Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୋକାନ କାନ୍ଥ ଖୋଳି ମୋବାଇଲ ଚୋରୀ: ୩ ଗିରଫ, ୧୨ ମୋବାଇଲ ଜବତ

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ସହରରେ ଦିନକୁ ଦିନ ଚୋରି ଡକାୟତ ବଢ଼ିବାରେ ଲାଗିଛି। ପୋଲିସ ରାତିରେ ପାଟ୍ରୋଲିଂ ଠିକ ଭାବରେ କରୁ ନ ଥିବାରୁ ଚୋରମାନେ ଅନାୟାସରେ ଚୋରି କରିବାରେ ସଫଳ ହେଉଛନ୍ତି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ସ୍ଥାନୀୟ ଭୀମଭୋଇ ମାର୍କେଟର ଏକ ମୋବାଇଲ ଦୋକାନରୁ ଚୋରି ଅଭିଯୋଗରେ ତିନି ଜଣ ଯୁବକଙ୍କୁ ଗିରଫ କରିବା ସହ ୧୨ ଟି ମୋବାଇଲ ଫୋନ ଜବତ କରିବାରେ ସଫଳ ହୋଇଛି।

ଗିରଫ ଯୁବକ ମାନେ ହେଲେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଥାନା ଅଞ୍ଚଳର ଜଣେ ନାବାଳକ ସହିତ ବିକ୍ରମ ଡ଼ଙ୍ଗ (୩୭) ଓ ସୁନିଲ ମୁଣ୍ଡା (୧୯)।

ସୂଚନା ଯୋଗ୍ୟ ଯେ, ଏହି ଘଟଣାଟି ଗତ ମାର୍ଚ୍ଚ ମାସ ୨୧ ତାରିଖରେ ରେଢ଼ାଖୋଲ ସହରର ଖୁସି ନାମକ ଏକ ମୋବାଇଲ ଦୋକାନର ପଛପଟ କାନ୍ଥକୁ ଖୋଳି ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା। ଉକ୍ତ ମୋବାଇଲ ଦୋକାନର ମାଲିକ ସୌମେନ୍ଦ୍ର ପଣ୍ଡା ରେଢ଼ାଖୋଲ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଚୋରୀ ଘଟଣାରେ ରେଢ଼ାଖୋଲ ଥାନା ଅଧିକାରିଣୀ ସବିତା ବାଳା ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ତଦନ୍ତ ଆରମ୍ଭ କରି ମୋବାଇଲ ଆଇଏମଇଆଇ ନମ୍ବର କୁ ଟ୍ରାକ କରି ଦୃର୍ବୁତ୍ତ ମାନଙ୍କୁ ରାଉରକେଲା ଅଞ୍ଚଳରୁ ଧରିଥିଲେ। ଏଥିରେ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ ଜଣେ ନାବାଳକ ସହିତ ଦୁଇ ଜଣ ଯୁବକ ରହିଛନ୍ତି। ତା ସହିତ ୧୨ ଟି ମୋବାଇଲ ଓ କାନ୍ଥ ଖୋଳିବାରେ ବ୍ୟବହାର କରିଥିବା କୋଦାଳ କୁ ଜବତ କରିଛି ରେଢ଼ାଖୋଲ ପୋଲିସ।

ମୁଖ୍ୟ ଅଭିଯୁକ୍ତ ବିକ୍ରମ ଡଙ୍ଗ ଏଠାରେ ରହି ରଙ୍ଗ ମିସ୍ତ୍ରୀ ଭାବର କାମ କରୁଥିଲେ। ଏଥିରେ ବିକ୍ରମ ଦୋକାନରୁ ମୋବାଇଲ ଚୋରୀ କରିବା ପାଇଁ ରାଉରକେଲାରୁ ଆଉ ଦୁଇ ଜଣଙ୍କୁ ସାମିଲ୍ କରିଥିଲା। ଏହି ତଦନ୍ତ ପ୍ରକ୍ରିୟାରେ ତଦନ୍ତକାରୀ ଅଫିସର ଭାବେ ଏସଆଇ ଅସୀମା ଏକ୍କା, ଏସଆଇ ଚିତ୍ତ ରଞ୍ଜନ ମେହେର, ପୋଲିସ କର୍ମଚାରୀ ମୋହନ ଶବର, ବସନ୍ତ ଧରୁଆ ଓ ଦିନେଶ ନାୟକ ପ୍ରମୁଖ ସାମିଲ ରହିଥିଲେ।

ଏ ସଂକ୍ରାନ୍ତରେ ରେଢ଼ାଖୋଲ ପୋଲିସ କେସ ନଂ ୮୧/୨୪ ରେ ଏକ ମାମଲା ରୁଜୁ କରି ଉକ୍ତ ଅଭିଯୁକ୍ତ ଯୁବକ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରିଣୀ ସବିତା ବାଳା ସେଠୀ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଆରପିଏଫ ଏବଂ ବ୍ରହ୍ମପୁର ଜିଆରପି ର ମିଳିତ ଚଢାଉ: ତିନି ଲୁଟେରା ଗିରଫ, ୯ ମୋବାଇଲ ଜବତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଏବଂ ବ୍ରହ୍ମପୁର ଜିଆରପି ମିଳିତ ଭାବେ ଖଲିକୋଟ ରେଳ ଷ୍ଟେସନରେ ଚଢ଼ାଉ କରି ତିନି ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଖଲିକୋଟ ଥାନା ଅଞ୍ଚଳର ପ୍ରଶାନ୍ତ ଜାଲି (୧୯), ରୁଦ୍ର ଦାସ (୨୦) ଏବଂ ଟୁନା ବେହେରା (୨୩)।

ସୂଚନା ମୁତାବକ ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ଏକ ମିଳିତ ଟିମ ଗଠନ କରାଯାଇ ଉକ୍ତ ଷ୍ଟେସନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଉକ୍ତ ତିନି ଜଣ ସଂନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚୁରା କରାଯିବାରୁ ସେମାନେ ଦୁଇ ପ୍ଲାଟଫର୍ମରେ ପ୍ରଶାନ୍ତି ଏକ୍ସପ୍ରେସରୁ ଯାତ୍ରୀମାନଙ୍କ ମୋବାଇଲ ଚୋରି କରିଥିବାର ସ୍ୱୀକାର କରିଥିଲେ। ସେମାନେ ପୁରୀରୁ ବ୍ରହ୍ମପୁର ରେଳ ଷ୍ଟେସନ ମଧ୍ୟରେ ବିଭିନ୍ନ ଟ୍ରେନରୁ ଯାତ୍ରୀମାନଙ୍କ ମୋବାଇଲ ଲୁଟ କରୁଥିଲେ। ସେମାନଙ୍କ ନିକଟରୁ ୬ ଗୋଟି ଏବଂ ଚାରି ନମ୍ବର ପ୍ଲାଟଫର୍ମ ଶେଷଭାଗରେ ଥିବା ଏକ ଆମ୍ବ ଗଛ ନିକଟରୁ ଲୁଚାଯାଇଥିବା ୩ ଗୋଟିକୁ ମିଶାଇ ସମୁଦାୟ ୯ ଗୋଟି ଆଣ୍ଡ୍ରୋଏଡ଼ ମୋବାଇଲ ଫୋନ ଉଦ୍ଧାର କରିଛି ଆରପିଏଫ।

ଏ ସଂକ୍ରାନ୍ତରେ ବ୍ରହ୍ମପୁର ଜିଆରପି ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ବାଲୁଗାଁ ଆରପିଏଫ ଆଇଆଇସି ଶ୍ରୀ ମୌର୍ଯ୍ୟ ସୂଚନା ଦେଇଛନ୍ତି।  ଉକ୍ତ ଚଢ଼ାଉରେ ବାଲୁଗାଁ ଆରପିଏଫ ଏଏସଆଇ ଏସ. ଅର୍ଜୁନ ପାତ୍ର ଏବଂ ଅନ୍ୟ ଅଧିକାରୀ ମାନେ ସାମିଲ ଥିଲେ।