Categories
ଆଜିର ଖବର ରାଜ୍ୟ ଖବର

ଅନୁଦାନ ଯୋଗ୍ୟ ସ୍କୁଲ କଲେଜର ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କୁ ତୁରନ୍ତ ଅନୁଦାନ ପ୍ରଦାନ ଦାବୀ

ଭୁବନେଶ୍ୱର: ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ଦୀର୍ଘ ୨୪ ବର୍ଷ ଧରି ବିଗତ ସରକାରଙ୍କ ନିକଟରେ ତାଙ୍କର ଯୁକ୍ତିଯୁକ୍ତ ଦାବୀକୁ ବାରମ୍ବାର ଉପସ୍ଥାପନ କରିଆସୁଥିଲେ ସୁଦ୍ଧା ତାର ସୁଫଳ ମିଳି ନ ଥିଲା। ଦୀର୍ଘ ବର୍ଷର ଅବଧି ପରେ ନୂତନ ସରକାରଙ୍କ ଉପରେ ଶିକ୍ଷକ ଓ ର୍କମାଚରୀମାନେ ସେମାନଙ୍କର ସମସ୍ୟା ସମାଧାନ ପାଇଁ ବିଶ୍ୱାସ ଓ ଭରାସା ପ୍ରକଟ କରିଛନ୍ତି ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତି ମାଧ୍ୟମରେ ଜଣାଇଛନ୍ତି।

ପ୍ରକାଶଥାଉକି, ସମନ୍ୱୟ ସମିତିର କର୍ମକର୍ତ୍ତାମାନେ ମାନ୍ୟବର କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଆଇନ୍ ମନ୍ତ୍ରୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ସମସ୍ତ ବିଧାୟକମାନଙ୍କ ନିକଟରେ ଗତ ଅଗଷ୍ଟ ୧୬ତାରିଖ ଶିକ୍ଷକ ଦାବିଦିବସରେ ସମବେତ ହୋଇ ତାଙ୍କର ନ୍ୟାଯ୍ୟ ଦାବି ଉପସ୍ଥାପନ କରିଥିଲେ। ଶିକ୍ଷକମାନଙ୍କର ସମସ୍ୟା ପ୍ରତି ସରକାର ସଚେତନ ଅଛନ୍ତି ବୋଲି ସରକାରଙ୍କ ତରଫରୁ ଜଣା ଯାଇଥିଲା। ଶିକ୍ଷକ ନେତୃତ୍ୱମାନେ ବାରମ୍ବାର ସରକାରଙ୍କ ସହିତ ଆଲୋଚନା କରିଛନ୍ତି ଓ ପ୍ରତିଶ୍ରୁତି ପାଇଛନ୍ତି, କିନ୍ତୁ ସମସ୍ୟା ସମାଧାନର ସୂତ୍ର ଅଦ୍ୟାବଧି ବାହାରି ପାରି ନାହିଁ କିମ୍ବା ଅନୁଦାନ ଓ ପେନ୍‌ସନ ସମ୍ପର୍କରେ ସରକାରଙ୍କ ତରଫରୁ କୌଣସି ନିଷ୍ପତ୍ତି ବିଧିବଦ୍ଧ ଭାବରେ ନିଆଯାଇ ନାହିଁ।

ଦୀର୍ଘ ୨୫ରୁ ୩୦ ବର୍ଷ ବିନା ପାରିଶ୍ରମିକରେ କାର୍ଯ୍ୟରତ ଅନୁଦାନ ଯୋଗ୍ୟ ସ୍କୁଲ କଲେଜର ଶିକ୍ଷକ କର୍ମଚାରୀମାନେ ଶୂନ୍ୟ ହସ୍ତରେ ଅବସର ନେବା ଓ ମୃତ୍ୟୁବରଣ କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ୫୦୦୦ ରୁ ଊର୍ଦ୍ଧ୍ୱ ଶିକ୍ଷକ କର୍ମଚାରୀ ଇତିମଧ୍ୟରେ ଅବସର ନେଇଗଲେଣି। ଅବସର ନେବା ପରେ ସେମାନଙ୍କ ମଧ୍ୟରୁ ଅନେକ ମୂଲଲାଗି ଜୀବିକା ନିର୍ବାହ କରୁଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ପେନସନ୍ ଓ ସମାନ କାମକୁ ସମାନ ଦରମା ମିଳୁ ନାହିଁ। ତେଣୁ ଶିକ୍ଷକ କର୍ମଚାରୀମାନଙ୍କର ପ୍ରମୁଖ ଦାବୀଗୁଡ଼ିକ ମଧ୍ୟରେ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବା, ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜକୁ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ଚାକିରି ସର୍ତ୍ତାବଳୀ ସହିତ ପେନ୍‌ସନ୍ ପ୍ରଦାନ କରିବା, ସମସ୍ତ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଓ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ସରକାରୀକରଣ ଏବଂ ଅବସର ବୟସସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା, ନୂତନ ପେନ୍‌ସନ୍ ବ୍ୟବସ୍ଥାକୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରିବା ସହ ଗ୍ରେଡ଼ ପେରେ ଥିବା ଅସଙ୍ଗତି ଦୂର କରିବା, ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସ୍‌ନାଲ ଇନ୍‌କ୍ରିମେଣ୍ଟ ଦେବା ସହିତ ବରିଷ୍ଠତା ପ୍ରଦାନ କରିବା, ପୂର୍ଣ୍ଣ ଅନୁଦାନରୁ ବଞ୍ଚିତ ହୋଇଥିବା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରିବା, ୨୦୦୪ ମସିହାଠାରୁ ଅଦ୍ୟାବଧି ଅବସର ନେଇଥିବା ଏବଂ ଆଗାମୀ ଦିନରେ ଅବସର ନେବାକୁ ଥିବା ଶିକ୍ଷକ କର୍ମଚାରୀ ମାନଙ୍କୁ ପେନ୍‌ସନ୍ ଓ ଅବସରକାଳୀନ ସୁବିଧା ପ୍ରଦାନ କରିବା ଏବଂ ରାଜ୍ୟର ସମସ୍ତ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସମାନ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ଇତ୍ୟାଦି।

ରାଜ୍ୟରେ ନୂତନ ଭାବରେ ଦାୟିତ୍ୱ ନେଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ବର୍ଗର ଲୋକମାନଙ୍କ ସହିତ ସାକ୍ଷାତ ଆଲୋଚନା କରି ସେମାନଙ୍କର ସମସ୍ୟାକୁ ସମାଧାନ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିବା ବେଳେ; ମାନବସମ୍ବଳ ଗଢ଼ୁଥିବା ତଥା ରାଜ୍ୟ ଶିକ୍ଷାର ଅର୍ଦ୍ଧାଧିକ ଶିକ୍ଷାଦାନ ଭାର ବହନ କରୁଥିବା ଶିକ୍ଷକ ଓ କର୍ମଚାରୀମାନଙ୍କ ପାଇଁ ଅନୁଦାନରୁ ବଞ୍ଚିତ ଶିକ୍ଷାନୁଷ୍ଠାନମାନଙ୍କୁ ଅନୁଦାନ ପ୍ରଦାନ ଓ ଶୂନ୍ୟ ହସ୍ତରେ ଅବସର ନେଉଥିବା ବା ନେବାକୁ ଥିବା ଶିକ୍ଷକ କର୍ମଚାରୀମାନଙ୍କୁ ପେନସନ୍ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଅନୁରୋଧ କରାଯାଉଛି।

ରାଜ୍ୟ ସରକାର ତୁରନ୍ତ ସମନ୍ୱୟ ସମିତିର ନେତୃତ୍ୱ ମାନଙ୍କ ସହିତ ଆଲୋଚନା କରି ସମସ୍ୟା ସମାଧାନର ରାସ୍ତା ବାହାର କରିବା ପାଇଁ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଗରୁଡ଼ ଚନ୍ଦ୍ର ସାହୁ, ରଞ୍ଜନ କୁମାର ପଣ୍ଡା, ଏମ୍‌.ଏ.କାସିମ୍ ବେଗ୍‌, ପ୍ରଶାନ୍ତ କୁମାର ପତି, କଳିଙ୍ଗ କେଶରୀ ପ୍ରଧାନ, ସୁରେଶ ଚନ୍ଦ୍ର ଦାସ, ରାଜା ଓସିମ୍‌, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା ଏବଂ ମଧୁସୂଦନ ଦେ ପ୍ରମୁଖ ସରକାରଙ୍କୁ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମନ୍ତ୍ରୀ ସୁରେଶ ପୁଜାରୀଙ୍କ ବାତ୍ୟା ‘ଦାନା’ ପରବର୍ତ୍ତୀ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା

ଭୁବନେଶ୍ୱର: ରବିବାର ଅପରାହ୍ଣରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ‘ଦାନା’ର ପ୍ରଭାବ ଏଥି ଜନିତ ଲଗାଣ ବର୍ଷାରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା  ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲାରେ ଚାଲିଥିବା ରିଲିଫ ଏବଂ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଥିଲେ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀମତୀ ଅନୁ ଗର୍ଗ, ଏସ୍‌ଆରସି ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ। କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରୁ  ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକମାନେ ଆଭାସୀ ମାଧ୍ୟମରେ ଯୋଗଦେଇ ସଦ୍ୟତମ ସ୍ଥିତି ସଂପର୍କରେ ଅବଗତ କରାଇଥିଲେ।

ରାଜସ୍ୱ ମନ୍ତ୍ରୀ ଶ୍ରୀ ପୁଜାରୀ ଜିଲ୍ଲାଓ୍ୱାରୀ ବାତ୍ୟା ପରବର୍ତ୍ତୀ ବିଦ୍ୟୁତ ପୁନଃ ସଂଯୋଗୀକରଣ, ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ବ୍ୟବସ୍ଥା, ଲୋକମାନଙ୍କର ଅବସ୍ଥା ଓ ବାତ୍ୟା କ୍ଷୟକ୍ଷତି ସଂପର୍କରେ ପଚାରି ବୁଝିଥିଲେ।

ବାତ୍ୟା ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ଓ ସୋନ ନଦୀରେ ଅଧିକ ଜଳ ପ୍ରବାହିତ ହେବା ଯୋଗୁଁ ତଳିଆ  ଅଂଚଳରେ ପାଣି ପଶିବା ହେତୁ ଲୋକେ ପ୍ରଭାବିତ ହୋଇଥିଲେ। ଗତ କାଲି ରାତିରୁ ନଦୀଗୁଡିକରେ କ୍ରମାଗତ ଭାବେ ଜଳସ୍ତର କମିବା ଫଳରେ ସ୍ଥିତିରେ ସୁଧାର ଆସିଛି। କେତେକ ଜିଲ୍ଲାରେ  ଚାଷ ଜମିରେ ନଇଁ ପଡିଥିବା  ବିଦ୍ୟୁତ ଖୁଣ୍ଟଗୁଡିକର ପୁନଃ ସଂସ୍ଥାପନ କାର୍ଯ୍ୟ ଜାରି ରହିଛି। ଭଦ୍ରକ ଜିଲ୍ଲାରେ  ୨୧୮ ଟି ବିଦ୍ୟୁତ ଖୁଣ୍ଟ  ପ୍ରଭାବିତ ହୋଇଥିବା ବେଳେ  ସେଥି ମଧ୍ୟରୁ ୧୯୧ ଟିକୁ  ପୁନଃ ବ୍ୟବସ୍ଥିତ ହୋଇସାରିଛି। ଓଡ୍ରାଫ ଏବଂ ଅଗ୍ନିଶମ ସେବା କର୍ମଚାରୀମାନେ ଅନ୍ୟ କେତେକ ଯାଗାରେ ଗଛ ଡାଳ କାଟି ଅପସାରଣ ଓ ପୁନଃରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଭଦ୍ରକରେ ବାତ୍ୟା ଆଶ୍ରୟ ସ୍ଥଳୀରୁ ଅଧିକାଂଶ ଲୋକ ଘରକୁ ଯାଇ ସାରିଥିଲେ   ସୁଦ୍ଧା ଏବେ ମଧ୍ୟ କେତେକ ଅଂଚଳରୁ  ପାଣି କମିନି ଏବଂ ଏବେ ବି ଅନେକ ଜଳ ଘେରି ମଧ୍ୟରେ ରହିଛନ୍ତି। ସେଥି ପାଇଁ ଏବେ ମଧ୍ୟ ୪୨୬ ସ୍ଥାନରେ ରହିଥିବା ୨୫,୭୦୯ ଜଣ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଅଛି। ପରିସ୍ଥିତିକୁ ଦେଖି ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଭଦ୍ରକରେ ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କ୍ଷେତ୍ର ପରିଦର୍ଶନ କରିବା ସହ ଆଜି ସମୀକ୍ଷା ବୈଠକ କରି  ଜିଲ୍ଲାର ସ୍ଥିତି ଅନୁଧ୍ୟାନ ପୂର୍ବକ  କରି ପୁନରୁଦ୍ଧାର  କାର୍ଯ୍ୟ  ଜାରି ରଖିଛନ୍ତି।

ଆଗାମୀ ନଭେମ୍ବର ୨ ତାରିଖ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ହୋଇଥିବା ଫସଲ କ୍ଷତି ଏବଂ ବାତ୍ୟା  କ୍ଷୟକ୍ଷତି ବିବରଣୀ ଏସ୍‌ଆରସିଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବାତ୍ୟା ଦାନାର ସଫଳ ମୁକାବିଲା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରାକ ପ୍ରସ୍ତୁତି ଓ ପୁନରୁଦ୍ଧାର କାର୍ଯ୍ୟରେ ରାଜ୍ୟସ୍ତରୀୟ ବିଭିନ୍ନ ବିଭାଗର ସଚିବ ଏବଂ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲାପାଳମାନଙ୍କୁ ସହାୟତା କରିବା ପାଇଁ ଜିଲ୍ଲାକୁ ଯାଇଥିବା  ଅଭିଜ୍ଞ ଆଇଏସ ଅଧିକାରୀ, ପୁଲିସ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ, ଆରକ୍ଷୀ ଅଧିକ୍ଷକ, କ୍ଷେତ୍ରସ୍ତରରେ  କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ  ରାଜସ୍ୱ ମନ୍ତ୍ରୀ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଥିଲେ।

ଆଗାମୀ ଅକ୍ଟୋବର ୨୯ ତାରିଖରେ ଓସଡମା ତରଫରୁ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ କରାଯିବାକୁ ଥିବା ବେଳେ  ଏଥିରେ ୧୯୯୯ ମହାବାତ୍ୟା  ସମୟର ଦୁଃଖଦ ସ୍ମୃତି ଠାରୁ ଆରମ୍ଭ କରି ଏହା ମଧ୍ୟରେ ବିଭିନ୍ନ ବର୍ଷରେ ଓଡ଼ିଶା ସମ୍ମୁଖୀନ ହୋଇଥିବା ବିଭିନ୍ନ ବାତ୍ୟା ଏବଂ ଘଟିଯାଇଥିବା ବାତ୍ୟା ‘ଦାନା’ ର ସଫଳ ମୁକାବିଲା ପର୍ଯ୍ୟନ୍ତ ଅନୁଭୂତି  ଆଲୋଚନା ହେବ। ଆଗାମୀ ଦିନରେ ଆମର ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ମନ୍ତ୍ରୀ ଶ୍ରୀ ପୁଜାରୀ ମତ ଦେବା ସହ ବିଭିନ୍ନ ପରାମର୍ଶ ଦେଇଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ବାତ୍ୟା ମୁକାବିଲାରେ ପ୍ରସ୍ତୁତି ଓ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ବିଭିନ୍ନ ବିଭାଗ, ସଂପୃକ୍ତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଅଗ୍ନିଶମ ବିଭାଗ, ଏନଡିଆରଏଫ୍, ଓଡ୍ରାଫ  ସମେତ  ଓ ସଂପୃକ୍ତ ବିଭିନ୍ନ ଗୋଷ୍ଠୀ,ଅନୁଷ୍ଠାନ ଓ ଅଂଚଳର ଜନସାଧାରମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସମସ୍ତଙ୍କ ସମିଳିତ ପ୍ରୟାସରେ ଏହି ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ପୁନରୁଦ୍ଧାର କାର୍ଯ୍ୟ ସଫଳତାର ସହିତ କରାଯାଇଥିବା ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ।

ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ବାତ୍ୟା ଦାନାର ମୁକାବିଲା ପ୍ରସ୍ତୁତି ଓ ପୁନରୁଦ୍ଧାର ସଂପର୍କିତ ବିଭିନ୍ନ ସଫଳ କାହାଣୀକୁ ନେଇ ଏକ ପ୍ରାମାଣିକ ଚଳଚିତ୍ର ପ୍ରସ୍ତୁତ କରିବାକୁ  ପ୍ରସ୍ତାବ ଦେଇଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଏଣିକି ରାଜ୍ୟର ସମସ୍ତ ତହସିଲରେ ସ୍ଥାପନ ହେବ ଭର୍ଚୁୟାଲ କୋର୍ଟ, ବଜେଟରେ ହେଲା ବ୍ୟବସ୍ଥା

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଗତ ୨୦୨୩-୨୪ ମସିହା ବଜେଟର ମୁଖ୍ୟାଂଶ ସଂପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଲେ ଯେ ଓଡ଼ିଶାର ପ୍ରିୟ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ବହୁ ଲୋକାଭିମୁଖୀ ପଦକ୍ଷେପ ନିଆ ଯାଇଥିବାବେଳେ ଦିଆଯାଉଥିବା ସେବାଗୁଡିକୁ ଲୋକମାନଙ୍କ ନିକଟରେ ପହଞ୍ଚାଯାଇପାରୁଛି। ଏ ବର୍ଷ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଁ ପର୍ଯ୍ୟାପ୍ତ ବ୍ୟୟ ଅଟକଳ କରାଯାଇଛି।

ଭୂରାଜସ୍ୱ ପ୍ରଶାସନରେ ସମୁଦାୟ ଭାବରେ ୧୫୮୬.୭୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ସେ ମଧ୍ୟରୁ ୧୧୬୪.୭୧ କୋଟି ଟଙ୍କା ପ୍ରଶାସନିକ ଖର୍ଚ୍ଚ ଏବଂ ୪୨୨.୦୧ କୋଟି ଟଙ୍କା ପ୍ରୋଗ୍ରାମ ଖର୍ଚ୍ଚ ପାଇଁ ବ୍ୟବସ୍ଥା କରାଯାଇଛି । ରାଜସ୍ୱ କ୍ଷେତ୍ର କାର୍ଯ୍ୟାଳୟର ଭିତ୍ତିଭୂମି ଏହି ବିଭାଗ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ। ଏଗୁଡିକର ଭିତ୍ତିଭୂମିକୁ ମଜବୁତ କରିବାକୁ ବଜେଟରେ ୨୫୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି।

ରାଜସ୍ୱ କାର୍ଯ୍ୟାଳୟର ସୂଚନା ଓ ପ୍ରଯୁକ୍ତି ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ୫୯.୭୩ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ରେକର୍ଡ ରୁମରେ ଆସବାବପତ୍ର ପାଇଁ ୫ କୋଟି ଟଙ୍କାର ବଜେଟ କରାଯାଇଛି । ପଞ୍ଜୀକରଣ କାର୍ଯ୍ୟାଳୟମାନଙ୍କରେ ଅଧିକ ସ୍ୱଚ୍ଛତା ପାଇଁ ସ୍ମାର୍ଟ ସର୍ଭେଲାନ୍ସ ସିଷ୍ଟମ ପରି ପରିବର୍ତ୍ତନଶୀଳ ପଦକ୍ଷେପ ଆରମ୍ଭ କରାଯାଇଛି।

ସେହିଭଳି ସୁବିଧାରେ ପଞ୍ଜୀକରଣ ପାଇଁ ପଞ୍ଜୀକରଣ କାର୍ଯ୍ୟାଳୟରେ ଅନଲାଇନ୍‌ ସ୍ଲଟ୍‌ ବୁକିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି। ରେଜିଷ୍ଟ୍ରେସନ୍‌ ଅଫିସରେ ଏହି ଆଇଟି ପଦକ୍ଷେପ ନିମନ୍ତେ ୨୯.୨୮ କୋଟିର ବ୍ୟୟ ଅଟକଳ କରାଯାଇଛି। ସରକାରୀ ଜମିର ସୁରକ୍ଷା ହେଉଛି ବିଭାଗର ଏକ ଉଚ୍ଚ ପ୍ରାଥମିକତା ଏବଂ ସେଥି ନିମନ୍ତେ ୨୦ କୋଟି ଟଙ୍କା ଖର୍ଚ୍ଚ ବ୍ୟବସ୍ଥା କରାଯାଇଛି।

୫-‘ଟି’ ଓ ‘ମୋ ସରକାର’ ନିମନ୍ତେ ୫୦ ଲକ୍ଷ ଏବଂ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ସେବାଗୁଡିକୁ ଲୋକମାନଙ୍କୁ ଜଣାଇବା ଉଦ୍ଦେଶ୍ୟରେ ୯୨.୨୦ ଲକ୍ଷ ବ୍ୟୟ ଅଟକଳ କରାଯାଇଛି। ରାଜସ୍ୱ ନିରୀକ୍ଷକଙ୍କ ତାଲିମ ନିମନ୍ତେ ୫୦ ଲକ୍ଷର ବ୍ୟୟ ଅଟକଳ କରାଯାଇଛି ଓ ମାନବ ସମ୍ବଳ ନିଯୁକ୍ତ କରିବା ପ୍ରକ୍ରିୟା ନିମିତ୍ତ ୩୨ ଲକ୍ଷର ଖର୍ଚ୍ଚ ବ୍ୟବସ୍ଥା କରାଯାଇଛି।

ସର୍ଭେ ଓ ମ୍ୟାପ ପ୍ରକାଶନ ନିମନ୍ତେ ୨୦ ଲକ୍ଷର ଖର୍ଚ୍ଚର ବ୍ୟବସ୍ଥା କରାଯାଇଛି। ଜମିଦାରୀ ଉଚ୍ଛେଦ ନିମନ୍ତେ ଜମି ମାଲିକଙ୍କୁ କ୍ଷତିପୂରଣ ହିସାବରେ ୫୫.୭୫ ଲକ୍ଷର ବ୍ୟବସ୍ତା କରାଯାଇଛି। ଜନଗଣନା ନିମନ୍ତେ ସେଣ୍ଟ୍ରାଲ ସ୍କିମ ମାଧ୍ୟମରେ ୫୫ କୋଟିର ବ୍ୟୟ ବରାଦ କରାଯାଇଛି।

ଏହି ଅବସରରେ ଉପସ୍ଥିତ ରହି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଲେ ଯେ ୫-‘ଟି’ ଚାର୍ଟର୍‌ ଏବଂ ‘ମୋ ସରକାର’ ପ୍ରବର୍ତ୍ତନ ପରେ ରାଜସ୍ୱ ବିଭାଗ ନାଗରିକମାନଙ୍କ ବ୍ୟକ୍ତିଗତ ଉପସ୍ଥିତି ହ୍ରାସ କରିବା ତଥା ରାଜସ୍ୱ କ୍ଷେତ୍ର କାର୍ଯ୍ୟାଳୟ ପରିଦର୍ଶନ କରିବାର ଆବଶ୍ୟକତାକୁ କମ୍‌ କରିବା ପାଇଁ ଏକାଧିକ ପଦକ୍ଷେପ ନେଇଛି। ବିଭାଗ ପ୍ରଦାନ କରୁଥିବା ବହୁବିଧ ସେବାଗୁଡ଼ିକ ମଧ୍ୟରୁ କେବଳ ବୈଧାନିକ ଆବଶ୍ୟକତାକୁ ଛାଡି ଅଧିକାଂଶ ସେବା ସମ୍ପୂର୍ଣ୍ଣ ଭାବେ ଅନଲାଇନରେ ଉପଲବ୍ଧ ଅଟେ।

ଜମିଜମା ରେକର୍ଡ ସେବା କ୍ଷେତ୍ରରେ ଧାର୍ଯ୍ୟ ସମୟସୀମାକୁ ପ୍ରକ୍ରିୟା ପୁନର୍ବିନ୍ୟାସ ଏବଂ ପ୍ରଚଳିତ ନିୟମରେ ସଂଶୋଧନ ଦ୍ୱାରା ହ୍ରାସ କରାଯାଇଛି। ସେହିଭଳି, ଜାତି ଓ ବିବିଧ ପ୍ରମାଣପତ୍ରର ସେବାରେ, ORTPS ଅଧିନିୟମ ଅନୁଯାୟୀ ଥିବା ସମୟସୀମାକୁ ହ୍ରାସ କରାଯାଇଛି ଉଦାହରଣ ସ୍ୱରୂପ, ବାସିନ୍ଦା ଏବଂ ଆୟ ପ୍ରମାଣପତ୍ରର ସମୟସୀମାକୁ ୧୫ ଦିନରୁ ୧୦ ଦିନକୁ ହ୍ରାସ କରାଯାଇଛି ।

ଆବେଦନ ପ୍ରକ୍ରିୟାର ପୁନର୍ବିନ୍ୟାସ, କେତେକ କ୍ଷେତ୍ରରେ ରାଜସ୍ୱ ନିରୀକ୍ଷକଙ୍କ ଅନୁସନ୍ଧାନର ଆବଶ୍ୟକତାକୁ ହ୍ରାସ ଏବଂ ଏକ ଉପଲବ୍ଧ ଅନଲାଇନ ଆବେଦନ ବ୍ୟବସ୍ଥା ଯୋଗୁଁ ବିଭିନ୍ନ ବିବିଧ ଏବଂ ଜାତିଗତ ପ୍ରମାଣପତ୍ରର ଶୀଘ୍ର ମିଳିବା ସମ୍ଭବ ହୋଇପାରିଛି।

ବିନା ମୂଲ୍ୟରେ ଏବଂ ସ୍ୱ-ଘୋଷଣା ଉପରେ ଆଧାର କରି ବିବିଧ ଏବଂ ଜାତି ପ୍ରମାଣପତ୍ର ବିତରଣ କରିବାକୁ ବିଭାଗ ବିହିତ ପଦକ୍ଷେପ ନେଇଛି। ଗତ ୩ ବର୍ଷରେ ୫-‘ଟି’ ଚାର୍ଟର ପ୍ରବର୍ତ୍ତନ ପରେ ସ୍ୱ-ଘୋଷଣା ଆଧାରରେ ପ୍ରାୟ ୫୦ ଲକ୍ଷ ବାସିନ୍ଦା ଏବଂ ଆୟ ପ୍ରମାଣପତ୍ର ପ୍ରଦାନ କରାଯାଇଛି।

ନଭେମ୍ବର ୨୦୨୨ ମାସରୁ ୮୦ ଟି ତହସିଲରେ ଭର୍ଚୁଆଲ୍‌ କୋର୍ଟ ଆରମ୍ଭ ହୋଇଛି ଏବଂ ପ୍ରାୟ ୩,୦୦୦ ମାମଲା ଭର୍ଚୁଆଲ୍‌ ପ୍ଲାଟଫର୍ମ ମାଧ୍ୟମରେ ଶୁଣାଣି ପରେ ଫଇସଲା ହୋଇଛି । ଏପ୍ରିଲ୍‌ ୨୦୨୩ ସୁଦ୍ଧା ସମସ୍ତ ତହସିଲରେ ଭର୍ଚୁଆଲ୍‌ କୋର୍ଟ ଆରମ୍ଭ କରିବାକୁ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜସ୍ୱ କ୍ଷେତ୍ର କାର୍ଯ୍ୟାଳୟର ଭିତ୍ତିଭୂମି ଏହି ବିଭାଗ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ। ଏଗୁଡିକର ଭିତ୍ତିଭୂମିକୁ ମଜଭୁତ କରିବାକୁ ବଜେଟରେ ୨୫୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ରାଜସ୍ୱ କାର୍ଯ୍ୟାଳୟର ସୂଚନା ଓ ପ୍ରଯୁକ୍ତି ଭିତ୍ତିଭୂମିକୁ ମଜଭୁତ କରିବା ପାଇଁ ୫୯.୭୩ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ରେକର୍ଡ ରୁମରେ ଆସବାବପତ୍ର ପାଇଁ ୫ କୋଟି ଟଙ୍କାର ବଜେଟ କରାଯାଇଛି।

ତ୍ୱରିତ ଏବଂ ସଠିକ୍‌ ଜମିଜମା ରେକର୍ଡ ସେବା ପାଇଁ ବିଭାଗ ହାଇଟେକ୍‌ ସର୍ଭେକୁ ତ୍ୱରାନ୍ୱିତ କରୁଛି। ଦେବଗଡ ଜିଲ୍ଲାରେ ହାଇ-ଟେକ୍‌ ସର୍ଭେ ଶେଷ ହୋଇଛି ଏବଂ ଏହାକୁ ସୋନପୁର ଏବଂ ସୁନ୍ଦରଗଡ ଜିଲ୍ଲାରେ ତ୍ୱରାନ୍ୱିତ କରାଯାଉଛି।

ଜିଲ୍ଲା ରାଜସ୍ୱ ଓ ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣର ସମୀକ୍ଷା ମାଧ୍ୟମରେ, ଜାତୀୟ ରାଜପଥ, ରେଳବାଇ ଏବଂ ଜଳସେଚନ ନେଟ୍‌ୱାର୍କ ପରି ବିଭିନ୍ନ ପ୍ରକଳ୍ପଗୁଡିକର ପ୍ରଗତି ତ୍ୱରାନ୍ୱିତ କରାଯାଉଅଛି। ବିସ୍ଥାପିତ ପରିବାରର ସ୍ୱାର୍ଥକୁ ଆଖି ଆଗରେ ରଖି ଭୂମି ଅଧିଗ୍ରହଣକୁ ଶୃଙ୍ଖଳିତ କରିବା ପାଇଁ RFCTLARR ଅଧିନିୟମରେ ସଂଶୋଧନ କରାଯାଇଛି ।

ବିପର୍ଯ୍ୟୟ ପରିଚାଳନା ସଂପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ନିକୁଞ୍ଜବିହାରୀ ଧଳ କହିଲେ ଯେ ପ୍ରଭାବଶାଳୀ ବିପର୍ଯ୍ୟୟ ପରିଚାଳନା ଏବଂ ବିପଦ ହ୍ରାସ ପାଇଁ ୨୦୨୩-୨୪ ବର୍ଷ ନିମନ୍ତେ ରାଜ୍ୟ ବଜେଟରେ ୩୭୬୪.୨୮ କୋଟି ଟଙ୍କାର ପ୍ରାବଧାନ କରାଯାଇଛି।

ଏଥିରେ ରିଲିଫ୍‌, ବିପର୍ଯ୍ୟୟ ମୁକାବିଲା, ପୁନରୁଦ୍ଧାର ଓ ପୁନଃନିର୍ମାଣ ତଥା ବିପର୍ଯ୍ୟୟ ମୁକାବିଲା, ଭିତ୍ତିଭୂମି ନିର୍ମାଣ ଏବଂ ବିପର୍ଯ୍ୟୟ ମୁକାବିଲା ବାହିନୀର ଦକ୍ଷତା ବୃଦ୍ଧି, ବିପର୍ଯ୍ୟୟ ପରିଚାଳନା ଯୋଜନା ଓ ପ୍ରସ୍ତୁତି କାର୍ଯ୍ୟକ୍ରମ ଏବଂ ବିଭିନ୍ନ ଅନୁଷ୍ଠାନର ଦକ୍ଷତା ବୃଦ୍ଧି ପାଇଁ ଆବଶ୍ୟକୀୟ ଅର୍ଥର ବରାଦ କରାଯାଇଅଛି।

ରିଲିଫ୍‌ ଏବଂ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ୯୪୩.୨୦ କୋଟି ଟଙ୍କା, ପୁନରୁଦ୍ଧାର ଏବଂ ପୁନଃନିର୍ମାଣ ନିମନ୍ତେ ୭୦୭.୪୦ କୋଟି ଟଙ୍କା, ବିପର୍ଯ୍ୟୟ ମୁକାବିଲା ବାହିନୀର ଦକ୍ଷତା ବୃଦ୍ଧି, ବିପର୍ଯ୍ୟୟ ପରିଚାଳନା ଯୋଜନା ଓ ପ୍ରସ୍ତୁତି କାର୍ଯ୍ୟକ୍ରମ ନିମନ୍ତେ ୨୩୫.୮୦ କୋଟି ଟଙ୍କା, ବିପର୍ଯ୍ୟୟ ନିରୋଧି ଭିତ୍ତିଭୂମି ନିମନ୍ତେ ୪୭୧.୬୦ କୋଟି ଟଙ୍କା, ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ନିମନ୍ତେ ୧୩୪୨.୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଏତଦ୍‌ ବ୍ୟତୀତ ଯୋଜନା ବ୍ୟୟ ବାବଦକୁ ୩୦.୦୦ କୋଟି ଟଙ୍କା ଓ ପ୍ରଶାସନିକ ଖର୍ଚ୍ଚ ନିମନ୍ତେ ୩୪.୨୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାର ୨୦୪ ଗ୍ରାମରେ ହେବ ହାଇ-ଟେକ ସର୍ଭେ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ଗାଁ

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ କଳାହାଣ୍ଡି ଗସ୍ତ ସମୟରେ ଓ ବିଭିନ୍ନ ଜିଲ୍ଲା ସମୀକ୍ଷା ବୈଠକ ସମୟରେ ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳମାନେ ୧୯୨୯-୩୦ ମସିହା ସମୟରେ ସର୍ଭେ ହୋଇଥିବା ୨୦୪ ଗ୍ରାମ ବିଷୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ସେହି ଗ୍ରାମରେ ଜମିବାଡ଼ି ରେକର୍ଡର ବହୁ ପୁରୁଣା ସର୍ଭେ ଯୋଗୁ ଜନସାଧାରଣ ଜମି କିଣାବିକା, ଜାତିଗତ ପ୍ରମାଣପତ୍ର ଇତ୍ୟାଦି ସେବା ପାଇବାରେ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାଜସ୍ୱ ବିଭାଗ ଏହି ସମସ୍ୟାର ସମାଧାନ ପାଇଁ ୨୦୪ ଗ୍ରାମରେ ହାଇ-ଟେକ ସର୍ଭେ କରିବାକୁ ନିଷ୍ପତି ନେଇଛନ୍ତି ।

ଏହା ଫଳରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ତହସିଲରେ ୧୩ ଗ୍ରାମ, ବିରିଡି ତହସିଲରେ ୧ ଗ୍ରାମ, ଯାଜପୁର ଜିଲ୍ଲା ଯାଜପୁର ତହସିଲରେ ୧୯ ଗ୍ରାମ, ବିଂଝାରପୁର ତହସିଲରେ ୩୮ ଗ୍ରାମ, ଦାନଗଦି ତହସିଲରେ ୨୦ ଗ୍ରାମ, ସୁକିନ୍ଦା ତହସିଲରେ ୯ ଗ୍ରାମ, ବ୍ୟାସନଗର ତହସିଲରେ ୧ ଗ୍ରାମ, ଦଶରଥପୁର ତହସିଲରେ ୫ ଗ୍ରାମ, କେନ୍ଦ୍ରାପଡା ଜିଲ୍ଲାରେ ରାଜନଗର ତହସିଲରେ ୨ ଗ୍ରାମ ରହିଛି।

ସେହିପରି କଳାହାଣ୍ଡି ଜିଲ୍ଲା କଳାହାଣ୍ଡି ତହସିଲରେ ୭ ଗ୍ରାମ, କେସିଙ୍ଗା ତହସିଲର ୩ ଗ୍ରାମ, କର୍ଲାମୁଣ୍ଡା ତହସିଲରେ ୧ ଗ୍ରାମ, ଥୁଆମୂଳ ରାମପୁର ତହସିଲରେ ୧୦ ଗ୍ରାମ, ଧର୍ମଗଡ ତହସିଲରେ ୧୨ ଗ୍ରାମ, ଗୋଲମୁଣ୍ଡା ତହସିଲରେ ୭ ଗ୍ରାମ, ଜୁନାଗଡ଼ ତହସିଲରେ ୧୮ ଗ୍ରାମ, କୋକସରା ତହସିଲରେ ୬ ଗ୍ରାମ, ଜୟପାଟଣା ତହସିଲର ୨୯ ଗ୍ରାମ ଓ କଳମପୁର ତହସିଲରେ ୩ ଗ୍ରାମରେ ହାଇ-ଟେକ ସର୍ଭେ ହେବ ।

ଏହା ଫଳରେ ଏହି ୨୦୪ ଗ୍ରାମରେ ସମସ୍ତ ଜାଗାର ଜିଓ-ରେଫରେନସିଙ୍ଗ ହୋଇପାରିବ । ଏହି ହାଇ-ଟେକ ସର୍ଭେ ପରେ ଲୋକମାନଙ୍କର ବହୁବିଧ ସମସ୍ୟା ଯଥା ଜମିବାଡ଼ି କିଣାବିକା ଓ ଜାତିଗତ ପ୍ରମାଣପତ୍ର ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂରୀଭୂତ ହେବା ସହ ଉନ୍ନତ ଜ୍ଞାନକୌଶଳ ମାଧ୍ୟମରେ ପଟ୍ଟା ତିଆରି ହୋଇ ଲୋକଙ୍କୁ ମିଳିପାରିବ ।

Categories
ବିଶେଷ ଖବର ରାଜ୍ୟ ଖବର

ଏକ ମାସ ମଧ୍ୟରେ ରାଜ୍ୟରେ ୩୦ ହଜାର ପଟ୍ଟା ବଣ୍ଟନ, ୧୦୪୨ କୋଟି ରାଜସ୍ୱ ଆଦାୟ

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଏପ୍ରିଲ ୨ ତାରିଖରୁ ପ୍ରତ୍ୟେକ ଜିଲ୍ଲାର ରାଜସ୍ୱ ସମୀକ୍ଷା ବୈଠକ ହେଉଛି ମେ ମାସ ୪ ତାରିଖ ମଧ୍ୟରେ ୧୬ଟି ଜିଲ୍ଲାର ରାଜସ୍ୱ ସମୀକ୍ଷା ବୈଠକ ସମାପ୍ତ ହୋଇଛି । ଏହି ଏକ ମାସ ମଧ୍ୟରେ ରାଜସ୍ୱ ବିଭାଗ ଅଧିକ କ୍ରିୟାଶୀଳ ହେବ ସହ ରାଜସ୍ୱ ବିଭାଗର ବିଭିନ୍ନ ଲୋକାଭିମୁଖୀ ସେବାରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି । ତହସିଲର ରେକର୍ଡ କିପରମାନଙ୍କ ନିକଟରେ ପଡିଥିବା ହଜାର ହଜାର ଦାଖଲ ଖାରଜ ମାମଲା ସମାଧାନ ହୋଇ ଲୋକମାନଙ୍କ ଘରେ ରାଜସ୍ୱ ରଥ ମାଧ୍ୟମରେ ପଟ୍ଟା ବଣ୍ଟନ କରାଯାଇଛି ।

ଗତ ଏକ ମାସ ମଧ୍ୟରେ ଦାଖଲ ଖାରଜ ମାମଲା ସମ୍ପୂର୍ଣ ହୋଇ ୩୦,୦୦୦ ପଟ୍ଟା ଲୋକମାନଙ୍କୁ ତହସିଲ ମାଧ୍ୟମରେ ବଣ୍ଟନ ହୋଇଛି । ସେହିପରି ୫,୦୦୦ ଘରବାଡ଼ି ପଟ୍ଟା ମଧ୍ୟ ଗତ ଏକ ମାସ ମଧ୍ୟରେ ବଣ୍ଟନ ହୋଇଛି । ସେହିପରି ଦାଖଲ ଖାରଜ ମାମଲା ଓଡିଶା ଲୋକସେବା ଅଧିନିୟମ ସମୟସୀମା ମଧ୍ୟରେ ସମାପ୍ତ ହୋଇ ଲୋକମାନଙ୍କୁ ପଟ୍ଟା ମିଳିପାରୁଛି । ସେହିପରି ଗତ ଏକ ମାସ ମଧ୍ୟରେ ୪,୫୦,୦୦୦ ଜାତିଗତ ଓ ବିବିଧ ପ୍ରମାଣପତ୍ର ଆବଣ୍ଟନ କରାଯାଇଛି ।

ରାଜସ୍ୱ ବିଭାଗର ନିୟମିତ ସମୀକ୍ଷା ଫଳରେ ନର୍ବାଚନ ସତ୍ତେ୍ୱ ଲଘୁ ଖଣିଜ ସଂପଦରୁ ୧୦୪୨ କୋଟି ରାଜସ୍ୱ ଆଦାୟ ହୋଇଛି । ସେହିପରି ବହୁ ଲଘୁ ଖଣିଜ ସମ୍ପଦ ଉତ୍ସର ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ପ୍ରାଧିକରଣ ତଥା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ରୁ ଅନୁମୋଦନ ତ୍ୱରାନ୍ୱିତ ହୋଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଅଧିକରୁ ଅଧିକ ଲଘୁ ଖଣିଜ ସମ୍ପଦ ଉତ୍ସକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଜିଲ୍ଲାରେ ହାଇ-ଟେକ ସର୍ଭେ ତ୍ୱରାନ୍ୱିତ ହୋଇଛି । ଦେବଗଡ ଜିଲ୍ଲାରେ ହାଇ-ଟେକ ସର୍ଭେ ପରେ ସାତଟି ଗ୍ରାମରେ ULPIN(Unique Land Parcel Identification Number) ସୃଷ୍ଟି କରାଯାଇଛି । ଏହା ଫଳରେ ଯେ କୌଣସି ଲୋକ ସେହି ଗ୍ରାମରେ ତାଙ୍କର ପ୍ଲଟ ଗୁଗୁଲ ମ୍ୟାପରେ ଦେଖିପାରିବେ । ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଜିଲ୍ଲାରେ ଏହି କାର୍ଯ୍ୟରେ ନିୟମିତ ସମୀକ୍ଷା ବୈଠକ କରି ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗତ ଚାରି ମାସ ମଧ୍ୟରେ ୭,୫୦୦ ଶିକ୍ଷାନୁଷ୍ଠାନକୁ ପଟ୍ଟା ହସ୍ତାନ୍ତର କରାଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ମେ ମାସ ୧୫ ତାରିଖ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ କିମ୍ବା ସରକାରୀ ଅନୁମୋଦନପ୍ରାପ୍ତ ଶିକ୍ଷାନୁଷ୍ଠାନମାନଙ୍କୁ ପଟ୍ଟା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ସୁଦ୍ଧା ୨୫୦୦ ୫-‘ଟି’ ଉଚ୍ଚ ବିଦ୍ୟାଳୟକୁ ପଟ୍ଟା ବଣ୍ଟନ ସରିଛି । ସମସ୍ତ ଜିଲ୍ଲାପାଳ ଓ ରାଜସ୍ୱ ଆୟୁକ୍ତମାନଙ୍କୁ ୫-‘ଟି’ ଉଚ୍ଚ ବିଦ୍ୟାଳୟମାନଙ୍କୁ ମେ ମାସ ୧୫ ତାରିଖ ସୁଦ୍ଧା ପଟ୍ଟା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜସ୍ୱ ବିଭାଗ ଜାତୀୟ ରାଜପଥ, ରେଳପଥ, ରାଜ୍ୟ ରାଜପଥ ଓ ଜଳସେଚନ ପ୍ରକଳ୍ପର ଜମି ଅଧିଗ୍ରହଣକୁ ପ୍ରମୁଖ ପ୍ରାଥମିକତା ଦେଉଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ବିଭାଗର ନିୟମିତ ସମୀକ୍ଷା ବୈଠକ ଫଳରେ ବିଭିନ୍ନ ରେଲେୱ ପ୍ରକଳ୍ପ ଯଥା ଖୋର୍ଦ୍ଧା ରୋଡ ବଲାଙ୍ଗୀର, ତାଳଚେର ବିମଳାଗଡ, ସମ୍ବଲପୁର ତାଳଚେର ଦୋହରୀକରଣ, ବୁଢାପଙ୍କ ସାଲେଗାଓଁ ତୃତୀୟ ଓ ଚତୁର୍ଥ ଲାଇନ ଓ ଅନୁଗୁଳ ସୁକିନ୍ଦା ରେଲେୱ ପ୍ରକଳ୍ପର ଜମି ଅଧିଗ୍ରହଣରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି ।

ସେହିପରି ନିୟମିତ ସମୀକ୍ଷା ଫଳରେ ଜାତୀୟ ରାଜପଥ ୨୩ର ରାଉରକେଲାରୁ ରଜାମୁଣ୍ଡା, ସେହିପରି ବିଶାଖାପାଟଣା ଓ ରାୟପୁର ଅର୍ଥନୈତିକ କରିଡର ମଧ୍ୟରେ ନବରଙ୍ଗପୁର ଓ କୋରାପୁଟ ମଧ୍ୟରେ, ବିଜୟାଡା ରାଞ୍ଚି ମଧ୍ୟରେ ଭାରତମାଳା ପ୍ରକଳ୍ପରେ ଓଡିଶା ମଧ୍ୟରେ ଆସୁଥିବା ଭାଗରେ, ପାରାଦୀପ-ଚଣ୍ଡିଖୋଲ-ଡ଼ìବୁରୀ ଅର୍ଥନୈତିକ କରିଡର ଜମି ଅଧିଗ୍ରହଣ କାର୍ଯ୍ୟରେ ଗୁରୁତ୍ୱ ଦିଆଯାଇଛି ।

ସେହିପରି ରାଜ୍ୟର ବିଭିନ୍ନ ଜଳସେଚନ ପ୍ରକଳ୍ପ ଯଥା-ସୁବର୍ଣ୍ଣରେଖା, ଆନନ୍ଦପୁର ବ୍ୟାରେଜ, କାନପୁର, ଦେଓ, ରେଙ୍ଗାଲୀ ବାମ ଓ ଦକ୍ଷିଣ, ଲୋୟର ସୁକତେଲ, ଛେଳିଗଡ଼, ତେଲେଙ୍ଗିରି, ରେତ ଓ ହାଡୁଆ ପ୍ରକଳ୍ପର ଜମି ଅଧିଗ୍ରହଣରେ ଉଲ୍ଲେଖନୀୟ ଅଗ୍ରଗତି ହୋଇପାରିଛି ।