Categories
ଆଜିର ଖବର ରାଜ୍ୟ ଖବର

ସଂସ୍କୃତି ଗବେଷକ ଧୀରେନ୍ଦ୍ରନାଥ ପଟ୍ଟନାୟକଙ୍କ ଚତୁର୍ଦ୍ଦଶ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଭୁବନେଶ୍ୱର: ଓଡିଶା ସଂଗୀତ ନାଟକ ଏକାଡେମୀର ପୂର୍ବତନ ସଭାପତି, କେନ୍ଦ୍ର ଏବଂ ରାଜ୍ୟ ସଂଗୀତ ଏକାଡେମୀପ୍ରାପ୍ତ ତଥା ଉତ୍କଳ ସଂଗୀତ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ସ୍ୱର୍ଗତ ଧୀରେନ୍ଦ୍ରନାଥ ପଟ୍ଟନାୟକଙ୍କର ଚତୁର୍ଦ୍ଦଶ ଶ୍ରାଦ୍ଧ ଦିବସ ଆଜି ନୟାପଲ୍ଲୀ ସ୍ଥିତ ମୟୂର ଆର୍ଟ ସେଣ୍ଟରଠାରେ ପାଳିତ ହୋଇଯାଇଛି।

ପ୍ରାରମ୍ଭରେ ଅତିଥିମାନେ ସ୍ୱର୍ଗତ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଆୟୋଜିତ ସ୍ମୃତି ସଭାରେ ଅତିଥି ଓ ବକ୍ତାମାନେ ଯୋଗଦେଇ ଓଡିଶୀ ନୃତ୍ୟ, ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ସ୍ୱର୍ଗତ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ ରହିଥିଲା ବୋଲି କହିଥିଲେ। ଓଡିଶାର ସଂସ୍କୃତି, ଓଡିଶୀ ନୃତ୍ୟ ଏବଂ ଛଉ ନୃତ୍ୟ ଆଦି ସଂପର୍କିତ ବିଭିନ୍ନ ପୁସ୍ତକ ରଚନା କରି ସେ ଲୋକପ୍ରିୟ ହୋଇପାରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଶ୍ରୀ ପ୍ରଦୋଷ ପଟ୍ଟନାୟକ ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକ, ଓଡିଶୀ ନୃତ୍ୟର ମୌଳିକତା ବଜାୟ ରଖିବା ତଥା ଓଡିଶାର ସଂସ୍କୃତିର ସୁରକ୍ଷା ଦିଗରେ ଜଣେ ସମର୍ପିତ ବ୍ୟକ୍ତିତ୍ୱ ଥିଲେ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଲୋକପ୍ରିୟ ସିନେ ସମୀକ୍ଷକ ଶ୍ରୀ ଦିଲ୍ଲୀପ ହାଲି ଯୋଗଦେଇ ଜଣେ ନୀତିନିଷ୍ଟ ସାଧକ ଭାବରେ ଓଡିଶୀ ନୃତ୍ୟ ଓ ଛଉନୃତ୍ୟକୁ ଦେଶ ବିଦେଶରେ ପ୍ରତିଷ୍ଠିତ କରାଇବାରେସ୍ୱର୍ଗତ ପଟ୍ଟନାୟକଅନନ୍ୟ ଭୂମିକା ନିର୍ବାହ କରିଥିଲେ ବୋଲି କହିଥିଲେ।

ମୟୂର ଆର୍ଟ ସେଣ୍ଟରର ସଭାପତି ଶ୍ରୀ ବିଜୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ଅତିଥି ଭାବେ ନୃତ୍ୟଗୁରୁ ଶ୍ରୀଯୁକ୍ତ ଅଶୋକ ଘୋଶାଲ, ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ମିଶ୍ର, ଗୁରୁ ବିମ୍ବାଧର ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ଅବଦାନ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନ ତରଫରୁ ଶ୍ରୀ ରତ୍ନାକର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣକରିଥିଲେ। ଏହି କାର‌୍ୟ୍ୟକ୍ରମରେ ବହୁ ସଂଖ୍ୟାରେ ସଂସ୍କୃତିପ୍ରେମୀ ଜନସାଧାରଣ ଯୋଗଦେଇଥିଲେ।