Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଏବେ ବି ମନେପଡେ ମଣିନାଗ ପୀଠରେ ସେହି ଲୋମ ହର୍ଷଣକାରୀ ରଜ ସଂକ୍ରାନ୍ତି

ରଣପୁର: ରଣପୁରର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ ମଣିନାଗ ପୂଜା ପାଆନ୍ତି। ପାହାଡ ଶିଖରରେ ମଣିନାଗ ପୂଜା ପାଉଥିବାବେଳେ ପାହାଡ ପାଦ ଦେଶରେ ବି ମା’ ମଣିନାଗ ପୂଜା ପାଆନ୍ତି। ପ୍ରତିଦିନ ଏଠାକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକଙ୍କ ସୁଅ ଛୁଟେ। କିନ୍ତୁ ୧୯୮୪ ମସିହାର ସେହି ଲୋମ ଟାଙ୍କୁଳା କଥା ମନେ ପଡିଲେ ଲୋମ ଟାଙ୍କୁଳି ଉଠେ। ରଜ ସଂକ୍ରାନ୍ତି ଆସିଲେ ସେଇ ଲୋମ ହର୍ଷଣକାରୀ ଘଟଣା ରଣପୁରବାସୀଙ୍କୁ ମନେ ପକାଇ ଦିଏ ପୁଣି ଥରେ।

କିମ୍ବଦନ୍ତି ଅନୁଯାୟୀ ନୀଳମାଧବ ଅନ୍ତର୍ଦ୍ଧାନ ହୋଇ ଦାରୁବ୍ରହ୍ମ ରୁପରେ ଶ୍ରୀକ୍ଷେତ୍ର ପୁରୀ ଚାଲିଯାଇଥିଲେ। ନୀଳମାଧବ ଙ୍କ ସହ ଶବର ରାଜା ବିଶ୍ୱାବସୁ ମଧ୍ୟ ଶ୍ରୀକ୍ଷେତ୍ର ଚାଲିଯାଇଥିଲେ। ଜଗନ୍ନାଥ ଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଶ୍ୱାବସୁଙ୍କ ସାନଭାଇ ବିଶ୍ୱବାସବ ନୀଳମାଧବଙ୍କ ଆସ୍ଥାନକୁ ରଣପୁର ପାହାଡରେ ରଖି ପୂଜା କରୁଥିଲେ। ସେହିଦିନ ଠାରୁ ମଣିନାଗ ରଣପୁରରେ ଅଗ୍ରଦେବୀ ଭାବେ ପୂଜା ପାଉଥିଲେ।

କିନ୍ତୁ ପରେ ରାଜା ରାଜୁଡା ଅମଳରେ ଦୁର୍ଗମ ପାହାଡ ଦେଇ ଭକ୍ତ ମାନେ ପାହାଡ ଶିଖରକୁ ଯାଇ ଦର୍ଶନ କରି ପାରୁ ନ ଥିଲେ। କିଛି ଭକ୍ତ ଦୁର୍ଗମ ପଥ ଦେଇ କଷ୍ଟସାଧ୍ୟ ପହାଡ ଶିଖରକୁ ଯାଇ ମା’ଙ୍କୁ ଦର୍ଶନ କରୁଥିଲେ। ପରେ ମଣିନାଗଙ୍କ ସ୍ୱପ୍ନାଦେଶ ଅନୁଯାୟୀ ପାହାଡ ପାଦଦେଶରେ ମଣିନାଗ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ଯାହା ତଳମଣିନାଗ ପୀଠ ଭାବେ ପରିଚିତ।

ଏହି ପୀଠକୁ ପ୍ରତିଦିନ ଭକ୍ତଙ୍କ ସୁଅ ଛୁଟେ। କିନ୍ତୁ ୧୯୮୪ ମସିହାର ସେହି ଲୋମ ହର୍ଷଣକାରୀ କଥା ଏବେବି ରଣପୁରବାସୀ ଭୁଲି ପାରି ନାହାନ୍ତି। ପ୍ରତି ବର୍ଷ ତଳମଣିନାଗ ପୀଠରେ ରଜ ଚାରିଦିନ ଧରି ଉତ୍ସବ ପାଳନ ହୁଏ।

ଏହି ରଜ ଉତ୍ସବରେ ପୁରୁଣାବସନ୍ତରୁ ନାରାୟଣୀ ଦେବୀ ଏକ ବିରାଟ ଶୋଭାଯାତ୍ରାରେ ମଣିନାଗ ପୀଠକୁ ଆସନ୍ତି। ଚାରିଦିନ ଧରି ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଚାଲେ। କିନ୍ତୁ ୧୯୮୪ ମସିହା ରଜ ସଂକ୍ରନ୍ତି ଶନିବାର ରାତିରେ ଘଟିଲା ଏକ ଅଘଟଣ, ତଳମଣିନାଗ ପୀଠରେ ରାତିସାରା ସଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ଏକ ବଙ୍ଗାଳି ଲୋକର ପ୍ରରୋଚନାରେ ରଣପୁର ଅଚଂଳର ଜୈନିକ ବ୍ୟକ୍ତି ତିନୋଟି କମଳ ମତି ଶିଶୁ କୁ ଉପର ମଣିନାଗ ନିଆଯାଇ ଅତି ନିମ୍ମମ ଭାବେ ହତ୍ୟା କରାଯାଇଥିଲା। ଯାହାକୁ ଓଡିଶାରେ ରଣପୁର ନରବଳି ଭାବେ ଚର୍ଚ୍ଚା ଜୋରଧରିଥିଲା। ତିନୋଟି କୋମଳମତି ଶିଶୁ କୁ ମିଛ ପ୍ରଲୋଭନ ଦେଖାଇ ପାହାଡ ଶିଖରକୁ ନିଆଯାଇ ମଣିନାଗ ପୀଠରେ ବଳିପକାଯାଇଥିଲା।

ଏହି ଘଟଣା ଜଣାପଡିବାପରେ ରଣପୁର ଅଚଂଳ ସ୍ତବ୍ଧ ହୋଇଯାଇଥିଲା। ଶହ ଶହ ଲୋକ ଉପର ମଣିନାଗ ଯାଇ ରୁଣ୍ଡ ହୋଇଥିଲେ। ଉତ୍ୟକ୍ତ ଲୋକଙ୍କୁ ବୁଝାଇବାପାଇଁ ସେତେବେଳେ ପୁଲିସ ନାକେଦମ ହୋଇଥିଲା। ଏହି କଥା ଗଣ ମାଧ୍ୟମରେ ପ୍ରକାଶ ପାଇବାପରେ ଓଡିଶାରେ ହଇଚଇ ସୃଷ୍ଟି ହୋଇଥିଲା। ତତକାଳିନ ଜାନକୀ ପଟ୍ଟନାୟକ ସରକାର କୁ ବିରୋଧୀ ମାନେ କଡା ସମାଲୋଚନା କରିଥିଲେ।

ପରେ ସରକାର ଙ୍କ ହସ୍ତକ୍ଷପ ରେ କିଛି ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଥିଲା। ସେଦିନର ଏହି ଘଟଣା ପରେ ତଳମଣିନାଗ ପୀଠରେ ସେବା ନୀତିରେ ହୋଇଥିଲା ବ୍ୟାପକ ପରିବର୍ତ୍ତନ। ସଂପୂର୍ଣ୍ଣ ଭାବେ ସେହିଦିନ ଠାରୁ ମା’ ଙ୍କ ପୀଠରେ ବଳିପ୍ରଥା ଓ ଆମିଷ ପୂଜନ ବନ୍ଦ ହୋଇଯାଇଥିଲା। ତିନୋଟି ପରିବାରର ତିନୋଟି କୋମଳମତି ଶିଶୁମାନଙ୍କୁ ହରାଇଥିଲେ। କିନ୍ତୁ ଦୀର୍ଘ ଦିନ ବିଚାରପରେ ଅପରାଧି କୁହାଯାଉଥିବା ଅଭିଯୁକ୍ତମାନେ ସାକ୍ଷୀ ଅଭାବରୁ ହାଇକୋର୍ଟରୁ ନିର୍ଦ୍ଦୋଶରେ ଖଲାସ ହୋଇଥିଲେ।

ପ୍ରତିବର୍ଷ ରଜ ସଂକ୍ରାନ୍ତି ଆସିଲେ ସେଇ ଲୋମ ହର୍ଷଣକାରୀ ଘଟଣା ଲୋକମାନଙ୍କ ମନରେ ଏବେବି ଆନ୍ଦୋଳିତ କରିଥାଏ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଯିଏ ରଜଗୀତଟି ସଂପୂର୍ଣ୍ଣ ବୋଲି ପାରିବ ତାଙ୍କୁ ମିଳିବ ମାଗଣା ପୋଡପିଠା, ଚେଷ୍ଠା କରନ୍ତୁ

ଭୁବନେଶ୍ବର: ସାଧାରଣତଃ ରଜଗୀତଟି ଓଡିଶାର ପୁରପଲ୍ଲୀରେ ବେଶ୍ ଆଦୃତି ଲାଭ କରିଛି। ଏହି ଏକ ଲୋକଗୀତା ଯାହା ପିଢି ପରେ ପିଢି ଗାଇ ଆସୁଛନ୍ତି। ଏହି ଗୀତକୁ କିଏ ରଚନା କରିଛି ତାହା ଏ ପର‌୍ୟ୍ୟନ୍ତ କେହି ଜାଣନ୍ତି ନାହିଁ। ହେଲେ ଏହା ଓଡିଶାର ଏ ପ୍ରସିଦ୍ଧି ଲୋକଗୀତ ଭାବେ ବେଶ ମାନ୍ୟତା ହାସଲ କରିଆସିଛି।

ଏହି ଗୀତର ପ୍ରଥମ ଧାଡି ପ୍ରାତଃ ସମସ୍ତେ ଅବଗତ ଅଛନ୍ତି। ତାହା ହେଲା ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ । ହୁଏତ ଏହାପରେ ଆଉ ଦୁଇ ତିନି ଧାଡି କାହାର ମନେ ଥିବା। ମାତ୍ର ପୁରା ଗୀତଟି କାହାର ମନେ ନ ଥିବ। ଆପଣ ଜାଣିଲେ ଆଶ୍ଚର‌୍ୟ୍ୟ ହେବେ ଯେ, ଏହି ଗୀତଟିରେ ରହିଛି ୩୭ଟି ବହୁତ ମଜାଳିଆ ପଦ। ସମସ୍ତ ପଦଗୁଡିକ ଓଡିଶାର ସାମାଜିକ ଜୀବନ ,ଲୋକ ସଂସ୍କୃତି ଓ ଲୋକକଳା ସହିତ ଓତଃପ୍ରାତ ଭାବେ ଜଡିତ।

ସଂପୂର୍ଣ୍ଣ ରଜ ଗୀତ

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ ।
ରାଶିରୁ ଛାଡ଼ିଲା ଚୋପା, ଗୋଡ଼ରେ ନାଇଛୁ ସରୁ ଅଳତା ଲୋ, ମଥାରେ ସିନ୍ଦୂର ଟୋପା ।
ଉଡ଼ିଲା ଶୁଆ ନାହାକା, ଦୋଳିଟା କାହିଁକି ଲାଗୁଛି ଏକା ଲୋ, କାହା ବିନା ଏକା ଏକା ।
ପାଚିଲା ଭଇଁଚ କୋଳି, ବେକରେ ନାଇଚି ଗଜରା ମାଳି ଲୋ, ଝୁଲାଅ ରଜର ଦୋଳି ।
ପଣସ ପାଚିଲା ବନେ, ବନ ପୋଡ଼ିଗଲେ ଦୁନିଆ ଜାଣେ ଲୋ, ମନକଥା କିଏ ଜାଣେ ।
ଶଙ୍ଖ ମଲମଲ ଗିନା, ଦରଦ ଜାଣେଲୋ ଦରଦୀ ସିନା ଲୋ, ବଣିଆ ଚିହ୍ନେଟି ସୁନା ।
ନିମ୍ବର ବୁକେ ଚନ୍ଦନ, ଦେବତା ଗଢ଼ାଇଲା ନାରୀ ଜୀବନ ଲୋ, ଦେଲା ତହିଁ ଯଉବନ ।
ଢମଣା ଛାଡ଼ିଲା କାତି, ପୁରୁଷ ସିନାଲୋ ଭ୍ରମର ଜାତି ଲୋ, ନୂଆ ଖୋଜୁଥାନ୍ତି ନିତି ।
ଚାନ୍ଦରେ କଳଙ୍କ ଚିହ୍ନ, ନବ ଯଉବନି କିଆଁ ଗୁମାନ ଲୋ, ଆସିଲେଣି ଜୀବ ଧନ ।
ପୋଖରୀ ତୁଠ ପଥର, ତତେ ଦେଖିଥିଲି ବାଲି ବନ୍ଧରେ ଲୋ, ଆଖି ଥିଲା ଏଣେ ତୋର ।
ସାହାଡ଼ା ଗଛର ଛାଇ, ସେଦିନ କଥାକି ତୋ ମନେ ନାଇଁ ଲୋ, ଏତେ ଆନମନା କାହିଁପାଇଁ ।
ଖୋସାରେ ଖୋସିଲି ଫୁଲ, କେତେ ଦେଖାଉଛୁ ନୁଖୁରା ଗେଲରେ,ଭାଙ୍ଗି ଦେବି ତୋର ଗାଲ।
ନଈର ଶୁଖିଲା ବାଲି, କେତେ ଫୁଲି ହେଉ ପୁଚୁକିଗାଲି ଲୋ, ଦେଖାଉଛୁ କେତେ ବେଲି ।
ବାଜିଲା ତେଲିଙ୍ଗି ବାଜା, ରସିକ ଯେ ଜାଣେ ସ୍ନେହର ମଜା ରେ, ସେ ସିନା ମୋମନ ରଜା ।
ଲୁଚିଗଲା ମେଘେ ଚାନ୍ଦ, ଦୋଳି କଟକଟ କରେ ଶବଦ ଲୋ, ବହନ୍ତେ ପବନ ମନ୍ଦ ।
ଦୋଳି ହୁଏ ରଟରଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ, ଦିଶୁଥାଏ ଝଟଝଟ ।
ପରବତେ ଜଳେ ନିଆଁ, ପହଞ୍ଚାଇ ଦୋଳି ତେଣେ ନ ଚାହାଁ ଲୋ, ପୁଣି ହେବ ବାଆଁ ଡାଁ ।
ଉତୁରି ପଡ଼ିଲା ଦୁଧ, ଉଙ୍କି ମାରି ମାରି ଅନାଉ ଥାଏ ଲୋ, ନନ୍ଦର ଉଦିଆ ଚାନ୍ଦ ।
ଛତରା ବଜାର ହାଟ, ଛକି ବସିଥିବ ଚଗଲା କାହ୍ନୁଲୋ, ଛନ୍ଦରେ ମାଗିବ ଘାଟ ।
ଥୋଡ଼ମଞ୍ଜା କଲି ରାଇ, କଣ ନ କଲେ କଳା କହ୍ନାଇ ଲୋ, ମୁହଁକୁ ଯା ନ ଅନାଇ ।
କରମଙ୍ଗା କଲି ରାଇ, ମଥୁରାକୁ ଗଲେ କଳା କହ୍ନାଇ ଲୋ, କଣ୍ଟ ଦେଇ ଗଲେ କାହିଁ ।
ସାଉଁଟିଲି ବିଲ ଘଷି, କିମ୍ପାଇଁ ରାଧିକା ବସିଲା ରୁଷି ଲୋ, ଫୁଲ ଶେଜ ହେଲା ବାସି ।
କଟକଟ ହୁଏ ଦୋଳି, ଭାଉଜଙ୍କ ମନ ଯାଇଛି ଜଳି ଲୋ, ଭାଇ ବିଦେଷୁ ନଇଁଲେ ବୋଲି ।
ଗରଜେ କଳା ବଉଦ, ମୋତେ ତ ବରଷ ହେଲା ଚଉଦ ଲୋ, ଗଲାଣି ପିଲା ସୁଆଦ ।
ବଇଁଶୀ ବାଜିଲା କୁଞ୍ଜେ, ବଡ଼କଥା ବଡ଼ ଲୋକଙ୍କୁ ସାଜେ ଲୋ, ଛୋଟ କଲେ ଛାଟ ବାଜେ ।
ଲାଞ୍ଜ ଟେକିଗଲା ବାଘ, ନଇଁ ଚାଲୁଥିବ ବଡ଼ଙ୍କ ଆଗେ ଲୋ, ଲାଗିବ ନାହିଁଟି ଦାଗ ।
ଛତୁ ଫୁଟେ ବରଷାରେ, ଛତରାଟା କେତେ ଛଇ ଦେଖାଉ ରେ, ଅଛି କି ତୋ ଭରଷାରେ ।
କରଡ଼ି ଖସିଲା ଆମ୍ବ, ପର କାହୁଁ ଘର ପରାଣୀ ହେବେ ରେ, ମନ ଜାଣି ଖଞ୍ଜି ଦେବ ।
ବିରାଡ଼ି ଛିଙ୍କିଲା ବଣେ, ଆଗରେ ଯାଉଛି ନାଗର ଜଣେ ଲୋ, ମୁଣ୍ଡି ଝାଡୁ ଖାଲି ପଣେ ।
ଅଦିନେ ପଣସ ସିଠା, ବଚନରେ ଯାର ନଥଏ ମିଠା ଲୋ, ସେଟା ବାଡ଼ ପକା କଣ୍ଟା ।
ପାହାନ୍ତି ରାବିଲେ ପେଚା, ଯିଏ ହୋଇଥିବ ସିଂହର ବଚା ଲୋ, ନ ଦେବ ପଛଘୁଞ୍ଚା ।
ମଇଁଷି ଶିଙ୍ଗରେ ଖସା, ମଉସା ପୁଆଟା ଏଡ଼େ ସହସା ଲୋ, ମତେ କଲା ଲୋକହସା ।
ଜାରା ମାରିଦେଲା ବାଣ ଯାହାଠାରେ ଯାର ମିଶିଛି ମନ ଲୋ, ସେହି ଜାଣେ ତାର ଗୁଣ ।
କାଟି ଗଲି କଳାଦୁବ, ଝିଅ ଜନମରେ ଏତିକି ଲାଭ ଲୋ, ବନ୍ଧୁ ଘର ଅରଜିବ ।
କାଳୀଗାଇ ଧୁଧ କ୍ଷୀରି, ନୂଆ ପୀରତିରେ ମଉଜ ଭାରି ଗୋ, ପୁରୁଣାଟି ନିମ୍ବ ପରି ।
ଆମ୍ବ ପତ୍ର ଗହଳିଆ, ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆଲୋ, ତୋଫା ହେବଟି ଧୁଳିଆ ।
ଥିରି ଥିରି ଚାଲେ ହାତୀ, ଥୟ ନ ହେଉଛି କିମ୍ପା ଏ ଛାତି ଲୋ, ଥକା ଦୋଳି ହେଲା ରାତି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରଜ ସଂକ୍ରାନ୍ତି ଦିନ ବାଣପୁର ପୋଲିସର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ: ୯ ଜୁଆଡ଼ି ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ରଜ ସଂକ୍ରାନ୍ତି ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାର ଏକାଧିକ ଅଞ୍ଚଳରେ ବେଆଇନ ଜୁଆ ଆଡ୍ଡା ଚାଲିଥିବା ବେଳେ ଆଇଆଇସି ରଶ୍ମିରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଆଜି ସମ୍ପୃକ୍ତ ସ୍ଥାନଗୁଡିକରେ ଚଢ଼ାଉ କରାଯାଇ ୯ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି।  ସେମାନଙ୍କ ନିକଟରୁ ନକଦ ୩୦ ହଜାର ଟଙ୍କା, ତାସ ପତି, ତାରପାଉଲିନ ଇତ୍ୟାଦି ସମେତ ଜୁଆଖେଳରେ ବ୍ୟବହୃତ ଅନେକ କାଗଜପତ୍ର ଜବତ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

ଏହି ପରିପ୍ରେକ୍ଷୀରେ ପୋଲିସ ୩ ଓପିଜି ଅଧିନିୟମ ଅନୁଯାୟୀ କେଶ ନମ୍ବର ୨୩୭/୨୨ ଏବଂ ୨୩୮/୨୨ ରେ ଦୁଇ ଗୋଟି ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ ଦିନ ପାଇଁ ହେଲା ସରକାରୀ ଛୁଟି ଘୋଷଣା

ଭୁବନେଶ୍ବର: ଆଗାମୀ ରଜ ପର୍ବ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲାରେ ଶେଷ ରଜ (ଭୂଦାହ) ଜୁନ – ୧୬ ତାରିଖରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ରଜ ପର୍ବ ଉପଲକ୍ଷେ ଜୁନ ୧୪ ତାରିଖ,୧୫ ତାରିଖ ସରକାରୀ ଛୁଟି ରହିଛି । ବର୍ତ୍ତମାନ ଲଗାତର ତିନିଦିନ ପାଇଁ ଛୁଟି ଘୋଷଣା କରାଗଲା।

ପ୍ରକାଶ ଯୋଗ୍ୟ ଯେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପତ୍ର ସଂଖ୍ୟା – ୩୪୫୭୮ ତା ୧୭.୧୧.୨୦୨୧ ଅନୁଯାୟୀ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବିଜ୍ଞପ୍ତି ନମ୍ବର – ୧୮୨୫ ତା ୨୧.୦୨.୨୦୨୨ ଅନୁସାରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ରାଜସ୍ୱ ଆୟୁକ୍ତ ତାଙ୍କ କାର୍ଯ୍ୟ ପରିସରରେ ଥିବା ନିର୍ଦ୍ଧିଷ୍ଟ ଜିଲ୍ଲାରେ ଗୋଟିଏ ଦିନ ସରକାରୀ ସ୍ଥାନୀୟ ଛୁଟି ଘୋଷଣା କରିଥା’ନ୍ତି ।

ଏହି ଆଧାରରେ ଆଗାମୀ ଜୁନ ୧୬ ତାରିଖକୁ ସରକାରୀ ଛୁଟି ଘୋଷଣା କରାଯାଇଛି।