Categories
ଆଜିର ଖବର ଜାତୀୟ ଖବର

କରଣୀ ସେନାର ପ୍ରତିଷ୍ଠାତା ଲୋକେନ୍ଦ୍ର ସିଂ କାଲଭୀଙ୍କ ଦେହାନ୍ତ, ଆଜି ହେବ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: କରଣୀ ସେନାର ପ୍ରତିଷ୍ଠାତା ଲୋକେନ୍ଦ୍ର ସିଂ କାଲଭୀଙ୍କ ହୃଦଘାତ ଯୋଗୁଁ ସୋମବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଯାଇଛି। ଜୟପୁର ସ୍ଥିତ ଏସଏମଏସ ହସ୍ପିଟାଲର ଡାକ୍ତରମାନେ ରାତି ପ୍ରାୟ ୨ ଟାରେ ଏହା ନିଶ୍ଚିତ କରିଛନ୍ତି। ତାଙ୍କର ମୃତଦେହ ଶେଷ ଦର୍ଶନ ପାଇଁ ରାଜପୁତ ଭବନ ଜୟପୁରରେ ରଖାଯିବ। ସୂଚନାନୁସାରେ, ଆଜି ଅପରାହ୍ନ ପ୍ରାୟ ୨.୩୦ ରେ ନାଗୋର ଜିଲ୍ଲା ଅନ୍ତର୍ଗତ ତାଙ୍କ ଜନ୍ମ ଗାଁ କାଲଭି ଗ୍ରାମରେ ଲୋକେନ୍ଦ୍ର ସିଂ କଲଭୀଙ୍କ ଅନ୍ତିମ ସଂସ୍କାର ଅନୁଷ୍ଠିତ ହେବ।

ପ୍ରକାଶ ଯେ, ବ୍ରେନ ଷ୍ଟ୍ରୋକ୍ ହେତୁ ଜୁନ୍ ୨୦୨୨ରୁ କାଲଭୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ଚିକିତ୍ସିତ ହେଉଥିଲେ। କିନ୍ତୁ ହୃଦଘାତ ଯୋଗୁଁ ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ଗତ ଦେଢ ଦଶନ୍ଧି ଧରି କାଲଭୀ ତାଙ୍କ ସମାଜର ପ୍ରସଙ୍ଗରେ ଅତ୍ୟନ୍ତ ସ୍ୱର ଉତ୍ତୋଳନ କରିଥିଲେ। ତାଙ୍କର ଉତ୍ତେଜନାମୂଳକ ଭାଷଣ ପ୍ରତିଦିନ ହେଡଲାଇନରେ ଥିଲା। ସେ କରଣୀ ସେନାର ପ୍ରତିଷ୍ଠାତା ମଧ୍ୟ ଥିଲେ। ପ୍ରାୟ ସାଢେ ୧୮ ବର୍ଷ ପୂର୍ବେ ସେ କରଣୀ ସେନା ଗଠନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବଲିଉଡ ଚଳଚ୍ଚିତ୍ର ପଦ୍ମାବତକୁ ବିରୋଧ କରୁଥିବାବେଳେ ସେ ଫିଲ୍ମର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଧମକ ଦେଇଥିବା ବେଳେ ସେ ସର୍ବାଧିକ ହେଡଲାଇନ ସୃଷ୍ଟି କରିଥିଲେ।