Categories
ବିଶେଷ ଖବର ବ୍ୟବସାୟ

ଜାତୀୟ ସ୍ତରରେ ଓଡ଼ିଶାକୁ ପ୍ରତିଷ୍ଠିତ କରିବା ପାଇଁ ଯୁବ ଉଦ୍ୟୋଗୀଙ୍କୁ ସରକାରଙ୍କ ଆହ୍ବାନ

ଭୁବନେଶ୍ୱର: ଆଜି ସ୍ଥାନୀୟ ଓ-ହବ୍‌ଠାରେ ଷ୍ଟାର୍ଟଅପ୍‌ ଓଡ଼ିଶାର ଏକ ବର୍ଷ ପୂର୍ତ୍ତି ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶକ୍ତି, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶାକୁ ଭାରତ ମାନଚିତ୍ରରେ ପ୍ରତିଷ୍ଠିତ କରିବାକୁ ଯୁବବର୍ଗ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଯୁବବର୍ଗ ତାଙ୍କର ସୃଜନଶୀଳ ପ୍ରତିଭା ଏବଂ ବୁଦ୍ଧିମତ୍ତାକୁ ପ୍ରୟୋଗ କରି ଉଦ୍ୟୋଗୀ ହେବା ଆବଶ୍ୟକ ବୋଲି ସେ କହିଥିଲେ ।

ଏହି ଅବସରରେ ଷ୍ଟାର୍ଟଅପ୍‌ ଓଡ଼ିଶାର ନିର୍ବାହୀ ଅଧ୍ୟକ୍ଷ ଡ. ଓମ୍‌କାର ରାଏ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱରେ ଆଜି ଷ୍ଟାର୍ଟଅପ୍‌ ଓଡ଼ିଶା ରାଜ୍ୟରେ ଏକ ପ୍ରମୁଖ ଇନ୍‌କୁ୍ୟବେଟର ପ୍ରତିଷ୍ଠା କରିବା ସହ ଏକ ଉତ୍ତମ ଷ୍ଟାର୍ଟଅପ୍‌ ପରିମଣ୍ଡଳ ସୃଷ୍ଟି ହୋଇପାରିଥିବା କହିଥିଲେ । ବର୍ତ୍ତମାନ ରାଜ୍ୟରେ ୧୪୫୦ଟି ଷ୍ଟାର୍ଟଅପ୍‌ ବିଭିନ୍ନ କ୍ଷେତ୍ରରେ ହୋଇପାରିଥିବାବେଳେ ୨୫ଟି ଇନ୍‌କୁ୍ୟବେଟର ପ୍ରତିଷ୍ଠା ହୋଇ ବିଭିନ୍ନ ପ୍ରକାରର ଉତ୍ପାଦ ତିଆରି କରିପାରୁଥିବା ସେ ପ୍ରକାଶ କରିଥିଲେ ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର କହିଥିଲେ ଯେ ଷ୍ଟାର୍ଟଅପ୍‌ର ବିକାଶ ପାଇଁ ରାଜ୍ୟ ସବୁ ପ୍ରକାର ସାହାଯ୍ୟ ଦେବାକୁ ପ୍ରସ୍ତୁତ । ଆଗକୁ ଏକ ସ୍ୱଚ୍ଛ ନୀତି ପ୍ରଣୟନ କରାଯିବ, ଯାହା ଏହି ଉଦ୍ୟମକୁ ତ୍ୱରିତ ଭାବେ ଷ୍ଟାର୍ଟଅପ୍‌ ସୁସ୍ଥ ପରିମଣ୍ଡଳ ସୃଷ୍ଟି କରିପାରିବ ବୋଲି କହିଥିଲେ ।

ଏହି ଅବସରରେ ଓ-ହବ୍‌ ବୁକ୍‌ଲେଟ୍‌ ଉନ୍ମୋଚନ କରାଯାଇଥିଲା । ଏହି ବୁକ୍‌ଲେଟ୍‌ରେ ବିଭିନ୍ନ କାର୍ଯ୍ୟକ୍ରମ କାହାଣୀ ସହ ଓ-ହବ୍‌ ଦ୍ୱାରା କରାଯାଇଥିବା କାର୍ଯ୍ୟଗୁଡ଼ିକ ବ୍ୟାଖ୍ୟା କରାଯାଇଛି । ଏଥି ସହିତ ମେଣ୍ଟର କନେକଫ ପ୍ଲାଟ୍‌ଫର୍ମର ଶୁଭାରମ୍ଭ କରାଯାଇଥିଲା । ଏହା ଦ୍ୱାରା ବିଶେଷଜ୍ଞମାନଙ୍କ ଦ୍ୱାରା ଉପଯୁକ୍ତ ସହଯୋଗ ମିଳିପାରିବ । ପରେ ଅତିଥିମାନେ ଉପସ୍ଥିତ ଷ୍ଟାର୍ଟଅପ୍‌, ଉଦ୍ୟୋଗୀ ଏବଂ ଇନ୍‌କୁ୍ୟବେଟରମାନଙ୍କ ସହ ଖୋଲା ଆଲୋଚନା କରିଥିଲେ ।

ଯୁବ ଉଦ୍ୟୋଗୀମାନଙ୍କୁ ତାଙ୍କର ସୃଜନଶୀଳତାର ପରିପ୍ରକାଶ କରିବା, ଯୁବବର୍ଗଙ୍କୁ ସ୍ୱାବଲମ୍ବୀ କରିବା ଏବଂ ନୂତନ ଜ୍ଞାନକୌଶଳ ପ୍ରୟୋଗରେ ନୂଆ ଉପକରଣ ବିକଶିତ କରିବା ଆଦି ଲକ୍ଷ୍ୟ ରଖି ରାଜ୍ୟ ସରକାର ଭୁବନେଶ୍ୱରଠାରେ ଏକ ବିଶ୍ୱସ୍ତରୀୟ ଭିତ୍ତିଭୂମିର ବିକାଶ କରୁଛନ୍ତି । ଗତବର୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଓ-ହବ୍‌ର ଶୁଭ ଉଦ୍‌ଘାଟନ କରିଥିଲେ । ଏହା ଷ୍ଟାର୍ଟଅପସ୍‌ ଓଡ଼ିଶାର ଇନ୍‌କୁ୍ୟବେସନ୍‌ କେନ୍ଦ୍ର ।

୨୦୧୬ ମସିହାଠାରୁ ଆଜି ପର୍ଯ୍ୟନ୍ତ ସର୍ବମୋଟ ୧୪୫୦ଟି ଷ୍ଟାର୍ଟଅପ୍‌କୁ ପ୍ରୋତ୍ସାହିତ କରାଯାଇଛି । ଏଥି ମଧ୍ୟରୁ ମହିଳାମାନଙ୍କ ଦ୍ୱାରା ୫୯୦ଟି ଷ୍ଟାର୍ଟଅପସ୍‌ ପରିଚାଳିତ । ରାଜ୍ୟରେ ଗତ ଏକ ବର୍ଷ ମଧ୍ୟରେ ଏହି ଓ-ହବ୍‌ ଷ୍ଟାର୍ଟଅପସ୍‌ ପରିମଣ୍ଡଳ ସୃଷ୍ଟି କରିବାରେ ବିଶେଷ ଭୂମିକା ଗ୍ରହଣ କରାଯାଇଛି । ଏହା ନିରନ୍ତର ଭାବେ ଏ କ୍ଷେତ୍ରରେ କାର୍ଯ୍ୟ କରିବା ସହ ଅଧିକରୁ ଅଧିକ ଷ୍ଟାର୍ଟଅପ୍‌ ଏଥିରେ ସାମିଲ ହେବା ପାଇଁ ସୁଯୋଗ ସୃଷ୍ଟି କରାଯାଇଛି ।

ଏକବର୍ଷର ସଫଳତା ସକାଶେ ଏହାକୁ ଆଡମ୍ବର ସକାଶେ ପାଳନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଠାରେ ନିର୍ମିତ ଦୁଇଟି ସୁଦୃଶ୍ୟ ସୁଉଚ୍ଚ ଟାୱାରରେ ଷ୍ଟାର୍ଟଅପ୍‌ ସକାଶେ ଆବଶ୍ୟକ ସବୁପ୍ରକାର ସୁବିଧା ଉପଲବ୍ଧ କରାଯାଇଛି । ଆଗକୁ ଏଠାରେ ସୁପର ଡିଜିଟାଲ୍‌ ଫାବ୍ରିକେସନ୍‌ ଲାବୋରେଟୋରୀ (ଫାବ୍‌ଲ୍ୟାବ୍‌) ପ୍ରତିଷ୍ଠା ହେବାର ଯୋଜନା ରଖାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ଏନ୍‌ଏସ୍‌ଏସ୍‌ ଉପଦେଷ୍ଟା ପରିଷଦର ବୈଠକ

ଭୁବନେଶ୍ୱର: ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌)କୁ ଅଧିକ କ୍ରିୟାଶୀଳ କରାଯିବ । ରାଜ୍ୟର ୧ ଲକ୍ଷ ୧୫ ହଜାର ୫୦୦ ସେ୍ୱଚ୍ଛାସେବୀଙ୍କୁ ଚଳିତ ଶିକ୍ଷା ବର୍ଷରେ ମହାବିଦ୍ୟାଳୟଗୁଡ଼ିକୁ ତମାଖୁମୁକ୍ତ, ସ୍ୱଚ୍ଛ ଓ ସବୁଜ କ୍ୟାମ୍ପସ୍‌ରେ ପରିଣତ କରିବା ସହିତ ବ୍ୟାପକ ରକ୍ତଦାନ କାର୍ଯ୍ୟକ୍ରମରେ ନିୟୋଜିତ କରାଯିବ । ଏଥି ସହ ବୃକ୍ଷରୋପଣ ଓ ବିଭିନ୍ନ ଜନସେଚତନତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର କହିଛନ୍ତି ।

ଆଜି ପୁସ୍ତକ ଭବନଠାରେ ପ୍ରମୁଖ ଶାସନ ସଚିବ ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ ଏନ୍‌ଏସ୍‌ଏସ୍‌ ଉପଦେଷ୍ଟା ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ନିଷ୍ପତ୍ତି ଅନୁଯାୟୀ ଏଣିକି ପ୍ରତି ଏନ୍‌ଏସ୍‌ଏସ୍‌ ୟୁନିଟ୍‌ର ସେ୍ୱଚ୍ଛାସେବୀ ସଂଖ୍ୟା ୫୦ରୁ ୧୦୦କୁ ବୃଦ୍ଧି କରାଯିବ । ସ୍ୱୟଂ ଶାସିତ ମହାବିଦ୍ୟାଳୟଗୁଡ଼ିକରେ ଏନ୍‌ଏସ୍‌ଏସ୍‌କୁ ସକି୍ରୟ କରାଯିବ । ରାଜ୍ୟସ୍ତରୀୟ ସାଂସ୍କୃତିକ ପ୍ରତିଭା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହିତ ସେ୍ୱଚ୍ଛାସେବୀମାନଙ୍କୁ ଆନ୍ତଃରାଜ୍ୟ ଭ୍ରମଣ ପାଇଁ ସୁଯୋଗ ପ୍ରଦାନ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା ।

ବୈଠକରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ, ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତି୍ରପାଠୀ, ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବାସା, ଏନ୍‌ଏସ୍‌ଏସ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ସୁଶ୍ରୀ ସରିତା ପଟେଲ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ସତ୍ୟରଞ୍ଜନ ସାହୁ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ପ୍ରଶିକ୍ଷଣ ସଂଯୋଜକ ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ର ଓ ନିରଦ ବରଣ ଖୁଣ୍ଟିଆ, ସମାଜସେବୀ ମଧୁସୂଦନ ଦାସଙ୍କ ସମେତ ୨୪ଟି ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ ସଂଯୋଜକ ଯୋଗଦେଇ ଏନ୍‌ଏସ୍‌ଏସ୍‌ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ।

ରାଜ୍ୟ ଏନ୍‌ଏସ୍‌ଏସ୍‌ ଅଧିକାରୀ ତଥା ଉପଶାସନ ସଚିବ ଶ୍ରୀ ରମେଶ ଚନ୍ଦ୍ର ବେହେରା ପୂର୍ବବର୍ଷର ବିବରଣୀ ସହ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ ।