ସଂପଦ ଦଳାଇ
ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟ ରାୟ ଦେବା ପରେ ବର୍ତ୍ତମାନ ଏହାକୁ ନେଇ ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଛି। ସମସ୍ତଙ୍କ ମନରେ ପ୍ରଶ୍ନ, ଯଦି କରୋନା ଆକ୍ରାନ୍ତ ବଢୁଥିବା ବେଳେ ବସ ଚାଲିବାକୁ ଅନୁମତି ମିଳିଛୁ, ବିମାନ ଉଡିବାକୁ ଅନୁମତି ଦିଆଯାଉଛି, ଟ୍ରେନ ଗଡିପାରୁଛି, ତେବେ ରଥ ଗଡିବାରେ ବାଧା ଉପୁଜିଲା କାହିଁକି। ସେସବୁ କ୍ଷେତ୍ରରେ ନା ରାଜ୍ୟ ସରକାର ନା କେନ୍ଦ୍ର ସରକାର କେହି ବି କୋର୍ଟ ଗଲେ ନାହିଁ। ହେଲେ ଯେତେବେଳେ ରଥ ଗଡିବା ସମୟ ଆସିଲା ସୁପ୍ରିମକୋର୍ଟକୁ ଆଢୁଆଳ କରି ଏହାକୁ ବନ୍ଦ କରିବା କେତେ ଦୂର ଯୁକ୍ତିଯୁକ୍ତ। ଏହିପରି ପ୍ରଶ୍ନ ବର୍ତ୍ତମାନ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଆନ୍ଦୋଳିତ କରିବାରେ ଲାଗିଛି।
ଏ ସଂପର୍କରେ ବିସ୍ତୁତ ତଥ୍ୟ ରଖିବା ପୂର୍ବରୁ ସୁପ୍ରିମ କୋର୍ଟରେ ହୋଇଥିବା ତର୍କବିତର୍କ ସଂପର୍କରେ ଆଲୋଚନା କରାଯାଇପାରେ। କୋଭିଡ19 ପାଇଁ ରଥଯାତ୍ରା ବନ୍ଦ କରାଯାଉ ବୋଲି ଓଡିଶା ବିକାଶ ପରିଷଦ ନାମକ ଏକ ସଂସ୍ଥା ତରଫରୁ ସୁପ୍ରିମକୋର୍ଟରେ ଏକ ମାମଲା ଦାୟାର କରାଯାଇଥିଲା। ସେଥିପାଇଁ ପରିଷଦ ତରଫରୁ ବରିଷ୍ଠ ଓକିଲ ମୁକୁଲ ରୋସ୍ତଗୀ, ବରିଷ୍ଠ ଓକିଲ ରଂଜୀତ କୁମାର ପ୍ରମୁଖଙ୍କୁ ନିଯୁକ୍ତ ଦିଆଯାଇଥିଲା।
ହେଲେ ରାଜ୍ୟ ସରକାରଙ୍କ ତରଫରୁ ଦେଶର ନାମଜାଦା ଓକିଲ ହରିଶ ସାଲଭେଙ୍କ ସହିତ ବଛାବଛା 24 ଜଣ ଓକିଲଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହି ମାମଲା ତିନି ଜଣିଆ ଖଣ୍ଡପିଠ ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ଏ ବୋଡେ, ଜଷ୍ଟିସ ଦୀନେଶ ମାହେଶ୍ବରୀ ଏବଂ ଜଷ୍ଟିସ ଏ.ଏସ ବୋପାନ୍ନାଙ୍କ କୋର୍ଟରେ ଶୁଣାଣି ହୋଇଥିଲା।
ତେବେ ଶୁଣାଣି ବେଳେ ସରକାରଙ୍କ ତରଫରୁ ଯେପରି ଯୁକ୍ତି କରିବା କଥା ତାହା ପରିଦୃଷ୍ଟ ହୋଇ ନ ଥିଲା। କାରଣ ସରକାରଙ୍କ ତରଫରୁ ଯୁକ୍ତି ଉପସ୍ଥାପନା କରୁଥିବା ଦେଶର ବରିଷ୍ଠ ଓକିଲ ହରିଶ ସାଲଭେ କୋର୍ଟରେ କହିଥିଲେ ଯେ, ଗତ ବର୍ଷ ରଥଯାତ୍ରାରେ ପ୍ରାୟ 20 ଲକ୍ଷ ଭକ୍ତ ଉପସ୍ଥିତ ଥିଲେ। ସେହିପରି ଚଳିତ ବର୍ଷ ମଧ୍ୟ ଏହି ରଥଯାତ୍ରାରେ ପ୍ରାୟ 20 ଲକ୍ଷ ଭକ୍ତ ଯୋଗ ଦେବାରେ ସମ୍ଭାବନା ଅଛି। ଯଦି ଗୋଟିଏ ସ୍ଥାନରେ ଏତେ ସଂଖ୍ୟାରେ ଭକ୍ତ ବା ଲୋକ ଏକାଠି ହୁଅନ୍ତି ତେବେ ସେଠାରେ କୋଭିଡ19 ଭୁତାଣୁ ସଂକ୍ରାମଣ ହେବା ନିଶ୍ଚିତ। ସେଥିପାଇଁ ଚଳିତ ବର୍ଷ ଏହି ରଥଯାତ୍ରାକୁ ବନ୍ଦ କରାଯାଉ ବୋଲି କୋର୍ଟଙ୍କୁ ସିଧାସିଧା ସାଲଭେ ଅବଗତ କରାଇଥିଲେ। ଆଉ କୌଣସି ଯୁକ୍ତି ନ ଥିବାରୁ ସୁପ୍ରିମକୋର୍ଟ ରଥଯାତ୍ରାକୁ ବନ୍ଦ କରାଯାଉ ବୋଲି ରାୟ ଶୁଣାଇ ଦେଇଥିଲେ।
ଏସବୁକୁ ଅନୁଧ୍ୟାନ କଲେ ଏହା ସୂଚାଇ ଦେଉଛି ଯେ, ରଥଯାତ୍ରା ବନ୍ଦ କରିବା ପାଇଁ ଯେପରି ପୂର୍ବ ନିର୍ଦ୍ଧାରିତ ଥିଲା। କାରଣ କୋର୍ଟରେ କେହି ବି ହେଲେ ରଥଯାତ୍ରା ସପକ୍ଷରେ ଯୁକ୍ତି ବାଢି ନ ଥିଲେ। କୋଭିଡ19 କଟକଣା ମଧ୍ୟରେ କିପରି ରଥଯାତ୍ରା ହୋଇପାରିବ ତାହା କୁହାଯାଇ ନ ଥିଲା। ଗୋଟିଏ ପଟେ କୋଭିଡ19 କଟକଣା, ଅନ୍ୟପଟେ ଜଗନ୍ନାଥ ସଂସ୍କୃତି ଏବଂ ସାଢେ ଚାରି କୋଟି ଓଡିଆଙ୍କ ପ୍ରାଣ। ଏପରି ପରିସ୍ଥିତରେ କୋଭିଡ19 କଟକଣା ଭିତରେ ରଥଯାତ୍ରା କରିବାରେ କୌଣସି ଅସୁବିଧା ନ ଥିଲା। ସାମାଜିକ ଦୂରତା ରଖି ରଥଯାତ୍ରା କରାଯାଇ ପାରେ ବୋଲି କୋର୍ଟଙ୍କୁ ଅବଗତ କରାଯାଇ ପାରିଥାଆନ୍ତା। ହେଲେ ତାହା କରାଯାଇ ନ ଥିଲା।
କୋର୍ଟରେ କେହି ବି ଯୁକ୍ତି କଲେ ନାହିଁ ଯେ, ଚଳିତ ବର୍ଷ ସ୍ନାନ ପୂର୍ଣ୍ଣିମା ଯେପରି କଟକଣା ସହିତ ପାଳନ କରାଗଲା ସେହିପରି ରଥଯାତ୍ରା ମଧ୍ୟ କରାଯାଇ ପାରିବ। ହେଲେ ସେ ସବୁ ଉପସ୍ଥାପିତ ନ କରି ଗତ ବର୍ଷ 20 ଲକ୍ଷ ଭକ୍ତ ଆସିଥିଲେ ଏଥର ମଧ୍ୟ ସେହିପରି ଭକ୍ତ ଆସିବେ ବୋଲି କୋର୍ଟରେ ତଥ୍ୟ ରଖିବାକୁ ଜଗନ୍ନାଥ ପ୍ରେମୀ ହଜମ କରିପାରୁ ନାହାଁନ୍ତି। କିପରି କଟକଣା ଭିତରେ ରଥଯାତ୍ରା କରାଯାଇପାରିବ ସେପରି ଦୃଢ ଯୁକ୍ତି ଖଣ୍ଡପିଠଙ୍କ ପାଖରେ ରଖାଯାଇ ନ ଥିଲା। ଫଳରେ ରଥଯାତ୍ରା ବନ୍ଦ କରିବାକୁ କୋର୍ଟ ନିଶ୍ଚିତ ରାୟ ଦେବେ ଏଥିରେ ସନ୍ଦେହ ନାହିଁ।
ତେବେ ଚଳିତ ବର୍ଷ ଜଗନ୍ନାଥ ଇତିହାସରେ ଏକ ନୂଆ ଉଦାହରଣ ସୃଷ୍ଟି ହେଲା, ଯାହା ଶହଶହ ବର୍ଷ ଧରି ହୋଇ ନ ଥିଲା। କୋର୍ଟଙ୍କ ରାୟ ଉପରେ କାହାର କହିବାର ଅଧିକାର ନାହି ସତ, ହେଲେ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଯେଉଁ ଆଘାତ ସୃଷ୍ଟି ହେଲା ତାହା ସବୁଦିନ ପାଇଁ ଜଗନ୍ନାଥ ସଂସ୍କୃତିରେ ଲିପିବଦ୍ଧ ହୋଇ ରହିଗଲା।