ରାଜ୍ୟପାଳଙ୍କ ଅଭିଭାଷଣରୁ ଷଷ୍ଠ ଅଧିବେଶନ ଆରମ୍ଭ: କୋଟିଆ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ କକ୍ଷ ତ୍ୟାଗ

Published: Feb 18, 2021, 12:26 pm IST

ଭୁବନେଶ୍ୱର: ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଷଷ୍ଠ ଅଧିବେଶନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗୃହରେ ଉପସ୍ଥିତ ରହିଛନ୍ତି। ଦିବଂଗତ ନେତା, କୋଭିଡ଼ ଯୋଦ୍ଧା ଓ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ପ୍ରଥମେ ଶୋକ ପ୍ରସ୍ତାବ ଆଗତ କରାଯାଇଛି।

ରାଜ୍ୟପାଳ ଅଭିଭାଷଣରେ କହିଛନ୍ତି ଯେ, କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରଶଂସନୀୟ। ଜନସ୍ୱାସ୍ଥ୍ୟ ଓ ପାନୀୟଜଳ ସମସ୍ୟା ଦୂର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ନିରାଶ୍ରୟ, ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ନିରାପତ୍ତା ଲାଗି ସରକାର ପ୍ରତିଶ୍ରୁତ୍ତିବଦ୍ଧ ରହିଛି। ତୃଣମୂଳ ସ୍ତରରୁ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ସରକାରଙ୍କ ଉଦ୍ଦେଶ୍ୟ ରହିଛି। ଏହାସହ ସରକାର ସୁନ୍ଦରଗଡ଼ରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଗତ ବର୍ଷ ରାଜ୍ୟରେ ଆଣିଶ୍ରୁଙ୍ଖଳା ବ୍ୟବସ୍ଥା ଶାନ୍ତିପୂର୍ଣ୍ଣ ଥିଲା।

୨୦୨୧ ଜାନୁୟାରୀ ଶେଷ ସୁଦ୍ଧା ରାଜ୍ୟରେ ୩୮ ହଜାର ୭୬୦ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଛି। ଯାହା ବିଗତ ବର୍ଷ ତୁଳନାରେ ୭.୩ ପ୍ରତିଶତ ଅଧିକ ରାଜସ୍ୱ ଆଦାୟ ହୋଇଛି। ସେହିପରି ରାଜ୍ୟର ଆପତ୍ତକାଳୀନ ପାଣ୍ଠି ୨ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଜଳ ସଂରକ୍ଷଣ ପାଇଁ ୫ ବର୍ଷରେ ୧୧ ହଜାର ୭୦୦ କୋଟି ଟଙ୍କା ଖର୍ଚ୍ଚ ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସରକାର ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଅଧିବେଶନ ଆରମ୍ଭରୁ ବିରୋଧୀ ଦଳ ହଟ୍ଟଗୋଳ କରିବା ସହ କକ୍ଷ ତ୍ୟାଗ କରିଥିଲେ। କୋଟିଆ ପ୍ରସଙ୍ଗକୁ ନେଇ ବିରୋଧୀ କଂଗ୍ରେସ କକ୍ଷ ତ୍ୟାଗ କରିଥିଲା। ସେହିପରି ବିଜେପି ମଧ୍ୟ ଧାନ ମଣ୍ଡି ସମସ୍ୟା, ଆଇନ ଶ୍ରୁଙ୍ଖଳା ସହିତ ଅନେକ ସମସ୍ୟା ଦେଖାଇ ଗୃହ ତ୍ୟାଗ କରିଥିଲା।

Related posts