ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ଶାଖା ପକ୍ଷରୁ ଆଜି ରେଡ଼କ୍ରସର ଦୂରଦର୍ଶୀ ସଂସ୍ଥାପକ ହେନେରୀ ଦୁରାଣ୍ଟଙ୍କ ଜନ୍ମଦିବସ ଅବସରରେ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଯୁବ ରେଡ଼କ୍ରସ ତଥା ରେଡ ରିବନ କ୍ଲବ ଅଧିକାରୀ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପକ ଡକ୍ଟର ସନ୍ତୋଷ କୁମାର ରଥ ଓ ବିମଳ କୁମାର ପଣ୍ଡା ଅତିଥି ବକ୍ତା ଭାବେ ଯୋଗ ଦେଇଥିଲେ।
ଚଳିତ ବର୍ଷର ପ୍ରସଙ୍ଗ ” ବିଶ୍ୱ ରେଡ଼କ୍ରସ ଦିବସ ଓ ମାନବିକତାର ଦୃଷ୍ଟି କୋଣ “ଶୀର୍ଷକ ଆଲୋଚନା କରି ଡକ୍ଟର କୈଳାସ ଚନ୍ଦ୍ର ମହାରଣା ମାନବିକତା ସହିତ ନୈତିକତା, ବନ୍ଧୁତା, ସହଭାଗିତା, ସହିଷ୍ଣୁତା, ଜାତୀୟତା, ଗ୍ରହଣଶୀଳତା ଓ ଯୁବ ମାନସିକତା କିପରି କର୍ଷଣ କରିବାକୁ ହୁଏ ତାହା ଉପସ୍ଥାପନା କରିଥିଲେ। ଅତିଥି ବକ୍ତା ଭାବେ ଯୋଗଦେଇ ଡକ୍ଟର ସନ୍ତୋଷ କୁମାର ରଥ ଓ ବିମଳ କୁମାର ପଣ୍ଡା ରେଡ଼କ୍ରସର ଉଦ୍ଦେଶ୍ୟ,ଇତିହାସ, କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସଂଯୋଜିକା ମନସ୍ବିନୀ ପଟ୍ଟନାୟକ ବର୍ଷସାରା ଆୟୋଜିତ ରେଡ଼କ୍ରସ କାର୍ଯ୍ୟକ୍ରମରେ ସ୍ବେଛାସେବୀମାନଙ୍କର ଉତ୍ସାହ ଓ ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ଆରୋପ କରିଥିଲେ।
ସ୍ବେଛାସେବୀ ସଂଗ୍ରାମ ଦାଶ ଓ ପ୍ରଜ୍ଞାସ୍ମିତା ସାହୁ ବିଭିନ୍ନ ଶିବିର ଓ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ସେମାନଙ୍କର ଅନୁଭୂତି, ନେତୃତ୍ୱ ଓ ବ୍ୟକ୍ତିତ୍ୱ ବିକାଶ ସମ୍ପର୍କରେ ମତ ରଖିଥିଲେ। ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ସ୍ଵେଚ୍ଛାସେବୀ ସରସ୍ବତୀ ଘଟୁଆଳି।