ଭାଗ୍ୟଶ୍ରୀ ଓ ସିଲୁଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ

Published: Mar 4, 2021, 2:34 pm IST

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବୁଧବାର ଦିନ ରାଜଭବନ ଠାରେ ଭାଗ୍ୟଶ୍ରୀ ସାହୁ ଏବଂ ସିଲୁ ନାୟକଙ୍କୁ ସେମାନଙ୍କର ଚମତ୍କାର ସଫଳତା ତଥା ସମାଜ ପାଇଁ ନିଃସ୍ୱାର୍ଥପର ସେବା ପାଇଁ ସମ୍ବର୍ଦ୍ଧିତ କରିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ ଟକ୍ ‘ମନ୍ କି ବାତ୍‌’ରେ ଉଭୟଙ୍କୁ ପ୍ରଶଂସା କରିଥିଲେ।

ସୁଶ୍ରୀ ସାହୁଙ୍କୁ ସମ୍ମାନିତ କରିବା ଅବସରରେ ରାଜ୍ୟପାଳ ଚିତ୍ରକଳା ଏବଂ ହସ୍ତଶିଳ୍ପ (ପଟ୍ଟଚିତ୍ର) କ୍ଷେତ୍ରରେ ତାଙ୍କର ଅସାଧାରଣ ପ୍ରତିଭାକୁ ପ୍ରଶଂସା କରିଥିଲେ। ଏଥିସହ ତାଙ୍କର ଉତ୍ସାହ, ନିଃସ୍ୱାର୍ଥପର ଭକ୍ତି ଏବଂ ଶକ୍ତି ଅନ୍ୟମାନଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ ବୋଲି ସେ କହିଛନ୍ତି। ବିପିୟୁଟି ତରଫରୁ ରାଜ୍ୟପାଳ ତାଙ୍କୁ ପ୍ରମାଣପତ୍ର ଏବଂ ଏକ ଲକ୍ଷ ପଚାଶ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଭାଗ୍ୟଶ୍ରୀ ବର୍ତମାନ ସାରଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଛାତ୍ରୀ ଅଟନ୍ତି।

ସେହିପରି ସିଲୁ ନାୟକଙ୍କୁ ସମ୍ମାନିତ କରି ପ୍ରଫେସର ଲାଲ ତାଙ୍କର ଉତ୍ସାହ,ନିଃସ୍ୱାର୍ଥପର ଏବଂ ଶକ୍ତିକୁ ପ୍ରଶଂସା କରିଥିଲେ। ଗ୍ରାମାଂଚଳର ଯୁବକମାନଙ୍କୁ ‘ମହାଗୁରୁ ବାଟାଲିୟନ’ ମାଧ୍ୟମରେ ମୁକ୍ତ ଭାବରେ ତାଲିମ ପ୍ରଦାନ କରି ସଶସ୍ତ୍ର ବାହିନୀରେ ପ୍ରବେଶ କରିବାର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରୁଛନ୍ତି। ଏହା ଆହୁରି ଅନେକଙ୍କ ଜୀବନରେ ନିଃସ୍ୱାର୍ଥପର ସେବାର ଭାବନାକୁ ଜାଗ୍ରତ କରିବ ଏବଂ ସେମାନଙ୍କୁ ଲୋକ ତଥା ମାତୃଭୂମି ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ଦେବ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଛନ୍ତି।

ଏହି ଅବସରରେ ରାଜ୍ୟପାଳଙ୍କ ସଚିବ ଡ. ପି କେ ମେହେର୍ଦ୍ଦା ଏବଂ ବିପିୟୁଟିର କୁଳପତି ଡ. ସି.ଆର. ତ୍ରିପାଠୀ ଉପସ୍ଥିତ ଥିଲେ।

Related posts