Categories
ବିଶେଷ ଖବର ସଂସ୍କୃତି

ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ଉତ୍ସବରେ ମନମୋହିଲା ବଜନିଆ ନୃତ୍ୟ

ଭୁବନେଶ୍ବର: ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଭୁବନେଶ୍ୱରସ୍ଥିତ ଉତ୍କଳମଣ୍ଡପ ଠାରେଆୟୋଜିତ ୩ଦିନିଆ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବର ୨ୟ ଦିବସ ବେଶ ଆକର୍ଷଣୀୟ ଥିଲା।

ଆଜିର କାର‌୍ୟ୍ୟକ୍ରମରେ ପ୍ରଥମେ ପରିବେଷଣ କରାଯାଇଥିଲା ମାଲକାନଗିରିରୁ ଆସିଥିବା ଲୋକନୃତ୍ୟ ଦଳଙ୍କକୋୟା ନୃତ୍ୟ ପରିବେଷଣ । ସେହିପରି ଅନୁଗୋଳର ରାବଣଛାୟା ନୃତ୍ୟ ସଂସଦ ତରଫରୁ ଛାୟା ନୃତ୍ୟ, ସମ୍ବଲପୁରରୁ ସମ୍ୱଲପୁରୀ ଲୋକ ନୃତ୍ୟ(ବଜନିଆ), ରେମୁଣାସ୍ଥିତ ମା ଭଗବତୀ ଚଢେୟା ନାଚ ଅନୁଷ୍ଠାନ ତରଫରୁ ଚଢେୟା ଚଢେୟାଣୀ ନାଚ।

ସେହିପରି କେନ୍ଦ୍ରାପଡାର ବିନୋରୀ କେନ୍ଦରାଗୀତ ଓ ପାଲା ଅନୁଷ୍ଠାନ ତରଫରୁ କେନ୍ଦରାଗୀତ, ଖୋର୍ଦ୍ଧାର ପାଇକ ଆଖଡା, ମୟୂରଭଂଜର କୀଚକେଶ୍ୱରୀ ଝୁମର ନୃତ୍ୟ ପ୍ରତିଷ୍ଠାନ ତରଫରୁ ଝୁମର ନୃତ୍ୟ, ବୌଦ୍ଧର ଜଗନ୍ନାଥ ଯୁବକସଂଘ ତରଫରୁ ଶବର ନାଚ, କୋରାପୁଟର କୋଟପାଡ କଳାବିକାଶ କେନ୍ଦ୍ର ଦ୍ୱାରା ଢେମସା, ରାୟଗଡାର ଦେବଗିରି କଳା ପରିଷଦ ତରଫରୁ ଗୁର୍କି ଲୋକନୃତ୍ୟ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା ।

ଆଜିର କାର‌୍ୟ୍ୟକ୍ରମରେ ଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ, ଓଡିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା, ଶ୍ରୀମତୀ ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର, ବିଶିଷ୍ଟ ଓଡିଶୀ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି, ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସାଂସ୍କୃତିକ ସଂଧ୍ୟାକୁ ଉଦ୍ଘାଟନ କରିବା ସହିତ ସମସ୍ତ କଳାକାର, ନୂତ୍ୟଗୁରୁ ଓ ଅତିଥିମାନଙ୍କୁ ପାରମ୍ପରିକ ରୀତିରେ ଫୁଲ, ଚନ୍ଦନ, ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭଗବତ୍ ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

ଆଜିର କାର୍ଯ୍ୟକ୍ରମକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଉପନିର୍ଦ୍ଦେଶିକା ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ, ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର‌୍ୟ୍ୟ, ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବ ଶ୍ରୀ ପ୍ରବୋଧ ରଥଙ୍କ ସମେତ ବିଭାଗର ବିଭିନ୍ନ ଶାଖାର ଅଧିକାରୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ । ଗଣଶିକ୍ଷା ବିଭାଗ ସଂଯୋଜନାରେ ଡଃ. ସନାତନ ପଣ୍ଡାଙ୍କ ନିର୍ଦ୍ଦେଶନାରେ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀମାନେ ଗୀତ ଶୈଳୀରେ ପଣକିଆ ମାଧ୍ୟମରେ ଓଡିଶାର ଭାଷା ସାହିତ୍ୟ ଓ ସଂସ୍କୃତିକୁ ଗାନ କରିଥିଲେ,ଯାହାକି ଉଚ୍ଚ ପ୍ରଶଂସିତ ହୋଇଥିଲା ।

ଉତ୍କଳ ମଣ୍ଡପ ଠାରେ ବହୁ ସଂଖ୍ୟାରେ ଲୋକ କଳାପ୍ରେମୀ, ସଂସ୍କୃତି ପ୍ରେମୀ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦାନ କରି ଉତ୍ସବକୁ ଉପଭୋଗ କରିବା ସହିତ କକଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନୂଜା ତାରିଣୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ବିଶେଷ ଖବର ସଂସ୍କୃତି

ରାଜ୍ୟ ସ୍ତରୀୟ ଲୋକନୃତ୍ୟ ଓ ଲୋକ ସଂଗୀତ ମହୋତ୍ସବ ଉଦଘାଟିତ

ଭୁବନେଶ୍ବର: ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ୩ ଦିନିଆ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପ ଠାରେ ଆଜି ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି।

ଆଜିର ପ୍ରଥମ ଦିବସ ଲୋକ ଉତ୍ସବ  କାର୍ଯ୍ୟକ୍ରମରେ ବଲାଙ୍ଗୀରର ଘୁଙ୍ଗୁର କଳା ନିକେତନ ତରଫରୁ  କୁଠି ଡାଲଖାଇ, ଢେଙ୍କାନାଳର  ଅଷ୍ଟଶମ୍ଭୁ ଘଣ୍ଟବାଦ୍ୟ ,କୁଆଲ ଅନୁଷ୍ଠାନ ତରଫରୁ ଘଣ୍ଟବାଦ୍ୟ, ଝାରସୁଗୁଡା ରାଇଁଝାଇ ଲୋକନାଚ ଅନୁଷ୍ଠାନ ତରଫରୁ ସମ୍ବଲପୁରୀ ନୃତ୍ୟ(ମାଏଲାଜଡ), କେନ୍ଦୁଝର ବୀଣାପାଣି କଳା ନିକେତନ ତରଫରୁ ପଲ୍ଲୀନୃତ୍ୟ, ଭଦ୍ରକ ମଦନମୋହନ ଜୀଉ ତରଫରୁ ଢୋଲକ ବାଦ୍ୟ, କଟକ ପଟୁଆର ସଂକୀର୍ତ୍ତନ ପରିବେଷଣ ହୋଇଥିଲା।

ସେହିପରି ଜଗତସିଂହପୁର ମା ବାସେଳୀ ଘୋଡାନାଚ, ଗଞ୍ଜାମ ବିଶ୍ୱ ଜନନୀ କଳା ପରିଷଦ ତରଫରୁ ପଶୁନୃତ୍ୟ , କନ୍ଧମାଳ ଢାକୁଳଜୁଇ ନୃତ୍ୟ ଅନୁଷ୍ଠାନ ତରଫରୁ ଆଦିବାସୀ ନୃତ୍ୟ, ନୂଆପଡା ମା ଦୁଆରସାନୀ ବଜାସାଲ ଅନୁଷ୍ଠାନ ତରଫରୁ ବଜାସାଲ ଭଳି ବିଭିନ୍ନ ଅନୁଷ୍ଠାନ ତରଫରୁ  ଚିତ୍ତାକର୍ଷକ ଲୋକନୃତ୍ୟ ଓ ସଂଗୀତ ପରିବେଷଣ ଦର୍ଶକମାନଙ୍କୁ ଶେଷ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା।

ଆଜି ଅପରାହ୍ଣରେ  ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅଂଶଗ୍ରହଣ କରିଥିବା ସଂକୀର୍ତ୍ତନ, ଘୋଡାନାଚ, ସମ୍ବଲପୁରୀ, ଲଉଡିଖେଳ, କଣ୍ଢେଇ ନୃତ୍ୟ(ରାଜା ରାଣୀ), ରାମ ସୀତା ଆଦି ପାରମ୍ପରିକ ନୃତ୍ୟର ତାଳେ ତାଳେ ରାମ ମନ୍ଦିର ଠାରୁ ସାଂସ୍କୃତିକ ଶୋଭାଯାତ୍ରାରେ ଅଂଶଗ୍ରହଣ କରି ଉତ୍କଳ ମଣ୍ଡପ ନିକଟକୁ ଆସିଥିଲେ। ଏହି ଶୋଭାଯାତ୍ରାକୁ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ ପତାକା ହଲାଇ ଶୁଭାରମ୍ଭ କରିଥିଲେ।

ଏହି ଉତ୍ସବରେ ରାଜ୍ୟ ବିଜ୍ଞାନ ଓ ବୈଷୟିକ ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ କହିଲେ ଯେ,ଆମ ରାଜ୍ୟର କଳା, ସଂସ୍କୃତି ଓ ସ୍ଥାପତ୍ୟ ବିଶ୍ୱ ବିଦିତ।

ମହୋତ୍ସବକୁ ଉଦଘାଟନ କରି ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର କହିଲେ ଯେ, ଉତ୍କୃଷ୍ଟ କଳା ପାଇଁ ଓଡିଶାର ନାମ ଥିଲା ଉତ୍କଳ। ଓଡିଶାର ଲୋକ କଳା, ଲୋକ ସଂଗୀତ ର ପୁନରୁଦ୍ଧାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗ ଦର୍ଶନରେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମସ୍ତ ପ୍ରୟାସ ଜାରି ରଖିଛି।

ଲୋକ କଳା, ଲୋକ ସଂଗୀତ ମାଧ୍ୟମରେ ସମଗ୍ର ଓଡିଆ ଜାତିକୁ ଏକତ୍ରିତ କରିବା, ଆମର ମନ୍ଦିରମାଳିନୀ ଭୁବନେଶ୍ୱର ସହ ରାଜ୍ୟର ସମସ୍ତ କୀର୍ତ୍ତୀରାଜିର ସୁରକ୍ଷା ଓ  ସମୃଦ୍ଧଶାଳୀ କରିବା ସମସ୍ତଙ୍କର ପ୍ରୟାସ ହେବା ଉଚିତ୍ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ।

ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦେଇ କହିଲେ ଯେ, ଓଡିଶା ମାଟି କଳାର ମାଟି। ଆମେ ସମସ୍ତେ କଳାକୁ ଭଲ ପାଉ। ସମସ୍ତଙ୍କ ମଧ୍ୟରେ କଳାକୁ ଭଲ ପାଇବା ରହିଛି। ଓଡିଶାର ଚାରୁ କଳା ,କାରୁକଳା, ବାଲୁକା ଶିଳ୍ପ, ନୃତ୍ୟ , ସଂଗୀତ ଏବଂ ଓଡିଆ ଜାତିର ଅସ୍ମିତାକୁ ଦେଶ ବିଦେଶରେ ପରିଚିତ କରାଇବା ସମସ୍ତଙ୍କର ଦାୟିତ୍ୱ ରହିଛି।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଯୋଗଦେଇ ଲୋକ କଳାର ପୁନରୁଦ୍ଧାର ଓ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ନେଇ ବିଭାଗର ଉଦ୍ୟମକୁ ପ୍ରଶଂସା କରିଥିଲେ।

କାର୍ଯ୍ୟକ୍ରମରେ ଆଦିବାସୀ ଓ ଲୋକ ସଂଗୀତ ଗବେଷକ ତଥା ବିଭିନ୍ନ ପୁରସ୍କାରରେ ସମ୍ମାନିତ ଶ୍ରୀ ମହେନ୍ଦ୍ର ମିଶ୍ରଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା। ବିଭାଗର ଉପନିର୍ଦ୍ଦେଶିକା ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ଯୋଗଦେଇ କରୋନା ସଂକ୍ରମଣ କଟକଣା ପରିପ୍ରେକ୍ଷୀରେ ଗତ ୨ ବର୍ଷ ଧରି ଆୟୋଜିତ ହୋଇପାରିନଥିବା ଏହି ଲୋକ ମହୋତ୍ସବ ପୁଣି ଆରମ୍ଭ ହୋଇଥିବା ଓ ୩ ଦିନ ଧରି ଆୟୋଜିତ ଏହି ମହୋତ୍ସବରେ ୩୦ ଜିଲ୍ଲାରୁ ୩୦୦ କଳାକାର ଯୋଗଦେଉଥିବା ସୂଚନା ଦେଇଥିଲେ।

ଉଦଘାଟନୀ ସଂଧ୍ୟାକୁ ବିଶିଷ୍ଟ ଉପସ୍ଥାପକ ଡଃ. ମୃତ୍ୟୁଞ୍ଜୟ ରଥ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ଉପ ନିର୍ଦ୍ଦେଶିକା ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀ ସଂଯୋଜନା କରିଥିଲେ।ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ମଧୁସୂଦନ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଂସ୍କୃତି ବିଭାଗ  ଉପ ନିର୍ଦ୍ଦେଶକ ଶ୍ରୀ ଦେବାନନ୍ଦ ବରିହା ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବ ଶ୍ରୀ ପ୍ରବୋଧ ରଥଙ୍କ ସମେତ ବିଭାଗର ବିଭିନ୍ନ ଶାଖାର କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀମାନେ ଯୋଗଦେଇ ଶୋଭାଯାତ୍ରା ସଫଳ କରିବା ସହିତ ଉତ୍ସବକୁ ସଫଳ କରିବାରେ ସହାୟତା ପ୍ରଦାନ କରିଥିଲେ।