Categories
ଆଜିର ଖବର ରାଜ୍ୟ ଖବର

ସ୍ୱାଧୀନତାର ଅମୃତ ମହୋତ୍ସବର ରାଜ୍ୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ପୁରସ୍କାର ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦିଗ୍‌ଦର୍ଶନ ତଥା ରାଜ୍ୟ ସରକାରଙ୍କ ସହଯୋଗିତାରେ ସମ୍ବାଦ ଗ୍ରୁପ୍‌ ପକ୍ଷରୁ ଆଜି ସନ୍ଧ୍ୟାରେ ରାଜଭବନଠାରେ ଅନୁଷ୍ଠିତ ସ୍ୱାଧୀନତାର ଅମୃତ ମହୋତ୍ସବ ରାଜ୍ୟ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ। ଏଥିରେ ରାଜ୍ୟପାଳ ଇଂରାଜୀ ଓ ଓଡ଼ିଆ ଭାଷା ବର୍ଗର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ଅବସରରେ ସମସ୍ତ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟ ଏବଂ ଦେଶ ପାଇଁ ସେମାନଙ୍କର ଦୃଷ୍ଟିଭଙ୍ଗୀ, ଚିନ୍ତାଧାରା ଦ୍ୱାରା ଅନେକ ସମ୍ଭାବନା ସୃଷ୍ଟି କରିଛନ୍ତି ଏବଂ ଆଗାମୀ ଦିନରେ ଏହି ସମ୍ଭାବନାର ସଦୁପଯୋଗ କରି ରାଜ୍ୟ ଓ ରାଷ୍ଟ୍ରର ଗୌରବ ବୃଦ୍ଧି କରିବେ ବୋଲି ଆଶା ପ୍ରକାଶ କରିଥିଲେ ।

ସେମାନଙ୍କର ପ୍ରତିଭା ରାଜ୍ୟ ପାଇଁ ବରଦାନ ସଦୃଶ ବୋଲି ରାଜ୍ୟପାଳ କହିଥିଲେ । ‘ଆଦିଶକ୍ତି’ର ସନ୍ତାନ ଭାବେ ସମସ୍ତେ ନିଜର ଅନ୍ତଃଶକ୍ତିର ବିକାଶ କରି ନିଜର ଜୀବନକୁ ଯଥାର୍ଥ କରିବା ପାଇଁ ପ୍ରୟାସରତ ରହିବେ ବୋଲି ସେ କହିଥିଲେ । ସମଗ୍ର ବ୍ରହ୍ମାଣ୍ଡ ପ୍ରେମ ଓ ସତ୍ୟ ଦ୍ୱାରା ସୃଷ୍ଟି ଓ ଏହାକୁ ଅକ୍ଷୁଣ୍ଣ ରଖିବା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ । ରାଜ୍ୟପାଳ ସମ୍ବାଦ ଗ୍ରୁପ୍‌କୁ ଅଶେଷ ଧନ୍ୟବାଦ ପ୍ରଦାନ କରିଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିଜ ଅଭିଭାଷଣରେ ରାଜ୍ୟପାଳଙ୍କ ଅଭିନବ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହ ସମ୍ବାଦ ଗ୍ରୁପ୍‌ର ପରିଚାଳନା ପ୍ରଶଂସନୀୟ ବୋଲି କହିଥିଲେ । ଏହିପରି କାର୍ଯ୍ୟକ୍ରମ ବର୍ତ୍ତମାନର ପିଲାମାନଙ୍କ ମଧ୍ୟରେ ସ୍ୱାଧୀନତା ସଂଗ୍ରାମର ସେହି ମହନୀୟ ଗାଥା ସଂପର୍କରେ ଅଧିକ ପରିଚିତ କରାଇବ ବୋଲି କହିବା ସହ ଆଜିର ଛାତ୍ର ଆସନ୍ତାକାଲିର ସଫଳ ନାଗରିକ ହେବେ ବୋଲି ଦୃଢ଼ ଆଶାପୋଷଣ କରିଥିଲେ ଓ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ରାଜ୍ୟ ବର୍ତ୍ତମାନ ବିପର୍ଯ୍ୟୟ ପରିଚାଳନା, କ୍ରୀଡ଼ାର ରାଜଧାନୀ ଆଦି ଅନେକ କ୍ଷେତ୍ରରେ ପ୍ରଶଂସନୀୟ ପରିଚୟ ସୃଷ୍ଟି କରିପାରିଛି ବୋଲି କହିଥିଲେ ।

‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଗୋଟିଏ ଗୋଟିଏ ରନି ବୋଲି ଅଭିହିତ କରିବା ସହ ସେମାନଙ୍କୁ ନେଇ ରାଜ୍ୟ ଗର୍ବିତ ବୋଲି କହିଥିଲେ । ଜିଲ୍ଲା ଓ ରାଜ୍ୟସ୍ତରରେ ସଫଳ ହୋଇଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ଛାତ୍ରୀ, ଯାହା ନାରୀ ସଶକ୍ତିକରଣର ବାର୍ତ୍ତା ବହନ କରୁଛି ବୋଲି କହିଥିଲେ । ପ୍ରବନ୍ଧ ପ୍ରତିଯୋଗିତା ଅବସରରେ ପ୍ରତିଯୋଗୀମାନଙ୍କର ପ୍ରଶ୍ନ, ସ୍ୱପ୍ନ ଓ ବିଚାର ବାସ୍ତବିକ ବିଶେଷ ମହତ୍ତ୍ୱ ବହନ କରୁଛି ବୋଲି କହିଥିଲେ ଓ ପ୍ରତିଯୋଗିତାର ସଫଳ ଆୟୋଜନ କରି ‘ସମ୍ବାଦ ଗ୍ରୁପ୍‌’ ରାଜ୍ୟପାଳଙ୍କ ଆସ୍ଥାଭାଜନ ହୋଇପାରିଛି ବୋଲି ସେ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ‘ଆମ ଓଡ଼ିଶା’ର ରାଜ୍ୟ ସଂପାଦକ ସ୍ୱରାଜ ମିଶ୍ର ସ୍ୱାଗତ ଅଭିଭାଷଣ ସହ ପ୍ରତିଯୋଗିତା ସଂପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ ।

ଏହି ଉତ୍ସବରେ ରାଜ୍ୟପାଳ ଇଂରାଜୀ ଓ ଓଡ଼ିଆ ଭାଷା ବର୍ଗରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବାବଦରେ ପ୍ରଥମ ପୁରସ୍କାର ବିବେଚିତ ପ୍ରତିଯୋଗୀଙ୍କୁ ପଚାଶ ହଜାର, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ତିରିଶ ହଜାର ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ କୋଡ଼ିଏ ହଜାର ଟଙ୍କା ଅର୍ଥରାଶି ସହ ପ୍ରଶଂସାପତ୍ର ପ୍ରଦାନ କରିଥିଲେ ।

ଇଂରାଜୀରେ ଶାଶ୍ୱତୀ ନାୟକ, ସୃଷ୍ଟି ସ୍ମରଣିକା ବିଶି, ସାଂଚି ଅଗ୍ରୱାଲ ଓ ଓଡ଼ିଆରେ କୁମାରୀ ସାଇପି୍ରୟା ଗିରି, ସ୍ୱପ୍ନଜିତ ନାୟକ, ସ୍ୱାଗତିକା ଚୌଧୁରୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏଥି ପୂର୍ବରୁ ରାଜଭବନର ଅଭିଷେକ ହଲ୍‌ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ‘ସମ୍ବାଦ ଗ୍ରୁପ୍‌’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜିଲ୍ଲା ସ୍ତରରେ କୃତି ବିବେଚିତ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଉତ୍ସବରେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

‘ଓଡ଼ିଶାରେ ଦୃଷ୍ଟିହୀନ ଶିକ୍ଷାର ଇତିହାସ’ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର: ଜେକେବିକେ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଧୀରେନ୍ଦ୍ର କୁମାର ଷଡଙ୍ଗୀଙ୍କ ଦ୍ୱାରା ଲିଖିତ ‘ଓଡ଼ିଶାରେ ଦୃଷ୍ଟିହୀନ ଶିକ୍ଷାର ଇତିହାସ’ ପୁସ୍ତକକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନରେ ଉନ୍ମୋଚନ କରି ଏଭଳି ପ୍ରୟାସର ଭୂୟସୀ ପ୍ରଶଂସା କରିଛନ୍ତି।
ଲେଖକ ଡ. ଷଡଙ୍ଗୀ ଏହାର ବ୍ରେଲି ସଂସ୍କରଣ ପ୍ରକାଶନ ନିମନ୍ତେ ଅନୁରୋଧ କରିଥିଲେ ।

ରାଜ୍ୟପାଳ ଏଥି ନିମନ୍ତେ ବ୍ରହ୍ମପୁରରେ ଥିବା ରେଡ୍‌କ୍ରସ୍‌ ବ୍ରେଲି ପ୍ରେସ୍‌କୁ ପରାମର୍ଶ ଦେବେ ବୋଲି କହିଥିଲେ । ଭାରତରେ ଦୃଷ୍ଟିହୀନ ଶିକ୍ଷା ଇତିହାସ ସଂମ୍ବନ୍ଧିତ ଏହା ପ୍ରଥମ ପୁସ୍ତକ ହୋଇଥିବାରୁ ଏହାର ହିନ୍ଦୀ ଓ ଇଂରାଜୀ ଅନୁବାଦ କାର୍ଯ୍ୟ ଆଗେଇ ଚାଲିଛି ଏବଂ
ଖୁବ୍‌ଶୀଘ୍ର ପ୍ରକାଶିତ ହେବ ବୋଲି ଡ. ଷଡଙ୍ଗୀ ସୂଚନା ଦେଇଥିଲେ । ଉନ୍ମୋଚନ ଉତ୍ସବରେ ଲେଖକଙ୍କ ପତ୍ନୀ ଶାନ୍ତିଲତା ଷଡ଼ଙ୍ଗୀ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଭାଗ୍ୟଶ୍ରୀ ଓ ସିଲୁଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବୁଧବାର ଦିନ ରାଜଭବନ ଠାରେ ଭାଗ୍ୟଶ୍ରୀ ସାହୁ ଏବଂ ସିଲୁ ନାୟକଙ୍କୁ ସେମାନଙ୍କର ଚମତ୍କାର ସଫଳତା ତଥା ସମାଜ ପାଇଁ ନିଃସ୍ୱାର୍ଥପର ସେବା ପାଇଁ ସମ୍ବର୍ଦ୍ଧିତ କରିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ ଟକ୍ ‘ମନ୍ କି ବାତ୍‌’ରେ ଉଭୟଙ୍କୁ ପ୍ରଶଂସା କରିଥିଲେ।

ସୁଶ୍ରୀ ସାହୁଙ୍କୁ ସମ୍ମାନିତ କରିବା ଅବସରରେ ରାଜ୍ୟପାଳ ଚିତ୍ରକଳା ଏବଂ ହସ୍ତଶିଳ୍ପ (ପଟ୍ଟଚିତ୍ର) କ୍ଷେତ୍ରରେ ତାଙ୍କର ଅସାଧାରଣ ପ୍ରତିଭାକୁ ପ୍ରଶଂସା କରିଥିଲେ। ଏଥିସହ ତାଙ୍କର ଉତ୍ସାହ, ନିଃସ୍ୱାର୍ଥପର ଭକ୍ତି ଏବଂ ଶକ୍ତି ଅନ୍ୟମାନଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ ବୋଲି ସେ କହିଛନ୍ତି। ବିପିୟୁଟି ତରଫରୁ ରାଜ୍ୟପାଳ ତାଙ୍କୁ ପ୍ରମାଣପତ୍ର ଏବଂ ଏକ ଲକ୍ଷ ପଚାଶ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଭାଗ୍ୟଶ୍ରୀ ବର୍ତମାନ ସାରଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଛାତ୍ରୀ ଅଟନ୍ତି।

ସେହିପରି ସିଲୁ ନାୟକଙ୍କୁ ସମ୍ମାନିତ କରି ପ୍ରଫେସର ଲାଲ ତାଙ୍କର ଉତ୍ସାହ,ନିଃସ୍ୱାର୍ଥପର ଏବଂ ଶକ୍ତିକୁ ପ୍ରଶଂସା କରିଥିଲେ। ଗ୍ରାମାଂଚଳର ଯୁବକମାନଙ୍କୁ ‘ମହାଗୁରୁ ବାଟାଲିୟନ’ ମାଧ୍ୟମରେ ମୁକ୍ତ ଭାବରେ ତାଲିମ ପ୍ରଦାନ କରି ସଶସ୍ତ୍ର ବାହିନୀରେ ପ୍ରବେଶ କରିବାର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରୁଛନ୍ତି। ଏହା ଆହୁରି ଅନେକଙ୍କ ଜୀବନରେ ନିଃସ୍ୱାର୍ଥପର ସେବାର ଭାବନାକୁ ଜାଗ୍ରତ କରିବ ଏବଂ ସେମାନଙ୍କୁ ଲୋକ ତଥା ମାତୃଭୂମି ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ଦେବ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଛନ୍ତି।

ଏହି ଅବସରରେ ରାଜ୍ୟପାଳଙ୍କ ସଚିବ ଡ. ପି କେ ମେହେର୍ଦ୍ଦା ଏବଂ ବିପିୟୁଟିର କୁଳପତି ଡ. ସି.ଆର. ତ୍ରିପାଠୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କ ଅଭିଭାଷଣରୁ ଷଷ୍ଠ ଅଧିବେଶନ ଆରମ୍ଭ: କୋଟିଆ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ କକ୍ଷ ତ୍ୟାଗ

ଭୁବନେଶ୍ୱର: ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଷଷ୍ଠ ଅଧିବେଶନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗୃହରେ ଉପସ୍ଥିତ ରହିଛନ୍ତି। ଦିବଂଗତ ନେତା, କୋଭିଡ଼ ଯୋଦ୍ଧା ଓ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ପ୍ରଥମେ ଶୋକ ପ୍ରସ୍ତାବ ଆଗତ କରାଯାଇଛି।

ରାଜ୍ୟପାଳ ଅଭିଭାଷଣରେ କହିଛନ୍ତି ଯେ, କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରଶଂସନୀୟ। ଜନସ୍ୱାସ୍ଥ୍ୟ ଓ ପାନୀୟଜଳ ସମସ୍ୟା ଦୂର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ନିରାଶ୍ରୟ, ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ନିରାପତ୍ତା ଲାଗି ସରକାର ପ୍ରତିଶ୍ରୁତ୍ତିବଦ୍ଧ ରହିଛି। ତୃଣମୂଳ ସ୍ତରରୁ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ସରକାରଙ୍କ ଉଦ୍ଦେଶ୍ୟ ରହିଛି। ଏହାସହ ସରକାର ସୁନ୍ଦରଗଡ଼ରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଗତ ବର୍ଷ ରାଜ୍ୟରେ ଆଣିଶ୍ରୁଙ୍ଖଳା ବ୍ୟବସ୍ଥା ଶାନ୍ତିପୂର୍ଣ୍ଣ ଥିଲା।

୨୦୨୧ ଜାନୁୟାରୀ ଶେଷ ସୁଦ୍ଧା ରାଜ୍ୟରେ ୩୮ ହଜାର ୭୬୦ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଛି। ଯାହା ବିଗତ ବର୍ଷ ତୁଳନାରେ ୭.୩ ପ୍ରତିଶତ ଅଧିକ ରାଜସ୍ୱ ଆଦାୟ ହୋଇଛି। ସେହିପରି ରାଜ୍ୟର ଆପତ୍ତକାଳୀନ ପାଣ୍ଠି ୨ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଜଳ ସଂରକ୍ଷଣ ପାଇଁ ୫ ବର୍ଷରେ ୧୧ ହଜାର ୭୦୦ କୋଟି ଟଙ୍କା ଖର୍ଚ୍ଚ ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସରକାର ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଅଧିବେଶନ ଆରମ୍ଭରୁ ବିରୋଧୀ ଦଳ ହଟ୍ଟଗୋଳ କରିବା ସହ କକ୍ଷ ତ୍ୟାଗ କରିଥିଲେ। କୋଟିଆ ପ୍ରସଙ୍ଗକୁ ନେଇ ବିରୋଧୀ କଂଗ୍ରେସ କକ୍ଷ ତ୍ୟାଗ କରିଥିଲା। ସେହିପରି ବିଜେପି ମଧ୍ୟ ଧାନ ମଣ୍ଡି ସମସ୍ୟା, ଆଇନ ଶ୍ରୁଙ୍ଖଳା ସହିତ ଅନେକ ସମସ୍ୟା ଦେଖାଇ ଗୃହ ତ୍ୟାଗ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଉଚ୍ଚନ୍ୟାଳୟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ଏସ୍‌. ମୁରଲୀଧର

ଭୁବନେଶ୍ୱର: ଓଡିଶା ଉଚ୍ଚନ୍ୟାଳୟର ମୁଖ୍ୟ ବିଚାରପତି ଭାବେ ଆଜି ଜଷ୍ଟିସ୍‌ ଏସ୍‌. ମୁରଲୀଧର ରାଜଭବନରେ ଶପଥ ନେଲେ। ସେ ଉଚ୍ଚନ୍ୟାଳୟର ୩୨ତମ ମୁଖ୍ୟ ବିଚାରପତି ଭାବେ ଗ୍ରହଣ କଲେ। ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପୂର୍ବାହ୍ନ ସାଢେ଼ ୯ଟାରେ ମୁଖ୍ୟ ବିଚାରପତି ଶପଥ ଗ୍ରହଣ କରିଥିଲେ।

ଶପଥ ଗ୍ରହଣ ଉତ୍ସବରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବ, ପୁଲିସ ମହାନିର୍ଦ୍ଦେଶକ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ପରଲୋକ

ଭୁବନେଶ୍ବର, ଗତକାଲି ବିଳମ୍ବିତ ରାତିରେ ରାଜ୍ୟପାଳଙ୍କ ଧର୍ମପତ୍ନୀ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ପରଲୋକ ଘଟିଛି। ସେ ନଭେମ୍ବର 1 ତାରିଖରେ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ। ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ସେ ସେହିଦିନଠାରୁ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ।

କରୋନା ଭାଇରସରେ ଖୋଦ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ତାଙ୍କର ପରିବାରର ଅନ୍ୟ 4 ସଦସ୍ୟଙ୍କୁ ମଧ୍ୟ କରୋନା ଆକ୍ରାନ୍ତ ହୋଇଛି। ସେତେବେଳେ ଉଭୟ ରାଜ୍ୟପାଳ ଏବଂ ତାଙ୍କ ପତ୍ନୀ ହସପିଟାଲରେ ଭର୍ତ୍ତି ହୋଇଥିଲେ।

ରାଜ୍ୟର ପ୍ରଥମ ମହିଳା ସୁଶୀଳା ଦେବୀଙ୍କର ପରଲୋକରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ଜଣେ ଅମାୟିକ ଏବଂ ଧର୍ମପରାୟଣା  ମହିଳା ବୋଲି କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସୂଚନା କମିଶନର ଭାବେ ଶପଥ ନେଲେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋଇ

ଭୁବନେଶ୍ବର, ଆଜି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋଇଙ୍କୁ ସୂଚନା କମିଶନର ଭାବେ ଶପଥ କରାଇଛନ୍ତି। ଏଥିସହିତ ବରିଷ୍ଠ ଓକିଲ ବିକ୍ରମ ସେନାପତିଙ୍କୁ ମଧ୍ୟ ରାଜ୍ୟପାଳ ଅନ୍ୟତମ ସୂଚନା କମିଶନର ଭାବେ ଶପଥ କରାଇଛନ୍ତି। ବର୍ତ୍ତମାନ ଏହି ଦୁଇ ଜଣଙ୍କୁ ମିଶାଇ ରାଜ୍ୟ ସୂଚନା କମିଶନ ରେ ତିନି ଜଣ ସୂଚନା କମିଶନର ହେଲେ। ପୂର୍ବରୁ ଏକମାତ୍ର କମିଶନର ଭାବେ ବାଳକୃଷ୍ଣ ମହାପାତ୍ର କାର୍ଯ୍ୟ କରୁଛନ୍ତି। ସେହିପରି ମୁଖ୍ୟ ସୂଚନା କମିଶନର ଭାବେ ସୁନୀଲ ମିଶ୍ର କାର୍ଯ୍ୟ କରୁଛନ୍ତି।