Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଲିଙ୍ଗରାଜ ମହୋତ୍ସବରେ ସୁକନ୍ୟା ଭାରତୀୟ ସାଂସ୍କୃତିକ ଟ୍ରଷ୍ଟର ଚିତାକର୍ଷକ ନୃତ୍ୟ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚାଲିଥିବା ଲିଙ୍ଗରାଜ ମହୋତ୍ସବ ଚାଲୁ ରହିଛି। ପଂଚମ ଦିବସରେ ସୁକନ୍ୟା ଭାରତୀୟ ସାଂସ୍କୃତିକ ଟ୍ରଷ୍ଟ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା। ବର୍ଷା ପଟ୍ଟନାୟକଙ୍କ ନିର୍ଦେଶନାରେ ଶିବ ତାଣ୍ଡବ ନୃତ୍ୟ. ବମ୍ ଭୋଲେ..ନୃତ୍ୟ, ଝୁଲ୍‌ରେ ନିତାଇ ଝୁଲ୍ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା।

ଏହି ଅବସରରେ ପ୍ରତିଭା ପଣ୍ଡାଙ୍କ ଓଡ଼ିଶୀ ଓ ଫ୍ୟୁଜନ୍ ନୃତ୍ୟ, ଆସାମ ଗିରିରାଜ ଚନ୍ଦନଙ୍କ ସଂଯୋଜନାରେ ବୋର ଲୋକ ନୃତ୍ୟ, ବିଶାଖାପାଟଣାର ରାଧେଶ୍ୟାମ ତରାଇଙ୍କ କୁଚୁପୁଡ଼ି ନୃତ୍ୟ, ବ୍ରହ୍ମପୁରର ସରଂଚନା ଅନୁଷ୍ଠାନର କଡ଼ରା ଲୋକ ନୃତ୍ୟ ଶେଷରେ ଢ଼େଙ୍କାନାଳର ବିରଂଚି ମହାଲିଙ୍କ ଘୋଡ଼ା ନାଚ ପରିବେଷଣ କରାଯାଇଥିଲା।

ପ୍ରକାଶନୀର ସଭାପତି ତଥା ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଓ ସାଧାରଣ ସମ୍ପାଦକ ସନତ ମିଶ୍ରଙ୍କ ତତ୍ୱାବଧାନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଶାସନ ସଚିବ ବିଜୟ ପଟ୍ଟନାୟକ, ଉତ୍କଳ ଚ୍ୟାମ୍ବର ଅଫ୍ କର୍ମସର ସଭାପତି ବ୍ରହ୍ମାନନ୍ଦ ମିଶ୍ର, ବିଜେପି ନେତା ବାବୁ ସିଂ, କର୍ପୋରେଟର ବିରଂଚି ମହାସୁପକାର, ବରିଷ୍ଠ ସାମ୍ବାଦିକ ପ୍ରଦୋଷ କୁମାର ପଟ୍ଟନାୟକ, ପ୍ରଦ୍ୟୁମ୍ନ ମହାନ୍ତି, ଆଇନଜୀବୀ ଶିବାନନ୍ଦ ରାୟ, ଉପସଭାପତି ରଶ୍ମୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଲିଙ୍ଗରାଜ ସାହୁ ଧନ୍ୟବାଦ ପ୍ରଦାନ କରିବା ସହ କଳାକାରମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା।