Categories
ଆଜିର ଖବର ରାଜ୍ୟ ଖବର

ରାଜସୁନାଖଳା ମହୋତ୍ସବ କାଉଁରୀ-୨୦୨୪ ଉଦ୍‌ଯାପିତ

ରଣପୁର: ପ୍ରତିଟି କ୍ଷେତ୍ରରେ ସ୍ୱଦେଶୀକୁ ଗୁରୁତ୍ବ ଦେଲେ ଗାଁ ସମେତ ରାଜ୍ୟ ଓ ଦେଶର ବିକାଶ ସମ୍ଭବ ବୋଲି ନୟାଗଡ଼ ଜିଲା ରାଜସୁନାଖଳା ମହୋତ୍ସବ କାଉଁରୀ-୨୦୨୪ର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ରଘୁବର ଦାସ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି। ମହୋତ୍ସବ ତଥା ମେଳା ଗାଁର ଭାଇମାନଙ୍କ ମଧ୍ୟରେ ଭାଇଚାରା ଭାବ ସୃଷ୍ଟି କରିଥାଏ।

ମହୋତ୍ସବକୁ ଗାଁ ଗହଳିର ଭାଇ ଭଉଣୀ ମାନେ ବିଭିନ୍ନ ସାମଗ୍ରୀ ଆଣି ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବିଦେଶୀ ସାମଗ୍ରୀ ବ୍ୟବହାର କଲେ ଅର୍ଥ ଅଞ୍ଚଳକୁ ଯାଇ ସେଠାକାର ବିକାଶ ହୋଇଥାଏ। ତେଣୁ ସଦାସର୍ବଦା ସ୍ଵଦେଶୀ ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟପାଳ କହିଥିଲେ। ମହୋତ୍ସବ କମିଟିର ସଭାପତି ଚିତ୍ତରଞ୍ଜନ ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ମନୋଜ୍ଞ ସମାରୋହରେ ଓଡ଼ିଶା ବିଧାନସଭାର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ,ରାଜ୍ୟ ପଞ୍ଚାୟତରାଜ,ପାନୀୟଜଳ ଓ ଗ୍ରାମ୍ୟଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ,ଖାଦ୍ୟ ଯୋଗାଣ,ଖାଉଟିକଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର,ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ,ସମାଜସେବୀ ଶିବରାମ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଭଦ‌ବୋଧନ ଦେଇଥିଲେ।

ଏହି ଅବସରରେ ଆସାମ, ମଣିପୁର, କଲିକତା, ତାମିଲନାଡୁ ଆଦି ରାଜ୍ୟରୁ କଳାକାରମାନେ ଆସି ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ। ଥଣ୍ଡା ସଙ୍ଗେ ବହୁ ସଂଖ୍ୟକ ଲୋକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଜୟେନ୍ଦ୍ର ବେହେରା ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରାଜସୁନାଖଳା ମହୋତ୍ସବ କାଉଁରୀର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ଢୋଲ ମହୁରୀ

ରଣପୁର: ଷଷ୍ଠ ରାଜସୁନାଖଳା ମହୋତ୍ସବ ‘କାଉଁରୀ-୨୦୨୪’ ଦ୍ଵିତୀୟ ସନ୍ଧ୍ୟାରେ ମାନମୋହିଲା ଢୋଲ ମହୁରୀ ନାଚରେ ଦର୍ଶକ ବିଭୋର ହୋଇଛନ୍ତି। ଏହି ଦ୍ଵିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମରେ ସ୍ଥାନୀୟ ରଣପୁର ବିଧାୟକ ତଥା ରାଜ୍ୟ ବିଧାନସଭାର ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ପ୍ରଶାନ୍ତ କୁମାର ଜଗଦ୍ଦେବ, ମୁଖ୍ୟ ବକ୍ତା ଭାବେ କୋରେଇ ବିଧାୟକ ତଥା ସିନେ ତାରକା ଆକାଶ ଦାଶ ନାୟକ ଯୋଗଦେଇଥିଲେ। ଏଥିରେ ସମ୍ମାନୀତ ଅତିଥିଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ, ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରାଇ, ସ୍ଥାନୀୟ ସମିତି ସଭ୍ୟ ତପନ କୁମାର ପ୍ରଧାନ ପ୍ରମୁଖ ମଞ୍ଚଷିନ ଥିଲେ।

ଏହି କାର୍ଯ୍ୟକ୍ରମରେ ସଭାରେ ମହୋତ୍ସବ କମିଟି ସମ୍ପାଦକ ଜଯନ୍ଦ୍ର ବେହେରା ବିବରଣୀ ପାଠ କରିଥିବା ବେଳେ ମହୋତ୍ସବର ପ୍ରତିଷ୍ଠାତା ତଥା ସଭାପତି ଚିତ ରଞ୍ଜନ ପ୍ରଧାନ ଧନ୍ୟବାଦ ଦେଇଥିଲେ। ସଂସା୍‌କୃତିକ କାର୍ଯ୍ୟକ୍ରମ ମଧ୍ୟରେ ପୁରୁଲିଆ ଛଉ , ବଲାଙ୍ଗୀର ର ସମ୍ବଲପୁରୀ ନୃତ୍ୟ ,ପାରମ୍ପରିକ ବିବିଧ ନୃତ୍ୟ, ସମରକଳା, ଆସାମର ବିହ୍ୟୁ, ଡିଶୀ ନୃତ୍ୟ ଓ ଢୋଲ ମହୁରୀ କାର୍ଯ୍ୟକ୍ରମ ମନମୋହିଥିଲା।

ଏହି ଶୀତୁଆ ସନ୍ଧ୍ୟାରେ ରଣପୁର ,ବୋଲଗଡ଼ ,ଭାପୁର ବେଗୁନିଆ ବ୍ଲକର ହଜାର ହଜାର ଦର୍ଶକ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ବଂଶୀଧର ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅବିନାଶ ସୁବୁଦ୍ଧିଙ୍କ ନିର୍ଦ୍ଦେଶନାରେ ଦେଶାତ୍ମକ ବୋଧ ସଙ୍ଗୀତ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରାଜସୁନାଖଳା ମହୋତ୍ସବ କାଉଁରି ୨୦୨୩ର ଦ୍ଵିତୀୟ ସଂନ୍ଧ୍ୟା ପାଇକ ଆଖଡ଼ା ନୃତ୍ୟରେ ଦର୍ଶକ ବିମୋହିତ

ରଣପୁର: ରାଜସୁନାଖଳାରେ ଚାଲିଥିବା ରାଜ ସୁନାଖଳା ମହୋତ୍ସବ କାଉଁରି-୨୦୨୩ ର ଶନିବାର ଦ୍ଵିତୀୟ ସଂନ୍ଧ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ପାରିବେଷିତ ହୋଇଥିଲା। ପାଇକ ଆଖଡ଼ା, ଶିଳ୍ପ ନିକେତନ, ଓଡିଶୀ ସମ୍ବଲପୁରୀ ଓ ମଡର୍ଣ୍ଣ ଡ୍ୟାନ୍ସ ଏଥି ସହିତ ଖଞ୍ଜଣୀ ଭଜନ, ସଙ୍କୀର୍ତ୍ତନ ଆଦି ପାରିବେଷିତ ହୋଇଥିଲା। ବିଶେଷ ଭାବେ ଖୋଲା ଆକାଶ ରଙ୍ଗ ମଞ୍ଚ ରେ ପାଇକ ଆଖଡ଼ା ନୃତ୍ୟରେ ଦର୍ଶକ ଆକର୍ଷିତ ହୋଇଥିଲେ।

ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ମହୋତ୍ସବ କମିଟିର ସଭାପତ ଆର୍ତ୍ତତ୍ରାଣ ପ୍ରଧାନ ସଭାପତିତ୍ୱ କରିଥିଲେ। ମହୋତ୍ସବ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସ୍ବାଗତ ଅଭିଭାଷଣ ଦେଇଥିଲେ। ମୁଖ୍ୟ ଅତିଥି ରୂପେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟ ବକ୍ତା ରୂପେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଉପଦେଷ୍ଟା ଦୁର୍ଗା ସାମନ୍ତରାୟ, ସମ୍ମାନିତ ବକ୍ତା ଭାବେ ନୟାଗଡ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ରୂପେ ବଡକୁମାରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର, କିଶୋର ଚନ୍ଦ୍ର ରାଉତରାୟ, ପ୍ରସନ୍ନ କୁମାର ସ୍ଵାଇଁ ପ୍ରମୁଖ ବକ୍ତବ୍ୟ ଦେଇଥିଲେ।

ଏହି ଅବସରରେ ମହୋତ୍ସବ ପାଇଁ ସ୍ୱର ଓ ବକ୍ତୃତା ପ୍ରତିଭା ପ୍ରତିଯୋଗିତାରେ ଚୟନ ହୋଇଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଦେଇ ଅତିଥି ମାନେ ସମ୍ମାନିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କାଉଁରୀ-୨୦୨୩ ପାଇଁ ପ୍ରସ୍ତୁତି: ରାଜ୍ୟପାଳ କରିବେ ଉଦଘାଟନ, ଆକର୍ଷଣୀୟ କାର୍ଯ୍ୟକ୍ରମ ପାଇଁ ମିଳିଲା ପ୍ରତିଶୃତି

ରାଜସୁନାଖଳା: ରାଜ୍ୟପାଳଙ୍କ କରକମଳରେ ଉଦଘାଟିତ ହେବ ପଞ୍ଚମ ରାଜସୁନାଖଳା ମହୋତ୍ସବ କାଉଁରୀ-୨୦୨୩। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ରାଜସୁନାଖଳା ମହୋତ୍ସବ କମିଟି ସୂଚନା ଦେଇଛି।

ନୟାଗଡ଼ ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳି ଭାବେ ପରିଚିତ ରାଜସୁନାଖଳାର କଳା, ସାହିତ୍ୟ, ସଂସ୍କୃତିର ବିକାଶ ପାଇଁ ଗଢିଉଠିଥିବା ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ରାଜସୁନାଖଳା ମହୋତ୍ସବ କମିଟି ଆନୁକୂଲ୍ୟରେ ଆଗାମୀ ଡିସେମ୍ବର ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପୀ ଏହି ରାଜ୍ୟସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହେବ।

ତେବେ ଗତବର୍ଷ ମାନଙ୍କ ଅପେକ୍ଷା ଆହୁରି ଆକର୍ଷଣୀୟ କାର୍ଯ୍ୟକ୍ରମ କରିବା ନିମନ୍ତେ ପ୍ରତିଶୃତି ରଖିଲେ ମହୋତ୍ସବ କମିଟି ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନ। ଗଣମାଧ୍ୟମ ପ୍ରତିନିଧି ମାନଙ୍କର ପ୍ରଶ୍ନର ଉତ୍ତର ରଖି କମିଟି ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ଚଳିତ ବର୍ଷ ମହୋତ୍ସବକୁ ଆହୁରି ଆକର୍ଷଣୀୟ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସାଂସ୍କୃତିକ ଦଳ ଆଣିବା ପାଇଁ ପ୍ରକାଶ କରିଛନ୍ତି। ବିଗତ ବର୍ଷରେ ବହୁ ଜନ ସମାଗମକୁ ଲକ୍ଷ୍ୟ ରଖି ଚଳିତ ବର୍ଷ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ମତ ପ୍ରକାଶ ପାଇଛି।

ଏତଦ ବ୍ୟତୀତ ଦର୍ଶକ ମାନେ କିପରି ମିନା ବଜାର, ରାମଦୋଳି ଏବଂ ପଲ୍ଲଶ୍ରୀ ମେଳାର ଭରପୁର ମଜା ଉଠାଇ ପାରିବେ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସାମ୍ବାଦିକ ମାନଙ୍କର ପ୍ରଶ୍ନର ଉତ୍ତର ରଖି କମିଟି ଉପାଧ୍ୟକ୍ଷ ପ୍ରସନ୍ନ କୁମାର ପ୍ରଧାନ ମତ ପ୍ରକାଶ କରିଥିଲେ। ଦେଖଣାହାରୀ ମାନଙ୍କର ସୁରକ୍ଷା ଏବଂ ସମସ୍ତ ପ୍ରକାରର ସୁବିଧା ଅସୁବିଧାର ତୁରନ୍ତ ପଦକ୍ଷେପ ନିମନ୍ତେ ରାଜସୁନାଖଳାର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର ସହାୟତା ନିଆଯିବ ବୋଲି ଦୃଢୋକ୍ତି ପ୍ରକାଶ ପାଇଛି।

ଅଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠର ଅଧୀଶ୍ଵରୀ ଦେବୀ ମା କାଉଁରୀଙ୍କର ନାମରେ ନାମିତ ଏହି ମହୋତ୍ସବର ପ୍ରଥମ ଦିନ ମଶାଲ ଶୋଭାଯାତ୍ରା, ପୀଠ ହୋମ, ସନ୍ଧ୍ୟାରେ ରାଜ୍ୟପାଳଙ୍କ ଦ୍ୱାରା ମଞ୍ଚ ଉଦଘାଟନ ହେବ।

ଏହି ଅବସରରେ ଏକ ବାର୍ଷିକ ସ୍ମରଣୀକା “କାଉଁରୀ” ପ୍ରକାଶ କରାଯିବା ନିମନ୍ତେ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଧାନ ପ୍ରକାଶ କରିଥିଲେ। ଏଥିନିମନ୍ତେ ରାଜସୁନାଖଳାକୁ ଭଲ ପାଉଥିବା ରାଜ୍ୟର କବି, ଲେଖକ ତଥା ଗବେଷକ ମାନଙ୍କ ଠାରୁ ଲେଖା ନିମନ୍ତେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଜରିଆରେ ପଠାଇବା ପାଇଁ ପତ୍ରିକା ସମ୍ପାଦକ ପ୍ରଦୀପ ରଣା ମହୋଦୟ ଅନୁରୋଧ କରିଥିଲେ।

ପ୍ରକାଶ ଥାଉକି ବିଗତ ୨୦୧୯ ମସିହାରେ ଆରମ୍ଭ ହୋଇଥିବା ଏହି ମହୋତ୍ସବ ମହାମାରୀ କରୋନା ସମୟରେ ବି ଡିଜିଟାଲ ମହୋତ୍ସବ ଆୟୋଜନ କରି ବେଶ ସୁନାମ ସାଉଁଟି ଥିଲା।ଉକ୍ତ କାର୍ଯ୍ୟକ୍ରମକୁ ମହୋତ୍ସବ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଧାନ ଆହ୍ବାନ କରିଥିବା ବେଳେ କମିଟି ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସ୍ୱାଗତ କରିଥିଲେ।

ଉପାଧ୍ୟକ୍ଷ ପ୍ରସନ୍ନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଯୁବ ସାମ୍ବାଦିକ ପ୍ରଚାର ପ୍ରସାର କମିଟି ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ ପରିଚାଳନା କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା କୈଳାସ ଚନ୍ଦ୍ର ସାହୁ ଏବଂ ପ୍ରଦୀପ କୁମାର ସାହୁ ସରସ ସୁନ୍ଦର କାର୍ଯ୍ୟକ୍ରମ ପାଇଁ ପ୍ରତିଶୃତି ସହ ସାମ୍ବାଦିକଙ୍କ ପ୍ରେସ ଗ୍ୟାଲେରୀ ରେ ବ୍ୟାପକ ବ୍ୟବସ୍ଥା ପାଇଁ ପ୍ରତିଶୃତି ଦେଇଥିଲେ।

ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଆସାମ ବିହୁ, ରାଜ୍ୟସରକାର ଙ୍କ ସଂସ୍କୃତି ବିଭାଗ ପକ୍ଷରୁ ନୃତ୍ୟ ଦଳ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବ। ସେହିପରି ଦଶାବତାର, ପୁରୀ ସାହିଯାତ ମେଢ଼ ସହ ଓଲିଉଡ଼ ର ବହୁ କଳାକାର ଯୋଗ ଦେବେ। ଏଥିସହ ମେଲୋଡି ଏବଂ ଝୁମର ନାଚ ଦର୍ଶକ ଙ୍କୁ ବାନ୍ଧି ରଖିବ।

ଏହି କାର୍ଯ୍ୟକ୍ରମକୁ ସମ୍ପାଦନ କରିବାରେ ଯୁବ ସାମ୍ବାଦିକ ରାକେଶ ପାଢ଼ୀ ଏବଂ ଯାଦୁନାଥ ସାମନ୍ତରାୟ ସହଯୋଗ କରିଥିଲେ। ଉକ୍ତ ପ୍ରେସ ମିଟରେ ଖୋର୍ଦ୍ଧା ଏବଂ ନୟାଗଡ ଉଭୟ ଜିଲ୍ଲାର ଗଣ ମାଧ୍ୟମ ପ୍ରତିନିଧି ଉଭୟ ଇଲୋକ୍ଟ୍ରୋନିକ୍ସ ଏବଂ ପ୍ରିଣ୍ଟ ମିଡ଼ିଆର ପ୍ରତିନିଧି ଉପସ୍ଥିତ ଥିଲେ।