Categories
ଅପରାଧ ଆଜିର ଖବର ଜାତୀୟ ଖବର

ଫାଷ୍ଟଟ୍ରାକ୍ କୋର୍ଟରେ ବିଚାରାଧୀନ ୨.୪୩ ଲକ୍ଷ ପୋକ୍ସୋ ମାମଲା: ମାତ୍ର ୩% ମାମଲାରେ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଦେଶରେ ୨,୪୩,୦୦୦ ପୋକ୍ସୋ (ଯୌନ ଅପରାଧରୁ ଶିଶୁ ସୁରକ୍ଷା) ମାମଲା ବିଚାରାଧୀନ ରହିଛି। ୨୦୨୨ରେ ମାତ୍ର ୩ ପ୍ରତିଶତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଯଦି କୌଣସି ନୂଆ ମାମଲା ସାମ୍ନାକୁ ନ ଆସେ ତେବେ ଏହି ମାମଲାଗୁଡ଼ିକର ସମାଧାନ ପାଇଁ ଅଦାଲତକୁ ୯ ବର୍ଷ ସମୟ ଲାଗିବ।

ଫାଷ୍ଟଟ୍ରାକ୍ କୋର୍ଟ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ବିଚାରାଧୀନ ପୋକ୍ସୋ ମାମଲାର ରିପୋର୍ଟ ପ୍ରକାଶ କରିଛନ୍ତି। ପ୍ରକାଶିତ ରିପୋର୍ଟରେ ଏହି ଦାବି କରାଯାଇଛି। ଭାରତୀୟ ଶିଶୁ ସୁରକ୍ଷା ପାଣ୍ଠି (ଆଇସିପିଏଫ୍) ସଂଗଠନ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଆଇନ ମନ୍ତ୍ରାଳୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଏବଂ ନ୍ୟାସନାଲ କ୍ରାଇମ ରିପୋର୍ଟ ବ୍ୟୁରୋ (ଏନସିଆରବି)ର ତଥ୍ୟକୁ ବ୍ୟବହାର କରାଯାଇଛି। ୨୦୨୩ ଜାନୁଆରି ସୁଦ୍ଧା ୨ ଲକ୍ଷ ୬୮ ହଜାର ୩୮ଟି ମାମଲା ରୁଜୁ ହୋଇଥିବାବେଳେ ସେଥିରୁ ମାତ୍ର ୮୯୦୯ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

ବର୍ଷକୁ ମାତ୍ର ୨୮ଟି ମାମଲାରେ ଦୋଷୀ ସାବ୍ୟସ୍ତ

୨୦୧୯ରେ କେନ୍ଦ୍ର ସରକାର ଫାଷ୍ଟଟ୍ରାକ୍ ସ୍ପେଶାଲ କୋର୍ଟ ଯୋଜନାକୁ ଆଗକୁ ବଢ଼ାଇଥିଲେ, ଯେଉଁଥିରେ ବର୍ଷକ ମଧ୍ୟରେ ପୋକ୍ସୋ ମାମଲାର ସମାଧାନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏଥିପାଇଁ କେନ୍ଦ୍ର ସରକାର ୧୯୦୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଥିଲେ।

ଅଧ୍ୟୟନରୁ ଜଣାପଡିଛି ଯେ ପ୍ରତ୍ୟେକ ଫାଷ୍ଟଟ୍ରାକ୍ କୋର୍ଟ ପ୍ରତି ୪ ମାସରେ ୪୧-୪୨ଟି ମାମଲା ଏବଂ ପ୍ରତିବର୍ଷ ୧୬୫ଟି ମାମଲାର ସମାଧାନ କରିବା କଥା, କିନ୍ତୁ ପ୍ରତିବର୍ଷ ମାତ୍ର ୨୮ଟି ମାମଲାର ସମାଧାନ ହେଉଛି।

ପରିସ୍ଥିତିରେ କିପରି ସୁଧାର ଆସିବ?

ଆଇସିପିଏଫର ପ୍ରତିଷ୍ଠାତା ତଥା କୈଳାସ ସତ୍ୟାର୍ଥୀଙ୍କ ପୁଅ ଭୁବନ ରିଭୁ କହିଛନ୍ତି ଯେ ପୋକ୍ସୋ ଆକ୍ଟ କୁ ଏପରି କରାଯିବା ଉଚିତ ଯେପରି ପ୍ରତ୍ୟେକ ପୀଡ଼ିତ ଶିଶୁଙ୍କୁ ନ୍ୟାୟ ମିଳିପାରିବ।

ଏହି ସ୍ଥିତିରେ କିପରି ସୁଧାର ଆସିପାରିବ ସେ ନେଇ ରିପୋର୍ଟରେ ବର୍ଣ୍ଣନା କରାଯାଇଛି

– ପୋକ୍ସୋ ମାମଲାର ଡ୍ୟାସବୋର୍ଡ ୱେବ୍ ପୋର୍ଟାଲରେ ରହିବା ଉଚିତ।

– ଫାଷ୍ଟଟ୍ରାକ୍ କୋର୍ଟ ସଂଖ୍ୟା ବୃଦ୍ଧି କରାଯାଉ।

– ପୀଡ଼ିତା ଓ ତାଙ୍କ ପରିବାରକୁ ସୁରକ୍ଷା ଦିଆଯିବା ଦରକାର, ଯାହାଦ୍ୱାରା ସେମାନେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାରେ ପଛରେ ନ ପଡ଼ିବେ।

Categories
ଆଜିର ଖବର ରାଜ୍ୟ ଖବର

ମହିଳା ଏବଂ ଶିଶୁଙ୍କ ଉପରେ ଯୌନ ଅପରାଧର ତଦନ୍ତ ପାଇଁ ତିନି ଦିନିଆ କର୍ମଶାଳା ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପୋଲିସ ଭବନ, ଠାରେ “ମହିଳା ଏବଂ ଶିଶୁଙ୍କ ଉପରେ ଯୌନ ଅପରାଧର ତଦନ୍ତ ପାଇଁ ଫୋରେନସିକ୍ କୌଶଳ ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର” ସଂକ୍ରାନ୍ତୀୟ ତିନି ଦିନିଆ କର୍ମଶାଳା ଆରମ୍ଭ ହୋଇଯାଇଛି। “ମହିଳା ଏବଂ ଶିଶୁ ଅପରାଧ ନିରାକରଣ ଶାଖା” ଏବଂ “ୟୁନିସେଫ”ର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜି ଉଦ୍ ଘାଟନ କରିଥିଲେ।

ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଘଟୁଥିବା ଯୌନ ଉତ୍ପୀଡନ ମାମଲା ଗୁଡ଼ିକ ଅତ୍ୟନ୍ତ ସମ୍ବଦନଶୀଳ। ଏଭଳି ଗୁରୁତ୍ୱପୂର୍ଣ୍ଣ ମାମଲା ଗୁଡିକର ତଦନ୍ତ ନିର୍ଭୁଲ ଏବଂ ନିରପେକ୍ଷ ହେବା ଉଚିତ୍। ତଦନ୍ତରେ ଫରେନସିକ୍ କୌଶଳ ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି DGP ଶ୍ରୀ ବଂସଲ ମତବ୍ୟକ୍ତ କରିଛନ୍ତି। ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧିକ ମାମଲାଗୁଡ଼ିକର ସମାଧାନ ପାଇଁ ଏହି ତାଲିମ୍ ପୋଲିସ ଥାନାରେ ନିଯୁକ୍ତ ଥିବା ଅଧିକାରୀଙ୍କୁ ଅପରାଧ ତଦନ୍ତରେ ସହାୟତା କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଏହି ତିନିଦିନିଆ ତାଲିମ କାର୍ଯ୍ୟକ୍ରମ ରେ ୧୫୦ ଥାନାର ଆଇଆଇସି ଏବଂ ଏସଡିପିଓ ରାଙ୍କର ଅଧିକାରୀମାନେ ଯୋଗ ଦେବେ। ପ୍ରତିଦିନ ୫୦ ଜଣ ଅଧିକାରୀ ଏହି ପ୍ରଶିକ୍ଷଣ ନେବେ।

ଏହି କର୍ମଶାଳାରେ କେଶବ କୁମାର, ଅବସରପ୍ରାପ୍ତ ପୂର୍ବତନ ଡିଜିପି ଗୁଜରାଟ ଏବଂ ହେମନ୍ଥ୍ ସାଇ ରେଡ୍ଡୀ, ସିନିୟର୍ ଭିଜିଲାନ୍ସ ମ୍ୟାନେଜର ରିସୋର୍ସ ପର୍ସନ୍ସ ଭାବେ ବିଭିନ୍ନ ଅପରାଧିକ ମାମଲାର ତଦନ୍ତରେ ଫୋରେନସିକ୍ ଜ୍ଞାନ କୌଶଳ ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ସମ୍ପର୍କରେ ତାଲିମ୍ ପ୍ରଦାନ କରିବେ।

ଏହି କାର୍ଯ୍ୟକ୍ରମରେ ସଫିନ୍ ଅହମଦ୍ କେ, ଆଇପିଏସ୍, ଆଇ.ଜି.ପି, କ୍ରାଇମବ୍ରାଞ୍ଚ ପୈରାହିତ୍ୟ କରିଥିଲେ। ଆର. କେ. ମିଶ୍ର, ଏସ୍ ପି, କ୍ରାଇମବ୍ରାଞ୍ଚ ଧନ୍ୟବାଦ ଅର୍ପଣ କରିଥିଲେ। ମାନ୍ନା ବିଶ୍ୱାସ, ( ସଦସ୍ୟ, ୟୁନିସେଫ୍, ଓଡିଶା) ପ୍ରମୁଖ ଉପସ୍ଥିତ ରହି ଅଧିକାରୀଙ୍କୁ ଉତ୍ସାହିତ କରିଥିଲେ। CAW & CW ର DSP ଇମାନ କଲ୍ୟାଣ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।