Categories
ବିଶେଷ ଖବର

ରୂପାନ୍ତର ଶୃଙ୍ଖଳାର ଦ୍ବିତୀୟ ବୈଠକ: ଏକ ଟିମ୍‌ ଭାବରେ କାମ କରିବା ଲାଗି ସବୁ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରମୁଖ ସଚିବ ଜି. ମାଥିଭାତନନ୍ ବିଭାଗର Transformational Initiative ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ।

ଏହିସବୁ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରେ ଉପଲବ୍‌ଧ ସାଧାରଣ ବୈଷୟିକ ଜ୍ଞାନର ପ୍ରୟୋଗ କରାଯାଇଥିବା ବେଳେ, ଗୋଷ୍ଠୀ ସହଭାଗୀତା ଜରିଆରେ କାର୍ଯ୍ୟକାରୀ କରାଯାଇଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଗରିବ ଲୋକଙ୍କ ସହଭାଗୀତା ଲୋକଙ୍କୁ ବିକାଶ ପ୍ରକ୍ରିୟା ସହିତ ଯୋଡିବା ସହିତ ସେମାନଙ୍କର ଜୀବନଜୀବିକାରେ ଉନ୍ନତି ଆଣିପାରିଛି ଏବଂ ସମାଜରେ ସମ୍ମାନର ସହ ବଞ୍ଚିବା ପାଇଁ ପ୍ରେରଣା ଦେଇପାରିଛି। ଏ ରୂପାନ୍ତର ସମାଜର ତଳସ୍ତରରେ ବ୍ୟାପକ ପରିବର୍ତ୍ତନର ଅୟମାରମ୍ଭ କରିଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ସହିତ ସବୁ କାର୍ଯ୍ୟକ୍ରମରେ ସବୁ ବିଭାଗ ଏକ ଟିମ୍‌ ଭାବରେ କାମ ସଫଳତା ଆଣିବାକୁ ପରାମର୍ଶ ଦେଇଥିଲେ।

ଏହି ଉପସ୍ଥାପନା ଅନୁଯାୟୀ ରାଜ୍ୟର ୧୬ ପ୍ରତିଶତ ଜନସାଧାରଣ ସହରାଞ୍ଚଳରେ ବସବାସ କରନ୍ତି ଏବଂ ସେଥିମଧ୍ୟରୁ ୪୦ ପ୍ରତିଶତ ଅଞ୍ଚଳରେ ପିଇବା ପାଣିର ସୁବିଧା ନ ଥିଲା। ୪ ଲକ୍ଷ ଘରେ ଟଏଲେଟ୍‌ର ସୁବିଧା ମଧ୍ୟ ନଥିଲା।

କିନ୍ତୁ ଆମର ରୂପାନ୍ତର ଉପକ୍ରମ ଆରମ୍ଭ ହେବା ପରେ ଆଜି ରାଜ୍ୟର ୮୪ ପ୍ରତିଶତ ଘରେ ଶତପ୍ରତିଶତ ପାଇପ ପାଣିର ବ୍ୟବସ୍ଥା ହୋଇପାରିଛି। ପୂର୍ବରୁ ୩ ଲକ୍ଷ ଘରକୁ ପାଇପ ପାଣିର ସୁବିଧା ଥିବାବେଳେ, ବର୍ତ୍ତମାନ ୧୦ ଲକ୍ଷ ଘରକୁ ପାଇପ ପାଣିର ସୁବିଧା ଦିଆଯାଇପାରିଛି। ପୁରୀରେ Drink from Tap କାର୍ଯ୍ୟକ୍ରମ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ, ଏହା ବର୍ତ୍ତମାନ ରାଜ୍ୟର ୨୪ଟି ସହରରେ ଆରମ୍ଭ ହୋଇଛି। ଏଥିରେ ବସ୍ତି ଅଞ୍ଚଳକୁ ପ୍ରାଥମିକତା ଦିଆଯାଉଛି । ପାନୀୟ ଜଳ ଯୋଗାଣ ନୀତିରେ Tap waterକୁ ନାଗରିକମାନଙ୍କର ଏକ ଅଧିକାର ଭାବରେ ଗ୍ରହଣ କରାଯାଇଛି।

ସେହିପରି ମଳମୁତ୍ର ଓ କଠିଜ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି ଆସିପାରିଛି। ବର୍ତ୍ତମାନ ରାଜ୍ୟର ୧୦୦ଟି ସହରରେ ୧୦୩ଟି Seepage Treatment Plant ଦିନକୁ ୧୮୦୦ କିଲୋ ଲିଟର Faecal Sludge ବିଶୋଧନ କରାଯାଉଛି । ଏଥିରେ କମ୍ ଖର୍ଚ୍ଚରେ ସାଧାରଣ ଟେକ୍ନୋଲୋଜିର ପ୍ରୟୋଗରେ ଗୋଷ୍ଠୀ ସହଭାଗୀତାରେ ବ୍ୟାପକ ପରିବର୍ତ୍ତନ ଅଣାଯାଇ ପାରିଛି।

ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ଅନୁଯାୟୀ ଜାଗା ଠାରୁ ଲୋକ ଅଧିକ ମୂଲ୍ୟବାନ। ପୂର୍ବରୁ ସହରାଞ୍ଚଳର ୧୭ ଲକ୍ଷ ବସ୍ତିବାସିନ୍ଦା ଅନେକ ଅବ୍ୟବସ୍ଥା ମଧ୍ୟରେ ରହୁଥିଲେ। ଜାଗା ମିଶନରେ ୪ ବର୍ଷ ମଧ୍ୟରେ ଏବେ ୧ ଲକ୍ଷ ୭୫ ହଜାର ପରିବାରକୁ ଜମି ଅଧିକାର ଦିଆଯାଇଥିବା ବେଳେ, ୫୮୫ଟି ବସ୍ତିକୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି। ସେହିପରି ୧୫୪୦ ବସ୍ତିକୁ ଶତ ପ୍ରତିଶତ ପାନୀୟ ଜଳ ବ୍ୟବସ୍ଥା ଦିଆଯାଇଥିବାବେଳେ, ୧୦୭୫ଟି ବସ୍ତିକୁ ବିଜୁଳି ସୁବିଧା ଦିଆଯାଇଛି। ୫୮୯ଟି ବସ୍ତିରେ ଶତ ପ୍ରତିସତ ଟଏଲେଟ୍‌ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କର ଲୋକାଭିମୁଖୀ ଦୃଷ୍ଟିକୋଣରୁ ଏହି ବ୍ୟାପକ ପରିବର୍ତ୍ତନ ଆସିପାରିଛି। ଏହା ବସ୍ତି ଲୋକଙ୍କର ସମ୍ମାନ ଓ ନାଗରିକ ଅଧିକାରର ସୁରକ୍ଷା କରିପାରିଛି।

ସେହିପରି ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ‘ମୁକ୍ତା’ ଯୋଜନାରେ ରାଜ୍ୟ ବାହାରେ କାମ କରୁଥିବା ୫ ଲକ୍ଷ ଶ୍ରମିକଙ୍କୁ ଜୀବିକା ଯୋଗାଇ ଦିଆଯାଇଛି। ଏଥିରେ ଦୁଇ ହଜାର କୋଟି ଟଙ୍କା ବିନିଯୋଗରେ ୨୨,୫୦୦ଟି ପ୍ରକଳ୍ପ କରାଯାଇଛି। ୧୫ ହଜାର ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କାମ ତଦାରଖ କରିବାକୁ ଦାୟିତ୍ବ ଦିଆଯାଇଛି। ଗୋଷ୍ଠୀ ସହଭାଗୀତାର ଏହା ଏକ ଆଦର୍ଶ ଉଦାହରଣ।

ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ରଖି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କହିଥିଲେ ଯେ ସହରାଞ୍ଚଳର ଏକ ନିର୍ଦ୍ଧିଷ୍ଟ ପ୍ରତିଶତ (critical mass) ଜନସାଧାରଣ ସହରର ମୌଳିକ ସୁବିଧା ପାଇପାରିଲେ ହିଁ ରୂପାନ୍ତରର ପ୍ରକୃତ ଲକ୍ଷ୍ୟ ସାଧିତ ହୋଇପାରିବ। ସହରାଞ୍ଚଳର ବିକାଶ ବୈଜ୍ଞାନିକ ଆଧାରରେ ହେବା ସହିତ ଅନ୍ତର୍ଭୁକ୍ତୀକରଣ ଓ ସାମଗ୍ରୀକ ବିକାଶକୁ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଓଡିଶାରେ ବଡ ବଡ କମ୍ପାନୀକୁ ସହରାଞ୍ଚଳ ବିକାଶରେ ନିୟୋଜିତ କରା ନ ଯାଇ ଗୋଷ୍ଠୀ ସହଭାଗୀତାରେ କରାଯାଇଛି। ଏହା ହିଁ ଓଡିଶାର ରୂପାନ୍ତରଣର ବୈଶିଷ୍ଟ୍ୟ।

କାର୍ଯ୍ୟକ୍ରମରେ ମନ୍ତ୍ରୀ ପଦ୍ମନାଭ ବେହେରା, ସୁଦାମ ମାର୍ଣ୍ଡି, ଅଶୋକ ପଣ୍ଡା, ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବମାନେ ଯୋଗ ଦେଇଥିଲେ।

Categories
ବିଶେଷ ଖବର

ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ: ଜଳସଂପଦ ବିଭାଗର ରୂପାନ୍ତର ଉପକ୍ରମ ଉପରେ ଉପସ୍ଥାପନା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ ଜଳସଂପଦ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ବିଭାଗର Transformational Initiative ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ।

ଏହି ଉପସ୍ଥାପନା ଅନୁଯାୟୀ ୨୦୨୪ ସୁଦ୍ଧା ରାଜ୍ୟରେ ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିମଧ୍ୟରୁ ଚଳିତ ବର୍ଷ ୪ଟି, ୨୦୨୩ରେ ୪ଟି ଏବଂ ୨୦୨୪ରେ ୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହିସବୁ ପ୍ରକଳ୍ପରେ ପ୍ରଯୁକ୍ତି ବିଦ୍ୟା, ଟିମ୍‌ ୱାର୍କ, ଦାୟିତ୍ବବାନ ପୁନର୍ବାସ ନୀତି, ଶ୍ରମିକ କଲ୍ୟାଣ ଆଦିର ସଫଳ ପ୍ରୟୋଗ କରାଯାଇଛି। ଏହାଦ୍ବାରା ଓଡିଶାର ଜଳସଂପଦ କ୍ଷେତ୍ରରେ ଏକ ରୂପାନ୍ତର ଆସିପାରିବ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜଳସେଚନ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା କ୍ଷେତ୍ରରେ ୫-ଟି କାର୍ଯ୍ୟକ୍ରମର ସଫଳ ପ୍ରୟୋଗ କରି ବହୁ ଦିନର ପ୍ରକଳ୍ପ ଗୁଡିକୁ ସଂପୂର୍ଣ୍ଣ କରିବା ପାଇଁ ପଦକ୍ଷେପ ନେଇଥିବାରୁ ଜଳସଂପଦ ବିଭାଗ ର ପ୍ରଶଂସା କରିଥିଲେ ଏବଂ ବିଭାଗୀୟ ଇଞ୍ଜିନିଅରମାନଙ୍କୁ ଧନ୍ୟବାଦ ଜଣାଇଥିଲେ .ଅନ୍ୟସବୁ ବିଭାଗ ଏହିପରି ଅଭିନବ ପ୍ରୟୋଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବଲାଂଗୀର, କେନ୍ଦୁଝର ଓ ମୟୁରଭଂଜ ଆଦି ଜିଲ୍ଲାର ଜିଲ୍ଲାପାଳ ମାନେ ସେଠାରେ ଚାଲିଥିବା ଜଳସେଚନ ପ୍ରକଳ୍ପ ଗୁଡିକରେ ବିସ୍ଥାପନ ପ୍ରକ୍ରିୟାକୁ କିପରି ତ୍ବରାନ୍ବି କରାଯାଇଛି, ସେ ସଂପର୍କରେ ସୂଚନା ଦେଇଥିଲେ। ଆଲୋଚନା ପର୍ଯ୍ୟାଲୋଚନା, ସମ୍ବେଦନଶୀଳ ବ୍ୟବସ୍ଥା ଓ ଲୋକଙ୍କ ଭିତରେ ଭରସା ସୃଷ୍ଟି ଜରିଆରେ ବିସ୍ଥାପନ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ଏହି ଉପସ୍ଥାପନରେ ଦେଓ ପ୍ରକଳ୍ପ, ଲୋୟର ସୁକତେଲ ପ୍ରକଳ୍ପ, ସୁବର୍ଣ୍ଣରେଖା, କାନୁପୁର, ଛେଳିଗଡ, ରେଙ୍ଗାଲି ଦକ୍ଷିଣ କେନାଲ, ରେଙ୍ଗାଲି ବାମ କେନାଲ ଏବଂ ଆହୁରି ଅନେକ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସୂଚନା ଦିଆଯାଇଥିଲା। ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ପ୍ରୟୋଗ ଯଥା – ଭୂତଳ ପାଇପ ଲାଇନ ବ୍ୟବସ୍ଥାର ପ୍ରୟୋଗ, Geo Synthetic Mattress Lining, ସ୍କାଡା, ସ୍ବୟଂକ୍ରିୟ ଜଳପରିଚାଳନା ଆଦି ବିଭିନ୍ନ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ସଂପର୍କରେ ସୂଚନା ଦିଆଯାଇଥିଲା। ଇଂଜିନିୟରିଂ ଜ୍ଞାନକୌଶଳ ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସର୍ବନିମ୍ନ ସ୍ତର ପର୍ଯ୍ୟନ୍ତ ତୁରନ୍ତ ନିଷ୍ପତ୍ତି ଓ ଟିମ୍‌ ୱାର୍କ, ଦାୟିତ୍ବବାନ ପୁନର୍ବାସ, ସମ୍ବେଦନଶୀଳ ଯୋଗାଯୋଗ ସଂପର୍କରେ ଉପସ୍ଥାପନା ରଖାଯାଇଥିଲା।

ପ୍ରାରମ୍ଭିକ ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କହିଲେ ଯେ, ମୁଖ୍ୟମନ୍ତ୍ରୀ ସାଧାରଣ ଜୀବନରେ ସବୁବେଳେ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇଆସିଛନ୍ତି। ସ୍ବଚ୍ଛତାର ସହ ବିଭିନ୍ନ ଅଭିନବ ଉପାୟରେ ରାଜ୍ୟର ବିକାଶ ପାଇଁ ପଦକ୍ଷେପ ନେଲେ, ମୁଖ୍ୟମନ୍ତ୍ରୀ ସବୁବେଳେ ତାଙ୍କର ସହଯୋଗ ଓ ସହାୟତା ଯୋଗାଇବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ।

ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଜଳସେଚନ ପ୍ରକଳ୍ପଗୁଡିକ ଯେଭଳି ଭାବରେ ଅଗ୍ରଗତି କରୁଛି, ଆଗାମୀ ୨-୩ ବର୍ଷ ମଧ୍ୟରେ ଏହା ଏକ ଶସ୍ୟଶ୍ୟାମଳା ଜିଲ୍ଲା ଭାବରେ ପ୍ରସିଦ୍ଧି ଅର୍ଜନ କରିବ ବୋଲି ସେ କହିଥିଲେ।

ଯାଜପୁର ଜିଲ୍ଲାରେ ୫-ଟି ସ୍କୁଲ ରୂପାନ୍ତରର ସହଯୋଗ ନେଇ ସ୍କୁଲ ଗୁଡିକରେ ମିଶନ ଶକ୍ତିର ମହିଳା ମାନଙ୍କୁ ଅଭିନବ ଉପାୟରେ କଂପ୍ୟୁଟର ଶିକ୍ଷା ପ୍ରଦାନ ସଂପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏହାଦ୍ବାରା ମିଶନ ଶକ୍ତିର ମହିଳା ମାନେ ଡିଜିଟାଲ ଶିକ୍ଷା ପାଇପାରୁଛନ୍ତି । ବୈଠକରେ ଏହି ଅଭିନବ କାର୍ଯ୍ୟକ୍ରମର ପ୍ରଶଂସା କରାଯାଇଥିଲା।

ବୈଠକରେ ଅର୍ଥମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ନଗର ଉନ୍ନୟନ ଓ ଗୃହନିର୍ମାଣ ମନ୍ତ୍ରୀ, ଶକ୍ତି ମନ୍ତ୍ରୀ, ଜଳସଂପଦ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ।