Categories
ବିଶେଷ ଖବର

ସମସ୍ତ ରେକର୍ଡ଼ ଭାଙ୍ଗିଲା କେଭିଆଇସି: ସୃଷ୍ଟି କଲା ପିଏମଇଜିପି ଅନ୍ତର୍ଗତ ସବୁଠାରୁ ଅଧିକ ରୋଜଗାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ (ପିଏମଇଜିପି) କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ପାଇଁ ଆର୍ଥିକ ବର୍ଷ 2021-22 ଐତିହାସିକ ସଫଳତାର ବର୍ଷ ହୋଇଛି। ଆୟୋଗ ଅଭୂତପୂର୍ବ ଭାବରେ 1.03 ଲକ୍ଷ ନୂଆ ବିନିର୍ମାଣ ଓ ସେବା ୟୁନିଟର ସ୍ଥାପନା କରିଛି ଏବଂ 8.25 ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି କରିଛି। ଏହା ସହିତ ପିଏମଇଜିପି ବର୍ଷ 2021-22 ରେ ସରକାରଙ୍କ ଆତ୍ମ-ନିର୍ଭରଶୀଳତାର ସବୁଠାରୁ ଶକ୍ତିଶାଳୀ ଉପାୟ ଭାବରେ ଉଭା ହୋଇଛି, ଯଦିଓ ଦେଶ କୋଭିଡ୍ – 19 ମହାମାରୀର ଦ୍ବିତୀୟ ଲହର ସମୟରେ ବର୍ଷର ପ୍ରଥମ 3 ମାସରେ ଆଂଶିକ ଭାବରେ ଲକ୍‌ଡାଉନ୍ ରହିଥିଲା।

ବର୍ଷ 2008 ରେ ପିଏମଇଜିପି ଯୋଜନାର ଆରମ୍ଭ ପରେ ପ୍ରଥମ ଥର ପାଇଁ କେଭିଆଇସି ଗୋଟିଏ ଆର୍ଥିକ ବର୍ଷରେ ଏକ ଲକ୍ଷରୁ ଅଧିକ ନୂତନ ୟୁନିଟ୍ ସ୍ଥାପନ କରିବାରେ ସଫଳ ହୋଇଛି। ଏହି 103219 ୟୁନିଟରେ ପ୍ରାୟ 12000 କୋଟି ଟଙ୍କାର ସମୁଦାୟ ପୁଞ୍ଜିରେ ସ୍ଥାପିତ କରାଯାଇଛି ଯେଉଁଥିରେ କେଭିଆଇସି 2978 କୋଟି ଟଙ୍କାର ମାର୍ଜିନ ମନି ସବ୍‌ସିଡି ପ୍ରଦାନ କରିଛି। ଏହା ସହିତ ବ୍ୟାଙ୍କ କ୍ରେଡିଟ୍ ପ୍ରବାହ ପ୍ରାୟ 9000 କୋଟି ଟଙ୍କା ରହିଛି। ବର୍ଷ 2021-22 ରେ କେଭିଆଇସି ଦ୍ବାରା ଦିଆ ଯାଇଥିବା 2978 କୋଟି ଟଙ୍କାର ମାର୍ଜିନ ମନି ସବ୍‌ସିଡି ବର୍ଷ 2008 ରୁ ନେଇ ଏ ପର୍ଯ୍ୟନ୍ତର ସବୁଠାରୁ ଅଧିକ ପରିମାଣ ଅଟେ। ସାରା ଦେଶରେ ଏହାଦ୍ବାରା 8,25,752 ନୂଆ ରୋଜଗାର ସୃଷ୍ଟି ହୋଇଛି ଯାହା ପିଏମଇଜିପି ଅନ୍ତର୍ଗତ ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ରୋଜଗାର ଅଟେ।

ଗତ ବର୍ଷ ଅର୍ଥାତ୍ 2020-21 ତୁଳନାରେ ପିଏମଇଜିପି ଅନ୍ତର୍ଗତ ସ୍ଥାପିତ ୟୁନିଟର ସଂଖ୍ୟା ଏବଂ ସୃଷ୍ଟି ହୋଇଥିବା ରୋଜଗାର ସଂଖ୍ୟାରେ ପ୍ରତ୍ୟେକରେ 39 ପ୍ରତିଶତ ଲେଖାଏଁ ବୃଦ୍ଧି ହୋଇଛି ଯେତେବେଳେ କି ମାର୍ଜିନ୍ ମନି ବିତରଣ (ସବ୍‌ସିଡି) ରେ ମଧ୍ୟ ଆର୍ଥିକ ବର୍ଷ 2021-22 ରେ 36 ପ୍ରତିଶତର ବୃଦ୍ଧି ଦେଖା ଯାଇଛି।

ବ୍ୟାପକ ପରିପ୍ରେକ୍ଷୀରେ ବର୍ଷ 2014-15 ରୁ ପିଏମଇଜିପି ଅନ୍ତର୍ଗତ ସ୍ଥାପିତ ୟୁନିଟର ସଂଖ୍ୟାରେ ମଧ୍ୟ 114 ପ୍ରତିଶତର ବୃଦ୍ଧି ହୋଇଛି ଯେତେବେଳେ କି ରୋଜଗାର ସୃଷ୍ଟି 131 ପ୍ରତିଶତ ବୃଦ୍ଧି ହୋଇଛି। ବର୍ଷ 2021-22 ରେ ମାର୍ଜିନ ମନି ବିତରଣରେ 165 ପ୍ରତିଶତର ବୃଦ୍ଧି ଦେଖା ଯାଇଛି।

କେଭିଆଇସି ର ଅଧ୍ୟକ୍ଷ ଶ୍ରୀ ବିନୟ କୁମାର ସକ୍‌ସେନା ରୋଜଗାର ସୃଷ୍ଟି ରେ ହୋଇଥିବା ଏହି ଉଲ୍ଲେଖନୀୟ ବୃଦ୍ଧିର ଶ୍ରେୟ ଆତ୍ମନିର୍ଭରତା ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୋତ୍ସାହନକୁ ପ୍ରଦାନ କରିଛନ୍ତି। ଏହି ବଡ଼ ପ୍ରୋତ୍ସାହନଟି ଚମତ୍କାର କରିଛି। କୋଭିଡ୍ -19 ମହାମାରୀକୁ ଧ୍ୟାନରେ ରଖି ସ୍ଥାନୀୟ ବିନିର୍ମାଣ ଏବଂ ସ୍ବରୋଜଗାର ପାଇଁ ଏହା ଏକ ବଡ଼ ପ୍ରୋତ୍ସାହନ ଅଟେ। ପିଏମଇଜିପି ଅନ୍ତର୍ଗତ ଅଧିକ ସଂଖ୍ୟାରେ ଯୁବକ, ମହିଳା ଏବଂ ପ୍ରବାସୀ ମାନଙ୍କୁ ସ୍ବରୋଜଗାର କାର୍ଯ୍ୟ ଗ୍ରହଣ କରିବା ପାଇଁ ମଧ୍ୟ ପ୍ରୋତ୍ସାହିତ କରାଯାଇଛି। ଏହା ବ୍ୟତୀତ ଏମଏସଏମଇ ମନ୍ତ୍ରଣାଳୟ ଏବଂ କେଭିଆଇସିର ପିଏମଇଜିପି ଅନ୍ତର୍ଗତ ପ୍ରକଳ୍ପର କାର୍ଯ୍ୟକାରୀକୁ ତ୍ବରାନ୍ବିତ କରିବା ପାଇଁ ଅନେକ ନୀତିଗତ ନିଷ୍ପତ୍ତି ମଧ୍ୟ ଏହି ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ହାସଲ କରିବାରେ ସହାୟତା ପ୍ରଦାନ କରିଛି।

ଗତ କିଛି ବର୍ଷ ମଧ୍ୟରେ କେଭିଆଇସି ପିଏମଇଜିପିକୁ ଉଲ୍ଲେଖନୀୟ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି। ବର୍ଷ 2016 ରେ କେଭିଆଇସି ପିଏମଇଜିପି ପାଇଁ ଅନଲାଇନ୍ ପୋର୍ଟାଲ୍ ପ୍ରସ୍ତୁତ କରିଛି। ବର୍ଷ 2016 ପୂର୍ବରୁ ଆବେଦନକୁ ମାନୁଆଲ୍ ଭାବରେ ପ୍ରସ୍ତୁତ କରାଯାଉଥିଲା। ଏହା ମାଧ୍ୟମରେ ପ୍ରତି ବର୍ଷ ହାରାହାରି କେବଳ 70,000 ଆବେଦନ ଗ୍ରହଣ ହେଉଥିଲା। କିନ୍ତୁ ଅନଲାଇନ୍ ପୋର୍ଟାଲ୍ ସ୍ଥାପନ ହେବା ପରେ ପ୍ରତି ବର୍ଷ ହାରାହାରି 4 ଲକ୍ଷ ଆବେଦନ ମିଳୁଛି। ଅନଲାଇନ୍ ପ୍ରଣାଳୀ ମାଧ୍ୟମରେ ଅଧିକ ପାରଦର୍ଶିତା ହାସଲ କରାଯାଇ ପାରିଛି। ପିଏମଇଜିପି ପୋର୍ଟାଲ ଆବେଦକଙ୍କୁ ବିନା କୌଣସି ମନୁଷ୍ୟ ହସ୍ତକ୍ଷେପରେ ନିଜର ଆବେଦନକୁ ଟ୍ରାକ୍ କରିବାରେ ସକ୍ଷମ କରିଛି।

ଆଉ ଏକ ପ୍ରମୁଖ ପଦକ୍ଷେପ ଭାବରେ କେଭିଆଇସି ସମସ୍ତ ପିଏମଇଜିପି ୟୁନିଟର ଜିଓ ଟ୍ୟାଗିଂ ମଧ୍ୟ ଆରମ୍ଭ କରିଦେଇଛି ଯଦ୍ବାରା ଯେକୌଣସି ସମୟରେ ଏହି ୟୁନିଟର ଭୌତିକ ସ୍ଥିତି ଏବଂ ତାହାର ପ୍ରଦର୍ଶନକୁ ଯାଞ୍ଚ କରାଯାଇପାରିବ। ଏ ପର୍ଯ୍ୟନ୍ତ 1 ଲକ୍ଷରୁ ଅଧିକ ପିଏମଇଜିପି ୟୁନିଟର ଜିଓ-ଟ୍ୟାଗିଂ କରାଯାଇସାରିଛି। ଏହାଦ୍ବାରା ଯେକୌଣସି ବ୍ୟକ୍ତି ମୋବାଇଲ୍ ଆପ୍‌ ର ବ୍ୟବହାର କରି ପିଏମଇଜିପି ୟୁନିଟ ବିଷୟରେ ଜାଣିବାରେ ସକ୍ଷମ ହୋଇପାରିବେ।

ଏହା ବ୍ୟତୀତ, ଏମଏସଏମଇ ମନ୍ତ୍ରଣାଳୟ କେଭିଆଇସି ଦ୍ବାରା ଉପଲବ୍ଧ କରାଯାଇଥିବା ସୂଚନା ଆଧାରରେ ପିଏମଇଜିପି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିବାରେ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ସମିତିର ଭୂମିକାକୁ ସମାପ୍ତ କରି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ ଏବଂ ପ୍ରତ୍ୟକ୍ଷ ଭାବରେ ଅର୍ଥ ପ୍ରଦାନକାରୀ ବ୍ୟାଙ୍କକୁ ପଠାଇବା ପାଇଁ କେଭିଆଇସି ରାଜ୍ୟ ନିର୍ଦ୍ଦେଶକମାନଙ୍କୁ ପ୍ରାଧୀକୃତ କରିଛି।

କେଭିଆଇସି ନିଜର ରାଜ୍ୟ ନିର୍ଦ୍ଦେଶକଙ୍କ ଦ୍ବାରା ଆବେଦନକୁ ଯାଞ୍ଚ ଏବଂ ଫରୱାର୍ଡ଼ କରିବାର ସମୟ ସୀମା 90 ଦିନରୁ ହ୍ରାସ କରି 26 ଦିନ କରିଛି। ଏହା ବ୍ୟତୀତ ବ୍ୟାଙ୍କ ସହିତ ବିଭିନ୍ନ ସ୍ତରରେ ମାସିକ ସମନ୍ବୟ ବୈଠକ ଆରମ୍ଭ କରିଛି, ଯାହାର ପରିଣାମସ୍ବରୂପ ହିତାଧିକାରୀମାନଙ୍କୁ ସଠିକ ସମୟରେ ଋଣ ପ୍ରଦାନ କରାଯାଇପାରିଛି।

Categories
ବିଶେଷ ଖବର ବ୍ୟବସାୟ

ସମସ୍ତ ରେକର୍ଡ ଭାଙ୍ଗିଲା ଜିଏସଟି ସଂଗ୍ରହ, ମାର୍ଚ୍ଚ ୨୦୨୨ ରେ ରାଜସ୍ୱ ପହଞ୍ଚିଲା ୧ ଲକ୍ଷ ୪୨ କୋଟି

ନୂଆଦିଲ୍ଲୀ: ଦେଶରେ ମାର୍ଚ୍ଚ ମାସରେ ଜିଏସଟି ସଂଗ୍ରହ ଏପର୍ଯ୍ୟନ୍ତ ସମସ୍ତ ରେକର୍ଡ ଭାଙ୍ଗିଛି, ଗତ ପାଞ୍ଚ ବର୍ଷ ମଧ୍ୟରେ ଏହା ସର୍ବାଧିକ ହୋଇଛି। ମାର୍ଚ୍ଚ ମାସରେ ଜିଏସଟି ସଂଗ୍ରହ ୧,୪୨,୦୯୫ କୋଟି ଟଙ୍କା ହୋଇଛି, ଯାହା ଅର୍ଥନୀତିରେ ପୁନରୁଦ୍ଧାର ଏବଂ ଶିଳ୍ପ ଗତି ପୁଣିଥରେ ଫେରି ଆସିବର ଏକ ଦୃଢ ସଙ୍କେତ ଦେଇଛି। ସରକାରଙ୍କ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଜାନୁୟାରୀ ୨୦୨୨ରେ ଜିଏସଟି ସଂଗ୍ରହ ରେକର୍ଡ ୧,୪୦,୯୮୬ କୋଟି ଥିଲା। କିନ୍ତୁ ମାର୍ଚ୍ଚର ରାଜସ୍ୱ ଦୁଇମାସ ପୂର୍ବେ ଏହି ରେକର୍ଡକୁ ଭାଙ୍ଗି ଦେଇଛି। ତେବେ ଅର୍ଥନୈତିକ ବିଶେଷଜ୍ଞମାନେ ବିଶ୍ଵାସ କରନ୍ତି ଯେ, ଆସନ୍ତା ମାସରେ ଜିଏସଟି ସଂଗ୍ରହ ଉପରେ ଏହାର ପ୍ରଭାବ ପଡିପାରେ। କାରଣ ଫେବୃଆରୀ ୨୪ ତାରିଖରେ ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଅର୍ଥନୀତି ଉପରେ ଖରାପ ପ୍ରଭାବ ପଡିପାରେ।

ଆଜି ଅର୍ଥ ମନ୍ତ୍ରଣାଳୟ ଜିଏସଟି ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କରିଛି। ମାର୍ଚ୍ଚ ୨୦୨୨ରେ ମୋଟ ଜିଏସଟି ସଂଗ୍ରହ ୧,୪୨ ଲକ୍ଷ କୋଟି ଟଙ୍କା ରହିଛି। ଏଥିରେ ସିଜିଏସଟି ୨୫,୮୩୦ କୋଟି, ଏସଜିଏସଟି ୩୨,୩୭୮ କୋଟି ଏବଂ ଆଇଜିଏସଟି ୭୪,୪୭୦ କୋଟି ଟଙ୍କା ରହିଛି। ଆଇଜିଏସଟି ରେ ୩୯,୧୩୧ କୋଟି ଟଙ୍କା ସାମଗ୍ରୀ ଆମଦାନୀରୁ ସଂଗ୍ରହ କରାଯାଇଛି। ସେସରୁ ସଂଗ୍ରହ ୯୪୧୭ କୋଟି ଟଙ୍କା ହୋଇଛି। ଗତ ବର୍ଷ ତୁଳନାରେ ଅର୍ଥାତ୍ ମାର୍ଚ୍ଚ ୨୦୨୧ରେ ଜିଏସଟି ସଂଗ୍ରହରେ ୧୫ ପ୍ରତିଶତ ବୃଦ୍ଧି ଘଟିଛି। ଅର୍ଥ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ରାଜସ୍ୱ ସଂଗ୍ରହରେ ଜିଏସଟି ପରିଷଦ ଦ୍ୱାରା ଟ୍ୟାକ୍ସ ସ୍ଲାବରେ କରାଯାଇଥିବା ସଂସ୍କାର ମଧ୍ୟ ପ୍ରତିଫଳିତ ହୋଇଛି। ଏହା ସହିତ ଟିକସ ଫାଙ୍କିବା ମାମଲାରେ କଠୋରତାର ପ୍ରଭାବ ମଧ୍ୟ ଦେଖାଯାଉଛି।

ସରକାର କହିଛନ୍ତି ଯେ, କେବଳ ମାର୍ଚ୍ଚ ମାସରେ ୬.୯୧ କୋଟି ଇ-ୱେ ବିଲ ସଂଗ୍ରହ ହୋଇଛି, ଯାହା ଜାନୁଆରୀ ୨୦୨୨ରେ ୬.୮୮ କୋଟିରୁ ଅଧିକ। କରୋନା ମହାମାରୀ ସମ୍ବନ୍ଧୀୟ ପ୍ରତିବନ୍ଧକ ସମାପ୍ତ ହେବା ସହିତ ଏହା ଶିଳ୍ପ କାର୍ଯ୍ୟକଳାପରେ ଏକ ତୀବ୍ର ଉନ୍ନତି ସୂଚାଉଛି। ଆକଳନଗୁଡିକ ବିଷୟରେ କହିବାକୁ ଗଲେ, ଜୁନ୍ ୨୦୨୧ ଠାରୁ ଜିଏସଟି ସଂଗ୍ରହ କ୍ରମାଗତ ଭାବରେ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ହୋଇଆସୁଛି ଏବଂ ସେହି ଦିନଠାରୁ ଏହା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଗତ ନଅ ମାସ ମଧ୍ୟରେ ଜିଏସଟି ରାଜସ୍ୱ ପ୍ରାୟ ୧୨ ଲକ୍ଷ ୬୦ ହଜାର କୋଟି ଟଙ୍କା ପାଖାପାଖି ରହିଛି। ଯଦି ଆମେ ୨୦୨୨ ଆର୍ଥିକ ବର୍ଷ ବିଷୟରେ କଥା ହେବା, ତେବେ ଜିଏସଟିର ମୋଟ ସଂଗ୍ରହ ୧୪.୩୮ ଲକ୍ଷ କୋଟି ଟଙ୍କା ହୋଇଛି, ଯାହା ୨୦୨୧ ଆର୍ଥିକ ବର୍ଷ ତୁଳନାରେ ୩୦ ପ୍ରତିଶତ ଅଧିକ। ୨୦୨୧ ଆର୍ଥିକ ବର୍ଷରେ ଏହା ୧୧.୩୭ ଲକ୍ଷ କୋଟି ଟଙ୍କା ଥିଲା।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନରେ ନିଜର ରେକର୍ଡ ଭାଙ୍ଗିଲା ବିଜେଡ଼ି: ଜାଣନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କଣ ରହିଛି ସ୍ଥିତି

ଭୁବନେଶ୍ବର: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନି ଦିନ ଧରି ଚାଲିଥିବା ଭୋଟ ଗଣତିରେ ସର୍ବାଧିକ ଆସନର ଫଳାଫଳ ଘୋଷଣା ହୋଇସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ଆସନ ୮୫୧ ରୁ ୮୪୫ ଟି ଜିଲ୍ଲାପରିଷଦ ଆସନ ପାଇଁ ଫଳାଫଳ ଘୋଷିତ ହୋଇଛି। ଏହି ୮୪୫ ଟି ଆସନରେ ବିଜେଡ଼ି ବିପୁଳ ବିଜୟ ହାସଲ କରିଛି। ବିଜେଡ଼ି ୭୫୯ ଟି ଜିଲ୍ଲା ପରିଷଦ ଆସନ ଦଖଲ କରିଥିବା ବେଳେ ବିଜେପି ୪୨, କଂଗ୍ରେସ ୩୭ ଏବଂ ଅନ୍ୟାନ୍ୟ ୭ ଟି ଆସନରେ ଜିତିଛନ୍ତି। ତେବେ ଚଳିତ ନିର୍ବାଚନରେ ବିଜେଡ଼ିର ଏହି ବୃହତ ବିଜୟ ଯୋଗୁଁ ନିଜର ପୁରୁଣା ରେକର୍ଡକୁ ଦଳ ଭାଙ୍ଗିଦେଇଛି।