Categories
ଆଜିର ଖବର ଆଞ୍ଚଳିକ

ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚରେ ଯୁବ ବିଜେଡ଼ି ଏକାଦଶ ହରାଇ ମିଡ଼ିଆ ଏକାଦଶ ବିଜୟୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଣତନ୍ତ୍ର ଦିବସ ଅବସରରେ ବ୍ରହ୍ମପୁର ମେଡ଼ିକାଲ୍ କଲେଜ ଷ୍ଟାଡ଼ିୟମ ପରିସରରେ ମିଡ଼ିଆ ଏକାଦଶ ଓ ଯୁବ ବିଜେଡ଼ି ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା।

ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ମ୍ୟାଚର ଶୁଭ ଉଦ୍‌ଘାଟନ କରିଥିଲେ। ବ୍ରହ୍ମପୁର ପ୍ରେସ୍ କ୍ଲବ୍‌ର ସଭାପତି ତଥା ମିଡ଼ିଆ ସେଲ୍‌ର ମ୍ୟାନେଜର ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।

ମିଡ଼ିଆ ଏକାଦଶ ଅଧିନାୟକ ସୁରଜିତ୍ କୁମାର ପଣ୍ଡା ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ମିଡ଼ିଆ ଏକାଦଶ ନିର୍ଦ୍ଧାରିତ ୧୦ ଓଭର୍‌ରେ ତିନୋଟି ୱିକେଟ୍ ହରାଇ ୧୦୫ ରନ୍ ସଂଗ୍ରହ କରିଥିବାବେଳେ ଏହାର ଜବାବରେ ଯୁବ ବିଜେଡ଼ି ଏକାଦଶ ନିର୍ଦ୍ଧାରିତ ୧୦ ଓଭର୍‌ରେ ୮ ୱିକେଟ୍ ହରାଇ ୯୯ ରନ୍ କରିବାକୁ ସକ୍ଷମ ହୋଇଥିଲେ। ମିଡ଼ିଆ ଏକାଦଶ ୬ ରନ୍‌ରେ ଯୁବ ବିଜେଡ଼ି ଦଳକୁ ପରାସ୍ତ କରି ବିଜୟୀ ହୋଇଥିଲେ।

ମୁଖ୍ୟଅତିଥି ବିକ୍ରମ ପଣ୍ଡା ଓ ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାଷ ମହାରଣା ବିଜୟୀ ଓ ପରାଜୟ ଟିମ୍‌କୁ ପୁରସ୍କାର ପ୍ରଦାନ କରିଥିଲେ। ମିଡ଼ିଆ ଏକାଦଶର ଖେଳାଳୀ ସୀତାରାମଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ଯୁବ ବିଜେଡ଼ି ଏକାଦଶ ଟିମ୍‌ର ଅଧିନାୟକ ଜଗନ୍ନାଥ ରନର୍ସଅପ୍ କପ୍ ଗ୍ରହଣ କରିଥିବାବେଳେ ଅଧିନାୟକ ସୁରଜିତ ପଣ୍ଡା ୱିନର ଟ୍ରଫି ଗ୍ରହଣ କରିଥିଲେ।