Categories
ବିଶେଷ ଖବର

ରାୟବରେଲି ଆସନ ଛାଡ଼ିବେ କି ସୋନିଆ ଗାନ୍ଧି?: ଏହି ଠାରେ ନିର୍ବାଚନ ଲଢିବାକୁ କଂଗ୍ରେସର ସଂକଳ୍ପ ପାରିତ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ହଟଚମଟ ମଧ୍ୟରେ ତେଲେଙ୍ଗାନା କଂଗ୍ରେସ ସୋନିଆ ଗାନ୍ଧିଙ୍କୁ ନେଇ ଏକ ସଂକଳ୍ପ ପାରିତ କରିଛି। ତେଲେଙ୍ଗାନାରୁ ନିର୍ବାଚନ ଲଢ଼ିବା ପାଇଁ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନେଇ କଂଗ୍ରେସ ଏକ ସଂକଳ୍ପ ପାରିତ କରିଛି। ଏହାପରେ ସୋନିଆ ଗାନ୍ଧି ରାୟବରେଲି ଆସନ ଛାଡ଼ିପାରନ୍ତି ବୋଲି ଅନୁମାନ କରାଯାଉଛି।

ସୋନିଆ ଗାନ୍ଧି ତେଲେଙ୍ଗାନାର ମେଡ଼କ ଆସନରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ମଧ୍ୟ ଏହି ଆସନରୁ ନିର୍ବାଚନ ଲଢ଼ିଛନ୍ତି। କଂଗ୍ରେସ ନେତ୍ରୀ ମଧୁୟାକ୍ଷୀ ଗୌଡ଼ କହିଛନ୍ତି ଯେ ସୋନିଆ ଗାନ୍ଧି ତେଲେଙ୍ଗାନାରୁ ନିର୍ବାଚନ ଲଢ଼ିବା ପାଇଁ ଆମେ ସଂକଳ୍ପ ପାରିତ କରିଛୁ। ତାଙ୍କ ଲଢ଼େଇ ସମଗ୍ର ଦକ୍ଷିଣ ଭାରତରେ ଦଳପାଇଁ ଲାଭଦାୟକ ହେବ।

ରାୟବରେଲି ଆସନରୁ କେତେଥର ଜିତିଛନ୍ତି ସୋନିଆ?

ସୋନିଆ ଗାନ୍ଧି ବର୍ତ୍ତମାନ ରାୟବରେଲିରୁ ସାଂସଦ ଅଛନ୍ତି। ରାୟବରେଲି ଆସନ କଂଗ୍ରେସର ଗଡ଼ ପାଲଟିଛି। ଗତ ୪ଟି ନିର୍ବାଚନରେ ସୋନିଆ ଏଠାରୁ ବିଜୟୀ ହୋଇଛନ୍ତି। ପ୍ରତି ନିର୍ବାଚନରେ ତାଙ୍କୁ ୫୦ ପ୍ରତିଶତରୁ ଅଧିକ ଭୋଟ ମିଳିଛି। ଏହି ଆସନ ଐତିହାସିକଭାବେ କଂଗ୍ରେସ ହାତରେ ରହିଛି।

ବର୍ତ୍ତମାନ ସୁଦ୍ଧା ଦେଶରେ ହୋଇଥିବା ୧୭ଟି ଲୋକସଭା ନିର୍ବାଚନ ମଧ୍ୟରୁ ୩ଟି ନିର୍ବାଚନକୁ ବାଦ୍ ଦେଲେ ଏହି ଆସନ ପ୍ରତିଥର କଂଗ୍ରେସ ପାଖରେ ରହିଛି। ଦେଶର ୭୨ ବର୍ଷର ନିର୍ବାଚନୀ ଇତିହାସରେ ଉତ୍ତରପ୍ରଦେଶର ରାଏବରେଲି ଆସନ ୬୬ ବର୍ଷ ଧରି କଂଗ୍ରେସ ସହିତ ରହିଛି।

ରାୟବରେଲିରୁ କିଏ ଲଢିବ ?

ତେଲେଙ୍ଗାନା କଂଗ୍ରେସର ଏହି ପ୍ରସ୍ତାବକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ପ୍ରଶ୍ନ ଉଠୁଛି ଯଦି ସୋନିଆ ଗାନ୍ଧି ରାୟବରେଲି ଆସନ ଛାଡ଼ିବେ ତେବେ ଏଠାରୁ କିଏ ନିର୍ବାଚନ ମଇଦାନକୁ ଓହ୍ଲାଇବ? ଏହି ଆସନ ଗାନ୍ଧୀ ପରିବାରର ଗଡ଼ ହୋଇଥିବାରୁ ଏଠାରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି କଳ୍ପନାଜଳ୍ପନା କରାଯାଉଛି।