Categories
ବିଶେଷ ଖବର

‘ହର ଘର ଦସ୍ତକ ୨.୦ର ପ୍ରଗତି ଓ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: “କୋଭିଡ ଏବେ ବି ରହିଛି। କେତେକ ରାଜ୍ୟରେ କୋଭିଡ ମାମଲା ବୃଦ୍ଧି ପାଇବାର ଖବର ମଧ୍ୟ ମିଳୁଛି। ଏ ସମୟରେ ସତର୍କ ରହିବା ସହ କୋଭିଡ ମାର୍ଗଦର୍ଶିକା ପାଳନ ଯେପରିକି ମାସ୍କ ବ୍ୟବହାର ଓ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ଶାରୀରିକ ଦୂରତା ରକ୍ଷା ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ”। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଗଣଙ୍କ ସହ ଆଜି ଆଭାସୀ ମାଧ୍ୟମରେ ଟିକାକରଣ ଅଗ୍ରଗତି ଓ ହର ଘର ଦସ୍ତକ ୨.୦ର ଅଭିଯାନର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲାବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହା ପ୍ରକାଶ କରିଛନ୍ତି।

କେତେକ ଜିଲ୍ଲା ଓ ରାଜ୍ୟରେ କୋଭିଡ-୧୯ ପଜିଟିଭ ମାମଲା ବୃଦ୍ଧି ଓ ପରୀକ୍ଷା ହ୍ରାସ ଉପରେ ଆଲୋଚନା କରି ଡକ୍ଟର ମାଣ୍ଡଭିୟ କହିଥିଲେ ଯେ, ଠିକ ସମୟ ଓ ଅଧିକ ପରୀକ୍ଷା ଦ୍ୱାରା କୋଭିଡ ମାମଲାଗୁଡ଼ିକର ସଅଳ ଚିହ୍ନଟ ହେବା ସହ ମାମଲା ଓ ଗୋଷ୍ଠୀ ସଂକ୍ରମଣ ମଧ୍ୟ ହ୍ରାସ ପାଇବ। ସେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ନୀରିକ୍ଷଣ ବୃଦ୍ଧି ସହ ଦେଶରେ ନୂତନ ପ୍ରଜାତିର ଚିହ୍ନଟ ନିମନ୍ତେ ଜିନୋମ ସିକୁଏନ୍ସିଂ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ପାଞ୍ଚସୂତ୍ରୀ ରଣନୀତି ପରୀକ୍ଷା, ଚିହ୍ନଟ, ଉପଚାର, ଟିକାକରଣ ଓ କୋଭିଡ ମାର୍ଗଦର୍ଶିକା ପାଳନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ଚାଲୁ ରଖିବାକୁ ସେ କହିଥିଲେ। ସେମାନେ ସଂଶୋଧିତ କୋଭିଡ ନୀରିକ୍ଷଣ ରଣନୀତିଗୁଡ଼ିକୁ ତ୍ୱରାନ୍ୱିତ କରିବା ସହ ବିଦେଶାଗତ ପରିଭ୍ରମଣକାରୀ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା, ପରୀକ୍ଷାଗାର ଓ ଗୋଷ୍ଠୀଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ।

ସମାଜର ଦୁର୍ବଳ ଶ୍ରେଣୀର କୋଭିଡ ଟିକାକରଣ ଉପରେ ଗୁରୁତ୍ୱାରୋପ କରି ସେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ ବ୍ୟକ୍ତିଗତ ଭାବେ ଜୁନ ପହିଲାରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ହର ଘର ଦସ୍ତକ ୨.୦ ଅଭିଯାନକୁ ବ୍ୟକ୍ତିଗତ ଭାବେ ସମୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ “ଚାଲନ୍ତୁ ଆମେ ୧୨-୧୭ ବୟସ ଶ୍ରେଣୀ ମଧ୍ୟରେ ସମସ୍ତ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଆମର ଅଭିଯାନକୁ ତ୍ୱରାନ୍ୱିତ କରିବା ପ୍ରଥମ ଓ ଦ୍ୱିତୀୟ ମାତ୍ରା ଦେଇ, ଯାହାଫଳରେ ସେମାନେ ଟିକାର ସୁରକ୍ଷାବଳୟ ମଧ୍ୟରେ ବିଦ୍ୟାଳୟ ଯାଇପାରିବେ।” ସରକାରୀ ଓ ଘରୋଇ/ଅଣ ଆନୁଷ୍ଠାନିକ ବିଦ୍ୟାଳୟ ଯେପରିକି ମଦ୍ରାସା ଦିବସ ଯତ୍ନ ବିଦ୍ୟାଳୟଗୁଡ଼ିକରେ ୧୨ରୁ ୧୭ ବର୍ଷ ବୟସ ଶ୍ରେଣୀ ନିମନ୍ତେ ବିଦ୍ୟାଳୟଭିତ୍ତିକ ଅଭିଯାନ ଓ ବିଦ୍ୟାଳୟ ଯାଉ ନ ଥିବା ପିଲାମାନଙ୍କ ନିମନ୍ତେ ଖରା ଛୁଟିରେ ଟିକାକରଣ ଅଭିଯାନ କରିବାକୁ ସେ ପରାମର୍ଶ ଦେଇଥିଲେ।

ସେ ଆହୁରି କହିଥିଲେ ଯେ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନେ ଦୁର୍ବଳ ଶ୍ରେଣୀରେ ଯାଉଥିବାରୁ ସେମାନେ ପ୍ରତିଷେଧକ ମାତ୍ରା ବଳରେ ସୁରକ୍ଷିତ ରଖିବା ଆବଶ୍ୟକ । “ଆମର ସ୍ୱାସ୍ଥ୍ୟ ଯତ୍ନ କର୍ମୀମାନେ ଘରକୁ ଘର ବୁଲି ଜନସଂଖ୍ୟାର ଦୁର୍ବଳ ଶ୍ରେଣୀ ହିତାଧିକାରୀମାନଙ୍କୁ ପ୍ରତିଷେଧକ ମାତ୍ରା ଦେଉଛନ୍ତି” ବୋଲି ସେ କହିଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀମାନେ ୧୮-୫୯ ବର୍ଷ ଶ୍ରେଣୀ ହିତାଧିକାରୀମାନଙ୍କୁ ଘରୋଇ ହସ୍ପିଟାଲ ଜରିଆରେ ନିୟମିତ ଟିକାକରଣ ନେଇ ସମୀକ୍ଷା କରିବାକୁ ସେ ପରାମର୍ଶ ଦେଇଥିଲେ। କୋଭିଡର ସମ୍ପ୍ରସାରିତ ସୁରକ୍ଷା ପାଇଁ ଆମେ ହର ଘର ଦସ୍ତକ ଅଭିଯାନରୁ ଶିକ୍ଷା ଲାଭ କରିବାକୁ ମଧ୍ୟ ସେ କହିଥିଲେ। “ଦେଶ ବ୍ୟାପୀ ପର୍ଯ୍ୟାପ୍ତ ଟିକା ମାତ୍ରା ଉପଲବ୍ଧ ଅଛି । ଆମେ କୋଭିଡ ଟିକାକରଣକୁ ବ୍ୟାପକ ହର ଘର ଦସ୍ତକର ଦ୍ୱିତୀୟ ପର୍ଯ୍ୟାୟରେ ସୁନିଶ୍ଚିତ କରିବା” ବୋଲି ସେ ଗୁରୁତ୍ୱାରୋପ କରିଥିଲେ। କୌଣସିମତେ କୋଭିଡ-୧୯ ଟିକା ଯେପରି ନଷ୍ଟ ନ ହୁଏ ତାହା ସୁନିଶ୍ଚିତ କରିବା ନିମନ୍ତେ ସେମାନଙ୍କୁ ନିର୍ଦ୍ଦିଷ୍ଟ ଭାବେ ପରାମର୍ଶ ଦିଆଯାଇଛି। ଏଗୁଡ଼ିକର ନିରୀକ୍ଷଣକୁ ମଧ୍ୟ ସୁନିଶ୍ଚିତ କରି “ଆମେ ଅବଧି ପୁରୁଥିବା ମାତ୍ରାର ପ୍ରଥମ ବ୍ୟବହାର” ନୀତି ଜରିଆରେ ଯେଉଁ ମାତ୍ରାର ଅବଧି ଶୀଘ୍ର ପୂରଣ ହେବାକୁ ଯାଉଛି ତାହା ଆଗ ବ୍ୟବହାର କରିବା ଦରକାର ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ହର ଘର ଦସ୍ତକ ୨.୦ ଅଭିଯାନ ଜରିଆରେ କୋଭିଡ ଟିକାକରଣକୁ ତ୍ୱରାନ୍ୱିତ କରିବା ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ସପମ୍ ରଞ୍ଜନ ସିଂ (ମଣିପୁର) ଆଲୋ ଲିବାଂଙ୍ଗ (ଅରୁଣାଚଳ ପ୍ରଦେଶ) ତାଜେରୁ ହରୀଶ ରାଡା (ତେଲେଙ୍ଗାନା), ଅନୀଲ ଭିଗ୍ (ହରିୟାଣା), ଋଷିକେଷ ଗଣେଷ ଭାଇ ପଟେଲ (ଗୁଜରାଟ), ବନ ଗୁପ୍ତା (ଝାଡ଼ଖଣ୍ଡ) ମଙ୍ଗଳ ପାଣ୍ଡେ (ବିହାର), ଡକ୍ଟର ରାଜେଶ ଟୋପେ (ମହାରାଷ୍ଟ୍ର) ଡକ୍ଟର ପ୍ରଭୁରାମ ଚୌଧୁରୀ (ମଧ୍ୟ ପ୍ରଦେଶ), ଡକ୍ଟର କେ. ସୁଧାକର (କର୍ଣ୍ଣାଟକ) ବୈଠକରେ ଉପସ୍ଥିତ ଥିଲେ।

ଡକ୍ଟର ମନୋହର ଅଗନାନୀ, ଅତିରିକ୍ତ ସଚିବ, ରୋଲି ସିଂ, ଅତିରିକ୍ତ ସଚିବ, ଲଭ ଅଗ୍ରୱାଲ, ଯୁଗ୍ମ ସଚିବ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସମେତ ଏନଏଚଏମ ମିଶନ ନିର୍ଦେଶକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅନ୍ୟାନ୍ୟ ଅଧିକାରୀମାନେ ଏହି ଆଭାସୀ ବୈଠକରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ରିଲିଫ ଆୟୁକ୍ତ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବଙ୍କ ବାର୍ଷିକ ସମ୍ମିଳନୀ ଆରମ୍ଭ

ନୂଆଦିଲ୍ଲୀ: ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରିଲିଫ ଆୟୁକ୍ତ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବମାନଙ୍କ ବାର୍ଷିକ ସମ୍ମିଳନୀ ଗତକାଲି ନୂଆଦିଲ୍ଲୀଠାରେ କେନ୍ଦ୍ର ଗୃହ ସଚିବଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି। ଆଗାମୀ ଦକ୍ଷିଣ ପଶ୍ଚିମ ମୌସୁମୀ ଋତୁରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ପ୍ରସ୍ତୁତି ସମୀକ୍ଷା ପାଇଁ ଏହି ଦୁଇଦିନିଆ ସମ୍ମିଳନୀ ଅନୁଷ୍ଠିତ ହେଉଛି। କୋଭିଡ-୧୯ମହାମାରୀ ଯୋଗୁଁ ଦୁଇବର୍ଷ ବ୍ୟବଧାନ ପରେ ଏହି ସମ୍ମିଳନୀ ପ୍ରତ୍ୟକ୍ଷ ଉପସ୍ଥିତି ସହ ଅନୁଷ୍ଠିତ ହେଉଛି।

ଉଦ୍‌ଘାଟନୀ ଅଭିଭାଷଣରେ କେନ୍ଦ୍ର ଗୃହ ସଚିବ ରାଜ୍ୟ ଓ କେନ୍ଦ୍ର ସରକାରୀ ଅଧିକାରୀମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସମ୍ଭାବ୍ୟ ବାତ୍ୟା, ଝଡ ଓ ଭୂସ୍ଖଳନ ଯୋଗୁଁ ଯେପରି କମ୍ ଧନଜୀବନ ହାନୀ ହୁଏ ସେଥିପ୍ରତି ଭଲଭାବେ ପ୍ରସ୍ତୁତ ରହିବାକୁ କହିଥିଲେ। ସେ ବର୍ଷ ତମାମ ଅହୋରାତ୍ର ପ୍ରସ୍ତୁତି ବଳବତ୍ତର ରଖିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଦୀର୍ଘକାଳୀନ ଭିତ୍ତିଭୂମି ପ୍ରସ୍ତୁତି ଉପରେ ଗୁରୁତ୍ୱଆରୋପ କରିଥିଲେ। ଏହା ଆମକୁ ବିପର୍ଯ୍ୟୟରୁ ରକ୍ଷା କରିବା ସହ ଭାବିପିଢୀକୁ ମଧ୍ୟ ସୁରକ୍ଷିତ ରଖିବ। କେନ୍ଦ୍ର ଗୃହ ସଚିବ କହିଥିଲେ ଯେ ଗତ କେତେବର୍ଷ ମଧ୍ୟରେ ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ବିପର୍ଯ୍ୟୟ ପରିଚାଳନାରେ ଉନ୍ନତି ଦେଖାଯିବା ସହ ମାନବଜୀବନ ଉପରେ ଏହାର ପ୍ରଭାବ ମଧ୍ୟ ହ୍ରାସ ପାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୦୧୪ ମସିହାରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ  ବିପର୍ଯ୍ୟୟ ପରିଚାଳନାରେ ଯେଉଁ ପରିବର୍ତ୍ତନ ଆସିଛି ତାହାକୁ ଗୃହ ସଚିବ ସମର୍ଥନ କରିଥିଲେ। ଆଗରୁ ବିପର୍ଯ୍ୟୟ ପରିଚାଳନା କେବଳ ରିଲିଫ କେନ୍ଦ୍ରିକ ଥିବାବେଳେ, ଏବେ  ମାନବଜୀବନ ରକ୍ଷା ଏକ ଅତିରିକ୍ତ କର୍ତ୍ତବ୍ୟ ବୋଲି ବିବେଚନା କରାଯାଉଛି ବୋଲି କହିଥିଲେ। ଗ୍ରୀଷ୍ମ ପ୍ରବାହ ଓ ବଜ୍ରପାତ ଯୋଗୁଁ ଯଥାସମ୍ଭବ ଧନଜୀବନ ହାନୀ ରୋକିବା ଉପରେ ଶ୍ରୀ ଶାହ ଗୁରୁତ୍ୱ ଆରୋପ କରିଥିଲେ। ବିପଦ ଆପଦ ହ୍ରାସ ନିମନ୍ତେ ଠିକ୍ ସମୟରେ ପଦକ୍ଷେପ ନେବା ତଥା  ଏ ବାବଦ ସମ୍ବଳ ବିନିଯୋଗ କରିବା ଉପରେ ସଚିବ ଗୁରୁତ୍ୱ ଆରୋପ କରିଥିଲେ। ଜୀବନହାନୀ ଶୂନ୍ୟକୁ ହ୍ରାସ କରିଥିବା ଲକ୍ଷ୍ୟ ନେଇ ଆପତକାଳୀନ ଅବସ୍ଥା ହ୍ରାସ ଲାଗି ବ୍ୟବସ୍ଥା ହେବା ଦରକାର ବୋଲି ସେ କହିଥିଲେ।

ଯେକୌଣସି ବିପର୍ଯ୍ୟୟ କାଳରେ ପ୍ରଥମେ ସହାୟତାରେ ହାତ ବଢାଉଥିବା ସ୍ଥାନୀୟ ସହରାଂଚଳ ସଂସ୍ଥା, ରାଜ୍ୟ ବିପର୍ଯ୍ୟୟ ତ୍ୱରିତ ବଳ, ଅଗ୍ନିଶମ ସେବା ଓ ବେସାମରିକ ପ୍ରତିରକ୍ଷା ବିଭାଗ ସହ ସମ୍ପର୍କରେ ରହିବା ଉପରେ ସେ ଜୋର ଦେଇଥିଲେ । ସେ ମଧ୍ୟ ସ୍ଥାନୀୟ ଜନସାଧାରଣଙ୍କୁ ସାମିଲ କରି ସହର ଓ ଜିଲ୍ଲାସ୍ତରରେ ନିଜର ସାମର୍ଥ୍ୟ ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଥିଲେ।

କେନ୍ଦ୍ର ଗୃହ ସଚିବ ଆହୁରି କହିଥିଲେ ଯେ, ଗତ କିଛି ବର୍ଷ ମଧ୍ୟରେ ସାମୁଦ୍ରିକ ଝଡ, ବନାଗ୍ନି, ଅଂଶୁଘାତ ଓ ବଜ୍ରପାତ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବିପର୍ଯ୍ୟୟ ପରିଚାଳନା ପାଇଁ ବିଭିନ୍ନ ସ୍ତରରେ ସହଯୋଗ ବେଶ୍ ଗୁରୁତ୍ୱପୂର୍ଣ୍ଣ। ସ୍ଥାନୀୟ, ଜିଲ୍ଲା ଓ  ରାଜ୍ୟସ୍ତରରେ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତ କରି ଏହି ସମନ୍ୱୟ ଅଭାବକୁ ପୂରଣ କରି ହେବ। ସମ୍ମିଳନୀ କାଳରେ ବିଭିନ୍ନ ରାଜ୍ୟ ବିଗତବର୍ଷ ଗୁଡିକରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କିପରି ପ୍ରସ୍ତୁତିର ସହ ମୁକାବିଲା କରିଛନ୍ତି ସେଥିରେ ସେମାନଙ୍କ ଅଭିଜ୍ଞତା ନେଇ ବୁଝାଇବେ। ୨୭ଟି ରାଜ୍ୟ ଓ ସାତୋଟି କେନ୍ଦ୍ର ଶାସିତ ଅଞ୍ଚଳ ପ୍ରତିନିଧି, ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା (ଏନଡିଏମଏ) ପ୍ରତିନିଧି, ଜାତୀୟ ବିପର୍ଯ୍ୟୟ ତ୍ୱରିତବଳ(ଏନଡିଆରଏଫ), କେନ୍ଦ୍ରୀୟ ମନ୍ତ୍ରଣାଳୟ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ(ସିଏପିଏଫ), ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି), କେନ୍ଦ୍ରୀୟ ଜଳ ଆୟୋଗ(ସିଡବ୍ଲସି), ଭାରତୀୟ  ମହାକାଶ ଗବେଷଣା ସଂଗଠନ(ଇସ୍ରୋ), ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ), ଭାରତୀୟ ଭୂତାତ୍ୱିକ ସର୍ଭେ (ଜିଏସଆଇ) ଓ ଅନ୍ୟାନ୍ୟ ବୈଜ୍ଞାନିକ ସଂଗଠନ ଓ ସଶସ୍ତ୍ର ସେନା ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରୁଛନ୍ତି।