Categories
ଆଞ୍ଚଳିକ

ଲାପଟପ ଚୋରକୁ ଗିରଫ କଲା ବାଣପୁର ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରୁ ଜଣେ ଲାପଟପ ଚୋରଙ୍କୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ ଗତକାଲି ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅଞ୍ଚଳର ଶଶିକାନ୍ତ ଦାସ (୨୯) ନାମକ ଜଣେ ଯାତ୍ରୀ ଏକ ବସରେ ଭୁବନେଶ୍ୱର ଯାଉଥିବା ବେଳେ ବାଲୁଗାଁ ବାଇପାସ ଠାରେ ବସଟି ଯାତ୍ରୀ ନେବା ପାଇଁ କିଛି ସମୟ ଅଟକିଥିଲା। ଉକ୍ତ ସମୟରେ ଶଶିକାନ୍ତ କିଛି ଖାଦ୍ୟ ସାମଗ୍ରୀ କିଣିବା ପାଇଁ ବସରୁ ଓହ୍ଲାଇଥିବା ବେଳେ ଜଣେ ଦୁର୍ବୁତ୍ତ ତାଙ୍କ ସିଟରୁ ଲେନୋଭୋ ଲାପଟପ ବ୍ୟାଗ ନେଇ ଫେରାର ହୋଇଯାଇଥିଲେ।

ତେବେ ବସରେ ପୁନଶ୍ଚ ଚଢିବାପରେ ଶଶିକାନ୍ତ ଏହା ଜାଣିପାରିଥିଲେ ଏବଂ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗ ଆଧାରରେ ପୋଲିସ କେସ ନମ୍ବର ୧୪୨/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଆଜି ଅଭିଯୁକ୍ତ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଅଭିଯୁକ୍ତ ଜଣକ ଖଲିକୋଟ ଥାନା ମାଣିକପୁର ଗ୍ରାମର ପ୍ରଦୀପ ଜେନା (୨୬) ବୋଲି ଜଣାପଡିଛି। ତାଙ୍କ ନିକଟରୁ ପୋଲିସ ଚୋରି ଲାପଟପ ଜବତ କରିବା ସହ ମାଲିକ ଶଶିକାନ୍ତଙ୍କୁ ହସ୍ତାନ୍ତର କରିଥିବାର ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।  ତେବେ ବାଣପୁର ପୋଲିସର ତ୍ୱରିତ ପଦକ୍ଷେପକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।