Categories
ଆଜିର ଖବର ଜାତୀୟ ଖବର

ମହିଳାଙ୍କ ବିକାଶ ଠାରୁ ମହିଳା କୈନ୍ଦ୍ରିକ ବିକାଶ ଦିଗରେ ଅଗ୍ରସର ହେଉଛି ଭାରତ

ନୂଆଦିଲ୍ଲୀ: ଅନେକ ପିଢ଼ି ଧରି, ଭାରତୀୟ ମହିଳାମାନେ ନାନା ପ୍ରତିବନ୍ଧକକୁ ସାମ୍ନା କରି ଆସୁଥିଲେ। ସେମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ନିଯୁକ୍ତି ଏବଂ ନିଷ୍ପତ୍ତି ନେବାରେ ସୀମିତ ସୁଯୋଗ ମିଳୁଥିଲା। ବିଶେଷ କରି ଗ୍ରାମୀଣ ଏବଂ ଅବହେଳିତ ସମ୍ପ୍ରଦାୟରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳୁଥିଲା। କିନ୍ତୁ 2014 ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଐତିହାସିକ ପରିବର୍ତ୍ତନ ଘଟିଛି। ମହିଳାମାନଙ୍କୁ ଆଉ ନିଷ୍କ୍ରିୟ ହିତାଧିକାରୀ ଭାବରେ ନୁହେଁ ବରଂ ପରିବର୍ତ୍ତନର ସଶକ୍ତ ଏଜେଣ୍ଟ ଭାବରେ ବିବେଚନା କରାଯାଉଛି।

ସେମାନେ ଭାରତର ବିକାଶ କାହାଣୀର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏକ ସାହସିକ, ସମାବେଶୀ ଏବଂ ଜୀବନଚକ୍ର ଆଧାରିତ ଆଭିମୁଖ୍ୟ ଦ୍ୱାରା ପରିଚାଳିତ ହୋଇ ସ୍ୱାସ୍ଥ୍ୟ, ଶିକ୍ଷା, ଆବାସ, ଡିଜିଟାଲ୍ ସୁବିଧା, ପରିମଳ ଏବଂ ଆର୍ଥିକ ଅନ୍ତର୍ଭୂକ୍ତିକରଣ କ୍ଷେତ୍ରରେ ସରକାର ଲକ୍ଷ୍ୟବଦ୍ଧ ହସ୍ତକ୍ଷେପ ଆରମ୍ଭ କରିଛନ୍ତି। ଏହା ଦେଶର ପ୍ରତ୍ୟେକ ମହିଳାଙ୍କୁ ମର୍ଯ୍ୟାଦା, ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତାର ସହ ବଞ୍ଚିବାକୁ ସଶକ୍ତ କରୁଛି।

ଆଜି ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ନେତୃତ୍ୱ ନେଉଛନ୍ତି, ବ୍ୟବସାୟ ଆରମ୍ଭ କରୁଛନ୍ତି, ବିଜ୍ଞାନ, ପ୍ରତିରକ୍ଷା ଏବଂ କ୍ରୀଡ଼ା କ୍ଷେତ୍ରରେ ପ୍ରତିବନ୍ଧକକୁ ଭାଙ୍ଗି ଦେଶର ଭବିଷ୍ୟତକୁ ରୂପ ଦେଉଛନ୍ତି। ଭାରତର ଜନସଂଖ୍ୟାର ପ୍ରାୟ  67.7% ମହିଳା ଏବଂ ଶିଶୁ ରହିଥିବା ବେଳେ ସେମାନଙ୍କର ସଶକ୍ତିକରଣ କେବଳ ସାମାଜିକ ସଂସ୍କାର ନୁହେଁ-ଏହା ଏକ ରଣନୀତିକ ଆବଶ୍ୟକତା ପରିଣତ ହୋଇଛି। ଭାରତ ଅମୃତ କାଳରେ ପ୍ରବେଶ କରିବା ସହିତ ନାରୀ ଶକ୍ତି ଏକ ଶକ୍ତିଶାଳୀ, ଅଧିକ ସମାବେଶୀ ରାଷ୍ଟ୍ରକୁ ଆଗକୁ ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଭାବରେ ଛିଡ଼ା ହୋଇଛନ୍ତି।

ଗତ 11 ବର୍ଷ ମଧ୍ୟରେ ଭାରତ ସରକାର ସାମାଜିକ, ଆର୍ଥିକ, ରାଜନୈତିକ ଏବଂ ଆଇନଗତ କ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏକ ବ୍ୟାପକ, ଜୀବନଚକ୍ର ଆଧାରିତ ନୀତିଗତ ଢାଞ୍ଚା ଗ୍ରହଣ କରିଛନ୍ତି। ହିଂସା ଏବଂ ଭେଦଭାବ ବିରୁଦ୍ଧରେ ସାମ୍ବିଧାନିକ ସୁରକ୍ଷା ଏବଂ ଐତିହାସିକ ଆଇନ ଠାରୁ ଆରମ୍ଭ କରି ‘ବେଟୀ ବଚାଓ ବେଟୀ ପଢ଼ାଓ’, ‘ମିଶନ ଶକ୍ତି’ ଭଳି ପରିବର୍ତ୍ତନକାରୀ ଯୋଜନା ପ୍ରଣୟନ କରାଯାଇଛି। ଐତିହାସିକ ନାରୀ ଶକ୍ତି ବନ୍ଦନ ଅଧିନିୟମ ଭଳି ଆଇନ ମହିଳାମାନଙ୍କ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିଛି। ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଉଦ୍ୟୋଗୀତା ଏବଂ ଜନସେବାରେ ମହିଳାମାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଛି। ଆଇନଗତ ସଂସ୍କାର ଏବଂ ଶ୍ରମ ସଂହିତା ନିରାପଦ ଓ ସମାବେଶୀ କାର୍ଯ୍ୟକ୍ଷେତ୍ରକୁ ପ୍ରୋତ୍ସାହିତ କରୁଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଡିଏୱାଇ-ଏନଆରଏଲ୍ଏମ୍ ଏବଂ କୃଷି ସହାୟତା ପଦକ୍ଷେପ ଭଳି ଯୋଜନା ମହିଳାମାନଙ୍କୁ ଆର୍ଥିକ ଏବଂ ସାମାଜିକ ଦୃଷ୍ଟିରୁ ସଶକ୍ତ କରିଛି। ତୃଣମୂଳ ସ୍ତରର ପ୍ରଶାସନ ଠାରୁ ଆରମ୍ଭ କରି ପ୍ରତିରକ୍ଷା ବାହିନୀ ଏବଂ ବିମାନ ଚଳାଚଳ ପର୍ଯ୍ୟନ୍ତ, ମହିଳାମାନେ ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେଉଛନ୍ତି, ଯାହା ସମାବେଶୀ ଓ ଦୀର୍ଘସ୍ଥାୟୀ ଜାତୀୟ ବିକାଶକୁ ଆଗେଇ ନେଉଛି।

ମିଶନ ପୋଷଣ ଜରିଆରେ ଭାରତ କୁପୋଷଣ ବିରୋଧୀ ଲଢ଼େଇରେ ଏକ ସାହସିକ, ଏକୀକୃତ ପଦକ୍ଷେପ ନେଇଛି। 1.81 ଲକ୍ଷ କୋଟି ଟଙ୍କାର ନିବେଶ ସହିତ ମିଶନ ପୋଷଣର ଦ୍ୱିତୀୟ ପର୍ଯ୍ୟାୟ 2021-22ରୁ 2025-26 ମଧ୍ୟରେ କାର୍ଯ୍ୟକାରୀ ହେଉଛି। ଏହା ପୁଷ୍ଟିସାଧନ ଅଭ୍ୟାସରେ ସୁଧାର ଆଣିବା ସହିତ ଦୃଢ଼ ପ୍ରତିଷେଧକ ବ୍ୟବସ୍ଥା ଏବଂ ସାମଗ୍ରିକ କଲ୍ୟାଣ ସୁନିଶ୍ଚିତ କରିଛି। ସକ୍ଷମ ଅଙ୍ଗନବାଡ଼ି ଏବଂ ପୋଷଣ 2.0 ଅଧୀନରେ ସରକାର 2 ଲକ୍ଷ ଅଙ୍ଗନବାଡ଼ି କେନ୍ଦ୍ରର ଉନ୍ନତିକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହି ଉନ୍ନତି କେନ୍ଦ୍ରଗୁଡ଼ିକ ଜରିଆରେ ଛଅ ବର୍ଷରୁ କମ୍ ବୟସର ପିଲାମାନଙ୍କର ସାମଗ୍ରିକ ବିକାଶକୁ ସମର୍ଥନ କରି ଉନ୍ନତ ପୁଷ୍ଟିସାଧନ ଏବଂ ପ୍ରାରମ୍ଭିକ ଶୈଶବ ଯତ୍ନ ଏବଂ ଶିକ୍ଷା (ଇସିସିଇ) ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା 24,533 ଅଙ୍ଗନବାଡ଼ି କେନ୍ଦ୍ରକୁ ସକ୍ଷମ ଅଙ୍ଗନବାଡ଼ିରେ ଉନ୍ନତିକରଣ କରାଯାଇଛି। ପୋଷଣ ଭି ପଢ଼ାଇ ଭି ଅଭିଯାନ ମାଧ୍ୟମରେ ଶିକ୍ଷା ଓ ପୋଷଣ ନିମନ୍ତେ ଦେଶବ୍ୟାପୀ 4,65,719 ଅଙ୍ଗନବାଡ଼ି କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

ସୁପୋଷିତ ଗ୍ରାମ ପଞ୍ଚାୟତ ଅଭିଯାନ ଅଧୀନରେ ଶୀର୍ଷ ଏକ ହଜାର ଗ୍ରାମପଞ୍ଚାୟତକୁ ପୁରସ୍କୃତ କରିବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ସାର୍ବଜନୀୟନ ଟିକାକରଣ କାର୍ଯ୍ୟକ୍ରମରେ ବାର୍ଷିକ ପ୍ରାୟ 2.9 କୋଟି ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଉଛି। ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଦ୍ୱାରା 2014-15 ପରଠାରୁ,   16.60 କୋଟିରୁ ଅଧିକ ହିତାଧିକାରୀଙ୍କୁ ଉପକୃତ କରିଛି, ଯାହା ପରିବାର ପାଇଁ ପକେଟ ଖର୍ଚ୍ଚକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିଛି। ଜନନୀ ସୁରକ୍ଷା ଯୋଜନା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି, ଯାହା ମାର୍ଚ୍ଚ 2025 ସୁଦ୍ଧା 11.07 କୋଟିରୁ ଅଧିକ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଛି।

ଏହି ସର୍ତ୍ତମୂଳକ ନଗଦ ହସ୍ତାନ୍ତର ଯୋଜନା ଗରିବ ଗର୍ଭବତୀ ମହିଳାମାନଙ୍କ ମଧ୍ୟରେ, ବିଶେଷ କରି ଗ୍ରାମାଞ୍ଚଳ ଏବଂ ଅଣସଂରକ୍ଷିତ ଅଞ୍ଚଳରେ ସଂସ୍ଥାଗତ ପ୍ରସବକୁ ପ୍ରୋତ୍ସାହିତ କରୁଛି। ମାତୃତ୍ୱ ଏବଂ ନବଜାତଙ୍କ ଯତ୍ନକୁ ଆହୁରି ମଜବୁତ କରି, ସୁରକ୍ଷିତ ମାତୃତ୍ୱ ଆଶ୍ୱାସନ (ସୁମନ) ପଦକ୍ଷେପ ଗର୍ଭବତୀ ମହିଳା, ଅସୁସ୍ଥ ନବଜାତ ଶିଶୁ ଏବଂ ମା’ ମାନଙ୍କ ପାଇଁ ପ୍ରସବ ପରେ ଛଅ ମାସ ପର୍ଯ୍ୟନ୍ତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ଶୂନ-ମୂଲ୍ୟ ପ୍ରବେଶ ନିଶ୍ଚିତ କରୁଛି। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଉଚ୍ଚ ବିପଦପୂର୍ଣ୍ଣ ଗର୍ଭଧାରଣର ସମୟୋଚିତ ଚିହ୍ନଟ ସୁନିଶ୍ଚିତ କରିବା ପାଇଁ ପ୍ରଥମ ତ୍ରୈମାସିକରେ ପ୍ରସବପୂର୍ବ ଚାରିଟି ବ୍ୟାପକ ଯାଞ୍ଚ ପ୍ରଦାନ କରି ମାତୃ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ସଂସ୍ଥାଗତ ପ୍ରସବକୁ ପ୍ରୋତ୍ସାହିତ କରିବା ଏବଂ ମାତୃ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ, ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ 5,000 ଟଙ୍କାର ପ୍ରତ୍ୟକ୍ଷ ନଗଦ ଲାଭ ପ୍ରଦାନ କରିଥାଏ। ଏହା ଗର୍ଭାବସ୍ଥା ସମୟରେ ଉନ୍ନତ ପୁଷ୍ଟିସାଧନ ଏବଂ ସ୍ୱାସ୍ଥ୍ୟ ନିରୀକ୍ଷଣକୁ ସୁନିଶ୍ଚିତ କରିଛି।

2016 ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ପକ୍କା ଘର ସ୍ୱପ୍ନକୁ ପୂରଣ କରୁଛି। ପ୍ରାୟ 2.75 କୋଟି ପିଏମ ଆବାସ-ଗ୍ରାମୀଣ ହିତାଧିକାରୀଙ୍କ ମଧ୍ୟରୁ 73 ପ୍ରତିଶତ ହେଉଛନ୍ତି ମହିଳା। ମହିଳାମାନଙ୍କୁ କେବଳ ଘର ମାଲିକାନା ମିଳିନାହିଁ, ଏହା ସେମାନଙ୍କୁ ମର୍ଯ୍ୟାଦା, ସୁରକ୍ଷା ଏବଂ ନିଷ୍ପତ୍ତି ନେବାକୁ ସକ୍ଷମ କରିଛି। 2016 ରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ) ର ଶୁଭାରମ୍ଭ ସହିତ, ମହିଳାମାନଙ୍କୁ 10.33 କୋଟି ଏଲପିଜି ସଂଯୋଗ ବଣ୍ଟନ କରାଯାଇଛି। ଏହା ଧୂଆଁମୁକ୍ତ ରୋଷେଇ ଘର ସୁନିଶ୍ଚିତ କରିବା ସହ ମହିଳାଙ୍କୁ ଶ୍ୱାସ ରୋଗରୁ ମୁକ୍ତି ଦେଇଛି। ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି ଏହାକୁ ସ୍ୱାସ୍ଥ୍ୟ ଏବଂ ପରିବେଶ ସଂସ୍କାରରେ ଏକ ମାଇଲଖୁଣ୍ଟ ଏବଂ ଲିଙ୍ଗଗତ ଅସମାନତା ଦୂର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଶଂସା କରିଛି। 2014 ପୂର୍ବରୁ ମାତ୍ର 39% ଭାରତୀୟ ପରିବାର ପାଖରେ ଶୌଚାଳୟ ସୁବିଧା ଥିଲା। ଗତ 11 ବର୍ଷ ମଧ୍ୟରେ ସରକାର 12 କୋଟି ଶୌଚାଳୟ ନିର୍ମାଣ କରି ଦେଶକୁ ଖୋଲା ଶୌଚମୁକ୍ତ କରିବା ସହ ମହିଳାଙ୍କ ଜୀବନକୁ ସୁରକ୍ଷିତ କରିଛନ୍ତି । ପୂର୍ବରୁ ଦୀର୍ଘ ଦୂରତାରୁ ପାଣି ଆଣିବା ଗ୍ରାମାଞ୍ଚଳର ମହିଳାମାନଙ୍କ ପାଇଁ ଏକ ଦୈନନ୍ଦିନ ବୋଝ ଥିଲା। 2019 ରେ ଆରମ୍ଭ ହୋଇଥିବା ଜଳ ଜୀବନ ମିଶନ (ଜେଜେଏମ) ଏହି କଠିନ ପରିଶ୍ରମକୁ ସମାପ୍ତ କରିବାକୁ ଚେଷ୍ଟା କରିଥିଲା। 15. 6 କୋଟିରୁ ଅଧିକ ନଳ ଜଳ ସଂଯୋଗ ଗ୍ରାମୀଣ ଜୀବନଧାରଣରେ ପରିବର୍ତ୍ତନ ଆଣୁଛି।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସ୍ୱାସ୍ଥ୍ୟ ପରିଚାଳନା ସୂଚନା ପ୍ରଣାଳୀ (ଏଚଏମଆଇଏସ) ତଥ୍ୟ ଅନୁଯାୟୀ, ଜାତୀୟ ସ୍ତରରେ ଜନ୍ମ ଅନୁପାତ (ଏସଆରବି) 918 (2014-15) ରୁ 930 (2023-24) କୁ ବୃଦ୍ଧି ପାଇଛି। ଶିକ୍ଷା ମନ୍ତ୍ରଣାଳୟର ୟୁଡିଆଇଏସ୍ଇ ତଥ୍ୟ ଅନୁଯାୟୀ, ମାଧ୍ୟମିକ ପର୍ଯ୍ୟନ୍ତ ବିଦ୍ୟାଳୟରେ ବାଳିକାମାନଙ୍କ ନାମଲେଖା 75.51% ପ୍ରତିଶତ (2014-15) ରୁ 2023-24 ରେ 78 ପ୍ରତିଶତକୁ ବୃଦ୍ଧି ପାଇଛି। 22 ଜାନୁଆରୀ 2015 ରେ ଆରମ୍ଭ ହୋଇଥିବା ସୁକନ୍ୟା ସମୃଦ୍ଧି ଯୋଜନା ଆର୍ଥିକ ସୁରକ୍ଷା ମାଧ୍ୟମରେ ବାଳିକାମାନଙ୍କୁ ସଶକ୍ତ କରିବାର ଏକ ଦଶନ୍ଧି ପୂରଣ କରିଛି। ନଭେମ୍ବର 2024 ସୁଦ୍ଧା, ସମଗ୍ର ଭାରତରେ 4.2 କୋଟିରୁ ଅଧିକ ଆକାଉଣ୍ଟ ଖୋଲାଯାଇଛି, ଯାହା ଏହି ଯୋଜନା ଉପରେ ବ୍ୟାପକ ଜନସାଧାରଣଙ୍କ ଅଂଶଗ୍ରହଣ ଏବଂ ବିଶ୍ୱାସକୁ ପ୍ରତିଫଳିତ କରୁଛି।

ଆଜି, ମହିଳାମାନେ ଗର୍ବର ସହ ପୋଲିସ୍ ସେବା ଏବଂ ସଶସ୍ତ୍ର ବାହିନୀର ସମସ୍ତ ଶାଖାରେ ୟୁନିଫର୍ମ ପିନ୍ଧୁଛନ୍ତି, ସ୍ଥାୟୀ କମିଶନ ବର୍ତ୍ତମାନ ଏକ ବାସ୍ତବତାରେ ପରିଣତ ହୋଇଛି। ସୈନିକ ସ୍କୁଲ ଏବଂ ଜାତୀୟ ପ୍ରତିରକ୍ଷା ଏକାଡେମୀରେ ଝିଅମାନଙ୍କୁ ଭର୍ତ୍ତି କରାଯିବା ଭଳି ଐତିହାସିକ ସୁଯୋଗ ସୃଷ୍ଟି କରାଯାଇଛି । ବିଜ୍ଞାନ ଏବଂ ମହାକାଶ କ୍ଷେତ୍ରରେ, ଭାରତୀୟ ମହିଳାମାନେ ଉଳ୍ଲେଖନୀୟ ଭୂମିକା ଗ୍ରହଣ କରୁଛନ୍ତି । ସେମାନେ ଚନ୍ଦ୍ରଯାନ-3ର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଯାହା ଭାରତର ବୈଜ୍ଞାନିକ ଉତ୍କର୍ଷତା ଏବଂ ଲିଙ୍ଗଗତ ଅନ୍ତର୍ଭୂକ୍ତିକରଣର ପ୍ରତୀକ। ନାରୀ ଶକ୍ତି ବନ୍ଦନ ଅଧିନୟମ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷିତ କରିଛି।

ତିନି ତଲାକ୍ ଉଚ୍ଛେଦ ମୁସଲମାନ ମହିଳାମାନଙ୍କୁ ସେହି ମର୍ଯ୍ୟାଦା ଏବଂ ଆଇନଗତ ସୁରକ୍ଷା ପ୍ରଦାନ କରିଛି ଯାହାର ସେମାନେ ଦୀର୍ଘ ଦିନରୁ ହକଦାର ଥିଲେ। ମହିଳାମାନଙ୍କ ବିବାହ ବୟସକୁ 18 ବର୍ଷରୁ 21 ବର୍ଷକୁ ବୃଦ୍ଧି କରିବାର ପ୍ରସ୍ତାବ ଶିକ୍ଷା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟିରେ ସହାୟକ ହେବ। ମାତୃତ୍ୱ ଛୁଟିକୁ 26 ସପ୍ତାହକୁ ଦ୍ୱିଗୁଣିତ କରିବା ଦ୍ୱାରା କର୍ମଜୀବୀ ମାଆମାନଙ୍କୁ ସହାୟତା କରିବାରେ ଭାରତ ସବୁଠାରୁ ପ୍ରଗତିଶୀଳ ଦେଶମାନଙ୍କ ମଧ୍ୟରେ ସ୍ଥାନ ପାଇଛି। ଏବଂ ଧାରା 35-ଏ ଉଚ୍ଛେଦ ହେବା ସହିତ ଜାମ୍ମୁ-କାଶ୍ମୀରରେ ମହିଳାମାନେ ଏବେ ସମାନ ସମ୍ପତ୍ତି ଏବଂ ଆଇନଗତ ଅଧିକାର ଉପଭୋଗ କରୁଛନ୍ତି ଯାହାକି ଅତୀତର ଅନ୍ୟାୟର ଏକ ଐତିହାସିକ ସଂଶୋଧନକୁ ଦର୍ଶାଉଛି। ଦୁଇଟି ପ୍ରମୁଖ ଯୋଜନା-ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ) ଏବଂ ଷ୍ଟାଣ୍ଡ-ଅପ୍ ଇଣ୍ଡିଆ-ଏହି ପରିବର୍ତ୍ତନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ମୁଦ୍ରା ଯୋଜନାରେ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଉଛି। 52.5 କୋଟିରୁ ଅଧିକ ମୁଦ୍ରା ଋଣ ଆକାଉଣ୍ଟ ମଧ୍ୟରୁ 68% ମହିଳାଙ୍କ ନାମରେ ରହିଛି। ମାର୍ଚ୍ଚ 2025 ସୁଦ୍ଧା, ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନା ଅଧୀନରେ 2.73 ଲକ୍ଷରୁ ଅଧିକ ଆକାଉଣ୍ଟକୁ ମଞ୍ଜୁରି ଦିଆଯାଇଛି, ଯେଉଁଥିରୁ 2,04,058 ଋଣ, ଅର୍ଥାତ୍ ପାଖାପାଖି 83 ପ୍ରତିଶତ ମହିଳାମାନଙ୍କ ପାଇଁ ମଞ୍ଜୁର କରାଯାଇଛି। ଏହାର ପରିମାଣ 47,704 କୋଟି ଟଙ୍କାରୁ ଅଧିକ।

ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅନ୍ତର୍ଗତ 1 କୋଟିରୁ ଅଧିକ ମହିଳାଙ୍କୁ 2 ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ କରାଯାଇଛି। ଏହି ସଶକ୍ତିକରଣକୁ ଏକ ପାଦ ଆଗକୁ ନେଇ, ଲଖପତି ଦିଦି କାର୍ଯ୍ୟକ୍ରମ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବରେ ଉଭା ହୋଇଛି। ମାର୍ଚ୍ଚ 2025 ସୁଦ୍ଧା, ଏହା 1,48 କୋଟି ଏସଏଚଜି ସଦସ୍ୟଙ୍କୁ ବିବିଧ ଏବଂ ସ୍ଥାୟୀ ଜୀବିକା କାର୍ଯ୍ୟକଳାପ ମାଧ୍ୟମରେ ସର୍ବନିମ୍ନ ବାର୍ଷିକ ଆୟ 1 ଲକ୍ଷ ଟଙ୍କା ଉପାର୍ଜନ କରିବାରେ ସକ୍ଷମ କରିଛି। ମିଶନ ମୋଡରେ ଆରମ୍ଭ ହୋଇଥିବା ମିଶନ ଶକ୍ତି ହେଉଛି ଜୀବନର ସମସ୍ତ ପର୍ଯ୍ୟାୟରେ ମହିଳାମାନଙ୍କ ସୁରକ୍ଷା, ସୁରକ୍ଷା ଏବଂ ସଶକ୍ତିକରଣ ସୁନିଶ୍ଚିତ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ଏକ ଫ୍ଲାଗସିପ୍ ପଦକ୍ଷେପ। ନିର୍ଯାତନା ସମ୍ପର୍କରେ ଅଭିଯୋଗ କରିବା ଲାଗି ଦେଶରେ 819 ଟି ୱାନ୍‌ ଷ୍ଟପ୍‌ କେନ୍ଦ୍ର ଖୋଲାଯାଇଛି। ବର୍ତ୍ତମାନ ସୁଦ୍ଧା ଏଥିରୁ  10.98 ଲକ୍ଷ ମହିଳା ଉପକୃତ ହୋଇଛନ୍ତି। ସକ୍ଷୀ ନିବାସ ଯୋଜନାରେ 5.7 ଲକ୍ଷ ମହିଳା ସହାୟତା ପାଇଛନ୍ତି । ଗତ 11 ବର୍ଷ ମଧ୍ୟରେ ମହିଳା ସଶକ୍ତିକରଣ ପ୍ରତି ମୋଦୀ ସରକାରଙ୍କ ନିରନ୍ତର ପ୍ରତିବଦ୍ଧତା ବ୍ୟାପକ ସାମାଜିକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ବିକାଶ ପଥରେ ଆଗକୁ ବଢିବା ପାଇଁ ରାଜନୈତିକ ଏବଂ ଅର୍ଥନୈତିକ ଦୃଷ୍ଟିରୁ ଭାରତ ଏକ ଭଲ ସ୍ଥିତିରେ ଅଛି: ଏସ ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ, ୨୦୨୪ ବର୍ଷ ବିଶ୍ଵ ପାଇଁ ସଂଘର୍ଷପୂର୍ଣ୍ଣ ହୋଇପାରେ, କିନ୍ତୁ ଏହି ଆହ୍ଵାନର ମୁକାବିଲା କରିବା, ବଢୁଥିବା ବିଶ୍ଵସ୍ତରୀୟ ଭୂମିକା ବଜାୟ ରଖିବା ଏବଂ ବିକାଶ ପଥରେ ଆଗକୁ ବଢିବା ପାଇଁ ଭାରତର ରାଜନୈତିକ ଏବଂ ଅର୍ଥନୈତକ ସ୍ଥିତି ଏକ ଭଲ ଅବସ୍ଥାରେ ଅଛି। କେନ୍ଦ୍ର ମନ୍ତ୍ରୀ ତାଙ୍କର ନୂତନ ପୁସ୍ତକ ‘ହ୍ଵାଵ ଭାରତ ମ୍ୟାଟର୍ସ’ ର ଉନ୍ମୋଚନ ସମାରୋହକୁ ସମ୍ବୋଧିତ କରିଥିଲେ, ଯେଉଁଥିରେ ସେ ସ୍ଵାଧୀନତା ପରଠାରୁ ଭୌଗଳିକ ତଥା ଭାରତର ବୈଦେଶିକ ନୀତିର ବିଭିନ୍ନ ଦିଗ ଉପରେ ନିଜର ମତ ରଖିଥିଲେ।

ବୁଧବାର ବିଦେଶୀ କୂଟନୀତିଜ୍ଞ, ରଣନୀତିକ ବ୍ୟାପାର ବିଶେଷଜ୍ଞ, ଶିକ୍ଷାବିତ ଏବଂ ବୁଦ୍ଧିଜୀବୀଙ୍କ ଏକ ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ମୁଁ ଭାବୁଛି ୨୦୨୪ ମଧ୍ୟ ସଂଘର୍ଷପୂର୍ଣ୍ଣ ରହିବ ଏବଂ ୨୦୨୩ ରେ ଅଶାନ୍ତି ସୃଷ୍ଟି କରିଥିବା କାରଣଗୁଡିକ ଚଳିତ ବର୍ଷ ମଧ୍ୟ ଜାରି ରହିବ।

ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହିତ ୨୦୨୪ ରେ ଭାରତ ନିଜର ଉନ୍ନତ ସ୍ଥିତିକୁ ବଜାୟ ରଖିବାକୁ ପ୍ରସ୍ତୁତ ଅଛି।

ଅବ୍ଜର୍ବର ରିସର୍ଚ୍ଚର ଫାଉଣ୍ଡେସନ୍ (ଓଆରଏଫ୍) ଦ୍ଵାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ରାଜନୈତିକ କିମ୍ବା ଅର୍ଥନୈତିକ ଦୃଷ୍ଟିରୁ ଆଜି ଆମେ ଯେଉଁ ପରିସ୍ଥିତିରେ ଅଛୁ, ମୁଁ ଭାବୁଛି ଆମେ ବହୁତ ଶକ୍ତିଶାଳୀ ସ୍ଥିତିରେ ଅଛୁ।

Categories
ଆଜିର ଖବର ଜାତୀୟ ଖବର

ନିର୍ବାଚନ ପ୍ରତିଶ୍ରୁତିର ଗଣିତ ଆଡ଼କୁ ଗତି କରୁଛି କି?: ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଛି ଟ୍ରେଣ୍ଡ

ନୂଆଦିଲ୍ଲୀ: ନିର୍ବାଚନ ଏବେ ଭାବପ୍ରବଣ ପ୍ରସଙ୍ଗରୁ ପ୍ରତିଶ୍ରୁତିର ଗଣିତକୁ ବଦଳିଯାଇଛି କି? ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ସମୟରେ ଏହା ହେଉଛି ସବୁଠାରୁ ବଡ଼ ରାଜନୈତିକ ପ୍ରଶ୍ନ। ବାସ୍ତବରେ ସାମ୍ପ୍ରତିକ ସମୟରେ ରାଜନୈତିକ ଦଳଗୁଡ଼ିକର ପ୍ରତିଶ୍ରୁତି କିମ୍ବା ନିର୍ବାଚନ ପୂର୍ବରୁ ସରକାର କରିଥିବା କଲ୍ୟାଣକାରୀ ଯୋଜନାକୁ ନେଇ ନିର୍ବାଚନୀ ଏଜେଣ୍ଡା ସ୍ଥିର କରାଯାଉଛି, ଯେଉଁଥିରେ ଅନ୍ୟ ସମସ୍ତ ପ୍ରସଙ୍ଗ ପଛକୁ ଚାଲିଯାଇଛି। ତେବେ ଏହି ଧାରାକୁ ମାଗଣା କଲ୍ୟାଣକାରୀ ଯୋଜନା ସହ ମଧ୍ୟ ଯୋଡ଼ାଯାଇଛି। ଏହାର ପ୍ରଭାବକୁ ନେଇ ସମାନ୍ତରାଳ ବିତର୍କ ମଧ୍ୟ ହେବାରେ ଲାଗିଛି। କିନ୍ତୁ ଏଥିରେ ସବୁ ରାଜନୈତିକ ଦଳ ସମାନ ଭାବରେ ଜଡ଼ିତ ହୋଇଥିବାରୁ ବିତର୍କ ପଛକୁ ଠେଲି ହୋଇଯାଇଛି ଏବଂ ପ୍ରତିଶ୍ରୁତିର ଗଣିତ ଉପରେ ସର୍ବାଧିକ ଧ୍ୟାନ ଦିଆଯାଇଛି।

କ’ଣ ସଙ୍କେତ ଦେଇଛନ୍ତି ବିରୋଧୀ?:

ବାସ୍ତବରେ ୨୦୧୪ରୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପିର ବିଜୟ ବିରୋଧୀଙ୍କ ଆଗରେ ଅସ୍ତିତ୍ୱକୁ ନେଇ ପ୍ରଶ୍ନ ଉଠୁଛି। ବିଜେପିର ବଡ଼ ବିଜୟରେ ହିନ୍ଦୁତ୍ୱ ଓ ଜାତୀୟତାବାଦ ସହ ଜଡ଼ିତ ଭାବପ୍ରବଣ ପ୍ରସଙ୍ଗ ମଧ୍ୟ ରହିଛି। ବିଜେପିର ଆକ୍ରମଣାତ୍ମକ ନୀତିକୁ ବିରୋଧୀମାନେ ଖାତିର କରୁନଥିଲେ। ସେମାନେ ଅର୍ଥନୈତିକ ପ୍ରସଙ୍ଗ ଉଠାଉଥିଲେ, କିନ୍ତୁ ସେଥିରୁ ବିଶେଷ ଫାଇଦା ପାଇନଥିଲେ। କିନ୍ତୁ କିଛିଦିନ ହେବ ବିରୋଧୀମାନେ ସରକାରୀ କର୍ମଚାରୀ, ଯୁବକ ଓ ମହିଳାଙ୍କୁ ନିଜ ସପକ୍ଷରେ ଆଣିବାକୁ ଚେଷ୍ଟା ଚଳାଇଛନ୍ତି। ପୁରୁଣା ପେନସନ ପ୍ରଚଳନ, ମହିଳା ଓ ଯୁବକମାନଙ୍କୁ ପ୍ରତି ମାସରେ ନିର୍ଦ୍ଧାରିତ ଅର୍ଥ ସହାୟତା ଭଳି ପ୍ରତିଶ୍ରୁତି ଦିଆଯାଉଛି। ୨୦୨୪ ସାଧାରଣ ନିର୍ବାଚନରେ ବିରୋଧୀ ଦଳମାନେ ଏଭଳି ପ୍ରସଙ୍ଗ ଉଠାଇବେ ବୋଲି ସଙ୍କେତ ଦେଇଛନ୍ତି।

କ’ଣ ରହିଛି କାଉଣ୍ଟର କାଉଣ୍ଟର ରଣନୀତି?:

ବିଶେଷଜ୍ଞଙ୍କ ମତରେ ଏସବୁ ପ୍ରସଙ୍ଗକୁ ଆଗକୁ ରଖି କିମ୍ବା ବିଜେପିକୁ ଟକ୍କର ଦେଇ ନିର୍ବାଚନ ଲଢ଼ିବା ବିରୋଧୀଙ୍କ ସମ୍ମୁଖରେ ବିକଳ୍ପ ନୁହେଁ, ବରଂ ଏକ ରାଜନୈତିକ ବାଧ୍ୟତାମୂଳକତା। କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶରେ କଂଗ୍ରେସ ପୁରୁଣା ପେନସନ କିମ୍ବା ଶସ୍ତାରେ ବିଜୁଳି ଯୋଗାଇଦେବା ଭଳି ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତି ନିଜର ବଢ଼ୁଥିବା ପରାଜୟ ଧାରାରେ ଲଗାମ ଲଗାଇ ନିଜର ସଂଗଠନକୁ ପୁନର୍ଜୀବିତ କରିଛି। ଆମ୍ ଆଦମୀ ପାର୍ଟି ଏଭଳି ପ୍ରତିଶ୍ରୁତିକୁ ଆରମ୍ଭ କରି ଦିଲ୍ଲୀ ଓ ପଞ୍ଜାବରେ କ୍ଷମତାକୁ ଆସିଛି। ବିରୋଧୀଙ୍କ ବଢ଼ୁଥିବା ପଦକ୍ଷେପକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପାଇଁ ବିଜେପିକୁ କେତେକ ରାଜ୍ୟରେ ଲୋଭନୀୟ ପ୍ରତିଶ୍ରୁତି ଦେବାକୁ ପଡ଼ିଛି। ମଧ୍ୟପ୍ରଦେଶରେ ଏଥର ବିଜେପି ସମ୍ପୂର୍ଣ୍ଣଭାବେ ଲାଡଲି ଯୋଜନା ସାହାଯ୍ୟରେ ଲଢ଼େଇ କରିଛି, ଯେଉଁଥିରେ ମହିଳାମାନଙ୍କୁ ମାସିକ ୧୨୦୦ ଟଙ୍କା ଭତ୍ତା ଦିଆଯାଉଛି। ଅର୍ଥାତ୍ ମତଦାତାମାନଙ୍କୁ ପ୍ରଲୋଭିତ କରିବା ପାଇଁ ପ୍ରତିଶ୍ରୁତି ରାଜନୀତିର ଯୁଗ ଜାରି ରହିବ ବୋଲି ସଙ୍କେତ ମିଳିଛି।

ଲୋକମାନେ ମଧ୍ୟ କ୍ଷମତା ଆକଳନ କରନ୍ତି

ନିର୍ବାଚନ ବିଶ୍ଳେଷକମାନେ କହିଛନ୍ତି ଯେ ଆଜିକାଲି ଭୋଟରମାନେ ସରଳ ଶବ୍ଦରେ ଜାଣିବାକୁ ଚାହାଁନ୍ତି ଯେ କୌଣସି ଦଳ ସେମାନଙ୍କୁ କ’ଣ ଦେବ। ଏହି ଦଳଗୁଡ଼ିକର ପ୍ରତିଶ୍ରୁତିକୁ ଯାଞ୍ଚ କରିବା ପରେ ସେ ଭୋଟ୍ ଦେଉଛନ୍ତି। କିନ୍ତୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ଅଛି ଯାହାକୁ ବୁଝିବା ଆବଶ୍ୟକ। ଯେଉଁଥିପାଇଁ ପ୍ରତିଭାବାନ ରାଜନୈତିକ ଦଳମାନେ ଭୋଟରଙ୍କୁ ସେମାନଙ୍କ ପ୍ରତିଶ୍ରୁତି ପୂରଣ କରିବାରେ କେତେ ସକ୍ଷମ ତାହା ବୁଝାଇବାରେ ସକ୍ଷମ ହେଉଛନ୍ତି। ଭୋଟର କେବଳ ପ୍ରତିଶ୍ରୁତିର ଆକଳନ କରନ୍ତି ନାହିଁ, ବରଂ ଏହାକୁ ପୂରଣ କରିବା ପାଇଁ ଦଳର ସାମର୍ଥ୍ୟକୁ ମଧ୍ୟ ଆକଳନ କରନ୍ତି। କାରଣ ସବୁ ଦଳ ପ୍ରତିଶ୍ରୁତି ଦେଉଛନ୍ତି। ସାମାଜିକ ବିଶେଷଜ୍ଞଙ୍କ ମତରେ ସାମ୍ପ୍ରତିକ ଏହି ଧାରା ନିର୍ବାଚନ ଫଳାଫଳକୁ ପ୍ରଭାବିତ କରୁଛି। ଏବେ ରାଜନୈତିକ ଦଳ ପ୍ରତ୍ୟେକ ରାଜ୍ୟବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତିଶ୍ରୁତି ତାଲିକା ପ୍ରସ୍ତୁତ କରୁଛି। ଏହି କ୍ରମରେ ଭାବନାତ୍ମକ ସମସ୍ୟା ପଛକୁ ଠେଲି ହୋଇଯାଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାଜନୈତିକ ଓ ପାରିବାରିକ କଳହ, ସାନ ଭାଇ ଓ ବୋହୁ ମିଶି ବଡଭାଇଙ୍କୁ ଟାଙ୍ଗିଆରେ ଆକ୍ରମଣ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଘୋଷରାମାଳ ପଞ୍ଚାୟତ ଅନ୍ତର୍ଗତ ରାଇଲ ଗ୍ରାମରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କଳହ ଓ ପାରିବାରିକ କଳହକୁ କେନ୍ଦ୍ର କରି ୱାର୍ଡ ସଭ୍ୟା ଶୋଭାଗିନୀ ଦେହୁରୀଙ୍କ ସ୍ୱାମୀଙ୍କୁ ତାଙ୍କ ସ୍ୱାମୀଙ୍କ ସାନ ଭାଇ ଓ ବୋହୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିବା ସହ ଏକ ଶାବଳରେ ଭୁସି ମାରିଦେବା ଉଦ୍ୟମ କରିଥିବା ରେଢ଼ାଖୋଲ ଥାନାରେ ଅଭିଯୋଗ ହୋଇଛି।

ଏହି ଆକ୍ରମଣରେ ୱାର୍ଡ ସଭ୍ୟାଙ୍କ ସ୍ୱାମୀ ତଥା ଆକ୍ରମଣକାରୀଙ୍କ ଦେଢଶୁର (ବଡଭାଇ) କେଶବ ଦେହୁରୀ (୪୫)ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

ଗୁରୁତର ଅବସ୍ଥାରେ ଚାଷ ଜମିରୁ କେଶବଙ୍କୁ ପରିବାର ଲୋକେ ଉଦ୍ଧାର କରି ଏକ ବାଇକ ଯୋଗେ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ପୋଲିସ ଉପସ୍ଥିତିରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି। ଏନେଇ ଗୁରୁତର ଆହତ ହୋଇଥିବା କେଶବ ରେଢାଖୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ ରେଢାଖୋଲ ଥାନା କେସ ନମ୍ବର ୧୫୪/୨୨ରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ପୋଲିସ ଆକ୍ରମଣ କାରୀ ସାନ ଭାଇ ମୀନ କେତନ ଦେହୁରୀଙ୍କୁ ଅଟକ ରଖିଥିବା ଆଇଆଇସି ସୁରୁବାବୁ ଛତ୍ରିଆ ପ୍ରକାଶ କରିଛନ୍ତି। କେଶବଙ୍କୁ ତାଙ୍କ ସାନ ଭାଇ ମୀନକେତନ ଦେହୁରୀ ଓ ତାଙ୍କ ପତ୍ନୀ ଚଞ୍ଚଳା ଦେହୁରୀ ଚାଷ ଜମିରେ କେଶବଙ୍କ ସହ କଳହ କରିବା ସହ ପ୍ରଚୁର ମାଡ଼ ମାରି ପ୍ରଥମେ ସାନ ଭାଇ ମୀନ କେତନ ଏକ ଶାବଳରେ ପେଟରେ ଭୁସି ମାରି ଦେବାକୁ ଉଦ୍ୟମ କରି ଥିଲେ। ସେଥିରେ ବଡ଼ ଭାଇ କେଶବ ଅଳ୍ପକେ ରକ୍ଷା ପାଇ ଯାଇ ଥିଲେ। ଏହା ପରେ ଘଟଣା ସ୍ଥଳରେ ଥିବା ମୀନ କେତନଙ୍କ ପତ୍ନୀ ଚଞ୍ଚଳା ଦେହୁରୀ ଏକ ଟାଙ୍ଗିଆରେ କେଶବଙ୍କୁ ମରଣାନ୍ତକ ଆକ୍ରମଣ କରି ମୁଣ୍ଡରେ ହାଣି ପକାଇ ଥିଲେ ବୋଲି ରେଢାଖୋଲ ଥାନାରେ ଅଭିଯୋଗ କରିଛନ୍ତି।

ଲିଖିତ ଅଭିଯୋଗରେ ସେ ଜଣାଇଛନ୍ତି ଯେ ରାଇଲ ଗ୍ରାମର ୱାର୍ଡ ସଭ୍ୟା ଶୋଭାଗିନୀ ଦେହୁରୀଙ୍କ ସ୍ୱାମୀ କେଶବ ଦେହୁରୀ ଗୁରୁବାର ସକାଳ ୯ ଟା ବେଳେ ତାଙ୍କ ଶାଳବଣିଆରେ ଥିବା ଚାଷ ଜମିକୁ ଯାଇ କାମ କରୁଥିଲେ। ଏହି ସମୟରେ କେଶବଙ୍କ ସାନ ଭାଇ ମୀନ କେତନ ଓ ତାଙ୍କ ପତ୍ନୀ ଚଞ୍ଚଳା ଦୌଡ଼ି ଆସି ଏକ ଶାବଳରେ ଭୁସି ଦେଉ ଥିବା ବେଳେ ଗ୍ରାମର ଚକ୍ରଧର ଶାବଳ ଛଡାଇ ନେଇ ଥିଲା। ଏହା ପରେ ଚଞ୍ଚଳା ଦେହୁରୀ ଏକ ଟାଙ୍ଗିଆରେ ତାଙ୍କ ଦେଢଶୁର କେଶବଙ୍କ ପଛ ପଟୁ ମୁଣ୍ଡରେ ଆକ୍ରମଣ ତଥା ହାଣି ଦେଇଥିଲେ। ଏହା ପରେ ଏକ ଢେଙ୍ଗାରେ ପ୍ରଚୁର ମାଡ଼ ମଧ୍ୟ ମାରି ଥିଲେ।

ଗୁରୁତର ଆହତ କେଶବଙ୍କ ପତ୍ନୀ ଶୋଭାଗିନୀ ଦେହୁରୀ ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତ ଅନ୍ତର୍ଗତ ରାଇଲ ଗ୍ରାମ ୧୦ ନମ୍ବର ୱାର୍ଡର ୱାର୍ଡ ସଭ୍ୟା ହେବା ଦିନଠୁ ମାଛ ଚିହ୍ନ ଭୋଟ ଦେଇ ଥିବା ଲୋକଙ୍କୁ ଗୋଟି ଗୋଟି କରି ମାରିବି ବୋଲି ରାସ୍ତାରେ ପାଟି କରି କହୁଥିଲେ।ଏହା ସହ କେଶବଙ୍କ ପତ୍ନୀଙ୍କୁ ବିଧବା କରିଦେବା ପାଇଁ ଆଗରୁ ସବୁବେଳେ ଧମକ ଦେଇ ଆସୁଥିଲା।

ଏହି ଗଣ୍ଡଗୋଳରେ ଗ୍ରାମର କେତେକ ଖଳ ପ୍ରକୃତିର ଲୋକେ ପ୍ରବର୍ତ୍ତାଉ ଥିବା ନେଇ ଥାନାରେ ଅଭିଯୋଗ ହୋଇଛି।ଉଲ୍ଲେଖ ଥାଉକି ଗତ ୨୦୦୮ ମସିହାରେ ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତର ନାଏବ ସରପଞ୍ଚ ତଥା ରାଇଲ ଗ୍ରାମର ରବି ସାହୁଙ୍କୁ ରାଜନୈତିକ ମନ୍ଦ ଉଦ୍ଦେଶ୍ୟ ରଖି ହତ୍ୟା ଘଟଣା ଘଟି ଯାଇଥିଲା। ଯାହାକି ଏବେ ମଧ୍ୟ ଅଞ୍ଚଳବାସୀ ଓ ଗ୍ରାମବାସୀଙ୍କ ମନରୁ ଲିଭି ନ ଥିବା ବେଳେ ବର୍ତ୍ତମାନ ଏହି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଭବିଷ୍ୟତରେ ଯେମିତି ଏଭଳି ଘଟଣା ନ ଘଟିବ ସେଥିପାଇଁ ପୋଲିସକୁ କାର୍ଯ୍ୟାନୁଷ୍ଠାନ ଓ ସୁରକ୍ଷା ପାଇଁ ଲୋକେ ଦାବି କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦୁର୍ବଳ ହେବାରେ ଲାଗିଛି ଉଦ୍ଧବ ଠାକରେଙ୍କ ଶିବସେନା, କେବଳ ଅଛନ୍ତି ଏତିକି ସଂଖ୍ୟକ ବିଧାୟକ

ମୁମ୍ବାଇ: ମହାରାଷ୍ଟ୍ରର ରାଜନୈତିକ ରଙ୍ଗ ପ୍ରତି ଘଣ୍ଟାରେ ବଦଳୁଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶିବସେନାରେ ମତଭେଦ ବଢିବାରେ ଲାଗିଛି। ସର୍ବଶେଷ ସୂଚନା ଅନୁଯାୟୀ, ଶିବସେନାର ମୋଟ ୫୫ ଜଣ ବିଧାୟକଙ୍କ ମଧ୍ୟରୁ କେବଳ ୧୬ ଜଣ ବିଧାୟକ ସିଏମ୍ ଠାକରେଙ୍କ କ୍ୟାମ୍ପରେ ଅଛନ୍ତି। ଏଭଳି ପରିସ୍ଥିତିରେ ଦଳରେ ଆତଙ୍କ ଖେଳିଯାଇଛି। ଏହି ସମୟରେ ବିଧାୟକଙ୍କ ସହ ବର୍ତ୍ତମାନ ସାଂସଦମାନେ ମଧ୍ୟ ଏକନାଥ ସିନ୍ଦେଙ୍କ ସମର୍ଥନରେ ଆସୁଥିବାର ନଜର ଆସିଛନ୍ତି। ସୂଚନାନୁସାରେ ୧୭ ଜଣ ସାଂସଦ ଏକନାଥ ସିନ୍ଦେଙ୍କ ସହ ଯୋଗାଯୋଗରେ ଅଛନ୍ତି। ଥାଣେର ସାଂସଦ ରାଜନ ବିଚାରେ ଏବଂ କଲ୍ୟାଣର ସାଂସଦ ଶ୍ରୀକାନ୍ତ ସିନ୍ଦେ ଏବେ ଗୁଆହାଟୀରେ ଉପସ୍ଥିତ ଅଛନ୍ତି। ୱସିମ ସାଂସଦ ଭବନା ଗୱଲି, ପାଲଘର ସାଂସଦ ରାଜେନ୍ଦ୍ର ଗଭିତ, ରାମଟେକ ସାଂସଦ କ୍ରୁପାଲ ତୁମନେ ମଧ୍ୟ ନିଜର ସମର୍ଥନ ଦେଖାଇଛନ୍ତି।

କୁହାଯାଉଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ମୋଟ ୪୮ ଜଣ ବିଧାୟକ ସେମାନଙ୍କ ସମର୍ଥକଙ୍କ ଦ୍ଵାରା ଦାବି କରୁଛନ୍ତି, ସେଥିମଧ୍ୟରୁ ୭ ଜଣ ଆଜି ସକାଳେ ପହଞ୍ଚିଛନ୍ତି। ସିନ୍ଦେଙ୍କ ସହ ହୋଟେଲରେ ବର୍ତ୍ତମାନ ମୋଟ ୪୫ ଜଣ ବିଧାୟକ ଅଛନ୍ତି, ସେମାନଙ୍କ ମଧ୍ୟରେ ୪୧ ଜଣ ଶିବସେନା ଏବଂ ୪ ଜଣ ସ୍ଵାଧୀନ ବିଧାୟକ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆମକୁ ‘ସ୍ୱଳ୍ପ ଅବଧି’ରେ କଠିନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ପଡିବ: ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ବର୍ତ୍ତମାନର ଭୌଗଳିକ-ରାଜନୈତିକ ପରିସ୍ଥିତିକୁ ଦେଖି ଭାରତୀୟ ବାୟୁସେନାକୁ ଅଳ୍ପ ସମୟ ମଧ୍ୟରେ କଠିନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ। ବାୟୁସେନା ମୁଖ୍ୟ  ଗୁରୁବାର ଦିନ ଏକ ସମ୍ମିଳନୀରେ କହିଛନ୍ତି ଯେ, ପୂର୍ବ ଲଦାଖ ପରି ଅଞ୍ଚଳରେ ସ୍ୱଳ୍ପ ସମୟରେ ଏବଂ ଦୀର୍ଘ ଦିନର ମୁକାବିଲା ପାଇଁ ଏହି ଫୋର୍ସ ପ୍ରସ୍ତୁତ ହେବା ଆବଶ୍ୟକ।

ଉତ୍ତର ସୀମାରେ ଭାରତର ସୁରକ୍ଷା ଚ୍ୟାଲେଞ୍ଜ ଉପରେ ଏୟାର ଚିଫ୍ ମାର୍ଶଲ ଚୌଧୁରୀ କହିଛନ୍ତି ଯେ, ସମସ୍ତ ସମ୍ଭାବ୍ୟ ସୁରକ୍ଷା ଆହ୍ଵାନ ପାଇଁ ଭାରତୀୟ ବାୟୁସେନା ପ୍ରସ୍ତୁତ ହେବା ଆବଶ୍ୟକ। ସେ କହିଛନ୍ତି, “ବଳ, ସ୍ଥାନ ଏବଂ ସମୟର କ୍ରମାଗତତା ମଧ୍ୟରେ ଆମକୁ ସ୍ୱଳ୍ପ ମିଆଦି ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ପଡିବ ଏବଂ ପୂର୍ବ ଲଦାଖରେ ଆମେ ଯାହା ଦେଖୁଛୁ ସେପରି ଦୀର୍ଘସ୍ଥାୟୀ ବିବାଦ ପାଇଁ ମଧ୍ୟ ପ୍ରସ୍ତୁତ ରହିବାକୁ ପଡିବ।

Categories
ବିଶେଷ ଖବର

ଉତ୍କଳ ଗୌରବ ମଧୁବାବୁ

ବିଶ୍ବବିଜୟୀ ଦାଶ

ଉତ୍ଥାନ, ପତନ ଗୋଟିଏ ଜାତିର ଇତିହାସରେ କିଛି ନୂଆ କଥା ନୁହେଁ। ଇଂରେଜ ଶାସନ ଅମଳରେ ନିର୍ଯ୍ୟାତିତ ଓଡ଼ିଆ ଜାତି ମୂମୁର୍ଷ ଅବସ୍ଥାରେ ନିଜର ଅସ୍ତିତ୍ବ ରକ୍ଷା ପାଇଁ ସଂଗ୍ରାମରତ ଥିବାବେଳେ କେତେଜଣ କ୍ଷଣଜନ୍ମା ବ୍ୟକ୍ତିବିଶେଷଙ୍କ ଆବିଭାର୍ବ ଜାତୀୟ ଜୀବନରେ ଆଶାର ସଂଚ଼ାର କରିଥିଲା। ଉତ୍କଳୀୟ ସଂସ୍କୃତିର ସୁରକ୍ଷା ତଥା ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶାକୁ ସର୍ବଭାରତୀୟ ସ୍ତରରେ ଏକ ସ୍ବତତ୍ନ ସ୍ଥାନ ଦେବା ପାଇଁ ଯେଉଁ ଯୋଗଜନ୍ମା ନିଜର ଜୀବନକୁ ତିଳତିଳ କରି ଉତ୍ସର୍ଗ କରିଥିଲେ, ସେମାନଙ୍କ ମଧ୍ୟରୁ ଦେଶପ୍ରାଣ ଉତ୍କଳଗୌରବ ମଧୁସୂଦନ ଦାସ ଅନ୍ୟତମ।ଆମ ଓଡ଼ିଶାର ପ୍ରଥମ ଓଡ଼ିଆ ବି.ଏ, ପ୍ରଥମ ଓଡ଼ିଆ ଏମ୍.ଏ, ପ୍ରଥମ ଓଡ଼ିଆ ଓକିଲ, ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ସ୍ବାଧିନତା ସଂଗ୍ରାମୀ, ଯିଏକି ଓଡ଼ିଶାକୁ ନିଜର ପ୍ରାଣ ଦେଇ ଭଲ ପାଉଥିଲେ ଓ କାମ କରୁଥିଲେ ତଥା ଓଡ଼ିଆ ଜାତିର ଚ଼ିର ନମସ୍ୟ, ପ୍ରାତଃ ସ୍ମରଣୀୟ, ଚ଼ିର ବରଣୀୟ କୂଳବୁଦ୍ଧ ଉତ୍କଳଗୌରବ ମଧୁସୂଦନ ଦାସ।

ଉତ୍କଳଗୌରବ ମଧୁସୂଦନ ଦାସ କଟକ ଜିଲ୍ଲାର ସତ୍ୟଭାମାପୁରରେ ୨୮ ଅପ୍ରେଲ ୧୮୪୮ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଚୌଧୁରୀ ରଘୁନାଥ ଦାସ ଓ ମାତାଙ୍କ ନାମ ପାର୍ବତୀ ଦେବୀ।

ତାଙ୍କର ପାଠପଢ଼ା ଆରମ୍ଭ ହୋଇଥିଲା ସତ୍ୟଭାମାପୁରର ଗାଁ ଚାଟଶାଳୀରୁ ମାଟି ବଂଶ ଅବଧାନଙ୍କ ତତ୍ତ୍ୱାବଧାନରେ।ଚାଟଶାଳୀ ପଢ଼ା ଶେଷ କରି ସେ କଟକ ଗଲେ ଓ ଇଂରାଜୀ ବିଦ୍ୟାଳୟରେ ନାମ ଲେଖାଇଲେ। ୧୮୬୪ରେ ମଧୁସୂଦନ ଅନ୍ୟ ଚାରିଜଣଙ୍କ ସହ କଟକ ସ୍କୁଲରୁ ଦ୍ୱିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ କରିଥିଲେ (ଆଜି ଏହାକୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା କୁହାଯାଉଅଛି)। ଏହାପରେ ସେ ବାଲେଶ୍ୱରରେ କିରାଣି ଚାକିରିଟିଏ କଲେ। କିଛି ପଇସା ସଞ୍ଚୟ କରି ସେ ଉଚ୍ଚଶିକ୍ଷା ନିମିତ୍ତ ଚାନ୍ଦବାଲି ଦେଇ ଧୂଆଁକଳ ଚାଳିତ ନାଆରେ କଲିକତା ଯାତ୍ରା କଲେ। ୧୮୭୦ରେ ସେ ବି.ଏ. ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ।

ସେତେବେଳେ କଲିକତା ବିଶ୍ୱବିଦ୍ୟାଳୟରେ ବି.ଏ. ପରୀକ୍ଷାର୍ଥୀମାନଙ୍କ ସଂସ୍କୃତ ପରୀକ୍ଷାର ଉତ୍ତର ନିଜ ମାତୃଭାଷରେ ଲେଖିବା ନିୟମ ଥିଲା, କିନ୍ତୁ ପରୀକ୍ଷକ ବଙ୍ଗଳା ଛଡ଼ା ଅନ୍ୟ କୌଣସି ଭାଷା ଜାଣି ନଥିବାରୁ ବଙ୍ଗଳା ବ୍ୟତୀତ ଅନ୍ୟ କୌଣସି ଲିପିରେ ସଂସ୍କୃତ ପ୍ରଶ୍ନୋତ୍ତର ଲେଖିବାକୁ ଅନୁମତି ମିଳୁନଥିଲା। ମଧୁବାବୁ ନିଜ ମାତୃଭାଷା ଓଡ଼ିଆରେ ସଂସ୍କୃତର ଉତ୍ତର ଲେଖିବାପାଇଁ ଜିଦ ଧରି ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟମାନଙ୍କୁ ଜଣାଇଲେ। ସେଠାରୁ କୌଣସି ସୁଫଳ ନ ମିଳିବାରୁ ସେ ତତ୍କାଳୀନ ବଙ୍ଗ-ବିହାର-ଓଡ଼ିଶାର ଲ୍ୟୁଟନାଣ୍ଟ ଗଭର୍ଣ୍ଣର ସାର ଉଇଲିଅମ ଗ୍ରେଙ୍କ ନିକଟକୁ ଏକ ଟେଲିଗ୍ରାମ ପ୍ରେରଣ କରିବାପରେ ଗ୍ରେଙ୍କ ହସ୍ତକ୍ଷେପ ପରେ ସେ ଓଡ଼ିଆରେ ନିଜର ଉତ୍ତର ଲେଖିଥିଲେ।

ସେଠାରେ ମଧୁବାବୁ ଏମ୍.ଏ. ପାସ୍ କରିଥିଲେ। ତା’ପରେ ମଧୁବାବୁ କଲିକତା ବିଶ୍ବବିଦ୍ୟାଳୟ ବି.ଏଲ୍. ପାସ କରି ସାରିଥିଲେ। ଓକିଲ ହେବାପରେ ମଧୁବାବୁ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ସେଠାରେ ଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ଉନ୍ନତି ପଥରେ ମଧୁବାବୁ ଲାଗିପଡ଼ିଥିଲେ। ପରେ ସେ କଲିକତା ହାଇକୋର୍ଟରେ ବାରିଷ୍ଟର ଜେଟି ଉଡ୍ରଫଙ୍କ ସହଯୋଗୀ ଭାବେ ଓକିଲାତି କରିଥିଲେ।

୧୨ ସେପ୍ଟେମ୍ବର ୧୮୮୧ରେ କଲିକତାରୁ ଫେରି ସେ କଟକରେ ଓକିଲାତି କଲେ। ବିଚ଼କ୍ଷଣ ବୁଦ୍ଧି ବଳରେ ସେ ଓକିଲାତିରେ ବିଶେଷ ପାରଦର୍ଶିତା ଅର୍ଜନ କରିପାରିଥିଲେ ଓ ମଧୁବାରିଷ୍ଟର ଭାବେ ପରିଚ଼ିତ ହୋଇଥିଲେ। ତାଙ୍କର ଓକିଲାତି ଜୀବନକାଳରେ ସେ ବହୁ ଜନହିତକର କାର୍ଯ୍ୟ କରିଥିଲେ।

୬ ଜାନୁଆରୀ ୧୯୨୧ ମସିହାରେ ମଧୁବାବୁ ବିହାର ଓଡ଼ିଶାର ମନ୍ତ୍ରୀରୂପେ ନିଯୁକ୍ତି ପାଇଥିଲେ। ସେତେବେଳେ ମନ୍ତ୍ରୀମାନଙ୍କୁ ମାସିକ ବେତନ ମିଳୁଥିଲା। ଇଂରେଜ ସରକାରଙ୍କଠାରୁ ଦରମା ନେଇ କାମ କଲେ ଲୋକଙ୍କୁ ନିରପେକ୍ଷ ସେବା ଦେବା ସମ୍ଭବ ନୁହେଁ ବୋଲି ଯୁକ୍ତି କରି ସେ ଅବୈତନିକ ମନ୍ତ୍ରୀପଦ ପାଇଁ ପ୍ରସ୍ତାବ ରଖିଥିଲେ। ସରକାର ଏଥିରେ ରାଜି ନ ହେବାରୁ ୯ ମାର୍ଚ୍ଚ ୧୯୨୩ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ଓଡ଼ିଶାରେ ଚ଼ମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ।

ଉନ୍ନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ବେଳକୁ ଏକ ବିପର୍ଯ୍ୟନ୍ତ ଖଣ୍ଡିତ କଙ୍କାଳରେ ପରିଣତ ହୋଇସାରିଥିଲା ବାଣିଜ୍ୟ ସମୃଦ୍ଧ ବିଶାଳ ଓଡ଼ିଶା। ଉତ୍କଳ ଜନନୀର ପୂର୍ଣ୍ଣାଙ୍ଗ ରୂପ ପ୍ରତିଷ୍ଠା ପାଇଁ ଜାତୀୟ ଆନ୍ଦୋଳନର ପ୍ରାଣପ୍ରତିଷ୍ଠାତା ମଧୁବାବୁଙ୍କ ନେତୃତ୍ବରେ ଆରମ୍ଭ ହୋଇଥିଲା ଦୁର୍ବାର ଅଭିଯାନ।ଉତ୍କଳୀୟ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଗଢ଼ିଥିଲେ ଜାତୀୟ ମହାମଞ୍ଚ ଉତ୍କଳ ସମ୍ମିଳନୀ। ଜାତୀୟତାର ମହାପ୍ରବାହ ସୃଷ୍ଟି କରିବାର ଆକାଂକ୍ଷା ନେଇ ଲେଖିଥିଲେ ପ୍ରାଣ ନିଗିଡ଼ା କବିତା।ଜାତୀୟ ବିକାଶ, ଜାତୀୟ ସମସ୍ୟା, ଜାତୀୟ ଚ଼ରିତ୍ର, ଜାତୀୟ ଅସ୍ମିତା ଓ ଜାତୀୟ ସ୍ବାଭିମାନ ସହିତ ପ୍ରତ୍ୟେକ ଓଡ଼ିଆଙ୍କୁ ଯୋଡ଼ିବାର ସଂକଳ୍ପ ନେଇ ସମ୍ମିଳନୀ ମଣ୍ଡପରୁ ଗାଇଥିଲେ “ଏଇ ସମ୍ମିଳନୀ ଜାତିପ୍ରାଣ ସିନ୍ଧୁ କୋଟି ପ୍ରାଣ ବିନ୍ଦୁ ଧରେ,ତୋର ପ୍ରାଣ ବିନ୍ଦୁ ମିଶେଇ ଦେ ଭାଇ ଡେଇଁ ପଡ଼ି ସିନ୍ଧୁ ନୀରେ”।

ଗଭୀର ଜାତୀୟତାବୋଧର ଉଦବେଳନ ନେଇ ଭାବିଲେ ମନେହୁଏ ଏହା କେବେବି ଜଣେ ସାଧାରଣ କବିର ଆହ୍ବାନ ନୁହେଁ,ବରଂ ଜଣେ ମହାମାତ୍ନିକ ସଞ୍ଜିବନୀ ମତ୍ନ, ଯେଉଁ ମତ୍ନ ର ଯାଦୁକରୀ ମାୟାରେ ଦିନେ ଚ଼େଇଁ ଉଠିଥିଲା ସମଗ୍ର ଓଡ଼ିଆ ଜାତି।

ତାଙ୍କରି ଲେଖନୀ ନିସୃତ କବିତା ଏବେ ବି ଓଡ଼ିଆଙ୍କ କାନରେ ଠାଇ ଠାଇ ହୋଇ ବାଜେ-
“ଉଠରେ ଉଠରେ ଉତ୍କଳ ସନ୍ତାନ
ଉଠିବୁ ତୁ କେତେ ଦିନେ
ପୂରୁବ ଗୌରବ ପୂରୁବ ସାହାସ
ପଡି଼ବକି କେବେ ମନେ ?”

ସେ ଓଡ଼ିଆ ଓ ଇଂରାଜୀରେ ଅନେକ ଉପାଦେୟ ଲେଖା ଲେଖିଯାଇଛନ୍ତି। ତାଙ୍କର କେତୋଟି ଜଣାଶୁଣା ଲେଖା ହେଉଛି, “ଉତ୍କଳ ସନ୍ତାନ”, “ଜାତି ଇତିହାସ”, “ଜ୍ଞାନୀର ଉକ୍ତି”, “ଜାତୀୟ ଗୀତିକା”। ସେ ମଧ୍ୟ ଓଡ଼ିଆ, ଇଂରାଜୀ ଓ ବଙ୍ଗଳାରେ ଜଣେ ସୁବକ୍ତା ଥିଲେ।

ଏହି ମହାପୁରୁଷ, ଓଡ଼ିଆ ମାଟି ର ସ୍ବାଭିମାନ କୂଳବୁଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସ ୧୯୩୪ ମସିହା ଫେବୃଆରୀ ୪ ତାରିଖ ରେ ଓଡ଼ିଶା ବାସୀଙ୍କୁ ଶୋକସାଗରରେ ଭସାଇ ଚ଼ାଲିଗଲେ। ଆଜି ତାଙ୍କର ଜୟନ୍ତୀ ଅବସରରେ ମୋର ଭୂମିଷ୍ଠ ପ୍ରଣାମ ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ।

ବିଶ୍ବବିଜୟୀ ଦାଶ, ବି.ଏସସି,ବି.ଇଡ଼ି (ସ୍ବତନ୍ତ୍ର ଶିକ୍ଷା), ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା, ପିନ୍- ୭୫୨୦୩୫

ମୋବାଇଲ ନଂ- ୬୩୭୦୨୦୮୪୨୮

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଓଡିଶା ଓ ମହାରାଷ୍ଟ୍ର ମଧ୍ୟରେ ସାଂସ୍କୃତିକ ଭାବବିନିମୟ ଆଲୋଚନାଚକ୍ର

ଭୁବନେଶ୍ୱର: ଓଡିଶା ଓ ମହାରାଷ୍ଟ୍ର ମଧ୍ୟରେ ସାଂସ୍କୃତିକ, କଳା, ସାହିତ୍ୟ, ରାଜନୈତିକ ଆଦି ସମ୍ପର୍କ ଦୀର୍ଘକାଳରୁ ରହିଆସିଛି ବୋଲି ମହାତ୍ମାଗାନ୍ଧୀ ମିଶନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁଧୀର ଗଭାନେ କହିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ପତ୍ରସୂଚନା କାର୍ଯ୍ୟାଳୟ ଓ ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ସାଂସ୍କୃତିକ ଭବବିନିମୟ କାର୍ଯ୍ୟକ୍ରମ ଅଧୀନରେ ଆଜି ଆୟୋଜିତ ଏକ ୱେବିନାର ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ପ୍ରଫେସର ଗଭାନେ କହିଛନ୍ତି ଯେ ସଙ୍ଗୀତ, ନୃତ୍ୟ,କଳା ଆଦି ଦୁଇଟି ରାଜ୍ୟର ସମ୍ପର୍କକୁ ସୁଦୃଢ କରିବାରେ ସାହାଯ୍ୟ କରିଥାଏ।

ଓଡିଶା ଓ ମହାରାଷ୍ଟ୍ର ମଧ୍ୟରେ ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ଅନେକ ସମାନତା ଓ ସମ୍ପର୍କ ରହିଆସିଛି। ସ୍ୱାଧୀନତା ସଂଗ୍ରାମ ସମୟରେ ଉଭୟ ରାଜ୍ୟର ହଜାର ହଜାର ସଂଗ୍ରାମୀ ଆତ୍ମବଳିଦାନ ଦେଇଛନ୍ତି। ଓଡିଆ ପ୍ରାଚୀନ ସାହିତ୍ୟ ଓ ମହାରାଷ୍ଟ୍ରର ପ୍ରାଚୀନ ସାହିତ୍ୟ ମଧ୍ୟରେ ଚତୁର୍ଦ୍ଦଶ ଶତାବ୍ଦୀରୁ ସାମାଞ୍ଜସ୍ୟ ରହିଥିବା ଭାରତର ବୈଶିଷ୍ଟ୍ୟ ବୋଲି କହିଥିଲେ। ମରାଠା ଶାସନ କାଳରେ ଦେଶର ବିଭିନ୍ନ ସ୍ଥାନକୁ ସଂଯୋଗ ନିମନ୍ତେ ନିର୍ମିତ ହୋଇଥିବା ସଡକ ଏବେ ଗୁରୁତ୍ୱପୂର୍ଣ୍ଣ ରାଜପଥରେ ପରିଣତ ହୋଇଥିବା ଦର୍ଶାଇ ଉଭୟ ରାଜ୍ୟର ବାସିନ୍ଦା ପରସ୍ପର ପ୍ରତି ଅତ୍ୟନ୍ତ ସହନଶୀଳ ବୋଲି ମତ ଦେଇଥିଲେ। ବିଶ୍ୱ ଓଡିଶା ସମାଜର ଭାରତୀୟ ଖଣ୍ଡ ସଭାପତି ଡକ୍ଟର ବିପିନ ବିହାରୀ ମିଶ୍ର ଓଡିଶା ଏବଂ ମହାରାଷ୍ଟ୍ର ମଧ୍ୟରେ ଥିବା ସାମାଜିକ ଓ ସାଂସ୍କୃତିକ ସମ୍ପର୍କର ଇତିହାସ ଆଲୋଚନା କରିଥିଲେ। ଓଡିଶା ଲୋକମାନଙ୍କ ଯୋଗୁଁ ହିଁ ସମାଜରେ ଶାନ୍ତି ବିରାଜମାନ କରେ ବୋଲି ମହାରାଷ୍ଟ୍ରର ପୂର୍ବତନ ରାଜନେତା ବାଲ୍ ଠାକ୍‌ରେଙ୍କ ମନ୍ତବ୍ୟକୁ ଉଦ୍ଧାର କରି ମହାରାଷ୍ଟ୍ରର ସବୁ ଧର୍ମପୀଠରେ ଓଡିଶାର ଲୋକଙ୍କ ଉପସ୍ଥିତି ଅଧିକା ବୋଲି କହିଥିଲେ।

ମୁମ୍ବାଇ ପତ୍ରସୂଚନା କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଡକ୍ଟର ରାହୁଳ ଟିିଡ୍‌କେ ‘ଏକ ଭାରତ,ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବର୍ଣ୍ଣନା କରିବା ସହ ଉଭୟ ରାଜ୍ୟର ଲୋକେ ପରସ୍ପରର ସମୃଦ୍ଧିରେ ସହାୟକ ହୋଇଥିବା କହିଥିଲେ। ଦୀର୍ଘ ଦଶନ୍ଧି ଧରି ଓଡିଶାର ଲୋକେ ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ବାସ କରି ଏହାକୁ ନିଜର ଦ୍ୱିତୀୟ ଘର ବୋଲି ଭାବିବା ଏକ ଗର୍ବର ବିଷୟ ବୋଲି ମତ ଦେଇଥିଲେ। ପତ୍ରସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ରାଜିନ୍ଦର ଚୌଧୁରୀ ବିବିଧତା ମଧ୍ୟରେ ଏକତାର ଉଦାହରଣ ଭାବେ ଓଡିଶା ଓ ମହାରାଷ୍ଟ୍ରର ସମ୍ପର୍କକୁ ବର୍ଣ୍ଣନା କରିଥିଲେ। ଦେଶରେ ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟ ଓଡିଶା ଏବଂ ପଶ୍ଚିମ ଉ ପକୂଳବର୍ତ୍ତୀ ରାଜ୍ୟ ମହାରାଷ୍ଟ୍ର ମଧ୍ୟରେ ଭୌଗୋଳିକ, ସାଂସ୍କୃତିକ, କଳାଗତ, ଭାଷାଗତ ଆଦି ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ଦୀର୍ଘକାଳରୁ ରହିଥିବା କହିଥିଲେ।

ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଆଲୋଚନା ଆରମ୍ଭରେ ଅତିଥି ଏବଂ ସଦସ୍ୟମାନଙ୍କୁ ସ୍ୱାଗତ କରିବା ସହ ୧୯୩୪ମସିହାରୁ ଓଡିଶାର ପ୍ରଥମ ଚଳଚ୍ଚିତ୍ର ନିର୍ମାଣଠାରୁ ଏପର୍ଯ୍ୟନ୍ତ କଳାର ସବୁ କ୍ଷେତ୍ରରେ ମହାରାଷ୍ଟ୍ର ସହ ଓଡିଶାର ସମ୍ପର୍କ ନିବିଡ ବୋଲି କହିଥିଲେ। ପତ୍ରସୂଚନା କାର୍ଯ୍ୟାଳୟର ଗଣଯୋଗାଯୋଗ ଅଧିକାରୀ ଡକ୍ଟର ପ୍ରଦୀପ କୁମାର ଚୌଧୁରୀଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନାରେ ପୂର୍ବତଟ ରେଳବାଇର ପୂର୍ବତନ ଜନସମ୍ପର୍କ ଅଧିକାରୀ ରବିନାରାୟଣ ମହାପାତ୍ରଙ୍କ ସମେତ ମନ୍ତ୍ରଣାଳୟର ବହୁ ବରିଷ୍ଠ ଅଧିକାରୀ ଏବଂ ଉଭୟ ରାଜ୍ୟର ବାସିନ୍ଦା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। (ପି.ଆଇ.ବି.)