Categories
ବିଶେଷ ଖବର ରାଜ୍ୟ ଖବର

ଯାତ୍ରା ଓ ମେଲୋଡିରେ ଅଶ୍ଲିଳ ନୃତ୍ୟକୁ ବନ୍ଦ କର, ସମସ୍ତ ଜିଲ୍ଲାପାଳଙ୍କୁ ଦିଆଗଲା ନିର୍ଦ୍ଦେଶ

ଭୁବନେଶ୍ବର: ଯାତ୍ରା ହେଉ କିମ୍ବା କୌଣସି ମେଲୋଡି, ଏଥିରେ କେହି ଅଶ୍ଳିଳ ନୃତ୍ୟ ପରିବେଷଣ କରୁଥିଲେ ତାହାକୁ ତୁରନ୍ତ ବନ୍ଦ କର। ଏପରି ଏକ ଚିଠି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ କରିଛନ୍ତି। ଏହି ଚିଠିରେ ଉଲ୍ଲେଖ ରହିଛି ଯେ, ସେମାନଙ୍କୁ ଏହା ପରିବେଷଣ ପାଇଁ ଅନୁମତି ଦେବା ବେଳେ ଏହି ପରିବେଷଣ ନ କରିବା ପାଇଁ ନିଶ୍ଚିତ କରାନ୍ତୁ। ନଚେତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଥିରେ କୁହାଯାଇଛି।

ବିଭାଗର ନିର୍ଦ୍ଦେଶକ ଏହି ଚିଠିରେ କହିଛନ୍ତି ଯେ, ରାଜ୍ୟର ସଂସ୍କୃତିର ବିକାଶ ପାଇଁ ବିଭାଗ ସମସ୍ତ ସହଯୋଗ ପ୍ରଦାନ କରିବ। ହେଲେ ସଂସ୍କୃତି ନାମରେ ଏପରି ଅପସଂସ୍କୃତିକୁ ବନ୍ଦ କରିବା ପାଇଁ ମଧ୍ୟ ବିଭାଗ ପଦକ୍ଷେପ ଗ୍ରହଣ କରିବ। ସେଥିପାଇଁ ଅଶ୍ଳିଳ ନୃତ୍ୟ, ଅଶ୍ଳିଳ ସଂଗୀତ କିମ୍ବା ଦ୍ବିଅର୍ଥବୋଧକ ଗୀତକୁ ବନ୍ଦ କରାଯିବ। ଏଥିପାଇଁ ସେହି ଜିଲ୍ଲାର ଜିଲ୍ଲାପାଳମାନେ ପଦକ୍ଷେପ ଗ୍ରହଣ କରିବେ।

ବର୍ତ୍ତମାନ ଲୋକମାନଙ୍କୁ ମନୋରଂଜନ ନାମରେ ଅନେକ ଯାତ୍ରା ତଥା ମେଲୋଡି ପାର୍ଟି ଅଶ୍ଳିଳତାକୁ ପ୍ରାଧ୍ୟାନ୍ୟ ଦେଉଛନ୍ତି। ଶସ୍ତା ଲୋକପ୍ରିୟତା ଅର୍ଜନ ପାଇଁ ମଧ୍ୟ କେତେକ ଅଭିନେତ୍ରୀ ଏପରି ଅଶ୍ଲିଳ ଅଭିନୟକୁ ବାଛି ନେଇଛନ୍ତି। ଫଳରେ ରାଜ୍ୟରେ ଯେଉଁ ପ୍ରାଚୀନ ସଂସ୍କୃତି ରହିଛି ତାହା ଉପରେ ପ୍ରଭାବ ପଡିବାରେ ଲାଗିଛି।

ଏହି ଚିଠିରେ ଏହା ମଧ୍ୟ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ବର୍ତ୍ତମାନ ଯେପରି ଭାବେ ଯାତ୍ରା ଏବଂ ମେଲୋଡି ପରିବେଷଣ କରାଯାଉଛି ତାହା ପରିବାର ସହିତ ଦେଖିବା ସମ୍ଭବ ନୁହେଁ। ଯାତ୍ରା ଏବଂ ମେଲୋଡିର ଏକ ଭଲ ମନୋରଂଜନର ମାଧ୍ୟମ। ହେଲେ ଏହାକୁ ମାଧ୍ୟମ କରି ଅଧିକ ପଇସା ରୋଜଗାର ପାଇଁ ଏହି ଅଶ୍ଳିଳ ନୃତ୍ୟ ସଂଗୀତକୁ କେତେକ ସଂସ୍ଥା ଅପଚେଷ୍ଠା କରୁଛନ୍ତି।

ବହୁ ବର୍ଷ ଧରି ଏହା ବିରୋଧରେ ସ୍ବର ଉତ୍ତୋଳନ ହୋଇ ଆସୁଛି। ଏପରି ଚଳିତ ଖଣ୍ଡଗିରି ଯାତ୍ରା ବେଳେ ବିଏମସି ତରଫରୁ ଏପରି ଅଶ୍ଳିଳ ନୃତ୍ୟକୁ ବନ୍ଦ କରାଯାଇଥିଲା। ଫଳରେ କେତେକ ଯାତ୍ରାପାର୍ଟି ଯେଉଁ କେତେକ ଅଶ୍ଳିଳ ନୃତ୍ୟଶିଳ୍ପୀଙ୍କୁ ଆଣିଥିଲେ ସେମାନେ ହତାସ ହୋଇପଡିଥିଲେ। ବର୍ତ୍ତମାନ ବିଭାଗର ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।