୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି, ବାଣପୁର ଆନୁକୂଲ୍ୟରେ ପ୍ରବଚନ ଓ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ଆରମ୍ଭ

Published: Feb 18, 2020, 7:24 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଣପୁର ସ୍ଥିତ ଶ୍ରୀ ଶ୍ରୀ ରଙ୍କନାଥଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ତରଫରୁ ୧୦୮ ହନୁମାନ ଚାଳିଶା ଯଜ୍ଞ ନିମନ୍ତେ ଏକ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା। ଏହି ଅବସରରେ ତିନିଦିନ ବ୍ୟାପୀ ଶ୍ରୀରାମଚରିତ କଥାମୃତ ପ୍ରବଚନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ଏକ ଶୋଭାଯାତ୍ରା ଶ୍ରୀ ଶ୍ରୀ ରଙ୍କନାଥଦେବ ମନ୍ଦିର ପ୍ରାଙ୍ଗଣରୁ ସହର ପରିକ୍ରମା କରି ଶ୍ରୀ ଶ୍ରୀ ଦକ୍ଷେଶ୍ୱର ଦେବଙ୍କ ମନ୍ଦିର ପୁଷ୍କରିଣୀରୁ ଜଳାବରଣ କରି ଯଜ୍ଞ ଅନୁଷ୍ଠାନ ସ୍ଥାନରେ ପହଂଚିଥିଲେ। ଏହି ଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ଭାଗନେଇଥିଲେ।

ଚଳିତବର୍ଷ ଉକ୍ତ ଅନୁଷ୍ଠାନ ୧୩ ବର୍ଷରେ ପଦାର୍ପଣ କରୁଥିବାବେଳେ ପ୍ରବଚକ ଶ୍ରୀ ରବି ନାରାୟଣ ପଣ୍ଡାଙ୍କ ପୌରାହିତ୍ୟରେ ତିନିଦିନ ବ୍ୟାପି ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ପବିତ୍ର ମହା ଶିବରାତ୍ରି ଦିନ ବ୍ୟାସ ମହନ୍ତ ଶ୍ରୀ ରାମଦାସଜି ମହାରାଜଙ୍କ ପୌରାହିତ୍ୟରେ ୧୦୮ ଥର ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ହେବାକୁ ରହିଛି। ଶିବରାତ୍ରି ପରବର୍ତ୍ତୀ ଦିନ ଶନିବାର ସକାଳେ ପାଖାପାଖି ପାଞ୍ଚ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କାର୍ଯ୍ୟକ୍ରମ କରାଯାଇଛି ବୋଲି କମିଟିର ସମ୍ପାଦକ ଶ୍ରୀ ମନୋଜ କୁମାର ଅଗ୍ରୱାଲ ସୂଚନା ଦେଇଛନ୍ତି।

ଉକ୍ତ ଶୋଭାଯାତ୍ରାରେ ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ ସହିତ ଘୋଡାନାଚ, ଯୋଡି ଶଙ୍ଖ, ବାଘ ନାଚ, ଢୋଲ ଏବଂ ସଂକୀର୍ତ୍ତନ ଇତ୍ୟାଦିର ଆୟୋଜନ କରାଯାଇଥିଲା। ଉକ୍ତ ଶୋଭାଯାତ୍ରାକୁ ବାଣପୁର ଆରକ୍ଷୀ ବାହିନୀ ଓ ନଗରବାସୀ ସୁଚାରୁରୂପେ ପରିଚାଳନା କରିଥିଲେ।

 

Related posts