି ପଠାଇବା ବିବରଣୀ ଅନଲାଇନାରେ ପ୍ରଦାନ କରିବେ। ଏହି ତଥ୍ୟକୁ ଭିତ୍ତି କରି ରପ୍ତାନୀ ପରିମାଣ ଆଦେଶ ପ୍ରଦାନ କରାଯିବ। ୩୧ମେ ୨୦୦୨ ପର୍ଯ୍ୟନ୍ତ ରପ୍ତାନୀ ନିମନ୍ତେ କୌଣସ ଅନୁମତିର ଆବଶ୍ୟକତା ନାହିଁ। ଚିନି ମିଲ୍ ଓ ରପ୍ତାନୀକାରୀଙ୍କ ଠାରୁ ଆବେଦନ ଗ୍ରହଣ କରିବା ପରେ ଡିଓଏଫପିଡି ରପ୍ତାନୀ ଆଦେଶ ଜାରି କରିବେ । ରପ୍ତାନୀ ଅର୍ଡର ବାବଦ ଆବେଦନ ପଦ୍ଧତି ସମ୍ପର୍କରେ ଆଦେଶ ୨୪.୫.୨୦୨୨ରେ ଡିଓଏଫପିଡିର ଚିନି ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଛି। ଚିନି ମିଲଗୁଡିକ ଚିନି ରପ୍ତାନୀ ସଂକ୍ରାନ୍ତ ଇଆରଓ ନିମନ୍ତେ ଆବେଦନ କରିବେ।

ରପ୍ତାନୀକାରୀମାନେ ଦେଶ ବାହାରକୁ ରପ୍ତାନୀ ପାଇଁ ଆବେଦନ କରିବେ। ଜାତୀୟ ସିଙ୍ଗଲ ୱିଣ୍ଡୋ ପଦ୍ଧତି (ଏନଏସଡବ୍ଲୁଏସ୍) ଜରିଆରେ ଉଭୟଙ୍କୁ ଆବେଦନ କରିବାକୁ ପଡିବ।
ଗତ ଚିନି ଋତୁ ତୁଳନାରେ ଦେଶରେ ଏଥର ଚିନି ଉତ୍ପାଦନ ଶତକଡା ୧୭ଭାଗ ଅଧିକ ହେବାର ଅନୁମାନ କରାଯାଉଛି। ଏହାଛଡା ବିଶ୍ୱରେ ଆମ ଦେଶର ଚିନି ବ୍ୟବହାରରେ ସର୍ବୋଚ୍ଚ ସ୍ଥାନର ରହିଛି। ଚଳିତ ଚିନି ଋତୁରେ ଏହା ପ୍ରାୟ ୨୭୮ ଲକ୍ଷ ମେଟ୍ରିକ ଟନ୍ରେ ପହଂଚିବ। ବାର୍ଷିକ ଶତକଡା ୨ରୁ ଚାରିଭାଗ ପର୍ଯ୍ୟନ୍ତ ଭାରତରେ ଚିନି ବ୍ୟବହାର ନିରବଚ୍ଛିନ୍ନ ଭାବେ ବୃଦ୍ଧି ପାଉଛି। ତେବେ ଆମ ଦେଶରେ ମୁଣ୍ଡ ପିଛା ଚିନି ବ୍ୟବହାରାପ୍ରାୟ ୨୦ କେଜି ଓ ବିଶ୍ୱର ହାରାହାରି ବ୍ୟବହାର ତୁଳନାରେ କମ୍।

ଦେଶରେ ଉପଲବ୍ଧ ବଳକା ଚିନିର ଯୁକ୍ତିଯୁକ୍ତ ବ୍ୟବହାର ପାଇଁ ୨୦୧୭-୧୮ ମସିହାରୁ ଭାରତ ସରକାର କେତେକ ସମୟୋପଯୋଗୀ ଓ ବହୁମୁଖୀ ପଦକ୍ଷେପ ନେଇଛନ୍ତି। ଏଥି ଯୋଗୁଁ ବ୍ୟବହାହର ମୁତାବକ ଚିନି ଗଚ୍ଛିତ ରହିଛି। ଆବଶ୍ୟକତାଠାରୁ ଅଧିକ ଚିନି ରହିବା ଦ୍ୱାରା ଚିନି ମିଲ୍ ଓ ଆଖୁ ଚାଷୀମାନଙ୍କ ଦେୟ ବକେୟା ରହିବାର ସମ୍ଭାବନା ଥିବାରୁ ଏହି ପଦକ୍ଷେପ ନିଆଯାଇଛି।

ଗତ ଚାରିବର୍ଷ ମଧ୍ୟରେ ସରକାର ବିଭିନ୍ନ ଯୋଜନା ଜରିଆରେ ଆର୍ଥିକ ରିହାତି ସୁରୁଖୁରୁରେ ପ୍ରଦାନ ସହିତ ଚାଷୀମାନଙ୍କ ସମୟୋଚିତ ଅର୍ଥ ପଇଠ ଓ ଚିନି ମିଲ୍ର ଆର୍ଥିକ ଅବସ୍ଥା ମଧ୍ୟ ଠିକ୍ ଥିବା ଲକ୍ଷ୍ୟ କରାଯାଇଛି। ଏହିସବୁ ପଦକ୍ଷେପ ଫଳରେ ଗତ ଚିନି ଋତୁରେ ଶତକଡା ୯୯.୬ ଭାଗରୁ ଅଧିକ ବକେୟା ଆଖୁଚାଷୀଙ୍କ ଦେୟ ପଇଠ କରାଯାଇଥିବାବେଳେ ଚଳିତ ଋତୁରେ ଶତକଡା ୮୪ଭାଗ ଦେୟ ପଇଠ ହୋଇଛି। ଚଳିତ ଋତୁରେ ଚାଲୁ ଚିନି ମିଲ ସଂଖ୍ୟା ମଧ୍ୟ ୫୨୨କୁ ବୃଦ୍ଧି ପାଇଛି।