Categories
ଆଞ୍ଚଳିକ

ଟାଙ୍ଗୀ: ପୋଖରୀରେ ଭାସୁଛି ଯୁବକଙ୍କ ମୃତ ଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ରତ୍ନମାଳୀ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶଙ୍ଖା ସିନ୍ଦୁର ପୋଖରୀରେ ଜନୈକ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ମୃତ ଯୁବକଙ୍କ ନାମ ଅମରଜିତ୍ ପଟ୍ଟନାୟକ (୨୮) ହୋଇଥିବା ବେଳେ ତାଙ୍କ ଘର ଟାଙ୍ଗୀ ରତ୍ନମାଳୀ ସାହିରେ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ରତ୍ନମାଳୀ ସାହିରେ ଥିବା ଶଙ୍କା ସିନ୍ଦୁର ପୋଖରୀକୁ ସ୍ଥାନୀୟ ଲୋକେ ଗାଧୋଇବାକୁ ଯାଇଥିବା ବେଳେ ଏକ ଶବ ଭାସୁଥିବା ଦେଖିବାକୁ ପାଇଥିଲେ। ଏ ନେଇ ଟାଙ୍ଗୀ ଅଗ୍ନିଶମ ବାହୀନୀକୁ ଜଣାଇଥିଲେ। ଅଗ୍ନିଶମ ବାହୀନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ଯୁବକଙ୍କ ପରିଚୟ ମିଳିବା ପରେ ତୁରନ୍ତ ମୃତକଙ୍କ ପିତାଙ୍କୁ ସୂଚନା ଦେଇଥିଲେ। ପିତା ତାରାକାନ୍ତ ପଟ୍ଟନାୟକ ଘଟଣା ସ୍ଥଳରେ ପହଂଚି ମୃତକଙ୍କ ଶବକୁ ଚିହ୍ନଟ କରିଥିଲେ। ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଦେଇଛି।

ତେବେ ଗତ କାଲି ଠାରୁ ଯୁବକଜଣକ ନିଖୋଜ ଥିଲେ। ଯୁବକଙ୍କ ଘରେ ଶୌଚାଳୟର ସୁବିଧା ଥିବା ସତ୍ତ୍ୱେ ସେ ପୋଖରୀକୁ କାହିଁକି ଯାଇଥିଲେ, ତାହାର କାରଣ ଜଣାପଡିନାହିଁ। ପୋଲିସ୍ ଏ ନେଇ ତଦନ୍ତ ଆରମ୍ଭ କରିଛି।