Categories
ଆଜିର ଖବର

ସେବା କ୍ଷେତ୍ର ଉଦ୍ୟୋଗ ଉପରେ ଦେଶବ୍ୟାପୀ ସର୍ବେକ୍ଷଣ କରିବ ଏନଏସଏସଓ

ଭୁବନେଶ୍ୱର: ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଅଧୀନ କ୍ଷେତ୍ର ପରିଚାଳନା ଡିଭିଜନର ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନଏସଏସଓ) ୧୯୫୦ ମସିହା ଠାରୁ ବିଭିନ୍ନ ସାମାଜିକ-ଆର୍ଥିକ ବିଷୟବସ୍ତୁ ଉପରେ ଦେଶବ୍ୟାପୀ ବ୍ୟାପକ ଆକାରରେ ନମୁନା ସର୍ବେକ୍ଷଣ ଆୟୋଜନ କରି ଆସୁଛି।

ଦେଶର ଅର୍ଥବ୍ୟବସ୍ଥାରେ ସେବା କ୍ଷେତ୍ର ଏକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ଏବଂ ଜିଡିପିରେ ଏହି କ୍ଷେତ୍ରର ସର୍ବାଧିକ ଅଂଶଧନ ରହିଛି। ଏହି କାରଣରୁ ଏନଏସଏସଓ ଦ୍ୱାରା ସଂଗଠିତ/ନିଗମିତ ସେବା କ୍ଷେତ୍ର ଉଦ୍ୟୋଗ ଉପରେ ଏକ ଦେଶବ୍ୟାପୀ ସର୍ବେକ୍ଷଣ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହି କ୍ଷେତ୍ରରେ ନିଯୁକ୍ତି, ପୁଞ୍ଜି ସୃଷ୍ଟି, ସକଳ ମୂଲ୍ୟ ବୃଦ୍ଧି, ଉଦ୍ୟୋଗ ମାନ୍ୟତା ଆଦି ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟରେ ରହିଥିବା ତଥ୍ୟାତ୍ମକ ଶୂନ୍ୟସ୍ଥାନକୁ ପୂରଣ କରିବା ଉଦ୍ଦେଶ୍ୟରେ ସର୍ବେକ୍ଷଣ ଆୟୋଜନ କରାଯିବ।

ସର୍ବଭାରତୀୟ ସ୍ତରରେ ଚୁଡ଼ାନ୍ତ ସେବା ଆୟୋଜନ କରିବା ପୂର୍ବରୁ ଜିଏସଟିଏନ ତଥ୍ୟକୁ ଆଧାର କରି ଓଡ଼ିଶା, ମଧ୍ୟପ୍ରଦେଶ ଏବଂ ତ୍ରିପୁରାରେ ଏକ ପରୀକ୍ଷାମୂଳକ ସର୍ବେକ୍ଷଣ କରାଯିବ। ଭୁବନେଶ୍ୱର ଏବଂ ସମ୍ବଲପୁରରେ ରହିଥିବା ଏନଏସଏସଓ ଆଞ୍ଚଳିକ କାର୍ଯ୍ୟାଳୟର କ୍ଷେତ୍ର ପରିଚାଳନା ଡିଭିଯାନର ଅଧିକାରୀମାନେ ଯୋଗ୍ୟ ଉଦ୍ୟୋଗ ଠାରୁ ଆବଶ୍ୟକ ତଥ୍ୟ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହେବେ। ଦୁଇଟି ପର୍ଯ୍ୟାୟରେ ସର୍ବେକ୍ଷଣ ଆୟୋଜନ କରାଯିବ। ପ୍ରଥମ ପର୍ଯ୍ୟାୟରେ ଠିକଣା ଚିହ୍ନଟ କରିବା ସହିତ ବିଭିନ୍ନ ମାପଦଣ୍ଡ ଉପରେ ସୂଚନା ସଂଗ୍ରହ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ବିସ୍ତୃତ ସର୍ବେକ୍ଷଣ କରାଯିବ।

ସର୍ବେକ୍ଷଣ ଆୟୋଜନରେ ଆବଶ୍ୟକ ସହଯୋଗ ଯୋଗାଇ ଦେବା ନିମନ୍ତେ ଏନଏସଏସଓ ଉପମହାନିର୍ଦ୍ଦେଶକ ଶ୍ରୀନିବାସ ଉପ୍ପାଲା ସେବା କ୍ଷେତ୍ରର ଉଦ୍ୟୋଗ ମାଲିକ ଓ ଉଦ୍ୟୋଗୀମାନଙ୍କୁ ଅନୁରୋଧ କରିଛନ୍ତି।