Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପାକିସ୍ତାନକୁ ଝଟକା: ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କୁ ଅତିଥି କରିବାକୁ ମନା କଲା ତୁର୍କୀ

ନୂଆଦିଲ୍ଲୀ: ତୁର୍କୀ-ସିରିଆରେ ହୋଇଥିବା ଭୟଙ୍କର ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୧୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି। ଏଥି ସହିତ, ଭୂମିକମ୍ପ ପରେ ତୁର୍କୀ ଏବଂ ସିରିଆରେ ହୋଇଥିବା ହାହାକାରକୁ ଦେଖି ବିଶ୍ଵର ଅନେକ ଦେଶ ସାହାଯ୍ୟର ହାତ ବଢାଇ ରିଲିଫ ସାମଗ୍ରୀ ଏବଂ ଉଦ୍ଧାରକାରୀ ଦଳ ପଠାଇଛନ୍ତି। ଭାରତ ତୁର୍କୀର ଲୋକଙ୍କୁ ‘ଅପରେସନ୍ ଦୋସ୍ତ’ ଅଧୀନରେ ସାହାଯ୍ୟ କରିବାରେ ମଧ୍ୟ ନିୟୋଜିତ ଅଛି।

ଏସବୁ ମଧ୍ୟରେ ପାକିସ୍ତାନ ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି। ବାସ୍ତବରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ତାଙ୍କର ସମର୍ଥନ ଏବଂ ଏକତା ଦେଖାଇବା ପାଇଁ ତୁର୍କୀ ଗସ୍ତ ଘୋଷଣା କରିଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ତୁର୍କୀ ଖୋଲାଖୋଲି ଭାବେ ଶାହାବାଜ ସରିଫଙ୍କୁ ଅତିଥି କରିବାକୁ ମନା କରିଦେଇଛି, ଯାହାଫଳରେ ପାକିସ୍ତାନକୁ ଝଟକା ଲାଗିଛି। ଏହା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ତାଙ୍କର ଯାତ୍ରା ବାତିଲ କରିବାକୁ ପଡିଛି।

ତୁର୍କୀର ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ସ୍ୱତନ୍ତ୍ର ସହକାରୀ ଆଜାମ ଜମିଲ ଏକ ଟ୍ୱିଟରେ ଲେଖିଛନ୍ତି ଯେ, ତୁର୍କୀ ବର୍ତ୍ତମାନ କେବଳ ନିଜ ଦେଶର ଲୋକଙ୍କୁ ବଞ୍ଚାଇବାକୁ ଏବଂ ଯତ୍ନ ନେବାକୁ ଚାହୁଁଛି। କେବଳ ରିଲିଫ୍ ସାମଗ୍ରୀ ପଠାଯିବା ପାଇଁ ସେ ଅନୁରୋଧ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତୁର୍କୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଅତିଥି କରିବାକୁ ମନା କରିଦେଇଛି।

ଏଥି ସହ ପାକିସ୍ତାନ ଖରାପ ପାଗକୁ ଶେହବାଜ ସରିଫଙ୍କ ତୁର୍କୀ ଗସ୍ତ ବାତିଲ ହେବାର କାରଣ ବୋଲି କହିଛି। ପାକିସ୍ତାନର ସୂଚନା ମନ୍ତ୍ରୀ ମରିୟମ ଔରଙ୍ଗଜେବ କହିଛନ୍ତି ଯେ, ଭୂମିକମ୍ପ ପରେ ଚାଲିଥିବା ରିଲିଫ କାର୍ଯ୍ୟ ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାତିଲ କରାଯାଇଛି। ପ୍ରକାଶ ଯେ, ପାକିସ୍ତାନ ଏପର୍ଯ୍ୟନ୍ତ ୨୧ ଟନରୁ ଅଧିକ ରିଲିଫ ସାମଗ୍ରୀ ତୁର୍କୀ ଏବଂ ସିରିଆକୁ ପଠାଇଛି।