Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଯାପିତ

ଭୁବନେଶ୍ବର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଞ୍ଜକଳା ମଣ୍ତପ ଠାରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଯାପିତ ହୋଇଛି। ମାନ୍ୟବର ବିଜ୍ଞାନ ଓ କାରିଗରୀ କୌଶଳ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ କୁମାର ପଣ୍ତା ଏହି ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଲୋକକଳାର ମହାନ ପରମ୍ପରା ଓ ଇତିହାସ ସଂପର୍କରେ ଆଲୋକପାତ କରିଥିଲେ।

ସମୟକ୍ରମେ ସମାଜର ରୁଚି ବଦଳିବା ସହ ମନୋରଞ୍ଜନର ମାଧ୍ୟମ ଭିନ୍ନ ରୂପ ନେଇଛି। ମାତ୍ର ଲୋକକଳା ଏହାର ମହାନ ପରମ୍ପରା ବଜାୟ ରଖି ଏବେ ମଧ୍ୟ ଲୋକପ୍ରିୟତା ହାସଲ କରିବାରେ ଲାଗିଛି। ଏହାର ସୁରକ୍ଷା ନିମନ୍ତେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ପ୍ରଶଂସନୀୟ ବୋଲି ମନ୍ତ୍ରୀ ଶ୍ରୀ ପଣ୍ତା ମତବ୍ୟକ୍ତ କରିଥିଲେ। ସେହିଭଳି କୃଷିଭିତ୍ତିକ ଗଣପର୍ବ ରଜ ମଧ୍ୟ ପାରସ୍ପରିକ ସ୍ନେହ, ପ୍ରେମ ଓ ସୌହାର୍ଦ୍ଦ୍ୟ ରକ୍ଷା କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭେଇଥିବା ସେ କହିଥିଲେ।

ଏହି ଅବସରରେ ଯୋଗଦେଇ ଭୁବନେଶ୍ବର ମେୟର ଶ୍ରୀମତୀ ସୁଲୋଚନା ଦାସ ଲୋକକଳାକୁ ଲୋକପ୍ରିୟ କରିବା ନିମନ୍ତେ ସମସ୍ତଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଓଡିଶାର ମହାନ ପରମ୍ପରା, ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା ନିମନ୍ତେ ବିଭିନ୍ନ ପର୍ବପର୍ବାଣି ପାଳନର ଭୂମିକା ଉପରେ ସେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ, କର୍ପୋରେଟର ପ୍ରିତିନନ୍ଦା ରାଉତରାୟ, ଓଡିଶା ସଂଗୀତ ନାଟକ ଏକାଡେମୀ ଉପ ସଭାପତି ଶ୍ରୀ ମନ୍ମଥ କୁମାର ଶତପଥୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଲୋକକଳାର ସୁରକ୍ଷା ଓ ରଜ ପର୍ବ ପାଳନର ମହାନ ପରମ୍ପରା ସଂପର୍କରେ ନିଜ ନିଜର ମତାମତ ପ୍ରଦାନ କରିଥିଲେ।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଭାଗୀୟ ଉପ ନିର୍ଦ୍ଦେଶିକା ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉପଲକ୍ଷେ ବିଭାବରୀ ଫ୍ୟାଶନ ପକ୍ଷରୁ ଓଡିଆଣୀ ବେଶଭୂଷା ଉପରେ ସୁନ୍ଦର ପ୍ରଦର୍ଶନ କରାଯାଇଥିଲା।

ଲୁପ୍ତପ୍ରାୟ ଲୋକକଳାକୁ ପୁନଃ ଉଜ୍ବୀବିତ କରିବା ସହ ସଂପୃକ୍ତ କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୧୯ ମସିହାରୁ ଆଜିର ଦିନକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଲୋକକଳା ଦିବସ ଭାବେ ପାଳନ କରାଯାଉଛି।

କାର୍ଯ୍ୟକ୍ରମ ଶେଷରେ ସୋନପୁରର ଶାଶ୍ବତ ତ୍ରିପାଠୀ ଓ ସାଥି ମାନଙ୍କ ଦ୍ବାରା ସମ୍ବଲପୁରୀ ଲୋକନୃତ୍ୟ ଓ ଦିଗପହଣ୍ତିର ଶ୍ରୀ ବୃନ୍ଦାବନ ଜେନା ଓ ସାଥି ମାନଙ୍କ ପକ୍ଷରୁ ପ୍ରହଲ୍ଲାଦ ନାଟକ ପରିବେଷଣ କରାଯାଇଥିଲା। ଏହି ଅବସରରେ ବିଭାଗୀୟ ବରିଷ୍ଠ ଅଧିକାରୀ, ପ୍ରମୁଖ ଅଧିକାରୀ, ବୁଦ୍ଧିଜିବୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଓ ଲୋକ ସଂପର୍କ ବିଭାଗର ବରିଷ୍ଠ ଅଧିକାରୀ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ଚିଲିକା: ବଡକୁଳ ପାନ୍ଥନିବାସରେ ଧୁମଧାମରେ ପାଳିତ ହେଲା ରଜ ଉତ୍ସବ

ସୀତାରାମ ଅଗ୍ରୱାଲ

ଚିଲିକା: ଦେଶ ବିଦେଶରୁ ଚିଲିକାକୁ ପର୍ଯ୍ୟଟକଙ୍କ ଆଗମନ ଲାଗିରହିଛି। ମାତ୍ର ବର୍ତ୍ତମାନ ରଜ ମାହୋଲରେ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବଡକୁଳ ପାନ୍ଥନିବାସରେ ରଜ ଉତ୍ସବର ଆୟୋଜନ କରାଯାଇଛି। ଉକ୍ତ ରଜ ଉତ୍ସବକୁ ଆନୁଷ୍ଠାନିକ ଭାବେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ଉଦଘାଟନ କରିଥିବା ବେଳେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣାଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି, ଓଟିଡିସି କର୍ମଚାରୀ ଏବଂ ସାମ୍ବାଦିକମାନେ ଉପସ୍ଥିତ ଥିଲେ।

ରଜ ଉପଲକ୍ଷେ ପର୍ଯ୍ୟଟକଙ୍କ ଭରପୁର ମନୋରଞ୍ଜନ ନିମିତ୍ତ ରଜ ଦୋଳି, ସେଲଫି ପଏଣ୍ଟ ସ୍ଥାପନ କରାଯିବାସହ ରଜ ପାନ, ବିଭିନ୍ନ କିସମର ପିଠା ଓ ମିଠା ପ୍ରସ୍ତୁତ କରାଯାଇ ସୁଲଭ ମୂଲ୍ୟରେ ପର୍ଯ୍ୟଟକଙ୍କୁ ଓଟିଡିସି ପକ୍ଷରୁ ଯୋଗାଇବା ବ୍ୟବସ୍ଥା କରାଯାଇଥିଲା। ଯାହାକି ରଜ ପର୍ବରେ ଭରପୁର ମଜା ନେବାପାଇଁ ସ୍ଥାନୀୟ ବାସିନ୍ଦା ସମେତ ପର୍ଯ୍ୟଟକଙ୍କ ସମାଗମ ଦେଖିବାକୁ ମିଳିଛି।

ପାଗ ମୁଖ୍ୟତଃ କୋହଲା ରହିଥିବା ବେଳେ ଗୁଳୁଗୁଳି ହେତୁ ଦିନ ସମୟରେ ଅଳ୍ପ ସଂଖ୍ୟକ ପର୍ଯ୍ୟଟକ ଆସୁଥିବା ବେଳେ ଅପରାହ୍ନରେ ଖଚାଖଚ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। ଏସମ୍ବନ୍ଧରେ ପାନ୍ଥନିବାସ କର୍ତ୍ତୃପକ୍ଷ ସବ୍ୟସାଚୀ କରଙ୍କୁ ଯୋଗାଯୋଗ କରିବାରେ ପର୍ଯ୍ୟଟକଙ୍କୁ ରଜର ମଜା ନେବାପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ବହୁ ଧୁମଧାମରେ ପାଳନ କରାଯାଇଛି।

ଏଥିସହିତ ଏହି କାର୍ଯ୍ୟକ୍ରମ ଦୀର୍ଘ ତିନି ଦିନ ଧରି ଚାଲୁ ରହିବାସହ ବିଭିନ୍ନ କିଶମର ପିଠା, ମିଠା ପ୍ରସ୍ତୁତି ସହିତ ରଜ ପାନର ମଜା ସମସ୍ତ ପର୍ଯ୍ୟଟକ ମାନେ ନେଇପାରିବେ ବୋଲି ଶ୍ରୀ କର କହିଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ରଜ ଉତ୍ସବ ପାଇଁ ଟ୍ରେଣ୍ଡ୍‌ସର ‘ରଜ ରାଜକୁମାରୀ’ ପ୍ରତିଯୋଗିତା ଶୁଭାରମ୍ଭ

ଭୁବନେଶ୍ୱର: ପାର୍ବଣ ଋତୁରେ ଗ୍ରାହକଙ୍କ ପାଇଁ ଖୁସି ଓ ଆନନ୍ଦ ଆଣିବା ଲକ୍ଷ୍ୟରେ ଦେଶର ସର୍ବବୃହତ୍ ଏବଂ ଦ୍ରୁତ ଅଭିବୃଦ୍ଧି ହାସଲକାରୀ ପୋଷାକ ଓ ଆସେସୋରିଜ୍ ସ୍ପେସାଲିଟି ଚେନ୍ ରିଲାଏନ୍ସ ରିଟେଲ୍ ର ଟ୍ରେଣ୍ଡ୍‌ସ ପକ୍ଷରୁ ରଜ ରାଜକୁମାରୀ ଅଭିଯାନ ଘୋଷଣା କରାଯାଇଛି। ଓଡ଼ିଶାର ଲୋକପ୍ରିୟ ରଜ ପର୍ବ ପାଳନକୁ ଦୃଷ୍ଟିରେ ରଖି ଏହି ଅଭିଯାନ ଆରମ୍ଭ ହୋଇଛି।

ରଜ ଉତ୍ସବକୁ ଅଧିକ ଆକର୍ଷଣୀୟ ଏବଂ ଆନନ୍ଦଦାୟକ କରିବା ଲାଗି ଟ୍ରେଣ୍ଡ୍‌ସ ଏହାର ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ସ୍ୱରୂପ ଏକ ବିଶେଷ ଅଫର ଆଣିଛି। ଯେଉଁ ଗ୍ରାହକମାନେ ୩୯୯୯ ଟଙ୍କା ଏବଂ ଅଧିକ ମୂଲ୍ୟର କିଣାକିଣି କରିବେ ସେମାନେ ମାତ୍ର ୨୪୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଇବେ। ଏଥିସହିତ ସେହି ଗ୍ରାହକମାନଙ୍କୁ ୨୦୦୦ ଟଙ୍କା ମୂଲ୍ୟର କୁପନ ବି ପ୍ରଦାନ କରାଯିବ। ଏଥିସହିତ ଗ୍ରାହକମାନେ ସ୍ୱତନ୍ତ୍ର ରଜ ରାଜକୁମାରୀ ପ୍ରତିଯୋଗିତାରେ ଭାଗ ନେଇ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ପାଇପାରିବେ।

ରଜ ପର୍ବ ଅବସରରେ ଟ୍ରେଣ୍ଡ୍‌ସ ଏହାର ଗ୍ରାହକମାନଙ୍କୁ ‘ସ୍ପିନ୍ ଟୁ ୱିନ’ ଖେଳିବା ଏବଂ ଟ୍ରେଣ୍ଡ୍‌ସ ସହିତ ସେମାନଙ୍କର ରଜ ଲୁକ୍ ସେୟାର କରିବା ସୁଯୋଗ ଆଣିଛି। ଗ୍ରାହକମାନେ ‘ସ୍ପିନ୍ ଟୁ ୱିନ’ ଖେଳିପାରିବେ କିମ୍ବା ସେମାନଙ୍କ ରଜ ଲୁକ୍ ଆବେଦନ (ଏଂଟ୍ରି) ଗୁଡ଼ିକୁ www.trendsrajarajakumari.com ରେ ଦାଖଲ କରିପାରିବେ।

ଗ୍ରାହକମାନେ ମଧ୍ୟ ସେମାନଙ୍କର ରଜ ଲୁକ୍‌, ସେଲିବ୍ରେସନ ଭିଡିତ୍ତ୍ୱତ୍ତ୍ୱଓ/ ରିଲ୍‌ଗୁଡ଼ିକୁ ସେମାନଙ୍କର ଫେସବୁକ୍ ଓ ଇନଷ୍ଟାଗ୍ରାମ ପେଜ୍‌ରେ #trendsrajarajakumari ହାସ୍‌ଟ୍ୟାଗ୍ ସହିତ ପୋଷ୍ଟ୍ କରିପାରିବେ।

ଟ୍ରେଣ୍ଡ୍‌ସ ହିଁ ବାସ୍ତବରେ ଭାରତରେ ଫେସନକୁ ସବୁବର୍ଗର ଲୋକଙ୍କ ପାଖରେ ପହଂଚାଇଛି। ମେଟ୍ରୋଠାରୁ ଆରମ୍ଭ କରି ମିନି ମେଟ୍ରୋ, ଟାଏର-୧, ଟାଏର-୨ ସହର ଏବଂ ଅନ୍ୟାନ୍ୟ ସ୍ଥାନର ଗ୍ରାହକଙ୍କ ନିକଟରେ ଟ୍ରେଣ୍ଡ୍‌ସ ପହଂଚି ଗ୍ରାହକଙ୍କ ସହିତ ସଂପର୍କ ମଜଭୁତ କରିଛି ଏବଂ ଭାରତର ଲୋକପ୍ରିୟ ଫେସନ ସ୍ଥଳୀରେ ପରିଣତ ହୋଇଛି।

ଟ୍ରେଣ୍ଡ୍‌ସ ଷ୍ଟୋର୍‌ଗୁଡ଼ିକରେ ଆଧୁନିକତାର ସ୍ପର୍ଶ ରହିଛି। ଏଥିସହିତ ଗ୍ରାହକମାନଙ୍କ ପାଇଁ ଷ୍ଟୋରଗୁଡ଼ିକରେ ମନଲୋଭା ପରିବେଶ ଏବଂ ଆକର୍ଷଣୀୟ ରେଞ୍ଜର ଉତମ ମାନର ଫେସନ ସାମଗ୍ରୀ ଉପଲବ୍ଧ ରହଛି। ସ୍ଥାନୀୟ ଅଂଚଳର ଗ୍ରାହକମାନଙ୍କ ଆବଶ୍ୟକତା ଓ ପକେଟକୁ ଦେଖି ସୁଲଭ ମୂଲ୍ୟରେ ସାମଗ୍ରୀ ବିକ୍ରିର ବ୍ୟବସ୍ଥା ହୋଇଛି ଯାହାଦ୍ୱାରା ସେମାନେ ସେମାନଙ୍କ ଅର୍ଥର ସର୍ବୋତମ ମୂଲ୍ୟ ପାଇପାରିବେ।

ଓଡ଼ିଶାର ଗ୍ରାହକମାନେ ଟ୍ରେଣ୍ଡ୍‌ସ ଷ୍ଟୋରଗୁଡ଼ିକରୁ ଟ୍ରେଣ୍ଡି ଓମେନ୍‌ସ ୱେର, ମେନ୍ସ ୱେର, କିଡ୍‌ସ ୱେର ବର୍ଗରେ ବିଭିନ୍ନ ସ୍ୱତନ୍ତ୍ର ପୋଷାକ ଓ ଫେସନ ଆସେସୋରିଜ ଆଦି ସର୍ବୋତମ ମୂଲ୍ୟରେ କିଣାକିଣି କରିବାର ଅନନ୍ୟ ଅନୁଭୂତି ପାଇପାରିବେ।

Categories
ଆଞ୍ଚଳିକ ସଂସ୍କୃତି

ଚିଲିକା ସ୍ଥିତ ବଡ଼କୁଳ ପାନ୍ଥନିବାସ ଠାରେ ଉଦଘାଟିତ ହେଲା ରଜ ଉତ୍ସବ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ସ୍ଥିତ ବଡ଼କୁଳ ପାନ୍ଥନିବାସ ଠାରେ ଗଣ ପର୍ବ ରଜ ଉତ୍ସବ ବହୁ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ପାନ୍ଥନିବାସ ପ୍ରବନ୍ଧକ ସବ୍ୟସାଚୀ କରଙ୍କ ପୌରହିତ୍ୟରେ ଆୟୋଜିତ ଉକ୍ତ ଉତ୍ସବକୁ ବଡ଼କୁଳ ସରପଞ୍ଚ ପ୍ରହଲ୍ଲାଦ ବେହରା ଓ ଡୁଙ୍ଗମାଳ ସରପଞ୍ଚ ଗଣେଶ୍ୱର ସ୍ୱାଇଁ ମିଳିତ ଭାବେ ଉଦଘାଟନ କରିଥିବାବେଳେ ସ୍ଥାନୀୟ ଜନ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଏବଂ ଓଟିଡିସି କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ନୌବିହାର ପାଇଁ ବଡ଼କୁଳ ପାନ୍ଥନିବାସ କୁ ଦେଶ ବିଦେଶରୁ ସଦାସର୍ବଦା ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପାନ୍ଥନିବାସରେ ରଜ ଉତ୍ସବର ଆୟୋଜନ କରାଯାଇଛି। ରଜ ପର୍ବ ଉପଲକ୍ଷେ ରଜ ପାନ,ବିଭିନ୍ନ କିସମର ପିଠା ଓ ମିଠା ପ୍ରସ୍ତୁତ କରାଯାଇ ସୁଲଭ ମୂଲ୍ୟରେ ପର୍ଯ୍ୟଟକଙ୍କୁ ଯୋଗାଇ ଦେଇଥାଏ ପାନ୍ଥନିବାସ।

ଏଥିସହିତ ରଜ ଦୋଳିର ମଜା ନେବାପାଇଁ ପାନ୍ଥନିବାସ ପରିସରରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରଜଦୋଳିର ମଧ୍ୟ ବ୍ୟବସ୍ଥା କରାଯାଇଛି। ଶ୍ରୀ କରଙ୍କ ସୂଚନା ମୁତାବକ ଏହି ଗଣପର୍ବ ୨୦୧୫ ମସିହାରୁ ଏଠାରେ ପାଳିତ ହୋଇଆସୁଥିବା ବେଳେ ଗତ ଦୁଇ ବର୍ଷ କରୋନା କଟକଣା ନିମନ୍ତେ ବନ୍ଦ ଥିଲା।ମାତ୍ର ଚଳିତ ବର୍ଷ କରୋନା ର ପ୍ରକୋପ କମିବାପରେ ପୁଣି ପାରମ୍ପରିକ ଭାବେ ଏହି ଉତ୍ସବ ପାଳନ କରାଯାଇଛି। ଏହି ପର୍ଵ ଦୀର୍ଘ ତିନି ଧରି ପାଳନ କରାଯିବ।