Categories
ଆଞ୍ଚଳିକ

ବାଣପୁର ରଙ୍କନାଥ ମନ୍ଦିରରେ ୧୦୮ ହନୁମାନ ଚାଳିଶା ମହାଯଜ୍ଞ ଉଦଯାପିତ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ସ୍ଥାନୀୟ ଶ୍ରୀ ଶ୍ରୀ ରଙ୍କନାଥଦେବ ମନ୍ଦିର ପ୍ରାଙ୍ଗଣରେ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି, ବାଣପୁର ତରଫରୁ ଦୀର୍ଘ ଚାରି ଦିନ ବ୍ୟାପି ଚାଲିଥିବା ମହାଯଜ୍ଞର ପୂର୍ଣ୍ଣାହୁତି ଶନିବାର ପ୍ରାତଃ ୫ ଘଟିକାରେ ସମ୍ପନ୍ନ ହୋଇଯାଇଛି। ମଙ୍ଗଳବାରଠାରୁ ଗୁରବାର ପର୍ଯ୍ୟନ୍ତ ପ୍ରତ୍ୟେହ ସନ୍ଧ୍ୟାରେ ପ୍ରବଚକ ଶ୍ରୀ ରବିନାରାୟଣ ପଣ୍ଡାଙ୍କ ଦ୍ୱାରା  ଦିବ୍ୟ ପ୍ରବଚନ ଶୁଣିବା ପାଇଁ ବାଣପୁର ଓ ଏହା ଆଖପାଖ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା।

ଶୁକ୍ରବାର ତଥା ମହାଶିବରାତ୍ରି ଦିନ ସ୍ଥାନୀୟ ହରିପୁର ମହନ୍ତ ଶ୍ରୀ ଶ୍ରୀ ରାମମୋହନ ଦାସଜୀ ମହାରାଜଙ୍କ ତତ୍ତ୍ବାବଧାନରେ ଭକ୍ତମାନେ ରାତିଯାକ ସାମୁହିକ ୧୦୮ଥର ହନୁମାନ ଚାଳିଶା ପଠନ କରିଥିଲେ। ଏହି ଅବସରରେ ରଙ୍କନାଥ ମନ୍ଦିର ପରିସରକୁ କମିଟି ତରଫରୁ ଅତି ସୁନ୍ଦର ଭାବରେ ସାଜସଜା କରାଯାଇଥିଲା। ମହାଯଜ୍ଞର ପୂର୍ଣ୍ଣାହୁତି ପରେ କମିଟି ତରଫରୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ଏକ ବିଶାଳ ଆନନ୍ଦ ବଜାରର ବ୍ୟବସ୍ଥା କରାଯାଇଥିଲା ଯେଉଁଥିରେ ପାଖାପାଖି ପାଞ୍ଚ ହଜାର ଭକ୍ତ ପ୍ରସାଦ ସେବନ କରିଥିଲେ।

ଆଇନ ଓ ସୁରକ୍ଷା ଦୃଷ୍ଟିରୁ ବାଣପୁର ପୋଲିସ ଦ୍ୱାରା ସୁରକ୍ଷା କର୍ମୀ ମୁତୟନ କରାଯାଇଥିବା ବେଳେ ୧୦୮ ହନୁମାନ ଚାଳିଶା ଯଜ୍ଞ  କମିଟି ସଭ୍ୟ, ମନ୍ଦିର ପ୍ରଶାସନ, ଏ.ବି.ଭି.ପି ର କାର୍ଯ୍ୟକର୍ତ୍ତା ଓ ବହୁ ସ୍ବେଛାସେବୀମାନେ  ପ୍ରସାଦ ବିତରଣ ଓ ସୁରକ୍ଷା ବ୍ୟବସ୍ଥାରେ ସହଯୋଗ କରିଥିଲେ। ଉକ୍ତ ମହାଯଜ୍ଞରେ କର୍ତ୍ତା ରୂପେ ପ୍ରମିଳା ସୁବୁଦ୍ଧି ଓ ପ୍ରଫୁଲ ସୁବୁଦ୍ଧି କାର୍ଯ୍ୟନିର୍ବାହ କରିଥିଲେ। ଉକ୍ତ ପାଞ୍ଚ ଦିନବ୍ୟାପି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସନ୍ତୋଷ ଅଗ୍ରୱାଲ, ପବନ ରାମ, ମନୋଜ ଅଗ୍ରୱାଲ, ଗିରିଧାରୀ ପାତ୍ର, ରାଧାମୋହନ ଅଗ୍ରୱାଲ, ଆନନ୍ଦ ଅଗ୍ରୱାଲ, ସଚ୍ଚିଦାନନ୍ଦ ପରିମାଣିକ, ଶିବ ପ୍ରଧାନ, ସୁନୀଲ ଅଗ୍ରୱାଲ, ଦେବଦତ୍ତ ପାତ୍ର ଆଦି ପରିଚାଳନା କରିଥିବାବେଳେ ଦୀପକ ଅଗ୍ରୱାଲ,  ଅଶୋକ ପାତ୍ର, ନାଗେଶ୍ୱର ସୁବୁଦ୍ଧି, ରୋଶନ ପାତ୍ର, ଆଶିଷ ସୁବୁଦ୍ଧି, ସନ୍ତୋଷ ପାତ୍ର, ବିଷ୍ନୁପ୍ରିୟା ପାତ୍ର, ବିଜୟ ସାହୁ, ଆଲୋକ ମହାନ୍ତି ଓ ଅନ୍ୟ ସଭ୍ୟ ସଭ୍ୟାମାନେ ସହଯୋଗ କରିଥିଲେ।

ଚଳିତ ବର୍ଷ ଉକ୍ତ ଧାର୍ମିକ ଅନୁଷ୍ଠାନ ୧୩ ବର୍ଷରେ ପଦାର୍ପଣ କରୁଥିବାବେଳେ ଏହାର ଦୀର୍ଘାୟୁ କାମନା କରି କମିଟିର ସମସ୍ତ ସଭ୍ୟ ସଭ୍ୟା ପରିଶେଷରେ ମନ୍ଦିର ପରିସରରେ ଥିବା ଶ୍ରୀ ହନୁମାନଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଦୀପଦାନ କରିଥିଲେ।

Categories
ଆଞ୍ଚଳିକ

୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି, ବାଣପୁର ଆନୁକୂଲ୍ୟରେ ପ୍ରବଚନ ଓ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ଆରମ୍ଭ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଣପୁର ସ୍ଥିତ ଶ୍ରୀ ଶ୍ରୀ ରଙ୍କନାଥଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ତରଫରୁ ୧୦୮ ହନୁମାନ ଚାଳିଶା ଯଜ୍ଞ ନିମନ୍ତେ ଏକ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା। ଏହି ଅବସରରେ ତିନିଦିନ ବ୍ୟାପୀ ଶ୍ରୀରାମଚରିତ କଥାମୃତ ପ୍ରବଚନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ଏକ ଶୋଭାଯାତ୍ରା ଶ୍ରୀ ଶ୍ରୀ ରଙ୍କନାଥଦେବ ମନ୍ଦିର ପ୍ରାଙ୍ଗଣରୁ ସହର ପରିକ୍ରମା କରି ଶ୍ରୀ ଶ୍ରୀ ଦକ୍ଷେଶ୍ୱର ଦେବଙ୍କ ମନ୍ଦିର ପୁଷ୍କରିଣୀରୁ ଜଳାବରଣ କରି ଯଜ୍ଞ ଅନୁଷ୍ଠାନ ସ୍ଥାନରେ ପହଂଚିଥିଲେ। ଏହି ଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ଭାଗନେଇଥିଲେ।

ଚଳିତବର୍ଷ ଉକ୍ତ ଅନୁଷ୍ଠାନ ୧୩ ବର୍ଷରେ ପଦାର୍ପଣ କରୁଥିବାବେଳେ ପ୍ରବଚକ ଶ୍ରୀ ରବି ନାରାୟଣ ପଣ୍ଡାଙ୍କ ପୌରାହିତ୍ୟରେ ତିନିଦିନ ବ୍ୟାପି ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ପବିତ୍ର ମହା ଶିବରାତ୍ରି ଦିନ ବ୍ୟାସ ମହନ୍ତ ଶ୍ରୀ ରାମଦାସଜି ମହାରାଜଙ୍କ ପୌରାହିତ୍ୟରେ ୧୦୮ ଥର ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ହେବାକୁ ରହିଛି। ଶିବରାତ୍ରି ପରବର୍ତ୍ତୀ ଦିନ ଶନିବାର ସକାଳେ ପାଖାପାଖି ପାଞ୍ଚ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କାର୍ଯ୍ୟକ୍ରମ କରାଯାଇଛି ବୋଲି କମିଟିର ସମ୍ପାଦକ ଶ୍ରୀ ମନୋଜ କୁମାର ଅଗ୍ରୱାଲ ସୂଚନା ଦେଇଛନ୍ତି।

ଉକ୍ତ ଶୋଭାଯାତ୍ରାରେ ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ ସହିତ ଘୋଡାନାଚ, ଯୋଡି ଶଙ୍ଖ, ବାଘ ନାଚ, ଢୋଲ ଏବଂ ସଂକୀର୍ତ୍ତନ ଇତ୍ୟାଦିର ଆୟୋଜନ କରାଯାଇଥିଲା। ଉକ୍ତ ଶୋଭାଯାତ୍ରାକୁ ବାଣପୁର ଆରକ୍ଷୀ ବାହିନୀ ଓ ନଗରବାସୀ ସୁଚାରୁରୂପେ ପରିଚାଳନା କରିଥିଲେ।