Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଅଭାବନୀୟ ଘଟଣା: ଶାଳିଆ ନଦୀରେ ବୁଡି ବ୍ୟକ୍ତିଙ୍କ ପ୍ରାଣହାନୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି।  ନଦୀରେ ବୁଡ଼ି ଜଣେ ବ୍ୟକ୍ତି ପ୍ରାଣ ହରାଇଥିବାର ଖବର ହସ୍ତଗତ ହୋଇଛି।

ସୂଚନା ମୁତାବକ ବାଣପୁର ଏନଏସି ଶ୍ରୀନିବାସପୁର ଗ୍ରାମର ଚକ୍ରପାଣି ନାୟକ (୫୫) ଆଜି ଅପରାହ୍ନରେ ଶାଳିଆ ନଦୀ ମଧ୍ୟକୁ ସ୍ନାନ ପାଇଁ ଯାଇଥିଲେ। ତେବେ ଦୀର୍ଘସମୟ ଧରି ଚକ୍ରପାଣି ଘରକୁ ନଫେରିବାରୁ ତାଙ୍କ ପତ୍ନୀ ଛବି ନଦୀକୁ ଯାଇ ଦେଖିଲା ବେଳେକୁ ଚକ୍ରପାଣିଙ୍କ ମୃତ ଦେହ ନଦୀରେ ଭାସୁଥିଲା। ସଙ୍ଗେସଙ୍ଗେ ଖବର ପାଇ ଗ୍ରାମବାସୀ ଚକ୍ରପାଣିଙ୍କୁ ନଦୀରୁ ଉଦ୍ଧାର କରି ବାଣପୁର ମେଡିକାଲ ନେଇଥିଲେ ସୁଦ୍ଧା ଡକ୍ଟର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ନଦୀରେ ଅସାବଧାନତା ବଶତଃ ଗୋଡ଼ ଖସି ଚକ୍ରପାଣି ବୁଡ଼ିଯାଇଥିବେ ବୋଲି ପରିବାରବର୍ଗ ସନ୍ଦେହ କରୁଛନ୍ତି। ଏ ନେଇ ବାଣପୁର ପୋଲିସ କେସ ନମ୍ବର ୭/୨୩ ରେ ଏକ ଅପମୃତ୍ୟ ମାମଲା ରୁଜୁ କରି ଶବ ଜବତ କରି ତଦନ୍ତ ଜାରି ରଖିଛି।

ସୂଚନା ଥାଉକି ଚକ୍ରପାଣି ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ ସ୍ଥାନୀୟ କୁମାରାଙ୍ଗ ଛକରେ ସେ ଏକ ଛୋଟ ପାନ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରିଆସୁଥିଲେ। ତାଙ୍କର ଦୁଇ ଗୋଟି ପୁତ୍ର ଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ମିଳିଲା ଆଉ ଏକ ମୃତଦେହ: ତିନି ଦିନ ମଧ୍ୟରେ ଦ୍ଵିତୀୟ ଘଟଣା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦୁଲ୍ଲଣୀ ଗ୍ରାମ ଶାଳିଆ ନଦୀ ବାଉଁଶବୁଦା ମଧ୍ୟରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଦେହ ପଡିଥିବାର ଆଜି ସଂନ୍ଧ୍ୟାରେ ଦେଖିବାକୁ ମିଳିଛି।  ତେବେ ମୃତକଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କୁ କେହି ମାରିକି ବୁଦାରେ ଫୋପାଡ଼ିଦେଇଥିବା ସନ୍ଦେହ କରାଯାଉଛି।

ଖବର ପାଇ ବାଣପୁର ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି।  ସୂଚନା ଥାଉକି ଗତ ତିନି ଦିନ ତଳେ ସତସଙ୍ଗ ବିହାର କେନାଲ ରୋଡରେ ଅନୁରୂପ ଭାବେ ଜଣେ ବ୍ୟକ୍ତିଙ୍କ ମୃତଦେହ ଝୁଲୁଥିବା ବେଳେ ଏଯାବତ ତାଙ୍କ ପରିଚୟ ମିଳିପାରିନାହିଁ। ତାଙ୍କୁ କେହି ମାରିଦେଇଥିବାର ଚର୍ଚ୍ଚା ହେଉଛି। ତେବେ କ୍ରମାଗତ ଭାବେ ଏପରି ମୃତ୍ୟୁ ଘଟଣା ଦେଖି ବାଣପୁରବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ଏକ ମାସ ପୂର୍ବେ ଶାଳିଆ ନଦୀରେ ଭାସିଯାଇ ନିଖୋଜ ଥିବା ବୃଦ୍ଧଙ୍କ ଗଳିତ ଶବ ଠାବ

ସୀତାରାମ ଅଗ୍ରୱାଲ

ବାଣପୁର: ଗତ ଏକମାସ ତଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୋଷରଡ଼ା ଗ୍ରାମ ନିକଟସ୍ଥ ଶାଳିଆ ନଦୀରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୋରଡ଼ାପଲି ଗ୍ରାମର ବାଉରିଆ ଶବର (୫୫) ଭାସି ନିଖୋଜ ହୋଇଯାଇଥିଲେ। ଏହାପରେ ଦୀର୍ଘ ୪ ଦିନ ଧରି ଅଗ୍ନିଶମ ବାହିନୀ ବାଉରିଆଙ୍କୁ ଖୋଜି ଶେଷରେ ନିରାଶ ହୋଇଥିବାବେଳେ ବାଉରିଆଙ୍କ ପତ୍ତା ମିଳିନଥିଲା।

ସେବେଠାରୁ ତାଙ୍କ ପରିବାର ବର୍ଗ ଦୁଃଖିତ ଥିବାବେଳେ ଶୁକ୍ରବାର ସକାଳେ ମୃତ ବାଉରିଆଙ୍କ ଗଳିତ ଶବ ନିପାଣିଆ ଓ ସାହାଡ଼ାଡିହ ଗ୍ରାମ ମଝିରେ ଯାଇଥିବା ଶାଳିଆ ନଦୀର ଏକ ଗଛରେ ଲାଗି ରହିଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ। ଏ ନେଇ ସଙ୍ଗେସଙ୍ଗେ ଗ୍ରାମବାସୀ ମୃତ ବାଉରିଆଙ୍କ ପୁତ୍ର ବିପ୍ର ଶବରଙ୍କୁ ସୂଚନା ଦେବାରୁ ବିପ୍ର ଉକ୍ତ ସ୍ଥାନକୁ ଯାଇ ନିଜ ପିତାଙ୍କ ଶବକୁ ଚି଼ହ୍ନଟ କରିବା ସହ ସଂନ୍ଧ୍ୟାରେ ବାଣପୁର ଥାନାରେ ଏକ ଏତଲା ଦେଇଛନ୍ତି। ତେବେ ଆଜି ପୋଲିସ ଉକ୍ତ ସ୍ଥାନକୁ ଯାଇ ଘଟଣାର ଯାଞ୍ଚ କରିବ ବୋଲି ଆଇଆଇସି ରଶ୍ମିରଞ୍ଜନ ସାହୁ ସୂଚନା ଦେଇଛନ୍ତି।

ସୂଚନା ଥାଉକି ଗତ ସେପ୍ଟେମ୍ବର ୨୮ ତାରିଖ ଅପରାହ୍ନରେ ବାଉରିଆ ଦାମିଆ ବରବରା ପଞ୍ଚାୟତ ଅନ୍ତର୍ଗତ କୋଷରଡ଼ା ସ୍ଥିତ ନିଜ ସମ୍ପର୍କୀୟଙ୍କ ଘରୁ କାମ ସାରି ନିଜ ଗ୍ରାମ ସୋରଡ଼ାପଲି ଯିବାପାଇଁ ଉଦ୍ୟତ ହେଉଥିବାବେଳେ ନଦୀରେ ପହଁରି ଆର ପାର୍ଶ୍ଵକୁ ଯିବା ସମୟରେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶାଳିଆ ନଦୀରେ ଭାସିଗଲେ ମହିଳା: ମୃତ ଦେହ ଉଦ୍ଧାର କଲା ବାଣପୁର ଅଗ୍ନିଶମ ବାହିନୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ପୁଣି ଏକ ଜୀବନ ନେଲା ଶାଳିଆ ନଦୀ।  ଶାଳିଆ ନଦୀରେ ଜଣେ ମହିଳା ଭାସିଯାଇଥିବାବେଳେ ଆଜି ତାଙ୍କର ମୃତ ଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।

ସୂଚନା ମୁତାବକ ବାଣପୁର ଥାନା ଅନ୍ତର୍ଗତ ସାନ ହନ୍ତୁଆଡ଼ ଗ୍ରାମର ମଞ୍ଜୁଲତା ମହାରଣା (୫୬) ଗତକାଲି ଗ୍ରାମ ନିକଟସ୍ଥ ଶାଳିଆ ନଦୀକୁ ଯାଇଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଏ ନେଇ ଗ୍ରାମବାସୀ ସଂନ୍ଧ୍ୟାରେ ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସଙ୍କୁ ଜଣେଇବାରୁ ଅଗ୍ନିଶମ ବାହିନୀ ତୁରନ୍ତ ଗ୍ରାମରେ ପହଞ୍ଚି ମଞ୍ଜୁଲତାଙ୍କୁ ଖୋଜିବାରେ ଲାଗିପଡ଼ିଥିଲା। କିନ୍ତୁ କିଛି ସୁଫଳ ନମିଳିବାରୁ ରାତିରେ ଅଗ୍ନିଶମ ବାହିନୀ ଖାଲି ହାତରେ ଫେରିଥିଲା।

ତେବେ ଆଜି ସକାଳୁ ପୁଣି ଅଗ୍ନିଶମ ବାହିନୀ ସର୍ଚ୍ଚ ଅପେରସନ ଆରମ୍ଭ କରିବାରୁ ଗ୍ରାମ ପଛପଟେ ଥିବା ଶାଳିଆ ନଦୀରୁ ମଞ୍ଜୁଲତାଙ୍କ ମୃତ ଶରୀରକୁ ଉଦ୍ଧାର କରି ବାଣପୁର ପୋଲିସକୁ ସୂଚନା ଦେଇଥିବାର ଜଣାପଡିଛି। ସୂଚନା ଥାଉକି ଗତ ଏକ ମାସ ମଧ୍ୟରେ ଶାଳିଆ ନଦୀରେ ବୁଡି ତିନି ଜଣ ବ୍ୟକ୍ତି ପ୍ରାଣ ହରାଇଲେଣି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ଶାଳିଆ ନଦୀର ୫୦ଫୁଟ ତଳକୁ ଖସିଲା ପିକ ଅପ ଗାଡ଼ି

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ମଧ୍ୟରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଭାରସାମ୍ୟ ହରାଇ ଏକ ମହିନ୍ଦ୍ରା ପିକ ଅପ ଗାଡ଼ି ୫୦ ଫୁଟ ତଳେ ଏକ ନଦୀ ଭିତରେ ଖସିପଡିଛି।

ସୂଚନା ମୁତାବକ ଗତକାଲି ଭୁବନେଶ୍ୱରରୁ ଓଡ଼ି-୦୫ ଏଚ ୧୬୨୮ ନମ୍ବର ବିଶିଷ୍ଟ ଏକ ମହିନ୍ଦ୍ରା ପିକ ଅପ ଗାଡ଼ି ରଙ୍ଗ ଜିନିଷ ନେଇ ଆସ୍କା ଯାଇଥିଲା। ଏବଂ ଆସ୍କାରୁ ଜିନିଷ ଖାଲି କରି ୧୬ ନମ୍ୱର ଜାତୀୟ ରାଜପଥ ଜାମ ଥିବାରୁ ଗାଡିଟି ବେଗୁନିଆପଡା- ଅଙ୍ଗାରଗାଁ- ବାଣପୁର ହୋଇ ଭୁବନେଶ୍ୱର ଫେରୁଥିଲା। ପାଖାପାଖି ରାତି ଦୁଇ ଘଟିକାରେ ଗାଡ଼ି ଚାଳକଙ୍କ ଆଖି ପଡିଯିବାରୁ ମାଣିକପୁର ଛକ ବୁଲାଣି ନିକଟସ୍ଥ ଶାଳିଆ ନଦୀ ଭିତରକୁ ପ୍ରାୟ ପଚାଶ ଫୁଟ ତଳକୁ ଗାଡିଟି ଖସିପଡିଥିଲା। ସୌଭାଗ୍ୟବଶତଃ ଗାଡ଼ି ଚାଳକ ଗୁରୁଦେବ ପରିଆ ଏବଂ ତାଙ୍କ ସହଯୋଗୀଙ୍କ କିଛି କ୍ଷୟକ୍ଷତି ହୋଇନାହିଁ। ହେଲେ ବର୍ତ୍ତମାନ ସୁଦ୍ଧା ଗାଡିଟି ନଦୀ ଭିତରେ ପଡି ରହିଥିବାର ସୂଚନା ରହିଛି।