Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ତରବରିଆ ଭାବେ ଓଡିଶା ଫେରୁଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ

ଭୁବନେଶ୍ବର: ଛୁଟି ଶେଷ ହୋଇ ନାହିଁ। ହେଲେ ତରବରିଆ ଭାବେ ଆଜି ଓଡିଶା ଫେରୁଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ। ଆଜି ହରିଆନାରୁ ଆସି ରାତି ଆଠଟାରେ ଭୁବନେଶ୍ବରରେ ପହଁଞ୍ଚିବେ। ତେବେ ତାଙ୍କ ଆସିବା ନେଇ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ଚର୍ଚ୍ଚା ଜୋର ଧରିଛି।

ହେଲେ ରାଜ୍ୟପାଳଙ୍କ ଗସ୍ତ ସୂଚୀ ଅନୁସାରେ ସେ ଆଜି ଭୁବନେଶ୍ବରରେ ପହଞ୍ଚିବା ପରେ ଆସନ୍ତାକାଲି ତାଙ୍କର ପୁରୀ ଗସ୍ତ ରହିଛି। ଆସନ୍ତାକାଲି ପୁରୀରୁ ହାୱାଡା ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ ହେବ। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁୟାଲି ଉଦଘାଟନ କରିବେ।

ଏହି ଉତ୍ସବରେ ରାଜ୍ୟପାଳ ଯୋଗଦେବେ। ସେଥିପାଇଁ ପୁରୀ ରେଳ ଷ୍ଟେସନରେ ବ୍ୟାପକ ଆୟୋଜନ କରାଯାଇଛି। ଏହାପରେ ସେ ଭୁବନେଶ୍ବର ଫେରିବେ। ପୁଣି ଶୁକ୍ରବାରରେ ସେ ହରିୟାନା ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ପ୍ରକୃତରେ ରାଜ୍ୟପାଳ ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଛୁଟିରେ ଯାଇଥିଲେ। ହେଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ସେ ଦୁଇଦିନ ପାଇଁ ଆସି ପୁଣି ଫେରିଯିବେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ରାଜଭବନରେ ମହାରାଷ୍ଟ୍ର ଓ ଗୁଜୁରାଟ ସ୍ଥାପନା ଦିବସ ପାଳିତ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଗଠନ ଲକ୍ଷ୍ୟରେ ପ୍ରତି ରାଜ୍ୟରେ ଅନ୍ୟ ରାଜ୍ୟମାନଙ୍କର ସ୍ଥାପନା ଦିବସ ପାଳନ ପରିପ୍ରେକ୍ଷୀରେ ରାଜଭବନଠାରେ ଆଜି ମହାରାଷ୍ଟ୍ର ଓ ଗୁଜୁରାଟ ରାଜ୍ୟ ସ୍ଥାପନା ଦିବସ ପାଳିତ ହୋଇଯାଇଛି।

ଏହି ଉପଲକ୍ଷେ ରାଜଭବନର ଅଭିଷେକ ହଲ୍‌ରେ ଆୟୋଜିତ ଏକ ଭାବବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଥିରେ ଉପସ୍ଥିତ ଥିବା ଓଡ଼ିଶା ଗୁଜୁରାଟ ସମାଜ ଓ ମହାରାଷ୍ଟ୍ର ମଣ୍ଡଳ, ଓଡ଼ିଶାର କର୍ମକର୍ତ୍ତା ଓ ସଦସ୍ୟସଦସ୍ୟାମାନଙ୍କୁ ସ୍ଥାପନା ଦିବସର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।

ନିଜ ଉଦ୍‌ବୋଧନରେ ରାଜ୍ୟପାଳ ଏପରି କାର୍ଯ୍ୟକ୍ରମ ଦ୍ୱାରା ଅନ୍ୟ ରାଜ୍ୟର ସଂସ୍କୃତି, ପରମ୍ପରା ଓ ଜନଜୀବନ ସଂପର୍କରେ ଅଧିକ ଜ୍ଞାନ ଆହରଣ ଫଳରେ ରାଜ୍ୟ-ରାଜ୍ୟ ମଧ୍ୟରେ ଉତ୍ତମ ବୁଝାମଣା ଓ ସଂପର୍କ ବୃଦ୍ଧି ପାଇବ ଓ ଏହା ଭାରତର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବ ବୋଲି କହିଥିଲେ।

ମହାରାଷ୍ଟ୍ର ଓ ଗୁଜୁରାଟର ରାଷ୍ଟ୍ରର ପ୍ରଗତି ଓ ବିକାଶରେ ଯଥେଷ୍ଟ ଅବଦାନ ରହିଛି ଓ ସ୍ଥାପନା ଦିବସରେ ରାଜ୍ୟ ଓ ରାଷ୍ଟ୍ରର ସମ୍ମାନ ଓ ଗୌରବ ବୃଦ୍ଧି ପାଇଁ ନୂତନ ସଂକଳ୍ପ ନେବାକୁ ସେ କହିଥିଲେ। ରାଜ୍ୟପାଳ ଉଭୟ ମହାରାଷ୍ଟ୍ର ମଣ୍ଡଳ ଓ ଗୁଜୁରାଟୀ ସମାଜର ଓଡ଼ିଶାରେ କାର୍ଯ୍ୟ ଓ କାର୍ଯ୍ୟକ୍ରମ ସହିତ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ସକି୍ରୟ ଅଂଶଗ୍ରହଣକୁ ପ୍ରଶଂସା କରିଥିଲେ।

ଆଗାମୀ ଦିନରେ ରାଜ୍ୟପାଳ ଜନସାଧାରଣଙ୍କ ସେବାରେ ନିଜର କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ କହିଥିଲେ । ଉଭୟ ସଂଗଠନ ସେମାନଙ୍କ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଉତ୍ତମ ଯୋଜନା ଓ କାର୍ଯ୍ୟକ୍ରମ ଓଡ଼ିଶାରେ ଗ୍ରହଣ କରାଯିବାକୁ ଓ ଏଠାରେ ଥିବା ସଫଳ ଯୋଜନା ସେମାନଙ୍କ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେବାକୁ ରାଜ୍ୟପାଳ ସେମାନଙ୍କୁ କହିଥିଲେ। ଏପରି ଭାବବିନିମୟ କାର୍ଯ୍ୟକ୍ରମ ଭବିଷ୍ୟତରେ ଅଧିକ ଆୟୋଜନ କରାଯିବ ବୋଲି ମଧ୍ୟ ରାଜ୍ୟପାଳ କହିଥିଲେ।

ମହାରାଷ୍ଟ୍ର ମଣ୍ଡଳ ଓ ଗୁଜୁରାଟୀ ସମାଜର କର୍ମକର୍ତ୍ତା ଓ ସଭ୍ୟସଭ୍ୟା, ସେମାନଙ୍କ ପରିବାର ରାଜ୍ୟପାଳଙ୍କୁ ସେମାନଙ୍କର ପରିଚୟ ପ୍ରଦାନ କରିବା ସହ ଓଡ଼ିଶାରେ ରହିବା ଭିତରେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ଓ ସୁଖଦ ଅନୁଭୂତି ଓ ରାଜ୍ୟ ଏବଂ ରାଜ୍ୟବାସୀଙ୍କ ସହ ଆତ୍ମୀୟତା ସଂପର୍କରେ ବର୍ଣ୍ଣନା କରିଥିଲେ ।

ଏହି ଅବସରରେ ମହାରାଷ୍ଟ୍ର ମଣ୍ଡଳ ଓ ଗୁଜୁରାଟୀ ସମାଜ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ରଙ୍କ ସହ ରାଜଭବନର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ଆଇନଶୃଙ୍ଖଳା ନେଇ ରାଜ୍ୟ ସରକାରଙ୍କ ବିଫଳତା ଓ ଅଭିଯୁକ୍ତମାନଙ୍କୁ ତୁରନ୍ତ ଦଣ୍ଡ ଦେବା ନେଇ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପିର ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ ଶ୍ରୀ ଗଣେଶି ଲାଲଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଏହି ଘଟଣାକୁ ୯ଦିନ ବିତିଥିଲେ ବି ମୁଖ୍ୟମନ୍ତ୍ର ଏନେଇ କୌଣସି ପଦକ୍ଷେପ ନେଇନାହାନ୍ତି। ପୂର୍ବ ବର୍ଷ ହନୁମାନ ଜୟନ୍ତୀରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା କିନ୍ତୁ ଏଥର ହନୁମାନ ଜୟନ୍ତୀର ଗଣ୍ଡଗୋଳ ଯୋଜନାବଦ୍ଧ ଥିଲା ବୋଲି ଆଇଆଇସି ଏଫଆଇଆରରେ ଉଲ୍ଲେଖ କରିଛନ୍ତି ଓ ଏସ୍‌ପି ଏହାକୁ ସ୍ୱୀକାର କରିଛନ୍ତି।

ଶୋଭାଯାତ୍ରାର ଭିଡିଓ ପୋଲିସ ପାଖରେ ଅଛି କିନ୍ତୁ ଏଥିପ୍ରତି ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ଗତ ୧୪ତାରିଖ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କାରଣରୁ ଜଣେ ଆଦିବାସୀ ଯୁବକଙ୍କୁ ହତ୍ୟା କରାଗଲା। କାହା ନିର୍ଦ୍ଦେଶରେ ସରକାର ଚାଲିଛି, କିଏ ଏ ସରକାର ଚଲଉଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରଶ୍ନ କରିଛନ୍ତି।

ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବିଧାୟକ ମୋହନ ଚରଣ ମାଝୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ନାଉରୀ ନାଏକ, ବୁଧାନ ମୁର୍ମୁ, କେ.ନାରାୟଣ ରାଓ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟପାଳ ପ୍ରଫେସର ଗଣେଷୀଲାଲଙ୍କ ଦ୍ବାରା କୃଷି ଓଡ଼ିଶା ୨୦୨୩ ଉଦ୍‌ଯାପିତ

ଭୁବନେଶ୍ୱର: ସଭ୍ୟତାର ଉନ୍ମେଷ, ବିକାଶ ଓ ଉତ୍ତରଣରେ କୃଷିର ସର୍ବଗରିଷ୍ଠ ଭୂମିକା ରହିଛି । କୃଷି ହିଁ ଭିତ୍ତି। ଆମ ଧର୍ମ, ସଂସ୍କୃତି, ଐତିହ୍ୟ, ଇତିହାସ, ପରମ୍ପରା, ଜୀବନଶୈଳୀ, ଜୀବନବୋଧ, ଦୃଷି ଓ ଦର୍ଶନର ଆଦି ବିନ୍ଦୁ ହେଉଛି କୃଷି। ସଭ୍ୟତାର ଉତ୍ତମ ସଂରଚନା ଉପରେ ଏହା ପ୍ରତିଷ୍ଠିତ। ଖାଦ୍ୟ, ବସ୍ତ୍ର ଓ ବାସଗୃହ ପରି ତିନୋଟି ମୌଳିକ ଉପାଦାନ ଆମକୁ ସଭ୍ୟ, ମାର୍ଜିତ ଓ ଉତ୍ତରିତ କରିଛି। ଏସବୁର ଉତ୍ସ ଓ ଆଧାର ହେଉଛି କୃଷି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି।

ଆଜି ‘କୃଷି ଓଡ଼ିଶା ୨୦୨୩’ର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଲାଲ କହିଛନ୍ତି ଯେ କୃଷି କର୍ମ ହେଉଛି ଏକ ଆଧ୍ୟାତ୍ମିକ କ୍ରିୟା। ଶସ୍ୟ କେତେ ଜୀବନଧାରଣର କାରଣ ହୋଇଥିବାରୁ କୃଷି କର୍ମ ଏକ ମହତ୍ତ୍ୱପୂର୍ଣ୍ଣ ସାଧନା। ଏଥିରେ ଯେଉଁ ରହସ୍ୟମୟ ରସ ଅଛି ତାହାକୁ ଆସ୍ୱାଦନ କରିବାକୁ ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି।

ରାଜ୍ୟପାଳ ପ୍ରଫେସର ଲାଲ ପୁଣି କହିଛନ୍ତି ଯେ ଜଳ, ଅଗ୍ନି, ବାୟୁ, ପୃଥିବୀ ଓ ଆକାଶ ପରି ପଞ୍ଚ ମହାଭୂତରୁ ସବୁକିଛି ସୃଷ୍ଟି ହୋଇଛି । ଏହି ତତ୍ତ୍ୱକୁ କେବଳ କୃଷକ ବୁଝିପାରେ ଏବଂ ଏହାକୁ କାର୍ଯ୍ୟରେ ଲଗାଏ। ତା’ ହାତ ତିଆରି ଖାଦ୍ୟ କାହା ପେଟକୁ ଯିବ ସେ ବିଚାର କରେନି। ଏପରି ସାର୍ବଜନୀନତା ଓ ଲୋକକଲ୍ୟାଣର ମହାଭାବ ନେଇ କୃଷକ ତା’ର କାର୍ଯ୍ୟ କରେ ବୋଲି ରାଜ୍ୟପାଳ ପ୍ରଫେସର ଲାଲ ପ୍ରକାଶ କରିଛନ୍ତି।

ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଏକ ଆହ୍ୱାନ ରୁପେ ଉଭା ହୋଇଛି ଏବଂ ଏହା ଦ୍ୱାରା କୃଷି ଓ କୃଷକ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛି ବୋଲି ଉଲ୍ଲେଖ କରି ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି ଯେ ଏହାର ମୁକାବିଲା ପାଇଁ ସାରା ମାନବସମାଜ ସଂଗଠିତ ହେବା ଆବଶ୍ୟକ। ନୂତନ ଜ୍ଞାନକୌଶଳ, ଚିନ୍ତା, ଚେତନାର ପ୍ରୟୋଗରେ ଏହାକୁ ରୋକାଯାଇପାରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି।

ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍‌ କହିଛନ୍ତି ଯେ କୃଷି କ୍ଷେତ୍ରରେ ରାଜ୍ୟ ଆଜି ଏକ ନୂତନ ସୋପାନରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳାମାନଙ୍କୁ ବିଭିନ୍ନ କୃଷି କାର୍ଯ୍ୟରେ ନିୟୋଜିତ କରାଯାଇ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଉଛି। କୃଷି ଗବେଷଣାଲବ୍ଧ ଜ୍ଞାନକୁ ଚାଷୀଙ୍କ ନିକଟରେ ପହଞ୍ଚାଇବା ଦିଗରେ କୃଷି ଓଡ଼ିଶା ଏକ ସଫଳ ପ୍ରୟାସ ବୋଲି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କହିଛନ୍ତି।

କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉତ୍ସବରେ ପୌରୋହିତ୍ୟ କରି କହିଛନ୍ତି ଯେ କୋଭିଡ୍‌-୧୯ ସମୟରେ କୃଷକମାନେ ଯେପରି ନିଜ ସୁରକ୍ଷାକୁ ବାଜି ଲଗାଇ କୃଷିକାର୍ଯ୍ୟ କରି ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିଥିଲେ ତାହା ନିଶ୍ଚିତ ରୂପେ ପ୍ରଶଂସନୀୟ। ରାଜ୍ୟ ସରକାରଙ୍କ ପକ୍ଷରୁ ସମୟୋଚିତ ପଦକ୍ଷେପ ଯୋଗୁ ବିଗତ ୨୦ ବର୍ଷରେ ରାଜ୍ୟ ଚାଉଳ ଉତ୍ପାଦନରେ ଏକ ବଳକା ରାଜ୍ୟ ହୋଇପାରିଛି ଏବଂ ଅନ୍ୟ ଆନୁଷଙ୍ଗିକ କ୍ଷେତ୍ରରେ ଆଖିଦୃଶିଆ ସଫଳତା ହାସଲ କରିଛି ବୋଲି ସେ ପ୍ରକାଶ କରିଛନ୍ତି।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ଶ୍ରୀ ରାମଚନ୍ଦ୍ର ପଣ୍ଡା କୃଷିଜାତ ଦ୍ରବ୍ୟର ରପ୍ତାନୀ, ବିକି୍ରବଟାର ବଜାର ସୁବିଧା ଓ କୃଷି କ୍ଷେତ୍ରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଭାଗୀଦାରିତା ବୃଦ୍ଧି ଦିଗରେ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ଯେ ଫସଲର ବିବିଧିକରଣ, କୃଷି ଯାନ୍ତ୍ରିକୀକରଣ ଏବଂ କୃଷି ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ପ୍ରାଥମିକତା ପ୍ରଦାନ କରାଯାଉଛି ।

ମତ୍ସ୍ୟ ଓ ପ୍ରାଣୀସଂପଦର ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଛନ୍ତି ଯେ ରାଜ୍ୟରେ ମତ୍ସ୍ୟ ଓ ପ୍ରାଣୀସଂପଦର ଦ୍ରୁତ ବିକାଶ ଦିଗରେ ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଫିକିର ଜାତୀୟ କୃଷି କମିଟିର ଅଧ୍ୟକ୍ଷ ଟି.ଆର୍‌, କେଶବନ୍‌ କହିଛନ୍ତି ଯେ ସଂପ୍ରତି ଓଡ଼ିଶା କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିଛି। ଓଡ଼ିଶା ମିଲେଟ୍‌ ମିଶନର ସଫଳତା ସେଥି ମଧ୍ୟରେ ଅନ୍ୟତମ ବୋଲି ସେ ପ୍ରକାଶ କରିଛନ୍ତି।

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଲାଲ କୃଷକମାନଙ୍କ ପାଇଁ ଭାରତର ପ୍ରଥମ କୃତି୍ରମ ବୁଦ୍ଧିମତା ଚାଳିତ କୃଷିଭିତ୍ତିକ ସ୍ମାର୍ଟ ଚାଟବଟ୍‌ “ଆମ କୃଷ୍‌ଏଆଇ’’କୁ ଲୋକାର୍ପିତ କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଅଗ୍ରଣୀ ଓ ସଫଳ ଚାଷୀଙ୍କୁ ରାଜ୍ୟପାଳ ପ୍ରଫେସର ଲାଲ ସମ୍ବର୍ଦ୍ଧିତ କରିଥିଲେ।

ଉତ୍ସବ ପ୍ରାରମ୍ଭରେ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ ପ୍ରାଣୀପାଳନର ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରିଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଶେଷ ହେଲା ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା, କେତେ ଟଙ୍କାର ହେଲା ବ୍ୟବସାୟ ?

ଭୁବନେଶ୍ବର: ଓଡ଼ିଆମାନଙ୍କର ଜୀବନ, ଦର୍ଶନ, ଚିନ୍ତା, ଚେତନା, ଭାବ, ଭାବନା-ସବୁଠି ଅନନ୍ୟ କଳାତ୍ମକ ପରିପ୍ରକାଶ ରହିଛି। ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତର ବିଶେଷ ପରିଚୟ ଓ ପ୍ରତିଷ୍ଠା ସହ ଦେଶବିଦେଶରେ ଆଦର ରହିଛି। ଏହା ମାଧ୍ୟମରେ ଓଡ଼ିଶାର ସୂକ୍ଷ୍ମ କଳାରୂପ ପ୍ରସାରିତ ହୋଇଛି। ଯେଉଁ ହାତର ସ୍ପର୍ଶରେ ପଦାର୍ଥ, କଳାର ପୃଥିବୀ ପାଲଟିଯାଉଛି, ସେ ହାତକୁ ସଶକ୍ତ କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି।

ଆଜି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଉଦ୍‌ଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି ଯେ ଭାରତର ହସ୍ତଶିଳ୍ପର ବିଶାଳ ଗରିମା ରହିଛି। ଏହାର ଉପଯୋଗ କରିବା ହେଉଛି ଆଜିର ଆହ୍ୱାନ ଓ ଆବଶ୍ୟକତା।

ମେସିନ୍‌ କ୍ରାଫଫ ସହ ଲଢ଼ିବାକୁ ଆମ ହସ୍ତଶିଳ୍ପ ସମର୍ଥ। ଏଥିପାଇଁ କେବଳ ଅନୁକୂଳ ପରିବେଶ ଦରକାର। ଶିଳ୍ପୀମାନେ ସଶକ୍ତ ହେବା ସହ ଆମ ଅର୍ଥନୀତି ମଧ୍ୟ ସୁଦୃଢ଼ ହେବ। କାରଣ ଏହି କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସାମର୍ଥ୍ୟ ରହିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ କାର୍ଯ୍ୟକ୍ରମ ଓ ଯୋଜନା କରୁଛନ୍ତି । ଏହାର ଉପଯୋଗ କରିବାକୁ ପ୍ରଫେସର ଲାଲ କାରିଗରମାନଙ୍କୁ ଅନୁରୋଧ କରିଛନ୍ତି।

ରାଜ୍ୟପାଳ ପ୍ରଫେସର ଲାଲ ପୁଣି କହିଛନ୍ତି ଯେ କଳାର ସାମଗ୍ରୀ ମୂକ ନୁହନ୍ତି। ନିର୍ଜୀବ ନୁହନ୍ତି । ସେମାନେ ଯେଉଁ ଭାଷା କହୁଛନ୍ତି, ଯେଉଁ ଭାବ ପ୍ରକଟ କରୁଛନ୍ତି, ତାକୁ ବୁଝିବା ଦରକାର। ପ୍ରକୃତରେ କଳାର ନିର୍ମାଣ ହୁଏ ନାହିଁ। ଏହା ଆପେ ଆପେ ପ୍ରସ୍ପୁଟିତ ହୁଏ ବୋଲି ପ୍ରଫେସର ଲାଲ ପ୍ରକାଶ କରିଛନ୍ତି।

ଏହି ଅବସରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ବିଭାଗୀୟ ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି, ହସ୍ତତନ୍ତ ଓ ବୟନ ନିର୍ଦ୍ଦେଶକ ଶୋଭନ କ୍ରୀଷ୍ଣା ସାହୁ, ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର ଉପସ୍ଥିତ ଥିଲେ।

ଆଜି ସନ୍ଧ୍ୟାରେ ମେଳାକୁ ସୁଚାରୁ ରୂପେ ସଂପାଦନ କରିଥିବା ବିଭିନ୍ନ କମିଟିର ମୁଖ୍ୟ ଡ. ଅରବିନ୍ଦ କୁମାର ପାଢ଼ୀ, ଶୋଭନ କ୍ରୀଷ୍ଣା ସାହୁ, ଶ୍ୟାମଭକ୍ତ ମିଶ୍ର, ବିକ୍ରମାଦିତ୍ୟ ବାରିକ, ବୀଣାପାଣି ନାୟକ, ସୂର୍ଯ୍ୟନାରାୟଣ ପଟ୍ଟନାୟକ, ଶିଶିର କୁମାର ରଥ, ଦେବଜିତ ନନ୍ଦୀ, ବିନନ୍ଦ ପ୍ରଧାନ ପ୍ରମୁଖ ରାଜ୍ୟପାଳ ପ୍ରଫେସର ଲାଲଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ।

ଗତକାଲି ସୁଦ୍ଧା ମେଳାରେ ୧୮ କୋଟି ଟଙ୍କାର ବ୍ୟବସାୟ ହୋଇଥିବାବେଳେ ପ୍ରାୟ ୨୦ ଲକ୍ଷ ଦର୍ଶକ ମେଳା ପରିଦର୍ଶନ କରିଥିଲେ। ଫେବୃଆରୀ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳାରେ ପ୍ରାୟ ୫୬୦ଟି ଷ୍ଟଲରେ ବିଭିନ୍ନ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନ ତଥା ବିକ୍ରୟ ହୋଇଥିଲା। ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର କାର୍ଯ୍ୟକ୍ରମକୁ ସୁଚେତା ପ୍ରିୟଦର୍ଶିନୀ ସଂଯୋଜନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କ ନୂଆ ଏଡିସି ଭାବେ ଯୋଗଦେଲେ ନୌସେନାର ଲେଫ୍ଟନାଣ୍ଟ ହିମାଂଶୁ ସିଂ

ଭୁବନେଶ୍ୱର: ରାଜ୍ୟପାଳଙ୍କ ଏଡ଼ିସି ଭାବରେ ଭାରତୀୟ ନୌସେନାର ଲେଫ୍ଟନାଣ୍ଟ ହିମାଂଶୁ ସିଂ ଓ ଓଡ଼ିଶା ପୋଲିସ ସେବାର ଚିନ୍ମୟ ନାୟକ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବତନ ଏଡ଼ିସି ଅନୁରାଗ ଆୟାରଙ୍କ ବଦଳି ହୋଇଛି।

ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ବିଦାୟୀ ଏଡ଼ିସିଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ନୂତନ ଏଡ଼ିସିଙ୍କୁ ସ୍ୱାଗତ କରାଯାଇଛି। ରାଜ୍ୟପାଳ ପ୍ରଫେସର୍‍ ଗଣେଶୀ ଲାଲ ଉତ୍ସବରେ ଯୋଗଦେଇ ପୁଣ୍ୟଭୂମି ଓଡ଼ିଶାରେ କାର୍ଯ୍ୟ କରିବା ତାଙ୍କ ଜୀବନରେ ମହାର୍ଘ ଉପଲବ୍ଧି ବୋଲି ପ୍ରକାଶ କରି ନିଷ୍ଠାର ସହ ସରକାରୀ ଦାୟିତ୍ୱ ନିର୍ବାହକୁ ଆଧ୍ୟାତ୍ମିକ ସାଧନା ଭାବରେ ବର୍ଣ୍ଣନା କରିଥିଲେ।

ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ ,ଲେଖା ନିୟନ୍ତ୍ରକ ଗୌତମ ଚୌଧୁରୀ, ଅତିରିକ୍ତ ସଚିବ ବେଦବନ୍ଧୁ ମିଶ୍ର , ଲୋକ ସମ୍ପର୍କ ଅଧିକାରୀ ରକ୍ଷକ ନାୟକଙ୍କ ସମେତ ରାଜଭବନର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜାତୀୟ ସ୍ତରରେ ପୁରସ୍କୃତ ହେଲା ଓଡିଶା ଶାଖା ରେଡକ୍ରସ, ରାଜ୍ୟପାଳ କଲେ ପ୍ରଶଂସା

ଭୁବନେଶ୍ୱର : ଭାରତୀୟ ରେଡ଼କ୍ରସ୍‍ ,ଓଡ଼ିଶା ରାଜ୍ୟ ଶାଖା ପାଣ୍ଠି ସଂଗ୍ରହ, ସଭ୍ୟ ସଂଗ୍ରହ ଓ ସ୍ୱେଚ୍ଛାକୃତ ରକ୍ତଦାନ ସଂଗ୍ରହରେ ୨୦୧୯-୨୦ ଓ ୨୦୨୦-୨୧ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସିଲଡ଼୍ ଓ ପ୍ରଶଂସାପତ୍ର ପାଇଛନ୍ତି। ରାଜ୍ୟପାଳ ତଥା ଭାରତୀୟ ରେଡ଼କ୍ରସ୍‍ , ଓଡ଼ିଶା ରାଜ୍ୟ ଶାଖାର ଅଧ୍ୟକ୍ଷ ପ୍ରଫେସର ଗଣେଶୀ ଲାଲ ରେଡ଼କ୍ରସ୍‍ କାର‌୍ୟ୍ୟଧାରାର ଭୂୟସୀ ପ୍ରଶଂସା କରିବା ସହ ସେବାର ପରିସର, ଆକାର ଓ ପରିମାଣକୁ ଆହୁରି ବ୍ୟାପକ କରିବାକୁ ପରାମର୍ଶ ଦେଇଛନ୍ତି।

ଆଜି ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଲାଲ ସେବାକୁ ଆଧ୍ୟାତ୍ମିକ ସାଧନା ଭାବରେ ବର୍ଣ୍ଣନା କରି ଏଥିନିମନ୍ତେ ଉତ୍ସଗୀକୃତ ମନୋଭାବ ଓ ନିଷ୍ଠା ଏକାନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ଅବୈତନିକ ସଚିବ ସିଟିଏମ୍‍ ସୁଗୁଣା ଓଡ଼ିଶାରେ ରେଡ଼କ୍ରସ୍ରକ ବିଭିନ୍ନ କାର୍ଯ୍ୟକ୍ରମ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।

ରାଜ୍ୟପାଳ ଅବୈତନିକ ସଚିବଙ୍କୁ ସିଲଡ଼୍‍ ପ୍ରଦାନ କରିଥିଲେ। ବୌଦ୍ଧ ଜିଲ୍ଲା ଶାଖାର ଆଜୀବନ ସଭ୍ୟ ପ୍ରବୀର କୁମାର ଦାସଙ୍କୁ ଉଲ୍ଲେଖନୀୟ କୃତି ପାଇଁ ରେଡ଼କ୍ରସ୍‍ ସାର୍ଟିଫିକେଟ୍‍ ଅଫ୍‍ ମେରିଟ୍‍ ପ୍ରଦାନ କରାଯାଇଥିଲା। ଉତ୍ସବରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କ ସମେତ ରାଜଭବନର ଅଧିକାରୀ ଓ ରେଡ଼କ୍ରସ୍ରବ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ‘ଶ୍ରୀମଦ୍‍ ଭଗବଦ୍‍ ଗୀତା’ର ନୂତନ ସଂସ୍କରଣ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ବର: ସ୍ୱର୍ଗତ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ଦ୍ୱାରା ଇଂରାଜୀରେ ଅନୂଦିତ ‘ଶ୍ରୀମଦ‍ ଭଗବଦ୍‍ ଗୀତା’ର ନୂତନ ସଂସ୍କରଣକୁ ରାଜ୍ୟପାଳ ପ୍ରଫେସର‍ ଗଣେଶୀ ଲାଲ ଲୋକାର୍ପଣ କରିଛନ୍ତି।

ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଲାଲ ଗୀତାର କାବ୍ୟିକ ଅନୁବାଦ ଏକ କଠିନ ବ୍ୟାପାର ଏବଂ ସ୍ୱର୍ଗତ ନିତ୍ୟାନନ୍ଦ ପାଣିଗ୍ରାହୀ ଏପରି ଏକ ସଫଳ ପ୍ରୟାସ କରିଥିବାରୁ ଖୁସି ବ୍ୟକ୍ତ କରିବା ସହ ସ୍ୱର୍ଗତ ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଗୀତା ହେଉଛି  ସଭ୍ୟତାର ସର୍ବଶ୍ରେଷ୍ଠ ଗ୍ରନ୍ଥ। ଏଥିରେ ସକଳ ପ୍ରଶ୍ନର ଉତ୍ତର ଅଛି। ଗୀତାର ବିକଳ୍ପ ନାହିଁ। ଶ୍ରୀମଦଭଗବଦ୍‍‍ଗୀତାର ବାଣୀର ପ୍ରସାରରେ ହିଁ ପୃଥିବୀରେ ଶାନ୍ତି ଆସିପାରିବ ବୋଲି ରାଜ୍ୟପାଳ ପ୍ରଫେସର ଲାଲ ପ୍ରକାଶ କରିଥିଲେ।

ଉନ୍ମୋଚନ ଉତ୍ସବରେ ନ୍ୟାୟମୂର୍ତ୍ତି ବାସୁଦେବ ପାଣିଗ୍ରାହୀ, ନ୍ୟାୟମୂର୍ତ୍ତି ଆର. ଏନ୍‍. ବିଶ୍ୱାଳ, ବିନ୍ଧ୍ୟବାଳା ପାଣିଗ୍ରାହୀ, ବୈବସ୍ୱତ ପାଣିଗ୍ରାହୀ, ରାମନାଥ ପଣ୍ଡା, ଗୀତା ମହାଂତି ,ସ୍ୱାମୀ ଶିବ ଚିଦାନନ୍ଦ ମହାରାଜ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫକୁ ନିନ୍ଦା, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେଲା ଶାଳିଆ ପ୍ରେସ କ୍ଲବ

ବାଣପୁର: ଘରୋଇ ଟିଭି ଚ୍ୟାନେଲ ବଡ଼ ଖବରର ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ନିକଟରେ ଇଓଡବ୍ଲୁ ଗିରଫ କରିଛି। କିନ୍ତୁ ଏହି ଗିରଫଦାରୀକୁ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ଶାଳିଆ ପ୍ରେସ କ୍ଲବ ନିନ୍ଦା କରିଛି। ଅର୍ଦ୍ଧେନ୍ଦୁଙ୍କୁ ଜାଣିଶୁଣି ଷଡଯନ୍ତ୍ର କରି ଗିରଫ କରାଯାଇଛି ବୋଲି ପ୍ରେସ କ୍ଲବର କର୍ମକର୍ତ୍ତାମାନେ କହିଛନ୍ତି।

ଏକ ଚୁକ୍ତିଭିତିକ ଟଙ୍କା ନେଣ ଦେଣ ବ୍ୟବସାୟକୁ ଅପରାଧର ରଙ୍ଗ ଦିଆଯାଇ ଜାଣିଶୁଣି ଜନୈକ ବ୍ୟବସାୟୀ ଇଓଡବ୍ଲୁ ରେ ଏତଲା ଦେବା ସନ୍ଦେହଜନକ ଏବଂ ଏହାପଛରେ ଏକ ବଡ଼ ଚକ୍ରାନ୍ତ ହୋଇଥିବାର ସାମ୍ବାଦିକ ମାନେ ଅଭିଯୋଗ କରିଛନ୍ତି। ରାଜ୍ୟର କୋଣ ଅନୁକୋଣରୁ ଏହା ବିରୁଦ୍ଧରେ ଜନସାଧାରଣଙ୍କ ସ୍ୱର ଶାଣିତ ହେବାରେ ଲାଗିଥିବା ବେଳେ ଜଣେ ବରିଷ୍ଠ ସଚ୍ଚୋଟ ସାମ୍ବାଦିକଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଫସାଯାଇ ଏହିପରି ରାତିଅଧିଆ ଗିରଫ କରିବା ଏବଂ ଗଳାକୁ ଧରି ଭିଡି ଭିଡି ନେବା ଘଟଣାକୁ ସବୁ ମହଲରୁ ନିନ୍ଦା କରାଯାଇଛି। ଗଣତନ୍ତ୍ର ପାଇଁ ଏହି କଳା ଦିବସ ବୋଲି ସାମ୍ବାଦିକ ମାନେ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ଶାଳିଆ ପ୍ରେସ କ୍ଲବର ସଭାପତି ଅଜିତ ସାହୁଙ୍କ ନେତୃତ୍ୱରେ ବହୁ ସଦସ୍ୟମାନେ କଳା ବ୍ୟାଜ ପରିଧାନ କରି ଅର୍ଦ୍ଧେନ୍ଦୁ ଦାସଙ୍କୁ ନ୍ୟାୟ ପ୍ରଦାନ ଏବଂ ଉକ୍ତ ଷଡଯନ୍ତ୍ରର ତଦନ୍ତ ଦାବିରେ ବାଣପୁର ଅତିରିକ୍ତ ତହସିଲଦାର ସାହୀନ ନାଜଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଅନୁରୂପ ଭାବେ ଶାଳିଆ ପ୍ରେସ କ୍ଲବ ଏ ସଂକ୍ରାନ୍ତରେ ସମାନ ଦାବିପତ୍ର ଚିଲିକା ତହସିଲଦାରଙ୍କୁ ପ୍ରଦାନ କରିବ ବୋଲି ସଂଘ ସଭାପତି ଶ୍ରୀ ସାହୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜଭବନରେ ସଫଳ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଓଡ଼ିଶା ହେଉଛି ପ୍ରତିଭାଙ୍କ ଖଣି। ପ୍ରତିଭାର ପ୍ରକାଶ ଓ ବିକାଶ ପାଇଁ ଓଡ଼ିଶା ଏକ ଉର୍ବର ଭୂମି। ସମଗ୍ର ବିଶ୍ୱକୁ ମାର୍ଗଦର୍ଶନ ପାଇଁ ଓଡ଼ିଶାର ବିପୁଳ ସାମର୍ଥ୍ୟ ରହିଛି। ଏହାର ସଫଳ ଉପଯୋଗ ପୃଥିବୀ ପାଇଁ ମଙ୍ଗଳକର ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି।

ଆଜି ରାଜଭବନରେ ଆୟୋଜିତ କିଛି ସଫଳ ବ୍ୟକ୍ତିବିଶେଷଙ୍କ ସହିତ ଆଲୋଚନା କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱକୁ ସଫଳତାର ସହ ନିର୍ବାହ କରିବା ହିଁ ଈଶ୍ୱର ଆରାଧନା। ନିଜର କର୍ମ ମାଧ୍ୟମରେ ଅନ୍ୟର କିଛି ଉପକାର କରିପାରିଲେ ଓ ଅନ୍ୟର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଅଛି ଜୀବନର ସାର୍ଥକତା।

ଏହି କାର୍ଯ୍ୟକ୍ରମରେ ସମାଜସେବୀ ଅବିନାଶ ମିଶ୍ର ଓ ଚିନ୍ମୟ ଦାସ, ନୂଆ ବାସ୍ନା ଧାନର ଉଦ୍ଭାବକ କାଦମ୍ବିନୀ ବେହେରା, ଚିତ୍ରଶିଳ୍ପୀ ଶେ୍ୱତପଦ୍ମା ମିଶ୍ର, ଗୋସେବକ ପଣ୍ଡିତ ବିଷ୍ଣୁଚରଣ ପଣ୍ଡା, ‘ଆସ ପଢ଼େଇବା’ର ଆବାହକ ପ୍ରତ୍ୟୟ ପ୍ରଶାନ୍ତ, ଓଡ଼ିଶାରେ ଗୋଷ୍ଠୀ ରେଡ଼ିଓର ପ୍ରସାରକ ଏନ୍‌.ଏ. ଶାହା ଆନସାରୀ, ସଂସ୍କୃତି ପ୍ରଚାରକ ଶ୍ୟାମ ପ୍ରକାଶ ସେନାପତି, ଖବରକାଗଜ ସଂଗ୍ରାହକ ଶଶାଙ୍କ ଶେଖର ଦାଶ, ‘ପଥେ ପାଠଶାଳା’ର ପ୍ରତିଷ୍ଠାତା ବଳରାମ ସାହୁ ନିଜ ଜୀବନଯାତ୍ରା, ଅନୁଭବ ଓ ଉପଲବ୍ଧି ସଂପର୍କରେ କହିଥିଲେ। ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Categories
StateBoard ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ନିଯୁକ୍ତ ହେଲେ ନୂଆ କୂଳପତି

ଭୁବନେଶ୍ବର: ଆଜି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂଆ କୂଳପତି ନିଯୁକ୍ତି ହୋଇଛନ୍ତି। ବିଶ୍ବବିଦ୍ୟାଳୟର କୁଳାଧୀପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ସେ ହେଉଛନ୍ତି ପ୍ରଫେସର ଗୀତାଞ୍ଜଳି ଦାସ। ସେ କାର୍ଯ୍ୟଭାର ଗ୍ରହଣ କରିବାଠରୁ ଚାରି ବର୍ଷ କିମ୍ବା ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ପଦବୀରେ ନିଯୁକ୍ତି ଦିଆଯାଇଛି।

ପ୍ରଫେସର ଦାସ ହେଉଛନ୍ତି ଫକୀରମୋହନ ବିଶ୍ବବିଦ୍ୟାଳୟର ଅବସର ପ୍ରାପ୍ତ ରାଜନୈତିକ ବିଜ୍ଞାନ ପ୍ରଫେସର। ତାଙ୍କର ଶିକ୍ଷା ପ୍ରଦାନ କ୍ଷେତ୍ରରେ 36 ବର୍ଷର ଅଭିଜ୍ଞତା ରହିଛି। ସେଥିମଧ୍ୟରୁ 12 ବର୍ଷ ସେ ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି। ଏଥିସହିତ ସେ ପାଞ୍ଚୋଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି। ତାଙ୍କ ଅଧିନରେ ପାଞ୍ଚଜଣ ପିଏଚଡି ଏବଂ 35 ଜଣ ଏମଫିଲ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା: ଆସନ୍ତା ୧୬ ତାରିଖରେ ଭୁବନେଶ୍ବର ଆସିବେ ରାଜ୍ୟପାଳ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ରାଜଭବନରେ ନାହିଁନ୍ତି। ସେ ଆସନ୍ତା ୧୬ ତାରିଖରେ ଓଡିଶା ଆସିବେ। ତାଙ୍କର ବ୍ୟକ୍ତଗତ କାର୍ଯ୍ୟ ପାଇଁ ସେ ଗତ ୬ ତାରିଖରୁ ଛୁଟିରେ ଅଛନ୍ତି। କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ, ରାଜ୍ୟପାଳଙ୍କୁ ଶିଘ୍ର ଆସିବା ପାଇଁ ଅନୁରୋଧ କରାଯିବାରୁ ସେ ଛୁଟି କାଣ୍ଟଛାଣ୍ଟ କରି ଭୁବନେଶ୍ବରରେ ପହଁଚିଛନ୍ତି।

ମୁଖ୍ୟତଃ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଏହି ଖବର ପ୍ରକାଶ ପାଇଛି। ସେଥିରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରୁଥିବାରୁ ରାଜ୍ୟପାଳଙ୍କୁ ଆସିବା ପାଇଁ ଅନୁରୋଧ କରାଯାଇଥିଲା। ସେହି ଅନୁସାରେ ରାଜ୍ୟପାଳ ଭୁବନେଶ୍ବରରେ ପହଁଚିଛନ୍ତି। ତେବେ ଏହି ଖବର ସଂପୂର୍ଣ୍ଣ ମିଥ୍ୟା । ସେ ବର୍ତ୍ତମାନ ତାଙ୍କ ରାଜ୍ୟ ହିମାଚଳ ପ୍ରଦେଶରେ ଅଛନ୍ତି। ଆସନ୍ତା ୧୬ ତାରିଖରେ ସେ ଭୁବନେଶ୍ବର ଆସିବାର କାର୍ଯ୍ୟକ୍ରମ ରହିଛି।

Categories
ଆଞ୍ଚଳିକ

ପ୍ରାଚୀନ ଚିକିତ୍ସା ପରମ୍ପରାରୁ ପ୍ରେରଣା ଓ ଜ୍ଞାନର ପ୍ରୟୋଗ ଦରକାର; ରାଜ୍ୟପାଳ

ଭୁବନେଶ୍ୱର: ଅନ୍ନମୟ କୋଷ, ପ୍ରାଣମୟ କୋଷ, ମନମୟ କୋଷ, ପ୍ରଜ୍ଞାମୟ କୋଷ ଓ ଆନନ୍ଦମୟ କୋଷରେ ଶରୀରର ସ୍ଥିତି । ଏହାକୁ ଧ୍ୟାନରେ ରଖି ଡାକ୍ତରମାନେ ଶରୀରର ଚିକିତ୍ସା କରିବା ଦରକାର । ଶରୀର, ମନ ଓ ଆତ୍ମାକୁ ଏକୀଭୂତ କରି ଚିକିତ୍ସା ପଦ୍ଧତିର ପ୍ରୟୋଗ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି ।

ଆଜି ରାଜଭବନରେ ଆସୋସିଏସନ ଅଫ୍‌ ଦି ଫିଜିସିଆନ୍ସ ଅଫ୍‌ ଇଣ୍ଡିଆ, ଓଡ଼ିଶା ଚାପ୍‌ଟର ୪୧ତମ ସମ୍ମିଳନୀକୁ ଉଦ୍‌ଘାଟନ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଆମର ପ୍ରାଚୀନ ଚିକିତ୍ସା ପରମ୍ପରା ଓ ପଦ୍ଧତିରୁ ପ୍ରେରଣା ଓ ଜ୍ଞାନ ଗ୍ରହଣ କରିବା ଦରକାର । ଏହା ସହିତ ଆଧ୍ୟାତ୍ମିକ ଭାବର ପ୍ରୟୋଗ ମଧ୍ୟ ଏକାନ୍ତ ଜରୁରୀ । ପ୍ରକୃତି ସହିତ ମଣିଷ ଯେତିକି ଆତ୍ମୀୟ ହୋଇପାରିବ, ସେତେ ରୋଗଠୁ ଦୂରେଇ ରହିବ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି ।

ସାଂସଦ ଅଚ୍ୟୁତ ସାମନ୍ତ ଡାକ୍ତରମାନଙ୍କ ଉପରେ ଥିବା ଲୋକମାନଙ୍କର ବିଶ୍ୱାସକୁ ବଜାୟ ରଖିବା ସହିତ ଦରିଦ୍ରମାନଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେଇଥିଲେ ।
ଆୟୋଜନ କମିଟିର ଅଧ୍ୟକ୍ଷ ଡ. ସୁଧାଂଶୁ ଶେଖର ପଣ୍ଡା, ସଂଗଠନ ସଂପାଦକ ଡ. ଲଲାଟେନ୍ଦୁ ମହାନ୍ତି, ଅବୈତନିକ ସଂପାଦକ ଡ. ସନ୍ତୋଷ କୁମାର ସ୍ୱାଇଁ, ଓଡ଼ିଶା ଚାପ୍‌ଟରର ଅଧ୍ୟକ୍ଷ ଡ. ଭରତ ପାଣିଗ୍ରାହୀ, ସମ୍ମାନିତ ଅତିଥି ଡ. ଏ. ମୁରୁଗନଥନ୍‌ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ରାଜ୍ୟପାଳ ସ୍ମରଣିକା ଉନ୍ମୋଚନ କରିବା ସହ ପ୍ରଫେସର ଆର୍‌. ପଣ୍ଡା ଓ ଡ. ବି. ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

୩ୟ ଓଡ଼ିଶା ଶିକ୍ଷା ସମ୍ମାନ: ୧୦ ଶିକ୍ଷାନୁଷ୍ଠାନକୁ ସମ୍ମାନିତ କଲେ ରାଜ୍ୟପାଳ

ଭୁବନେଶ୍ବର: ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଓଡ଼ିଶା ଶିକ୍ଷା ସମ୍ମାନ ୨୦୨୧ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହୋଟେଲ ଏକ୍ସେଲେନ୍ସି ପରିସରରେ ଆଜି ସଂଧ୍ୟାରେ ଅନୁଷ୍ଠିତ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏ ଅବସରରେ ରାଜ୍ୟର ଜଣାଶୁଣା ୧୦ଟି ଅନୁଷ୍ଠାନକୁ ସମ୍ମାନିତ କରାଯାଇଥିଲା।

ଉତ୍ସବକୁ ସମ୍ବୋଧିତ କରି ରାଜ୍ୟପାଳ କହିଲେ ଯେ କୌଣସି ବିଶ୍ବବିଦ୍ୟାଳୟ ଭିତରେ ଗବେଷଣାଗାର ନଥାଏ। ଶିକ୍ଷାର ଅସଲ ଗବେଷଣାଗାର ହେଉଛି ପ୍ରକୃତି। ସମୁଦ୍ର କୂଳରେ, ପକ୍ଷୀ ଉଡ଼ୁଥିବା ଆକାଶରେ, ନଦୀର କୁଳୁକୁଳୁ ଜଳଧାରାରରେ ଜ୍ଞାନର ଗନ୍ତାଘର ରହିଛି। ପ୍ରକୃତି ହିଁ ସବୁଠୁ ବଡ଼ ଶିକ୍ଷାନୁଷ୍ଠାନ ବୋଲି ସେ କହିଥିଲେ। ଶନ୍ତ ରହିବା ଜଣେ ଶିକ୍ଷାର୍ଥିର ସବୁଠୁ ବଡ଼ ଲକ୍ଷଣ। ଆମକୁ ଶବ୍ଦ ଓ କୋଳାହଳ ବାବଦରେ ତ ସମସ୍ତେ ଶିଖାନ୍ତି। ଶବ୍ଦର ଜ୍ଞାନ ବାବଦରେ ଆମକୁ ସମସ୍ତେ ଶିକ୍ଷାଦିଅନ୍ତି। କିନ୍ତୁ ଶବ୍ଦର ଅଜ୍ଞାନତା ବାବଦରେ କେହି କହିନଥାନ୍ତି। ନିରବତାରୁ ଶିକ୍ଷା କରିବା ହିଁ ଜଣେ ଜ୍ଞାନୀର ସବୁଠୁ ବଡ଼ ଭୂଷଣ ବୋଲି ସେ କହିଥିଲେ। ଉତ୍ସବରେ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହି ରାଜ୍ୟପାଳ ସମ୍ମାନିତ ସମସ୍ତ ଅନୁଷ୍ଠାନ ଓ ସେମାନଙ୍କର ଉଦ୍ୟୋକ୍ତାଙ୍କୁ ଅଭିବାଦନ ଜଣାଇଥିଲେ।

ଏ ଅବସରରେ ରାଜ୍ୟର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ଭାବେ ଭୁବନେଶ୍ବରର ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ, ରାଜ୍ୟର ଶ୍ରେଷ୍ଠ ଇଂଜିନିୟରିଂ ମହାବିଦ୍ୟାଳୟ ଭାବେ ବ୍ରହ୍ମପୁରର ନାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଆଣ୍ଡ ଟେକନଲୋଜି (ନିଷ୍ଟ), ରାଜ୍ୟର ଶ୍ରେଷ୍ଠ ବିକଶିତ ବିଦ୍ୟାଳୟ ଭାବେ ଭୁବନେଶ୍ବରର ଦି ଡିଏନ୍‌ ଓ୍ବିଜଡମ୍‌ ଟ୍ରୀ ଗ୍ଲୋବାଲ ସ୍କୁଲ, ରାଜ୍ୟର ଶ୍ରେଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ କଟକର କେଏମ୍‌ବିବି ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ରାଜ୍ୟର ଶ୍ରେଷ୍ଠ ଆଇଏଏସ୍‌ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାବେ ଭୁବନେଶ୍ବରର ଆପ୍ଟି ପ୍ଲସ୍‌ ଏକାଡେମୀ ଅଫ୍‌ ସିଭିଲ ସର୍ଭିସେସ୍‌, ରାଜ୍ୟର ଶ୍ରେଷ୍ଠ ପଲିଟେକନିକ୍‌ କଲେଜ ଭାବେ ବାରିପଦାର ଡିଭାଇନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଂଜିନିୟରିଂ ଆଣ୍ଡ ଟେକନଲୋଜି, ଓଡ଼ିଶାରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପ୍ରଫେସନାଲ୍‌ ଶିକ୍ଷା ଦେବାରେ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ଭାବେ ରାୟପୁରର ଆଇଏସ୍‌ବିଏମ୍‌ ବିଶ୍ବବିଦ୍ୟାଳୟ, ରାଜ୍ୟର ଶ୍ରେଷ୍ଠ ଆବାସିକ ବିଦ୍ୟାଳୟ ଭାବେ ଭୁବନେଶ୍ବର ଟାଇମ୍ସ ସ୍କଲାର୍ସ ଗୁରୁକୂଳ, ରାଜ୍ୟର ଶ୍ରେଷ୍ଠ ମେଡିକାଲ ପ୍ରଶିକ୍ଷଣ ଅନୁଷ୍ଠାନ ଭାବେ ଭୁବନେଶ୍ବର କ୍ୟାରିଅର୍‌ ହାଇଟ୍ସ, ରାଜ୍ୟର ଶ୍ରେଷ୍ଠ ମ୍ୟାନେଜମେଣ୍ଟ କଲେଜ ଭାବେ ଭୁବନେଶ୍ବରର ୟୁନାଇଟେଡ୍‌ ସ୍କୁଲ ଅଫ୍‌ ବିଜିନେସ୍‌ ମ୍ୟାନେଜମେଣ୍ଟ (ୟୁଏସ୍‌‌ବିଏମ୍)ଙ୍କୁ ସମ୍ମାନିତ କରାଯାଇଥିଲା।

ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ବିଭାଗୀୟ ମୁଖ୍ୟ ପ୍ରଫେସର ଡକ୍ଟର ସୁକାନ୍ତ କୁମାର ନନ୍ଦ ଶିକ୍ଷାନୁଷ୍ଠାନମାନଙ୍କୁ ସମ୍ମାନିତ କରିଥିଲେ। ଓଡ଼ିଆ ମିଡିଆର ନିର୍ଦ୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ସ୍ବାଗତ ଭାଷଣ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଆଦ୍ୟାଶ୍ରୀ। ଅନୁଷ୍ଠାନ ପକ୍ଷରୁ ଗିରୀଶ ରଂଜନ ସାହୁ, ସତ୍ୟବ୍ରତ ବଳିଆରସିଂହ, ବୀରେନ୍‌ କୁମାର ସାହୁ, ଗୀତାଞ୍ଜଳି ମିଶ୍ର ଓ ଇପ୍ସିତା ଆଚାର୍ଯ୍ୟ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ବଜେଟ ଅଧିବେଶନ: ବିଧାନସଭା ଗୃହ ଭିତରକୁ ପ୍ରବେଶ କଲେ ରାଜ୍ୟପାଳ

ଭୁବନେଶ୍ବର: ଆଜିଠାରୁ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ ପରେ ଏହି ଅଧିବେଶନ ଆରମ୍ଭ ହେବ। ବର୍ତ୍ତମାନ ରାଜ୍ୟପାଳ ବିଧାନସଭା ପରିସରରେ ପହଞ୍ଚି ସାରିଛନ୍ତି। ପୋଲିସର ରାଷ୍ଟ୍ରୀୟ ଅଭିବାଦନ ପ୍ରଦାନ ପରେ ସେ ବିଧାନସଭା ଗୃହ ଭିତରକୁ ପ୍ରବେଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍

ଭୁବନେଶ୍ୱର: ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ଏବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ କରାଯାଇଛି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହି ସମସ୍ତ ୬ଟି ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ କରିଛନ୍ତି। ତେବେ ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ସବିତା ଆଚାର୍ଯ୍ୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପାଇଁ କିଶୋର ବାସା, ରମାଦେବୀ ବିଶ୍ୱବିଦ୍ୟାଳୟ ପାଇଁ ଅପରାଜିତା ଚୌଧୁରୀ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପାଇଁ ଏନ୍‌. ନାଗରାଜୁ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ପାଇଁ ଦୀନବନ୍ଧୁ ସାହୁ ଏବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପାଇଁ ପ୍ରଫୁଲ୍ଲ ମହାନ୍ତି ମିଶ୍ରଙ୍କୁ କୁଳପତି ଭାବେ ରାଜ୍ୟପାଳ ନିଯୁକ୍ତି ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ କରୋନା

ଭୁବନେଶ୍ବର :  ରାଜ୍ୟପାଳଙ୍କୁ କରୋନା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ରାଜ୍ୟପାଳଙ୍କ ପତ୍ନୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଛି । ଏନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ରିପୋର୍ଟ ପିଜିଟିଭ୍‌ ଆସିବା ପରେ ତାଙ୍କ ସହ ନିକଟ ଅତୀତରେ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କୋଭିଡ୍‌ ପରୀକ୍ଷା କରାଇନେବାକୁ ରାଜ୍ୟପାଳ ଅନୁରୋଧ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

କରୋନା ମୁକାବିଲା ନେଇ ଜିଲ୍ଲାପାଳମାନଙ୍କ ସହ କଥା ହେଲେ ରାଜ୍ୟପାଳ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : କରୋନା ମୁକାବିଲା ନେଇ ଜିଲ୍ଲାପାଳମାନଙ୍କ ସହ କଥା ହୋଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍‌। ଆଜି କେତେକ ଜିଲ୍ଲାର ଜିଲ୍ଲାପାଳମାନଙ୍କ କରୋନା ମୁକାବିଲା ନେଇ ଆଲୋଚନା କରିଛନ୍ତି ରାଜ୍ୟପାଳ। କୋରାପୁଟ, ଗଜପତି, ନୂଆପଡା, ନବରଙ୍ଗପୁର ଜିଲ୍ଲାପାଳମାନଙ୍କ ସହ କଥା ହୋଇଛନ୍ତି ରାଜ୍ୟପାଳ। ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୁଝିଛନ୍ତି ରାଜ୍ୟପାଳ। ଅତି ଗୁରୁତର ସହ ଘଟଣାକୁ ନେଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ। ଗତ 28 ତାରିଖରେ ପୁରୀ, କଟକ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ କରୋନା ସମ୍ପର୍କରେ କଥା ହୋଇଥିଲେ ରାଜ୍ୟପାଳ।