ଶାଳିଆ ନଦୀରେ ଭାସିଗଲେ ମହିଳା: ମୃତ ଦେହ ଉଦ୍ଧାର କଲା ବାଣପୁର ଅଗ୍ନିଶମ ବାହିନୀ

Published: Oct 9, 2021, 12:32 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ପୁଣି ଏକ ଜୀବନ ନେଲା ଶାଳିଆ ନଦୀ।  ଶାଳିଆ ନଦୀରେ ଜଣେ ମହିଳା ଭାସିଯାଇଥିବାବେଳେ ଆଜି ତାଙ୍କର ମୃତ ଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।

ସୂଚନା ମୁତାବକ ବାଣପୁର ଥାନା ଅନ୍ତର୍ଗତ ସାନ ହନ୍ତୁଆଡ଼ ଗ୍ରାମର ମଞ୍ଜୁଲତା ମହାରଣା (୫୬) ଗତକାଲି ଗ୍ରାମ ନିକଟସ୍ଥ ଶାଳିଆ ନଦୀକୁ ଯାଇଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଏ ନେଇ ଗ୍ରାମବାସୀ ସଂନ୍ଧ୍ୟାରେ ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସଙ୍କୁ ଜଣେଇବାରୁ ଅଗ୍ନିଶମ ବାହିନୀ ତୁରନ୍ତ ଗ୍ରାମରେ ପହଞ୍ଚି ମଞ୍ଜୁଲତାଙ୍କୁ ଖୋଜିବାରେ ଲାଗିପଡ଼ିଥିଲା। କିନ୍ତୁ କିଛି ସୁଫଳ ନମିଳିବାରୁ ରାତିରେ ଅଗ୍ନିଶମ ବାହିନୀ ଖାଲି ହାତରେ ଫେରିଥିଲା।

ତେବେ ଆଜି ସକାଳୁ ପୁଣି ଅଗ୍ନିଶମ ବାହିନୀ ସର୍ଚ୍ଚ ଅପେରସନ ଆରମ୍ଭ କରିବାରୁ ଗ୍ରାମ ପଛପଟେ ଥିବା ଶାଳିଆ ନଦୀରୁ ମଞ୍ଜୁଲତାଙ୍କ ମୃତ ଶରୀରକୁ ଉଦ୍ଧାର କରି ବାଣପୁର ପୋଲିସକୁ ସୂଚନା ଦେଇଥିବାର ଜଣାପଡିଛି। ସୂଚନା ଥାଉକି ଗତ ଏକ ମାସ ମଧ୍ୟରେ ଶାଳିଆ ନଦୀରେ ବୁଡି ତିନି ଜଣ ବ୍ୟକ୍ତି ପ୍ରାଣ ହରାଇଲେଣି।

Related posts