Categories
ଆଜିର ଖବର ରାଜ୍ୟ ଖବର

ଅର୍ଥ ଭଳି ବିଦ୍ୟୁତ୍ ସଞ୍ଚୟ କରିବା ଆବଶ୍ୟକ: ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ

ଭୁବନେଶ୍ଵର: ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ। ଟାରିଫ୍ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ। ତଥାପି ଭବିଷ୍ୟତକୁ ଦୃଷ୍ଟିରେ ରଖି ଶକ୍ତି ସଂରକ୍ଷଣ କରିବା ନିହାତି ଜରୁରୀ। ଏବେ ଶକ୍ତି ସଂରକ୍ଷଣର ଅନେକ ଅତ୍ୟାଧୁନିକ ରାସ୍ତା ବାହାରିଲାଣି; ସେସବୁକୁ ଗ୍ରହଣ କରି ଶକ୍ତିସଂରକ୍ଷଣ ଓ ଶକ୍ତି ଦକ୍ଷତା କ୍ଷେତ୍ରରେ ଅଗ୍ରଣୀ କରିବାକୁ ପଡ଼ିବ ବୋଲି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି। ଶକ୍ତି ବିଭାଗ ପକ୍ଷରୁ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଦେବ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀଙ୍କୁ ସାମିଲ କରାଯିବା ଉପରେ ଗୁରୁତ୍ଵ ଦେଇଛନ୍ତି। କାରଣ ଛାତ୍ର ଓ ଯୁବଗୋଷ୍ଠୀ ହିଁ କୌଣସି ନୀତି ବା ନିୟମକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରାଇବାର ଯଥାର୍ଥ ଦକ୍ଷତା ରଖନ୍ତି। ଏହା ସହିତ ଅକ୍ଷୟଶକ୍ତିର ବ୍ୟବହାରକୁ ଗୁରୁତ୍ଵ ଦେବା ସହ ଜୀବାଶ୍ମ ଇନ୍ଧନର ବ୍ୟବହାରକୁ କମାଇବା ପାଇଁ ସେ କହିଥିଲେ।

ପାଣି, ବାୟୁ ଓ ଅଗ୍ନି ଭଳି ବିଦ୍ୟୁତ୍ ଜୀବନର ଏକ ଅବିଛେଦ୍ୟ ଅଙ୍ଗ ପାଲଟିସାରିଛି। ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଶକ୍ତି ଚାହିଦା ପ୍ରତି ବର୍ଷ ୧୦ ପ୍ରତିଶତ ହାରରେ ବଢ଼ିବାରେ ଲାଗିଛି। ଯଦିଓ ଶକ୍ତି ଚାହିଦା ମେଣ୍ଟାଇବା ପାଇଁ ରାଜ୍ୟ ସମର୍ଥ କିନ୍ତୁ ଏହି କ୍ରମବର୍ଦ୍ଧିଷ୍ଣୁ ଶକ୍ତି ଚାହିଦା ଉତ୍ପାଦନ, ସଂଚାରଣ ଓ ବିତରଣ ବ୍ୟବସ୍ଥା ପାଇଁ ଏକ ବଡ଼ ଆହ୍ଵାନ ସୃଷ୍ଟି କରିବାରେ ଲାଗିଛି। ଭବିଷ୍ୟତର ଶକ୍ତି ସଂକଟକୁ ଏଡ଼ାଇବା ପାଇଁ ଏବେଠାରୁ ହିଁ ଶକ୍ତି ସଂରକ୍ଷଣକୁ ପ୍ରାଧାନ୍ୟ ଦେବାକୁ ଶ୍ରୀ ଦେବ ଗୁରୁତ୍ଵ ଦେଇଛନ୍ତି। ଅର୍ଥ ସଂଚୟକୁ ଆମେ ଯେପରି ଗୁରୁତ୍ଵ ଦେଉଛେ ସେମିତି ଶକ୍ତି ସଂଚୟ ମଧ୍ୟ କରିବା ଜରୁରୀ ବୋଲି ସେ କହିଥିଲେ।

ବର୍ତ୍ତମାନ ଶକ୍ତି ସଂରକ୍ଷଣ ପାଇଁ ଅନେକ ଅତ୍ୟାଧୁନିକ ରାସ୍ତା ବାହାରିଲାଣି। ଏସବୁକୁ କାମରେ ଲଗାଇବା ଜରୁରୀ। ସରକାରୀ ହେଉ କି ବେସରକାରୀ ପ୍ରତିଷ୍ଠାନରେ ଶକ୍ତି ସଂରକ୍ଷଣ ନୀତି ଗ୍ରହଣ କରାଯିବା ଦରକାର। ମୋସନ ସେନ୍ସର ଟେକ୍ନୋଲୋଜି ବ୍ୟବହାର ଉପରେ ମଧ୍ୟ ମନ୍ତ୍ରୀ ଶ୍ରୀ ଦେବ ଗୁରୁତ୍ଵ ଦେଇଥିଲେ। ଶକ୍ତି ସଂରକ୍ଷଣର କୌଣସି ବିକଳ୍ପ ନାହିଁ ବୋଲି ସେ ତାଙ୍କ ଅଭିଭାଷଣରେ କହିଥିଲେ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ସେଣ୍ଟର ଫର୍ ଏନଭାଇରନମେଣ୍ଟ ଷ୍ଟଡିଜର ନିର୍ଦ୍ଦେଶକ ଡକ୍ଟର କେ ମୁରୁଗେସନ ଯୋଗ ଦେଇ ଜୀବାଶ୍ମ ଇନ୍ଧନ ବ୍ୟବହାର କମାଇବା ଉପରେ ଗୁରୁତ୍ଵ ଦେଇଥିଲେ। ଜୀବାଶ୍ମ ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ହେଲେ ଶକ୍ତି ସଂରକ୍ଷଣ ଅଭିଯାନର ଆବଶ୍ୟକତା ନିତାନ୍ତ ଜରୁରୀ ବୋଲି ସେ କହିଥିଲେ।

ସ୍ଵାଗତ ଭାଷଣରେ ସର୍ବୋଚ୍ଚ ଯନ୍ତ୍ରୀ ତଥା ପ୍ରମୁଖ ମୁଖ୍ୟ ବିଦ୍ୟୁତ୍ ନିରୀକ୍ଷକ ସୁରେଶ ଚନ୍ଦ୍ର ମହାରଣା ଶକ୍ତି ବିଭାଗ ପକ୍ଷରୁ ଶକ୍ତି ସଂରକ୍ଷଣ ପାଇଁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଶକ୍ତି ସଂରକ୍ଷଣର ଉପାଦେୟତା ବୁଝାଇବା ପାଇଁ ସ୍କୁଲ ପିଲାମାନଙ୍କୁ ଏଥିରେ ସାମିଲ କରାଯାଇଛି। ମୋ ସ୍କୁଲ ଅଭିଯାନ ଅଧୀନରେ ବିଭିନ୍ନ ସ୍କୁଲରେ ଶକ୍ତି କ୍ଲବ ଗଠନ କରାଯାଇଛି। ସେହି ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀ ଏହି କ୍ଲବର ସଦସ୍ୟ ଭାବେ ଶକ୍ତି ସଂରକ୍ଷଣ ଅଭିଯାନରେ ସାମିଲ ହେଉଛନ୍ତି ବୋଲି ସେ କହିଥିଲେ। ଏହା ସହିତ ବିଭିନ୍ନ ସରକାରୀ ପ୍ରତିଷ୍ଠାନ, ଡାକ୍ତରଖାନାରେ ରେ ଶକ୍ତି ସଂରକ୍ଷଣ ପଦକ୍ଷେପ ନିଆଯାଇଛି। ଶକ୍ତି ଦକ୍ଷ ବୈଦୁତିକ ଉପକରଣ ଲଗାଯାଇଛି ବୋଲି ସେ ତାଙ୍କ ଅଭିଭାଷଣରେ କହିଥିଲେ।

ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶକ୍ତି ସଂରକ୍ଷଣ ଓ ଶକ୍ତି ଦକ୍ଷତା କ୍ଷେତ୍ରରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ବିଭିନ୍ନ ସ୍ଵାସ୍ଥ୍ୟ, ଶିଳ୍ପ ଓ ଶିକ୍ଷା ପ୍ରତିଷ୍ଠାନକୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହା ସହିତ ଛାତ୍ରଛାତ୍ରୀମାନଙ୍କୁ ନେଇ ପୂର୍ବାହ୍ନରେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାକୁ ମନ୍ତ୍ରୀ ଶ୍ରୀ ଦେବ ଶୁଭାରମ୍ଭ କରିଥିଲେ। ଏକ ଡିଜିଟାଲ ସଚେତନତା ରଥ ସହର ପରିକ୍ରମା କରି ଶକ୍ତି ସଂରକ୍ଷଣର ବାର୍ତ୍ତା ପ୍ରଚାର କରିଥିଲା।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟରେ ବିଦ୍ୟୁତ ସଂସ୍କାର ପାଇଁ ନିଆଗଲା ବ୍ୟାପକ ପଦକ୍ଷେପ, ଜାଣିବା ପାଇଁ କ୍ଲିକ କରନ୍ତୁ

ଭୁବନେଶ୍ୱର: ଆଜି ଶକ୍ତି ବିଭାଗ ସମ୍ମିଳନୀ କକ୍ଷଠାରେ ଓଡ଼ିଶା ଶକ୍ତି ସଂଚାରଣ ନିଗମର କାର୍ଯ୍ୟକ୍ରମ ଉପରେ ଏକ ସମୀକ୍ଷା ବୈଠକ ଶକ୍ତିମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ରାଜ୍ୟରେ ବୃଦ୍ଧି ପାଉଥିବା ଶକ୍ତି ଚାହିଦା ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଦେବ ସଂପ୍ରତି ରାଜ୍ୟ ସରକାର ରାଜ୍ୟରେ ଶିଳ୍ପାୟନ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଥିବା ପରିପ୍ରେକ୍ଷୀରେ ଅଧିକ ଶକ୍ତି ଉତ୍ପାଦନର ଆବଶ୍ୟକତା ରହିଥିବା କହିଥିଲେ।

ତେଣୁ ସେ ଆଗକୁ ଅଧିକ ଶକ୍ତି ଉତ୍ପାଦନ ପାଇଁ ପ୍ରକଳ୍ପ ପ୍ରସ୍ତୁତ କରିବା ଏବଂ ସେଥି ପାଇଁ ବଜେଟ୍‌ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ। ଶକ୍ତି ନଥିଲେ ଶିଳ୍ପ ହୋଇପାରିବ ନାହିଁ, ତେଣୁ ବିକାଶର ପ୍ରତିଟି ଉପାଦାନ ପାଇଁ ଶକ୍ତିର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ସୌର ଶକ୍ତିର ଉତ୍ପାଦନ ହେଉ ଅବା ଅନ୍ୟ ଅଣପାରମ୍ପରିକ ଶକ୍ତି, ଆମକୁ ସେଥିପ୍ରତି ବିଶେଷ ଗୁରୁତ୍ୱ ଦେବାକୁ ହେବ ବୋଲି ସେ କହିଥିଲେ। ଲୋକେ ଗୁଣାତ୍ମକ ବିଦୁ୍ୟତ ସେବା ଉପରେ ଅଧିକ ସଚେତନ, ତେଣୁ ବିଭାଗ ସେଥିପ୍ରତି ଯନିବାନ ହେବାକୁ ସେ ଗୁରୁତ୍ୱ ଦେଇଥିଲେ। ବିଶେଷ ଭାବେ ପଶ୍ଚିମ ଓଡ଼ିଶାରେ ଦ୍ରୁତ ଶିଳ୍ପାୟନ ହେଉଥିବା ଏବଂ ସେ ଅଞ୍ଚଳରେ ଶକ୍ତି ଚାହିଦା ଅଧିକ ଥିବା ହେତୁ ଏହି ଚାହିଦା ପୂରଣ କରିବାକୁ ପଦକ୍ଷେପ ନେବାକୁ ସେ ବିଭାଗୀୟ ଅଧିବାସୀମାନଙ୍କୁ କହିଥିଲେ।

ଅବିଚ୍ଛିନ୍ନ ବିଦୁ୍ୟତ ଯୋଗାଣ ପାଇଁ ୨୦୧୫-୧୬ ଆର୍ଥିକ ବର୍ଷରେ ହାତକୁୁ ନିଆଯାଇଥିବା ରେଡିଆଲ୍‌ ଗ୍ରୀଡ଼୍‌କୁ ରିଙ୍ଗ ମୋଡ୍‌ରେ ପରିବର୍ତ୍ତନ କରିବା ପ୍ରକି୍ରୟା ଏଯାବତ୍‌ ୧୨ଟି ପ୍ରକଳ୍ପ ମଧ୍ୟରୁ ପାରଳାଖେମୁଣ୍ଡି-ଆର୍‌ ଉଦୟଗିରି, ବୌଦ୍ଧ-ଫୁଲବାଣୀ ଏବଂ ଘେଁସ-ପଦମ୍‌ପୁର ପ୍ରକଳ୍ପ ପାଇଁ ଜଙ୍ଗଲ ଜମି ସମସ୍ୟା ରହିଥିବା ବୈଠକରେ ପ୍ରକାଶ କରାଯାଇଥିଲା। ଅନ୍ୟଗୁଡ଼ିକର କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ବାତ୍ୟା ପ୍ରତିରୋଧୀ ବିଦୁ୍ୟତିକରଣ କାର୍ଯ୍ୟରେ ୬ଟି ପ୍ରକଳ୍ପ ମଧ୍ୟରୁ ୫ଟି ସରିଥିବାବେଳେ ଚାନ୍ଦବାଲି-ଧାମରା ୧୩୨ କେଭି ଲାଇନ୍‌ କାର୍ଯ୍ୟ ଚାଲୁଥିବା କୁହାଯାଇଥିଲା।

ବିପର୍ଯ୍ୟୟ ମୁକାବିଲା ନିମନ୍ତେ ତ୍ୱରିତ ବିଦୁ୍ୟତସେବା ସ୍ୱାଭାବିକ କରିବା ଉଦ୍ଦେଶ୍ୟରେ ରାଜ୍ୟର କେତୋଟି ସ୍ଥାନରେ ବିପର୍ଯ୍ୟୟ ମୁକାବିଲା କେନ୍ଦ୍ର ପ୍ରତିଷ୍ଠା ପାଇଁ ୧୫୧.୩୩ କୋଟି ବ୍ୟୟ ଅଟକଳରେ ୨୦୧୫-୧୬ ମସିହାରେ କାର୍ଯ୍ୟ ହାତକୁ ନିଆଯାଇଥିଲା। ସେଥି ମଧ୍ୟରୁ ଡୁବୁରୀଠାରେ କାର୍ଯ୍ୟ ନିର୍ମାଣାଧୀନ ଥିବାବେଳେ ଚନ୍ଦକା, ବାଲେଶ୍ୱର, ବଲାଙ୍ଗିର, ଖୋର୍ଦ୍ଧା, ଯାଜପୁର ରୋଡ଼୍‌, ନରେନ୍ଦ୍ରପୁର, ସମ୍ବଲପୁର, ଚାନ୍ଦପୁର ଓ ଜୟନଗରଠାରେ ନିର୍ମାଣ କାର୍ଯ୍ୟ ସରିଥିବା ଜଣାପଡ଼ିଛି । କେତେକ ସ୍ଥାନରେ ଶକ୍ତିଭାର ଅଧିକ ଥିବାବେଳେ ଅନ୍ୟ କେତେକ ସ୍ଥାନରେ କମ୍‌ ଥିବା ରିପୋର୍ଟରୁ ଜଣାପଡ଼ିଥିବା ଦର୍ଶାଇ ସେଥିରେ କିପରି ସୁଧାର ଅଣାଯାଇପାରିବ ତା’ଉପରେ ଅଧିକ ଗୁରୁତ୍ୱ ଦେବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ନିର୍ଦ୍ଦେଶ ଦେଇଥିଲେ।

ଭୁବନେଶ୍ୱର-କଟକ ଟୁଇନ୍‌ ସିଟି ମଧ୍ୟରେ ବ୍ୟାପକ ବିକାଶ ଯୋଜନା (ସିଡିପି) ଅଧୀନରେ ଭୂତଳ କେବୁଲିଂ ଏବଂ ବିକଳ୍ପ ବିଦୁ୍ୟତ ସେବା ଲାଇନ୍‌ ବ୍ୟବସ୍ଥା କରିବାକୁ ୧୪୯୨.୦୭ କୋଟି ଟଙ୍କା ବିନିଯୋଗରେ ୧୩ଟି ପ୍ରକଳ୍ପ କାର୍ଯ୍ୟ କାର୍ଯ୍ୟକାରୀ କରାଯାଇଛି । ସେଥିରେ କଟକ, ବିଡ଼ାନାସୀ, ପ୍ରତାପଶାସନ, ସିଡିଏ, ୟୁନିଟ୍‌-୮, ମଞ୍ଚେଶ୍ୱର, ଗୋଡ଼ିସାହି କାର୍ଯ୍ୟ ସରିଥିବାବେଳେ ନୂଆପଡ଼ା-ପ୍ରତାପଶାସନ, କଣ୍ଟାବାଡ଼, ସତ୍ୟନଗର, ବଡଗଡ଼ ଓ ବାଲିଅନ୍ତାଠାରେ ନିର୍ମାଣ କରାଯାଉଥିବା ୧୩୨ ଏବଂ ୨୨୦ କେଭି ସବ୍‌ଷ୍ଟେସନ୍‌ କାର୍ଯ୍ୟ ନିର୍ମାଣାଧିନ ରହିଛି । ୨୦୨୧-୨୨ରେ ବିଭାଗ ଦ୍ୱାରା ୨୦୮୫ ଏମ୍‌ଭିଏ କ୍ଷମତାବିଶିଷ୍ଟ ୨୯୫.୧୧ ସର୍କିଟ କିମି ଦୈର୍ଘ୍ୟ ବିଦୁ୍ୟତଲାଇନ୍‌ ବିଛାଇବା, ସମୁଦାୟ ୪୬୫.୯୮୮ ସର୍କିଟ୍‌ କିମି ସ୍ୱତନ୍ତ୍ର ଲାଇନ୍‌ ଏବଂ ଶିଳ୍ପାଞ୍ଚଳ ସକାଶେ ୧୨୬.୩୭୪ ସର୍କିଟ୍‌ କିମି ଲାଇନ୍‌ ବିଛାଇବା କାର୍ଯ୍ୟ କରାଯାଇଛି ।

ସୌରଶକ୍ତି ଉପରେ ଆଖିଦୃଶିଆ ବିକାଶ ହୋଇ ନପାରିବା ହେତୁ ରାଜ୍ୟ କର୍ମସଂସ୍ଥାନ ସୁଯୋଗ ହରାଉଥିବା ନେଇ ସମୀକ୍ଷାରେ ଉଦ୍‌ବେଗ ପ୍ରକାଶ କରାଯାଇଥିଲା । ମନ୍ତ୍ରୀ ଶ୍ରୀ ଦେବ ବୈଷୟିକ ବ୍ୟବସ୍ଥା ଉପଯୋଗରେ କାର୍ଯ୍ୟାଳୟକୁ ଅଧିକ ପାରଦର୍ଶୀ କରିବା ଏବଂ କାଗଜମୁକ୍ତ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ପର୍ଯ୍ୟାୟ କ୍ରମେ ଯନ୍ତ୍ରୀ ପଦବୀଗୁଡ଼ିକ ପୂରଣ କରିବା ଉପରେ ସମୀକ୍ଷାରେ ଗୁରୁତ୍ୱାରୋପ କରାଯାଇଥିଲା ।
ଏହି ବୈଠକରେ ଓପିଟିସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଂଜୟ ମିଶ୍ର, ନିର୍ଦ୍ଦେଶକ ଶ୍ରୀ ଉପେନ୍ଦ୍ର କୁମାର ପତି, ଅତିରିକ୍ତ ସଚିବ ଶ୍ରୀମତୀ ଲିପ୍‌ସା ଦାସଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିିତ ଥିଲେ ।

Categories
ଆଜିର ଖବର ଜାତୀୟ ଖବର

ପିପିଇ କିଟ୍ ପିନ୍ଧି ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଲେ ଦୁଇ ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ନିର୍ବାଚନ ବେଳେ ସଂସଦ ଭବନରେ ଦେଖାଦେଇଥିଲା ଏକ ଭିନ୍ନ ଦୃଶ୍ୟ। ତାହା ହେଲା କୋରନା ଆକ୍ରାନ୍ତ ଦୁଇ ଜଣ ମନ୍ତ୍ରୀ ଭୋଟ ଦେବା ପାଇଁ ଆସିଥିଲେ। ଉଭୟ ପିପିଇ କିଟ ପରିଧାନ କରି ଭୋଟ ଗ୍ରହଣ କେନ୍ଦ୍ରକୁ ପ୍ରବେଶ କରିଥିଲେ। ସେମାନେ ହେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଶକ୍ତି ମନ୍ତ୍ରୀ ଆର କେ ସିଂ।

ଉଭୟ କିଛି ଦିନ ଧରି କରୋନା ଆକ୍ରାନ୍ତ ଅଛନ୍ତି। ସେ ନେଇ ସେମାନେ ସଂସଦ ସଚିବାଳୟ ଏବଂ ନିର୍ବାଚନ କମିଶନରଙ୍କୁ ଅବଗତ କରାଇଥିଲେ। ସେମାନେ କିପରି ଭୋଟ ଦେବେ ସେ ନେଇ ଅନୁରୋଧ କରିଥିଲେ। ଉଭୟଙ୍କ ଅନୁରୋଧ ପରେ କରୋନା କଟକଣା ଭିତରେ ସେମାନେ ମତଦାନ କରି ସେହି ସ୍ଥାନ ପରିତ୍ୟାଗ କରିଥିଲେ।