Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗିରିଆପାଳ- ଟମକା ଦୋହରୀକରଣ କାର୍ଯ୍ୟକ୍ଷମ

ଭୁବନେଶ୍ଵର: ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ଜଟିଳ ଯଖପୁରା-ଜାରୋଲି ଦୋହରୀକରଣ ପ୍ରକଳ୍ପର ଟାଙ୍ଗିରିଆପାଳ-ଟମକା ରେଳ ଷ୍ଟେସନ୍ ମଧ୍ୟରେ ୧୦.୫୦୬ କିମି ଦୈର୍ଘ୍ୟ ରେଳ ଲାଇନ ନିର୍ମାଣ ସମ୍ପୂର୍ଣ୍ଣ ପରେ କାର୍ଯ୍ୟକ୍ଷମ କରାଯାଇଅଛି।

ଗତକାଲି କୋଲକାତାର ଦକ୍ଷିଣ ପୂର୍ବ ସର୍କଲ ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ) ଏହି ରେଳ ସେକ୍ସନକୁ ନୀରିକ୍ଷଣ କରିଥିଲେ। ନୀରିକ୍ଷଣ ସମୟରେ ସମସ୍ତ ନିରାପତ୍ତା ଦିଗଗୁଡିକ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯାଇଥିଲା ଏବଂ ଟ୍ରେନ୍ ଯାତାୟାତର ସମ୍ଭାବ୍ୟତା ମାପିବା ପାଇଁ ଏକ ସ୍ପିଡ୍ ଟ୍ରାଏଲ୍ ମଧ୍ୟ କରାଯାଇଥିଲା।

ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ଯଖପୁରା-ଜାରୋଲି ଦୋହରୀକରଣ ପ୍ରକଳ୍ପ ପାଇଁ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁରହିଅଛି। ଏହି ପ୍ରକଳ୍ପ ପାଇଁ ୯୯% ରୁ ଅଧିକ ନିର୍ମାଣ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି।

ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଓଡ଼ିଶାରେ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟର ନିରନ୍ତର ସମୀକ୍ଷା ଯୋଗୁଁ ଏହା ସମ୍ଭବ ହୋଇଛି। ଓଡ଼ିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସହିତ ଶ୍ରୀ ବୈଷ୍ଣବ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି। ଯଖପୁରା-ଜାରୋଲି ଦୋହରୀକରଣ କାର୍ଯ୍ୟ ଏହି ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରିବ ଏବଂ ଓଡିଶାର ଲୁହାପଥର ଖଣି ଅଞ୍ଚଳ ଦେଇ ଉଭୟ ହାଓଡ଼ା-ଚେନ୍ନାଇ ଏବଂ ହାଓଡ଼ା-ମୁମ୍ବାଇ ମୁଖ୍ୟ ରେଳପଥ ମଧ୍ୟରେ ସହଜ ରେଳ ସଂଯୋଗ ସହିତ ଅସୁବିଧାଜନକ ଟ୍ରେନ୍ ଚଳାଚଳ ପ୍ରତିବନ୍ଧକକୁ ଏଡାଇଦିଆଯାଇ ପାରିବ।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ରେଳପଥ ଅଧୀନରେ ଚାଲୁରହିଥିବା ବିଭିନ୍ନ ପ୍ରକଳ୍ପର ଶୀଘ୍ର ସମାପ୍ତି ଉପରେ ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସମେତ ହିତାଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ମଧ୍ୟ ଶ୍ରୀ ଶର୍ମା ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।