Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ୱରରେ ଜିଇଏମ ସମ୍ମିଳନୀ ଆୟୋଜିତ: ଓଡ଼ିଶାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କୁ ପ୍ରୋତ୍ସାହନ

ଭୁବନେଶ୍ୱର: ସରକାରୀ ସେବା ଓ ସାମଗ୍ରୀ କ୍ରୟ ପ୍ରକ୍ରିୟାରେ ଓଡ଼ିଶାରେ କାରବାର କରୁଥିବା ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଆରମ୍ଭ ହୋଇଛି। ଏହି କ୍ରମରେ ଗତକାଲି ଭୁବନେଶ୍ୱର ଠାରେ ସରକାରୀ ଇ ମାର୍କେଟପ୍ଲେସ୍‌ ବା ଜିଇଏମ ସମ୍ମିଳନୀ ସଫଳତାପୂର୍ବକ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଜିଇଏମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ସିଂ, ଓଡ଼ିଶା ସରକାରଙ୍କ ଏମଏସଏମଇ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଓଡ଼ିଶା ରାଜ୍ୟ ଚିକିତ୍ସା ନିଗମ ଲିଃର ପରିଚାଳନା ନିର୍ଦ୍ଦେଶିକା ପୋମା ଟୁଡୁ, ଓଡ଼ିଶା ପୁଲିସ ମହାନିରୀକ୍ଷକ (ବ୍ୟବସ୍ଥା) ୱାଇ କୋୟଲ ପ୍ରମୁଖ ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ। ଏଥିସହିତ ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ, ଦକ୍ଷତା ବିକାଶ ବିଭାଗ, ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର ଆଦି ବିଭିନ୍ନ ବିଭାଗର ଅଧିକାରୀ ଓ ପ୍ରତିନିଧିଗଣ ଉପସ୍ଥିତ ଥିଲେ।

ଉତ୍କଳ ଚାମ୍ବର ଅଫ୍‌ କମର୍ସର ସଚିବ, ଡବ୍ଲୁଟିସିର ପ୍ରତିନିଧି, ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଘର ମହାସଚିବ ଏବଂ ଓଡ଼ିଶା କ୍ଷୁଦ୍ର ଶିଳ୍ପ ସଂଘ (ଓଏସଏସଆଇଏ)ର ସଭାପତିଙ୍କ ଉପସ୍ଥିତିରେ ଜିଇଏମ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ବୁଝାମଣାପତ୍ର ଦ୍ୱାରା ଘରୋଇ ଉଦ୍ୟୋଗ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଯିବା ସହିତ ଓଡ଼ିଶାରେ ଉଦ୍ୟମିତାକୁ ପ୍ରୋତ୍ସାହନ ମିଳିବ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜିଇଏମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଥିଲେ ଯେ, ଜିଇଏମ ପୋର୍ଟାଲ ସ୍ୱଚ୍ଛତା, ଦକ୍ଷତା ଓ ସମାବେଶିତା ସୁନିଶ୍ଚିତ କରୁଛି। ବିକ୍ରେତା ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକରୁ ଅଧିକ ସରଳ କରିବା ପାଇଁ ପ୍ରୟାସ କରାଯାଇଛି। ଓଡ଼ିଶାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କ ସଫଳତାକୁ ସେ ପ୍ରଶଂସା କରିଥିଲେ ଏବଂ ଜିଇଏମକୁ ଏକ ପସନ୍ଦଯୋଗ୍ୟ ସରକାରୀ କ୍ରୟ ପୋର୍ଟାଲରେ ପରିଣତ କରିବା ଲାଗି ଅର୍ଥ ବିଭାଗ, ଏମଏସଏମଇ ବିଭାଗ ଏବଂ ଅନ୍ୟ ରାଜ୍ୟ ସରକାରୀ ବିଭାଗର ନିରନ୍ତର ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ।

ଏମଏସଏମଇ ସଚିବ ଶାଶ୍ୱତ ଯୋଶୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଇଏମ ପୋର୍ଟାଲ ଜରିଆରେ ଓଡ଼ିଶା ସରକାର, କେନ୍ଦ୍ର ସରକାର ଏବଂ ଅନ୍ୟ ରାଜ୍ୟ ସରକାରଙ୍କ ଠାରୁ ଓଡ଼ିଶାରୁ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗମାନଙ୍କୁ ମିଳୁଥିବା ବ୍ୟବସାୟିକ ସୁଯୋଗକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ଜିଇଏମ ପୋର୍ଟାଲରେ ପଞ୍ଜୀକରଣ କରିବା ଏବଂ ଏଥିରେ ପ୍ରକାଶ ପାଉଥିବା ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବା ପାଇଁ ସେ ଓଡ଼ିଶାରେ କାରବାର କରୁଥିବା ବିକ୍ରେତା ଓ ସେବା ପ୍ରଦାନକାରୀଙ୍କୁ ଆହ୍ୱାନ କରିଥିଲେ। ସରକାରୀ କ୍ରୟ ପ୍ରକ୍ରିୟା ପାଇଁ ସମ୍ପୂର୍ଣ୍ଣ ଅନଲାଇନ କ୍ରୟ ସମାଧାନ ଯୋଗାଇ ଦେବା, ବ୍ୟବସ୍ଥାକୁ ସରଳ କରିବା ଓ ସ୍ୱଚ୍ଛତା ଆଣିବା କ୍ଷେତ୍ରରେ ଜିଇଏମର ପ୍ରୟାସକୁ ସେ ପ୍ରଶଂସା କରିଥିଲେ।

ସରକାରୀ କ୍ରୟ ପ୍ରକ୍ରିୟାରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଜିଇଏମ ପୋର୍ଟାଲ ପ୍ରତି ନିରନ୍ତର ସମର୍ଥନ ପାଇଁ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ, ସ୍ୱାସ୍ଥ୍ୟ ବିଭାଗ (ଏନଏଚଏମ ଏବଂ ଓଏସଏମସିଏଲ), ଓଡ଼ିଶା ପୁଲିସ, ଇଲେକ୍ଟ୍ରୋନିକ୍ସ ଓ ଆଇଟି (ଓକାକ୍‌) ଏବଂ ଦକ୍ଷତା ବିକାଶ ବିଭାଗକୁ ଜିଇଏମ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅଧିକ ଅର୍ଡର ମୂଲ୍ୟ, ଏସସି/ଏସଟି ଉଦ୍ୟୋଗୀ, ଷ୍ଟାର୍ଟଅପ୍‌ ଓ ମହିଳା ଉଦ୍ୟୋଗୀଙ୍କ ଭଳି ବିଭିନ୍ନ ବର୍ଗରେ ଓଡ଼ିଶାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ସମ୍ମାନିତ କରାଯାଇଥିଲା।

ସମ୍ମିଳନୀ ଅବସରରେ ଶତାଧିକ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗ ମାଗଣାରେ ଜିଇଏମ ପୋର୍ଟାଲରେ ପଞ୍ଜୀକରଣ କରିଥିଲେ। ଓଡ଼ିଶାରେ ଜିଇଏମ ପାଇଁ ବ୍ୟବସାୟ ସୁବିଧା ପ୍ରଦାନକାରୀ ସୁଧାଂଶୁ ପ୍ରଧାନ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ପ୍ରଶିକ୍ଷଣ ଦେଇଥିଲେ। ଜିଇଏମ ପୋର୍ଟାଲରେ କିପରି ସେମାନଙ୍କ ସାମଗ୍ରୀ ଓ ସେବା ବିକ୍ରି କରାଯାଇପାରିବ ସେ ସମ୍ପର୍କରେ ସଚେତନ କରାଇଥିଲେ।

ଓଡ଼ିଶାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କୁ ପ୍ରୋତ୍ସାହନ ଦେବା ଏବଂ ସରକାରୀ କ୍ରୟ ପ୍ରକ୍ରିୟାରେ ସେମାନଙ୍କ ଅଂଶଗ୍ରହଣକୁ ସୁଦୃଢ଼ କରିବା ଦିଗରେ ଭୁବନେଶ୍ୱରରେ ଆୟୋଜିତ ଜିଇଏମ ସମ୍ମିଳନୀ ଏକ ଉଲ୍ଲେଖନୀୟ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଲଘୁ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ କ୍ରେଡିଟ୍‌ ଗ୍ୟାରେଣ୍ଟି ଯୋଜନାରେ ସୁଧାର: ଆଜି ଠାରୁ ଲାଗୁ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ  ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍‌ ୨୦୨୩-୨୪ ଉପସ୍ଥାପନ କରିବା ସମୟରେ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ କ୍ରେଡିଟ୍‌ ଗ୍ୟାରେଣ୍ଟି ଯୋଜନାରେ ସୁଧାର ଲାଗି ଘୋଷଣା କରିଥିଲେ। ବର୍ତ୍ତମାନ ସଂଶୋଧିତ ଯୋଜନା ଆଜି ଠାରୁ ଲାଗୁ ହେବ। ଏଥିପାଇଁ ସରକାର ୯,୦୦୦ କୋଟି ଟଙ୍କାର କର୍ପସ ପାଣ୍ଠି ବିନିଯୋଗ କରିବେ। ଯାହାଫଳରେ ୨ ଲକ୍ଷ କୋଟି ଟଙ୍କାର ବନ୍ଧକ-ମୁକ୍ତ ଗ୍ୟାରେଣ୍ଟିଯୁକ୍ତ ଋଣ ଯୋଗାଇଦେବା ସମ୍ଭବ ହୋଇପାରିବ ଏବଂ ଏହା ଋଣ ଖର୍ଚ୍ଚକୁ ପ୍ରାୟ ୧ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବ।

ସରକାରଙ୍କ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି ନିମ୍ନ ପଦକ୍ଷେପ ନିଆଯାଇଛି:

ଲଘୁ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ କ୍ରେଡିଟ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ କର୍ପସ (ସିଜିଟିଏମଏସଇ) ୩୦ ମାର୍ଚ୍ଚ ୨୦୨୩ରେ ୮,୦୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିଛି।

ସିଜିଟିଏମଏସଇ ପକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ବାର୍ଷିକ ଗ୍ୟାରେଣ୍ଟି ଶୁଳ୍କ ସଂକ୍ରାନ୍ତରେ ମାର୍ଗଦର୍ଶିକା ଜାରି କରାଯାଇଛି। ବାର୍ଷିକ ଶୁଳ୍କ ପରିମାଣ ସର୍ବାଧିକ ୨%ରୁ ସର୍ବନିମ୍ନ ୦.୩୭%ରେ ଧାର୍ଯ୍ୟ ହୋଇଛି। ଏହା ଲଘୁ ଓ କ୍ଷୁଦ୍ର ଉଦ୍ୟୋଗକୁ ଦିଆଯାଉଥିବା ଋଣ ଉପରେ ସାମଗ୍ରିକ ଖର୍ଚ୍ଚକୁ ଅନେକ ପରିମାଣରେ ହ୍ରାସ କରିବ।

ଗ୍ୟାରେଣ୍ଟି ପାଇଁ ସିଲିଂ ଉପରେ ସୀମାକୁ ୨ କୋଟି ଟଙ୍କାରୁ ୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବକେୟା ପାଇଁ ଗ୍ୟାରେଣ୍ଟି କ୍ଷେତ୍ରରେ ଦାବିଗୁଡ଼ିକର ସମାଧାନ ପାଇଁ ଏଣିକ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ପଡ଼ିବ ନାହିଁ।

୨୦୨୨-୨୩ ଆର୍ଥିକ ବର୍ଷରେ ୧ ଲକ୍ଷ କୋଟି ଟଙ୍କାର ଗ୍ୟାରେଣ୍ଟିକୁ ମଞ୍ଜୁର କରି ସିଜିଟିଏମଏସଇ ଏକ ଐତିହାସିକ ଉପଲବ୍ଧି ହାସଲ କରିଛି।