Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ରାତିଅଧିଆ କୁଜଙ୍ଗ ଏବିଡିଓଙ୍କ ବଦଳିକୁ ନେଇ ଚର୍ଚ୍ଚା, ସରକାରଙ୍କ ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବି ମହଲରେ ଦୃଢ଼ ନିନ୍ଦା

ରଞ୍ଜିତ୍‌ କୁମାର ପଣ୍ଡା
କୁଜଙ୍ଗ : କୁଜଙ୍ଗ ବ୍ଲକର ଅତିରିକ୍ତି ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ରାତି ଅଧିଆ ବଦଳିକୁ ନେଇ ଚର୍ଚ୍ଚା। ମିଳିଥିବା ସୂଚନା ଅନୁସାରେ କୁଜଙ୍ଗ ବ୍ଲକର ବିଡିଓ ହେମନ୍ତ ନନ୍ଦ କାର୍ଯ୍ୟରେ ଯୋଗଦେବାର 10 ଦିନ ପରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଛୁଟିରେ ଥିବାବେଳେ ତାଙ୍କ ସ୍ଥାନରେ ଅତିରିକ୍ତ ବିଡିଓ ସନ୍ତୋଷ କୁମାର ଶତପଥୀ କାର୍ଯ୍ୟ କରୁଥିଲେ। କିନ୍ତୁ ଅଚାନକ ଗତକାଲି ରାତିରେ ତାଙ୍କୁ ବଦଳି କରାଯାଇଛି। ହଠାତ୍‌ ଏପରି ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ରାତି ଅଧିଆ ବଦଳିକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି ।

ସମ୍ପ୍ରତି ରାଜ୍ୟରେ କରୋନା ପରିସ୍ଥିତି ପାଇଁ ଲକ୍‌ ଡାଉନ୍‌ ଜାରି ହୋଇଥିବାବେଳେ ସମଗ୍ର ଜିଲ୍ଲା ପ୍ରଶାସନ ବେଶ୍‌ ତତ୍ପର ରହିଛନ୍ତି । ସେହିପରି କୁଜଙ୍ଗ ବ୍ଲକର ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଏହି ସମସ୍ତ କାର୍ଯ୍ୟକୁ ତଦାରଖ କରୁଥିବାବେଳେ ହଠାତ୍‌ ତାଙ୍କର ବଦଳିକୁ ନେଇ ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ଅଚାନକ ବଦଳି କରାଯାଇଥିଲେ ବି ତାଙ୍କ ସ୍ଥାନରେ ଆଉ କାହାରିକୁ ଦାୟିତ୍ବ ଦିଆ ନ ଯିବା ବେଶ୍‌ ଆଶ୍ଚର୍ଯ୍ୟ କରିଛି। ସମ୍ପ୍ରତି ରାଜ୍ୟ ସରକାର କରୋନାକୁ ନେଇ ବେଶ୍‌ ସତର୍କ ରହିଥିବାବେଳେ କୁଜଙ୍ଗରେ ରାତିଅଧିଆ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ବଦଳିକୁ ନେଇ ସାଧାରଣରେ ବେଶ୍‌ ଚର୍ଚ୍ଚା ସୃଷ୍ଟି ହୋଇଛି।