Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟସ୍ତରୀୟ ଶହୀଦ ଦିବସ ପାଳିତ, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ସତ୍ୟର ପୂଜାରୀ ତଥା ଅହିଂସାର ପ୍ରତୀକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସକୁ ଶହୀଦ ଦିବସ ଭାବେ ପାଳନ କରାଯାଇଛି। ବିଧାନସଭା ପରିସରରେ ଆଜି ପୂର୍ବାହ୍ନରେ ରାଜ୍ୟସ୍ତରୀୟ ଶହୀଦ ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ରାଜ୍ୟପାଳ ଶ୍ରୀ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ, ଉପବାଚସ୍ପତି ଶ୍ରୀ ସାଲୁଜା ପ୍ରଧାନ, ସରକାରୀ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅର୍ଥ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ପ୍ରମୁଖ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ଓଡ଼ିଶା ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ କରାଯାଇଥିଲା। ଶାଶ୍ୱତୀ ସାମାଜିକ ସାଂସ୍କୃତିକ କେନ୍ଦ୍ରର କଣ୍ଠଶିଳ୍ପୀଗଣ ଗାନ୍ଧିଜୀଙ୍କ ପି୍ରୟ ଆଶ୍ରମ ଭଜନ ‘ବୈଷ୍ଣବ ଜନ ତୋ’ ପରିବେଷଣ କରିଥିଲେ। ପୋଲିସବାହିନୀ ଦ୍ୱାରା ବୀର ଶହୀଦମାନଙ୍କୁ ସମ୍ମାନ ପ୍ରଦର୍ଶନ ଉଦ୍ଦେଶ୍ୟରେ ତୋପଧ୍ୱନି, ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା, ନୀରବ ପ୍ରାର୍ଥନା ସମାପ୍ତିର ସଙ୍କେତ ସ୍ୱରୂପ ଦ୍ୱିତୀୟବାର ତୋପଧ୍ୱନି କରାଯାଇଥିଲା। ଓଡ଼ିଶା ପୋଲିସ ବ୍ୟାଣ୍ଡ ଦ୍ୱାରା ରାମଧୂନ ପରିବେଷଣ ଓ ଜାତୀୟ ସଂଗୀତ ବାଦନ ପରେ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା। ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କ ସମେତ ସମସ୍ତ ଅତିଥି ବିଧାନସଭା ପରିସରରୁ ପ୍ରସ୍ଥାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ, ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ବୈଷୟିକ ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ ଓ ଅନ୍ୟ ଅଧିକାରୀବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।